ସୁନ୍ଦରଗଡ଼ ଠାରେ ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ଅନୁଷ୍ଠିତ
ସୁନ୍ଦରଗଡ଼, ୨୪/୦୪/୨୫: ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଆଜି ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତି ରାଜ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ମାନ୍ୟବର ଉପ- ବାଚସ୍ପତି, ଓଡ଼ିଶା ବିଧାନସଭା, ଶ୍ରୀ ଭବାନୀ ଶଙ୍କର ଭୋଇ, ଅଧ୍ୟକ୍ଷା, ସୁନ୍ଦରଗଡ଼ ପୌରପାଳିକା ଶ୍ରୀମତୀ ତନୟା ମିଶ୍ର, ଜିଲ୍ଲାପାଳ ଶ୍ରୀ ମନୋଜ ମହାଜନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ, ସଦର ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ସୁବ୍ରତ ମାଝୀ, ଉପଧ୍ୟକ୍ଷା ଶ୍ରୀମତୀ ଚନ୍ଦ୍ରମା ମେହେର ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ କାଶ୍ମୀର ସ୍ଥିତ ପହଲଗାମ ଠାରେ ଆତଙ୍କବାଦୀ ମାନଙ୍କ ଆକ୍ରମଣରେ ଅକାଳରେ ପ୍ରାଣ ହରାଇଥିବା ଲୋକମାନଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା।
କାର୍ଯ୍ୟକ୍ରମରେ ମାନ୍ୟବର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ ଆଭାସୀ ମାଧ୍ୟମରେ ଯୋଗ ଦେଇ ଜାତୀୟ ପଞ୍ଚାୟତିରାଜ ଦିବସ ଉପଲକ୍ଷେ ସମତଙ୍କୁ ଅଭିନନ୍ଦନ ଜଣାଇବା ସହିତ ତ୍ରି – ସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଉପରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ସେ କହିଥିଲେ ଗାଁ ର ବିକାଶ ହେଲେ ସମଗ୍ର ଦେଶର ମଧ୍ୟ ବିକାଶ ହେବ। ଜିଲ୍ଲାର ବିକାଶ ଦିଗରେ ଜିଲ୍ଲା ପ୍ରଶାସନ ଏବଂ ସମସ୍ତ ନିର୍ବାଚିତ ଜନ ପ୍ରତିନିଧି ମାନେ ମଧ୍ୟ ଏକତ୍ରିତ ହୋଇ କାର୍ଯ୍ୟ କରିବା ଆବଶ୍ୟକ ବୋଲି ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ। ଏହି ଅବସରରେ ମାନ୍ୟବର ଉପ ବାଚସ୍ପତି ଶ୍ରୀ ଭୋଇ ନିଜ ଅଭିଭାଷଣରେ କହିଥିଲେ “ଯେଉଁ ଦିନ ପର୍ଯ୍ୟନ୍ତ ଗ୍ରାମାଞ୍ଚଳର ଉନ୍ନତି ହେବ ନାହିଁ ସେଦିନ ପର୍ଯ୍ୟନ୍ତ ଦେଶ ର ସର୍ବାଙ୍ଗୀନ ଉନ୍ନତି ହୋଇପାରିବ ନାହିଁ। ତେଣୁ ସମସ୍ତେ ଏ ଦିଗରେ ବିଶେଷ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ସେହିଭଳି ସମସ୍ତ ଯୋଗ୍ୟ ହିତାଧିକାରୀ ମାନେ ଯେଭଳି କୌଣସି ସରକାରୀ ଯୋଜନା ରୁ ବଞ୍ଚିତ ନହେବେ ସେଥିପ୍ରତି ଆମେ ଯତ୍ନବାନ ହେବା ଆବଶ୍ୟକ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ।
ଏହି ଅବସରରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ନୂତନ କରି ରାସନ୍ କାର୍ଡ ଆବେଦନ କରିଥିବା ହିତାଧିକାରୀ ମାନଙ୍କୁ ରାସନ୍ କାର୍ଡ ବଣ୍ଟନ କରାଯାଇଥିଲା।
ଏହି ଅବସରରେ ଜିଲ୍ଲାରେ ବିଭିନ୍ନ ଯୋଜନା , କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ବର୍ଗରେ ଉତ୍ତମ ପ୍ରଦର୍ଶନ ନିମନ୍ତେ ଗ୍ରାମ ପଞ୍ଚାୟତ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ରେ ଉତ୍ତମ ପ୍ରଦର୍ଶନ କରିଥିବା ବ୍ଲକ ଗୁଡ଼ିକ ହେଲା କୁଆଁରମୁଣ୍ଡା ବ୍ଲକ (ପ୍ରଥମ),ବାଲିଶଙ୍କରା ବ୍ଲକ (ଦ୍ୱିତୀୟ) ଏବଂ ରାଜଗାଙ୍ଗପୁର ବ୍ଲକ (ତୃତୀୟ) । ସେହିଭଳି ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ରେ ଭଲ ପ୍ରଦର୍ଶନ କରିଥିବା ଗ୍ରାମ ପଞ୍ଚାୟତ ଗୁଡ଼ିକ ହେଲା – ବଣାଇ ବ୍ଲକ ଅନ୍ତର୍ଗତ ବଡ଼ ଗୋଗୁଆ ଗ୍ରାମ ପଞ୍ଚାୟତ , କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଜଲଙ୍ଗବିରା ଗ୍ରାମ ପଞ୍ଚାୟତ ଏବଂ ଲାଠିକଟା ବ୍ଲକ ଅନ୍ତର୍ଗତ କଲୁଙ୍ଗା ଗ୍ରାମ ପଞ୍ଚାୟତ । ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ସବୁଠୁ ଅଧିକ ସର୍ଭେ ହୋଇଥିବା ଗ୍ରାମ ପଞ୍ଚାୟତ ଗୁଡ଼ିକ ହେଲା – ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ କୁଟୁନିଆ ଗ୍ରାମ ପଞ୍ଚାୟତ, ଲହୁଣୀପଡ଼ା ବ୍ଲକ ଅନ୍ତର୍ଗତ କୁର୍ଡା ଗ୍ରାମ ପଞ୍ଚାୟତ ଏବଂ ଲହୁଣୀପଡ଼ା ବ୍ଲକ ଅନ୍ତର୍ଗତ ଦର୍ଜିଂ ଗ୍ରାମ ପଞ୍ଚାୟତ।
ଅନ୍ତୋଦୟ ଗୃହ ଯୋଜନାରେ ଘର ସଂପୂର୍ଣ୍ଣ କରିଥିବା ପ୍ରଥମ ବ୍ଲକ ଭାବେ ନୂଆଗାଁ ବ୍ଲକ କୁ ପୁରସ୍କୃତ କରାଯାଇଥିଲା। ସେହିପରି ଲାଠିକଟା ବ୍ଲକ୍ ଅନ୍ତର୍ଗତ ଟାଇଁସର୍ ଗ୍ରାମ ପଞ୍ଚାୟତ କୁ ୧୫ତମ କେନ୍ଦ୍ରୀୟ ଅର୍ଥ କମିଶନ ଅନ୍ତର୍ଗତ ଉତ୍ତମ ପ୍ରଦର୍ଶନ କରିଥବା ଗ୍ରାମ ପଞ୍ଚାୟତ ଭାବେ ପୁରସ୍କୃତ କରାଯାଇଥିଲା ଏବଂ ବଣାଇ ବ୍ଲକ ଅନ୍ତର୍ଗତ ପିଠାଚର ଗ୍ରାମ ପଞ୍ଚାୟତ କୁ ୫ତମ ରାଜ୍ୟ ଅର୍ଥ କମିଶନ ଅନ୍ତର୍ଗତ ଭଲ ପ୍ରଦର୍ଶନ ନିମନ୍ତେ ପୁରସ୍କୃତ କରାଯାଇଥିଲା।
ଏହି ଅବସରରେ ବିହାର ଠାରେ ଆୟୋଜିତ ହୋଇଥିବା ଜାତୀୟ ପଞ୍ଚାୟତିରାଜ ଦିବସ କାର୍ଯ୍ୟକ୍ରମ ଏବଂ ପୁରୀ ଠାରେ ଆୟୋଜିତ ହୋଇଥିବା ରାଜ୍ୟ ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ କାର୍ଯ୍ୟକ୍ରମ ର ସିଧା ପ୍ରସାରଣ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ସଦର ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ମୋତୀଲାଲ ସୁଲିଆ , ମୁଖ୍ୟ ଯୋଗାଣ ଅଧିକାରୀ ଶ୍ରୀ ଅଜୟ କୁମାର ରଥ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ପଞ୍ଚାୟତିରାଜ ଅନୁଷ୍ଠାନର ସଭ୍ୟ ସଭ୍ୟା, ହିତାଧିକାରୀ ଏବଂ ଜନସାଧାରଣ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

