ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଐତିହାସିକ ଗବେଷକଙ୍କ ଐତିହାସିକ କ୍ଷେତ୍ର ପରିଦର୍ଶନ

ଶିଳାଲେଖର ଫଟୋ ପାଠୋଦ୍ଧାର ପାଇଁ ମହୀଶୂର ଯିବ

କଳାହାଣ୍ଡି ଇତିହାସର ନୂତନ ତଥ୍ୟ ଆଗକୁ ଆସିବ

ନର୍ଲା (ମନିସ) କଳାହାଣ୍ଡି ଜିଲ୍ଲାର ସର୍ବପ୍ରାଚୀନ ନର୍ଲା ସ୍ଥିତ ଶୈବ ମନ୍ଦିରର ଶିଳାଲେଖ ଓ ଭୀମକେଲା ଗ୍ରାମରୁ ପ୍ରାପ୍ତ ଭାରତ ବର୍ଷର ପ୍ରାଚୀନତମ ବିଷ୍ଣୁ ପ୍ରତିମାର ନୀରିକ୍ଷଣ କାର୍ଯ୍ୟ କରି କ୍ଷେତ୍ର ପରିଦର୍ଶନ କରିଛନ୍ତି ବିଶିଷ୍ଟ ଐତିହାସିକ ଗବେଷକ ଶଶାଙ୍କ ଶେଖର ପଣ୍ଡା। ନର୍ଲା ଶିବ ମନ୍ଦିର କାନ୍ଥରେ ଲାଗି ଥିବା ଶିଳାଲେଖାଟିର ପାଠୋଦ୍ଧାର ପାଇଁ ଭାରତ ସରକାରଙ୍କ ପ୍ରତ୍ନତାତ୍ବିକ ସର୍ବେକ୍ଷଣ ବିଭାଗ ଅଧିନ ଶିଳାଲେଖ ପାଠୋଦ୍ଧାର ଶାଖା, ମହିଶୂରକୁ ଏହାର ଫଟୋ ପଠାଯିବ ବୋଲି ଗବେଷକ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ଏହା ଦ୍ଵାରା କଳାହାଣ୍ଡି ଜିଲ୍ଲାର ଅତି ପ୍ରାଚୀନ ଇତିହାସର ନୂତନ ତଥ୍ୟ ଆମେ ପାଇ ପାରିବା ବୋଲି ଆଶା ବ୍ୟକ୍ତ କରିଥିଲେ। ପଶ୍ଚିମ ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା ଓ ଇତିହାସକୁ ନେଇ ସର୍ବ ଭାରତୀୟ ସ୍ତରରେ ଓ ସାରା ପୃଥିବୀରେ ଆମର ଗୈାରବ ପହଞ୍ଚାଇବାରେ କାର୍ଯ୍ୟ କରିଆସୁଥିବା ଗବେଷକ ଶଶାଙ୍କ ଶେଖର ପଣ୍ଡା ପଶ୍ଚିମ ଓଡ଼ିଶାର ପ୍ରାଚୀନ ମନ୍ଦିର ସ୍ଥାପତ୍ୟ କଳାକୁ ବିଶ୍ଵ ଦରବାରରେ ପରିଚିତ କରିବାରେ ସକ୍ଷମ ହୋଇଛନ୍ତି। ୧୯୪୬ ମସିହାରେ ରାଜୁଡା ଅମଳରେ ନର୍ଲା ଶିବ ମନ୍ଦିର ଶିଳାଲେଖର ପଠନ କାର୍ଯ୍ୟ ହୋଇଥିବା ବେଳେ ଏହା ସଂପୂର୍ଣ୍ଣ ହୋଇ ନଥିବାରୁ କେବଳ ଏହି ଅଞ୍ଚଳଟି କମଳମଣ୍ଡଳ ଓ ରାଜା ମଦନ ମହାଦେବଙ୍କ ରାଜତ୍ଵ ସମୟର ଯଥା ଦ୍ଵାଦଶ ଶତାବ୍ଦୀ କାଳର ବୋଲି ଅଭିହିତ କରାଯାଇଛି। ରାମବଣି ସମ୍ବତ୍ସର ଦ୍ଵାଦଶ ‌ଶତାଦ୍ଧୀ ଉକ୍ତ ଶିଳାଲେଖରେ ସାତଟି ଲାଇନରେ ଲିଖିତ ରହିଥିବା ଶିଳାଲେଖର ସପ୍ତମ ଧାଡ଼ି ଅସ୍ପଷ୍ଟ ହୋଇ ରହିଛି। ଏହାର ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ କାନ୍ଥରେ ଚୂନ ମରାଯିବା ପରେ ଏହାର କ୍ଷତି ଘଟିଥିବା ଗବେଷକ ଅନୁମାନ କରିଛନ୍ତି। ସେହିପରି ଭୀମକେଲା ଗ୍ରାମର ସାନ୍ଦୁଲ ନଦୀ କୂଳରୁ ଜୈନିକ ବ୍ୟକ୍ତି ଦ୍ଵାରା ଉଦ୍ଧାର କରାଯାଇଥିବା ଅତି ପୁରାତନ ପଥରରେ ଖୋଦିତ ବିଷ୍ଣୁଙ୍କ ମୂର୍ତ୍ତିକୁ ନିରୀକ୍ଷଣ କରି ଗବେଷକ ଏହା ଭାରତ ବର୍ଷରେ ପ୍ରଥମ ଥର ପାଇଁ ଦେଖାଯାଉଥିବା ପ୍ରାଚୀନତମ ବିଷ୍ଣୁ ପ୍ରତିମା ଯାହାକି ମୂର୍ତ୍ତି ତତ୍ବ ଉପରେ ଅଧିକ ଗବେଷଣା ପାଇଁ ତଥ୍ୟ ପ୍ରଦାନ କରୁଥିବା ଜଣାଇଛନ୍ତି। ହୁଏତ ଗୃହ ଦେବତା ରୂପେ ପୂଜା ପାଇ ଆସୁଥିବା ୪ ଇଞ୍ଚ ଲମ୍ବର ଓ ୩ ଇଞ୍ଚର ଖଣ୍ଡିତ ପଥର ଖୋଦେଇ ବିରଳ ବିଷ୍ଣୁ ପ୍ରତିମାର ଦୁଇ ଗୋଟି ହସ୍ତରେ ଶ୍ରୀ ଫଳ ଧରିବା ଗୁପ୍ତ ପରବର୍ତ୍ତୀ ସମୟର ବୋଲି ଅନୁମାନ କରିଛନ୍ତି। ଏହି ଗ୍ରାମର ଦକ୍ଷିଣ ପାଶ୍ୱର୍ରେ ସାଢେ଼ ୪ ଫୁଟ କଳା ମୁଗୁନି ପଥରରେ ତିଆରି ଚତୁର୍ଦ୍ଧା ମୂର୍ତ୍ତିକୁ ଗୁପ୍ତମାନଙ୍କର ପରବର୍ତ୍ତୀ ଷଷ୍ଠ ଓ ସପ୍ତମ ଶତାବ୍ଦୀର ବୋଲି ମତପ୍ରକାଶ କରିଥିଲେ। ଏହି କ୍ଷେତ୍ର ପରିଦର୍ଶନ ସମୟରେ ଗବେଷକ, ଲେଖକ କୁମାର ମିହିରେନ୍ଦ୍ର ପ୍ରତାପ ସିଂଦେଓ ମଧ୍ୟ ଉପସ୍ଥିତ ରହି କଳାହାଣ୍ଡି ପ୍ରାଚୀନ ଇତିହାସରେ ନର୍ଲା, ଅସୁରଗଡ, ମଦନପୁର ରାମପୁର, ମୋହନ ଗିରି,ବେଳଖଣ୍ଡି, ଭୀମକେଲା, ବୁଢୀପଦରର ପୁରାତନ ଇତିହାସ ଉପରେ ତଥ୍ୟ ପ୍ରଦାନ କରିଥିଲେ। ଅସୁରଗଡ ଦୁର୍ଗର ଖନନ ପରେ ବୈଜ୍ଞାନିକ ପରୀକ୍ଷା ତଥ୍ୟକୁ ଆଧାର କରି ଅସୁରଗଡ ଦୁର୍ଗ ନବମ ଶତାବ୍ଦୀରେ ଏକ ସହର ସଭ୍ୟତା ବିକାଶର ସୂଚନା ମିଳେ ବୋଲି ଗବେଷକ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ନୂତନ ରାଷ୍ଟ୍ରପତି ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲା ୟୁନାଇଟେଡ଼ ଖ୍ରୀଷ୍ଟିଆନ୍ ସଂଘ

Sunil Chandra Nayak

କାୟାକଳ୍ପ – 2021-22 , ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବ ପାଳିତ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ ସ୍ତୁତି ଛନ୍ଦା ଚରଣରେ ବନ୍ଧା ଏ ପରାଣ

Sunil Chandra Nayak

Leave a Comment

error: Content is protected !!