“ଘରର ଘରଣୀ, ମୋ ମାଲିକାଣୀ”
ସୁଶ୍ରୀ ଚନ୍ଦ୍ରକଳା ଦେବୀ,ବନ୍ଧୁଗାଁ,କୋରାପୁଟ
ଘରର ଘରଣୀ ମୋ ମାଲିକାଣୀ
ଘରର ସେ ଶିରୋମଣି,
ନୁହେଁ ସେ ଅବଳା ନୁହଁଇ ଦୁର୍ବଳା
ସବୁରେ ହିଁ ସେ ଅଗ୍ରଣୀ ||
ସବୁରି ଉପରେ ଶାସନ ସେ କରେ
କି କହିବି ଭାଇ ମୁହିଁ ?
ନ ମାନିଲେ କଥା ହାକିମତି କରେ
ନା ନା କଟୁ କଥା କହି ||
ଭୁଲ କରିଲେ ସେ ମନ ଇଚ୍ଛା ଦଣ୍ଡ
କାନ ଧରି ଉଠୁ ବସ,
ଏକ ଦୁଇ କହି ଗଣିଥାଏ ଭାଇ
ଶହେରେ କରଇ ଶେଷ ||
ଶହେ ମଧ୍ୟେ ଯଦି ଠିଆ ହୋଇଯାଏ
ଆଉ ଶହେ ବଢିଯାଏ,
ଏହିପରି ଭାଇ ପରିବାରକୁ ସେ
ଶାସନ ଯେ କରିଥାଏ ||
କେତେବେଳେ ଯଦି ସାଙ୍ଗସାଥୀ ମେଳେ
ମଦ ଟିକେ ପିଇ ଦିଏ,
ଘରକୁ ଆସିଲେ ଝାଡୁର ପ୍ରହାରେ
ନିଶା ମୋର ସେ ଛଡା଼ଏ ||
କି କହିବି ଭାଇ ଘରଣୀ କାହାଣୀ
ସିଏ ମାଲିକାଣୀ ମୋର,
ମୁଁ ତା’ର ଚାକର ସେ ମୋ ଭଗବାନ
ଦୁରୁ କରେ ମୁଁ ଜୁହାର ||