ବିଚ୍ଛେଦ
ବିଚ୍ଛେଦ ମିଳନ ଈଶ୍ବରଙ୍କ ଖେଳ
ଏ ଜୀବ ଜୀବନେ ଥାଏ
ଜନମେ ମିଳନ ମରଣେ ବିଚ୍ଛେଦ
ମନେ କଷ୍ଟ ଭରି ଦିଏ ॥
ତାମଧ୍ୟେ ଅନେକ ଜଞ୍ଜାଳ ବିଚ୍ଛେଦ
ଧୋକା ଦିଏ ହୃଦୟରେ
ପ୍ରେମିକ ପ୍ରେମିକା ବିଛେଦରେ ମନ
ଜଳେ ଯନ୍ତ୍ରଣା ନିଆଁରେ ॥
ସାତ ଜନମର ସାଥି ହୋଇ ଦୁଇ
ଚାଲିଥାନ୍ତି ହାତଧରି
କାଳ କୃରତାରେ ଚାଲି ଗଲେ ଜଣେ
ବାଧେ ସେ ବିଚ୍ଛେଦ ଭାରି ॥
ପିତାମାତା ଆଗେ ପୁତ୍ର କନ୍ୟା ଯେବେ
ଯାଆନ୍ତି ଛାଡ଼ି ସଂସାର
ସେହି ବିଚ୍ଛେଦଠୁ ନାହିଁ ବଡ଼ କଷ୍ଟ
ଜୀବନେ ଆଉ କାହାର ॥
କରମକୁ ଦେଖି ବିଛେଦ ଯନ୍ତ୍ରଣା
ଦିଅନ୍ତି ପ୍ରଭୁ ଜୀବକୁ
ଦୁଃଖ ଦେଇ ଅନ୍ୟେ ଅପକର୍ମେ ଲିପ୍ତ
ଭୋଗନ୍ତି ଏହି ଦୁଃଖକୁ ॥
ସାତ୍ତ୍ଵିକ ଭାବନା ଉତ୍ତମ ଚେତନା
ରଖି ଚାଲିଲେ ସଂସାରେ
ବିଚ୍ଛେଦର ଦୁଃଖ ହରି ଥାନ୍ତି ପ୍ରଭୁ
ରହି ଭକତ ସାଥିରେ ॥
ସତ୍ୟପଥେ ରହି ସତ୍ୟର ସନ୍ଧାନେ
ମନ କୁଲଗାଏ ଯିଏ
ଜଞ୍ଜାଳ ବିଚ୍ଛେଦ ଲାଗେ ନାହିଁ ତାକୁ
ଆନନ୍ଦେ ଦିନତା ଯାଏ ॥
ରତିନାରାୟଣ ରାଉତ
ହରିଚନ୍ଦନପୁର, କେନ୍ଦୁଝର, ଓଡ଼ିଶା