ଖରା
ସୁକାନ୍ତ ଖଣ୍ଡା
ଖରା କାହିଁକି ଆସେ କେଜାଣି
କିଛି ବି ବୁଝି ହୁଏ ନାହିଁ।
ମୁଁ ବି ବୁଝିବି କାହିଁକି କୁହ ତ
ଯା’ର ନାଚିବା,ଖେଳିବା ଓ ଭାସିବାରେ ମନ
ପାହାଡ଼ ପାହାଡ଼ କାମନାର ଢେଉରେ।
ଦେଖୁନ !
କେମିତି ଢେଉ ଭାଙ୍ଗୁଛି ହୃଦୟରେ
ଝରଝର ବହି ଯାଉଛି ପାଣି
ଗାଧୋଉଛି ଅହରହ କାମନା ଝରରେ
ଗୋଟେ ଶକ୍ତ ସ୍ବର୍ଗୀୟ ଭାବନା ରାଜ୍ଯରେ
ଯାହା କହି ହୁଏନା କି ସହି ହୁଏନା?
ସତରେ !
ବୟସର ବସନ୍ତ ଖରାକୁ ଡରେ କି
ନା ଡରେ ତା ଡହଡ଼ହ ତେଜକୁ
ପିଚକାରୀ ମାରୁଥିବା ଏ ନିଆଁରେ ଯିଏ ଭିଜୁଛି
ଏ ଛାର ଖରାଟା ଭଲା
କ’ଣ କରି ପାରିବ,କୁହ?
ଭାବୁଥିଲି ବସି ନିଭୃତ କୋଣରେ
ହଠାତ୍ ଖରା ଶୁଣିଦେଲା କେଜାଣି
ଜାଳି ଫିଙ୍ଗିଲା ହୁଳାହୁଳା ନିଆଁ
ତାଳରୁ ତଳିପା ଯଦିଓ ପୋଡି଼ ଯାଉଥିଲା
ହେଲେ ଖାତିର ନାହିଁ ତାହାକୁ
କାରଣ ସେ ଅପେକ୍ଷା କରିଛି ତାର ପ୍ରିୟତମକୁ।
ସେ ଆସିଲେ ଆଉ କୋଳେଇଲେ
ଖରାର ଏ ଭୟଙ୍କର ତାତିରେ ବି
ଜୁଡୁବୁଡୁ ହେବା ଭାଗ୍ଯରେ ଥିଲେ ମିଳେ
ଆମେ କୋଳାକୋଳି ଓ ଗଡା଼ଗଡି଼ ହେଲୁ
ଯେମିତି କ୍ଷୀର ଆଉ ନୀର
ଲୁହ ବହିଯିଏ ଯେମିତି ସୁଖରେ ଦୁଃଖରେ
ଏତେ ଆପଣାର ଯେ
ଆମ ପରି ଆଉ କିଏ ହୋଇ ପାରିବ କୁହ?
ଖରା ଅଗ୍ନି ବର୍ଷିବର୍ଷି ହାରିଗଲା
ଆଉ କ୍ଷମା ଭିକ୍ଷା ପାଇଁ ମଣିଷର ରୂପରେ
ଚାଲି ଆସିଲା କତିକୁ
ସେ ଭୁଲିଗଲା ଲାଜ ଓ ସରମ
କାମନାରେ ସରସର ହେଉଥିବା ଆମ ପାଖକୁ
ଆସି ମୁଣ୍ଡ ନୁଆଇଁ କହିଲା ତୁମେ ଦୁହେଁ ସତରେ ଭାଗ୍ଯବାନ
ତୁମର ଇଛା ଆଉ ଆଶା ଚିରଞ୍ଜିବୀ ହେଉ।
ଆମେ ଦୁହେଁ ଟିକିଏ ଝାଉଁଳି ପଡି଼ଲୁ
ଗୋଟେ ଅଲାଜୁକ ସାମ୍ନାରେ
ହେଲେ ଡରିଗଲୁ ନାହିଁ
ପ୍ରେମ ତ କରୁଛୁ ଡରିବୁ କାହିଁକି?
ଖରା ତା ବାଟରେ ଚାଲିଲା
ବୁଣିଦେଇ ରଡ଼ ନିଆଁ
ହେଲେ ଖାତିର ଅଛି ନା ଲାଜ
ଆମେ ତ କାମନାରେ ସରସର।
ଖରା ପରାଜୟର ଦ୍ବାରରେ
ଆଉ ଆମେ କାମନାର ଢେଉରେ।