ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ
ସୁନ୍ଦରଗଡ଼, ୦୩/୦୫/୨୫: ସ୍ଥାନୀୟ ସଦଭାବନା ଭବନ ଠାରେ ଆଜି ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ ,ଜିଲ୍ଲାପାଳ ଶ୍ରୀ ମନୋଜ ମହାଜନ , ସୁନ୍ଦରଗଡ ପୌରପରିଷଦ ଅଧ୍ୟକ୍ଷା ଶୀମତୀ ତନୟା ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବିନାରାୟଣ ସାହୁ,ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡ଼ା ଗୁରୁ ପ୍ରସାଦ ମହାନ୍ତ, କୃଷି ବିଜ୍ଞାନ କେନ୍ଦ୍ର, କିରେଇ ର ବରିଷ୍ଠ ବୈଜ୍ଞାନିକ ସୁଶ୍ରୀ ଲକ୍ଷ୍ମିପପ୍ରିୟା ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ କ୍ରୀଷ୍ଣା କୁମାରୀ ନନ୍ଦ
ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହ ପୋଷଣ ପକ୍ଷ ପାଳନ ର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ଦେଶରୁ ଅପପୁଷ୍ଟିର ହାର ହ୍ରାସ ଦିଗରେ ପୋଷଣ ଅଭିଯାନ ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଗୁଡ଼ିକ ଉପରେ ଶ୍ରୀମତୀ ନନ୍ଦ ଆଲୋଚନା କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ମହାଜନ ପୋଷଣ ପକ୍ଷର ମହତ୍ତ୍ଵ ଉପରେ ନିଜ ଅଭିଭାଷଣ ରଖିଥିଲେ। ଜିଲ୍ଲା ରୁ କୁପୋଷଣ ର ଦମନ ପାଇଁ କ୍ଷେତ୍ର ସ୍ତରରେ ସୂକ୍ଷ୍ମ ପରିଚାଳନା ଉପରେ ଗୁରୁତ୍ଵାରୋପ କରିଥିଲେ। ବିଭିନ୍ନ ପୃଷ୍ଟିକର ଖାଦ୍ୟ, ସୁଷମ ଖାଦ୍ୟ, ସନ୍ତୁଳିତ ଆହାର,ଶ୍ରୀ ଅନ୍ନ ଉପରେ ବ୍ୟାପକ ଜନସଚେତତା ସୃଷ୍ଟି କରିବା ଉପରେ ଗୁରୁତ୍ଵାରୋପ କରିଥିଲେ। ସେହିଭଳି ସମସ୍ତ ହିତାଧିକାରୀ ମାନେ ଯେଭଳି ସରକାରୀ ଯୋଜନା ରେ ଅନ୍ତର୍ଭୁକ୍ତ ହେବେ ସେନେଇ ଅଧିକାରୀ ଏବଂ କ୍ଷେତ୍ର କର୍ମଚାରୀ ମାନଙ୍କୁ କହିଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ ଜିଲ୍ଲା ର ସମସ୍ତ ଅଞ୍ଚଳରେ ବିଶେଷ କରି ଅପହଞ୍ଚ ଅଞ୍ଚଳ ମାନଙ୍କରେ କିଭଳି ଭାବେ ପୋଷଣ କାର୍ଯ୍ୟକ୍ରମ ପହଞ୍ଚିବ ତାହା ଉପରେ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲାରେ ଯେଭଳି କେହି କୁପୋଷଣ ରେ ରହିବେ ନାହିଁ ସେ ଦିଗରେ ସମସ୍ତେ ବିଶେଷ ଧ୍ୟାନ ଦିଆଯିବାକୁ ନିଜ ବକ୍ତବ୍ୟ ରଖିଥିଲେ।
କାର୍ଯ୍ୟକ୍ରମ ରେ ଶିଶୁ ର ୧୦୦୦ ଦିନ ର ମହତ୍ତ୍ଵ ବିଷୟରେ ଆଲୋଚନା କରାଯାଇଥିଲା ।ଗର୍ଭଧାରଣ ଠାରୁ ଶିଶୁ କୁ ୨ ବର୍ଷ ପୂରଣ ହେବା ପର୍ଯ୍ୟନ୍ତ ଖାଦ୍ଯ,ପୁଷ୍ଟି ଓ ଯତ୍ନ ର ଯେଉଁ ବିଶେଷ ଆବଶ୍ୟକତା ରହିଛି ତାହା ଉପରେ ଆଲୋଚନା କରାଯାଇଥିଲା। ଶିଶୁ ର ଉଭୟ ଶାରିରୀକ ଏବଂ ମାନସିକ ବିକାଶ ନିମନ୍ତେ ପୋଷଣ କେତେ ଗୁରୁତ୍ୱପୂର୍ଣ୍ଣ ତାହା କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା। ବାହାର ଖାଦ୍ୟ ବର୍ଜନ କରି ସମସ୍ତେ ସନ୍ତୁଳିତ ଆହାର ଗ୍ରହଣ କରିବାକୁ ଅତିଥି ମାନେ କାର୍ଯ୍ୟକ୍ରମରେ ଗୁରୁତ୍ଵାରୋପ କରିଥିଲେ।
ଏହି ଅବସରରେ ଜିଲ୍ଲା ର ସମସ୍ତ ଆଇ ସି ଡି ଏସ ପ୍ରକଳ୍ପରୁ ବିଭିନ୍ନ ପୁଷ୍ଟିକର ଖାଦ୍ୟ ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ପୋଷଣ ଟ୍ରାକର ରେ ଉତ୍ତମ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରିଥିବା ସି ଡି ପି ଓ , ସୁପରଭାଇଜର, ଅଙ୍ଗନବାଡି କର୍ମୀଙ୍କୁ ପୁରସ୍କୃତ କରାଯାଇଥିଲା। ସେହିଭଳି ଶକ୍ତି ସଦନ,ସଖୀ କେନ୍ଦ୍ର ର କର୍ମକର୍ତ୍ତା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ କୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ଚୁଲେଶ୍ବରୀ ପଟେଲ ପରିଚାଳନା କରିଥିଲେ ଏବଂ ଶେଷରେ ସୁରକ୍ଷା ଅଧିକାରୀ, ପାନପୋଷ ଶ୍ରୀମତୀ କବିତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ରେ ଅନ୍ୟାନ୍ୟ ଅଧିକାରୀ, ସମସ୍ତ ସି ଡି ପି ଓ, ଅଙ୍ଗନୱାଡ଼ି କର୍ମୀ,ଅଙ୍ଗନୱାଡ଼ି ସହାୟିକା ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

