ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ ବ୍ୟଙ୍ଗ କବିତା ଘୋଡ଼ା ମଦୁଆ 

 ଘୋଡ଼ା ମଦୁଆ 

    ବେଣୁଧର ସୂତାର

     (ବ୍ୟଙ୍ଗ ଗଜରା)

 

ଆମ ଗାଁ ଉପର ସାହି ତନ୍ତୀଘର

ଲାଗିଥିଲେ ଦିନେ କଳି

ଗେରସ୍ତ ରାଗରେ ଭାରିଯାକୁକହେ

ଆଲୋ ହେ ଧୁଷୁଣ୍ଡି କାଳି

ମୋ ବୋତଲଟା ଦେଲୁ ଢ଼ାଳି

କାଲି କିସ ମୁହିଁ ପିଇକରି ଯିବି

କାଲି ଆମ ଗୋରୁ ପାଳି ।।

 

ଯେତେ ମନାକଲେ 

                   ଟାଙ୍କେ ପିଇଦେଇ

ଘରକୁ ଫେରୁଛୁ ରାତି

ଘୋଡ଼ାମଦୁଆ ତୁ ମାଇପ କତିରେ

ଦେଖଉଛୁ କରାମତି

ନାହିଁ ତୋର ଭଲ ଗତି

କୋଉ ଶୁଣ୍ଡିବାପ ପିଠିରେ ପଡିବ

ମୋ ମୁଣ୍ଡକୁ ଉଠିଲେ ତାତି ।।

 

ଆଲୋହେ ଉଦଣ୍ଡି ରଣଚଣ୍ଡୀ ରାଣ୍ଡି

ଆଜି ତୁ ମୋ ଘରୁ ପଳା

ମୋ ପଇସାରେ ମଦ ମୁଁ ପିଉଛି

ଦୋଉନି ତୋ ବାପ “ଶଳା”

ତୋ ଭାଇଟାତ ରଇଜଳା

କେତେ ଟୋକିଙ୍କୁ ସେ

                   ବୋକି ବନେଇଛି

ଏବେ ଥାନାରେ ନେଇଛି କୀଳା ।।

 

ଗରଗର ହୋଇ ଭାରିଯା କହଇ

ହଇରେ ଯୋଗଣିଖିଆ

ଆଜି ଛଡେଇବି ମଦୁଆ ତୋହର

ଶୁଣ୍ଡି ନାଲିପାଣି ପିଆ

ମୁଁ ,ତ ମହନା ବେହେରା ଛୁଆ

ବେହେଡା ଦାନ୍ତ ତୋ 

                      ସବୁ ଝାଡିଦେବି

ରହରେ କାଳିଆ ଭୂଆ ।।

 

ଝାଡୁ ଧରିହାତେ ପିଟିଲା ନିର୍ଘାତେ

ଗେରସ୍ତ ପଡିଲା ତଳେ

ଝାଡୁମୁଠା ମାଡେ ନାକଟା ତାହାର

ହୋଇଗଲା ଦୁଇ ଫାଳେ

ଭାରିଯା ରାଗରେ ଜଳେ

ତମ ତମ ହୋଇ ପାଣି ଗରେ ଆଣି

ଗେରସ୍ତ ଉପରେ ଢ଼ାଳେ ।।

 

ନିଶା ଛାଡିଗଲା ହୋଅସ ଆସିଲା

ସବୁସେ ପାରିଲା ଜାଣି

କଅଁଳ ଡାକରେ ଭାରିଯାକୁ ଡାକେ

ହାରାମଣୀ ହାରାମଣୀ

ଆଉ ଛୁଇଁବିନି ନିଶାପାଣି

ନିଶାପାଣି ସିନା ସଂସାର ଉଜାଡେ

ଏ ତ ମହତ ଲୋକଙ୍କ ବାଣୀ

ଆଉ ଛୁଇଁବିନି ନିଶାପାଣି ।।

 

ଉଜୁଡା ସଂସାର ହସିଲା ତାଙ୍କର

ଦୁଃଖ ରହିଲାନି ଆଉ

ହାରାମଣୀ କହେ ଶୁଣ ମାଇପିଏ

ଝାଡୁମୁଠା ଥାଉଁ ଥାଉଁ

ତୁମେ, ସହୁଛ ମଦୁଆ ଦାଉ

ଆରେ,ବିଳମ୍ବ ନକରି ଆଉ

ଧରି ସମାର୍ଜନୀ ଦିଅ ମେଡିସିନ

ତୁମ ସଂସାରର ଦୁଃଖ ଯାଉ ।।

 

(ଉକ୍ତ ବ୍ୟଙ୍ଗ କବିତା ରେ ନିଛକ

ଗାଉଁଲି ଭାଷାର ବ୍ୟବହାର 

କରାଯାଇଛି । ଦୟାକରି କେହି

ଭୁଲ୍ ବୁଝିବେନି )

କେଶଦୁରାପାଳ କେନ୍ଦୁଝର

Related posts

ମହାମହିମ ଦ୍ରୋପଦି.. ଭାରତର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କଲେ ଦ୍ରୌପଦୀ ମୁର୍ମୁ..

Sunil Chandra Nayak

ବୁନିୟାଦୀ ଶିକ୍ଷା ଅଭିଯାନର ଉଦ୍ଘାଟନୀ କାର୍ଯ୍ୟକ୍ରମ

Sunil Chandra Nayak

ରିତୟନି ଆଇଟିଆଇରେ ଛାତ୍ରଙ୍କୁ ମାଡ଼ ଓ ଶିକ୍ଷାଦାନ ଅନିୟମିତତା ନେଇ ମୟୁରଭଞ୍ଜ ବନ୍ଦ

Sunil Chandra Nayak

Leave a Comment

error: Content is protected !!