ଝରାଫୁଲ
ବେଣୁଧର ସୂତାର
ମାଦକୀୟ ଛନ୍ଦ ଚାରୁରୂପସୀ ମୁଁ
ପ୍ରକୃତି ମୋ ରୂପକାର
ଭରା ଯଉବନା ଝରାଫୁଲ ମୁଁ ଯେ
ଅଧୁରା ସପନ ମୋର ।
ମୋ ରୂପ ସମ୍ପଦ ପ୍ରୀତିର ଆସ୍ପଦ
ପଦ୍ମ ତୋଳା ଗୀତିଗାନ
ପିଆସୀ ଓଠରେ ପିପାସା ମଦିରା
ପ୍ରକୃତିର ବରଦାନ ।
ମୁଁ ଯେ ଝରାଫୁଲ ଝରିବା ଆଗରୁ
ବିତରି ଯାଉଛି ବାସ
ନିଖିଳ ପ୍ରାଣରେ ଭରିଦେଇ ଥାଏ
ପ୍ରୀତିର ମାଦକ ରସ ।
ଶିହରଣ ବୁଣେ ପ୍ରାଣେପ୍ରାଣେ ମୁହିଁ
ମୁଁ ପରା ନିଖିଳ ଗନ୍ଧା
ବିଚିତ୍ର ଶିଳ୍ପୀର ଲଳିତ ଲାସ୍ୟ ମୁଁ
ପ୍ରେମର ଅଳକାନନ୍ଦା ।
ମୁଁ ଯେ ମିଳନର ପ୍ରୀତି ଉପହାର
ପ୍ରଣୟର ମଧୁନିଶା
କବି କଲମର ମୁଁ ଅମିୟ ଧାରା
ମୁଗ୍ଧ ମଧୁର ଭାଷା ।
ଅଙ୍ଗେଅଙ୍ଗଭରେ ମୋହନ ମାଦକ
କରିନାହିଁ ପ୍ରୀତିଊଣା
ପ୍ରେମୀ ହୃଦୟେ ମୁଁ ଉଷ୍ମ ଉଷତ
ମିଳନର ମଧୁ ବୀଣା ।
ଆଜି ଫୁଟିଅଛି ମହକ ବାଣ୍ଟୁଛି
ଗାଉଛି ପ୍ରେମର ଗୀତି
କାଲିହେବ ମୋର ଜୀବନ ବଥିକା
କଣ୍ଟକ ଶେଯର ରାତି ।
ନିଃସଙ୍ଗେନିଃଶବ୍ଦେ ଧୂଳିଧରଣୀରେ
କାଲି ପଡିଥିବି ସିନା
ଜୀବନ ସର୍ବସ୍ବ ସମର୍ପି ଦେଇଣ
ଆଜି ମୁଁହି ରଙ୍ଗ ହୀନା ।
ଭୋଗବାଦୀ ବିଶ୍ବ ବୁଝିଲାନି ଥରେ
ମୋ ଜୀବନ ପୁଣ୍ୟ ଦାନ
ଆଜି ମୁଁ ଦଳିତା ଲୁଣ୍ଠିତା ପତିତା
ନାହିଁ ତିଳେ ଅଭିମାନ ।
କେଶଦୁରାପାଳ କେନ୍ଦୁଝର