ମନ୍ଦାର
ବିଭୁଙ୍କର ସୃଷ୍ଟି ଅତୀବ ବିଚିତ୍ର
ସୌନ୍ଦର୍ଯ୍ୟର ଗନ୍ତାଘର
ନାନାଫୁଲ ଫଳେ ଶୋଭିତ ଏ ମହି
କରୁଣା ତାଙ୍କ ଅପାର ॥
ମନ୍ଦାର ଫୁଲର ସୃଷ୍ଟିକର୍ତ୍ତା ସେହି
ମହିମା ତାର ଅପାର
ବର୍ଣ୍ଣିବା ସମ୍ଭବ ନୁହଁଇ ଏ ମୁଖେ
ମାଆଙ୍କ ସେ ଆପଣାର ॥
ସତେକେଡେ ଭାଗ୍ୟ ମନ୍ଦାରଲୋ ତୋର
ଲାଗୁ ଦେବତା ପୂଜାର
ମନ୍ଦାର ମାଳିନୀ ନାମ ବହିଛନ୍ତି
ତୋର ନାମେ ମାଆ ମୋର ॥
ବାରମାସେ ତୁହି ଫୁଟିଉପବନେ
ଲାଗୁ ମାଆଙ୍କ ସେବାରେ
ଛଡ଼ାଫୁଲ ରୂପେ ତୋତେ ପାଇଗଲେ
ସାତ୍ତ୍ଵିକ ଚେତନା ଭରେ ॥
ମନ୍ଦାରକୁ ନେଇ ମାଆପାଦେ ଦେଲେ
ମନରେ ଭକତି ଆସେ
ଭକତି ପ୍ରେମରେ ସନ୍ତୁଷ୍ଟ ହୋଇଲେ
ମାଆ ଆଶିଷ ବରଷେ ॥
ଗୁଣରେ ବହୁତ ରଙ୍ଗରେ ଅନେକ
ଧବଳ ନାଲି ମନ୍ଦାର
ଚନ୍ଦନ ହଳଦି ରକ୍ତ ଜବାନାମେ
ଔଷଧୀୟ ଗୁଣେ ସାର ॥
ବିଭିନ୍ନ ରଙ୍ଗରେ ଶୋଭା ପାଉ ତୁହି
ବନଉପବନେ ରହି
ଅନେକ ରୋଗର ଉପଚାର ପାଇଁ
.କାମରେ ଲାଗୁରେ ତୁହି ॥
ଶ୍ଵେତ ମନ୍ଦାରରେ ଶିବଙ୍କ ଶରଧା
ହଳଦୀରେ ବିଷ୍ଣୁ ତୋଷ
ଗୋଲାପିରେ ଲକ୍ଷ୍ମୀ ନାଲିରେ ତାରିଣୀ
ମାଆ ହୁଅନ୍ତି ହରସ ॥
ମଙ୍ଗଳା ତାରିଣୀ ବନଦୁର୍ଗା ଗୌରୀ
ମହାକାଳୀ ଜଗଧାତ୍ରୀ
ପ୍ରିୟ ସଭିଙ୍କର ଏଫୁଲ ମନ୍ଦାର
ମାଆ ଯେ ମଙ୍ଗଳ ଦାତ୍ରୀ ॥
ରତିନାରାୟଣ ରାଉତ
ହରିଚନ୍ଦନପୁର, କେନ୍ଦୁଝର,ଓଡିଶା