“ମୁକ୍ତି ର ରୂପଭ୍ରମ (ମୃଗମାରିଚିକା)”
କି ଆଶାର ଆଲୋକ ଦେଖି
ପ୍ରଜାପତି ଡେଣା ତା ମେଳିଲା,
ଆକାଶକୁ ଝାଁପି ଉଡ଼ିବାକୁ
ମନ ଭିତରେ ତା ଜ୍ୱାଳା ଜାଗିଲା।
କିନ୍ତୁ ସେ ଜାଣି ପାରିଲା ନାହିଁ —
ସେ ଯେଉଁ ଆଲୋକକୁ ଦେଖୁଛି,
ତା’ ସାମ୍ନାରେ ଏକ କାଚ ର କାନ୍ଥମାଳି,
ଅଦୃଶ୍ୟ, ଶିତଳ, କିନ୍ତୁ ନିଷ୍ଠୁର ଅବିସ୍ମରଣୀୟ ର ଦେଓଳି।
ରାସ୍ତା ଥିଲା ଯିବା ପାଇଁ- ଯେଉଁ ରାସ୍ତାରେ ସେ ଆସିଥିଲା
କିନ୍ତୁ; ସେ ଆଲୋକ ଆଶାରେ ଦୀପ୍ତ,
ପାଖେ ଫୁଲ, ଆଗେ ଆକାଶ, ପଛରେ ଅନ୍ଧକାର ଅଭିଲାଷ।
ସେ ଚାଲୁଥିଲା ଜୀବନ ର ଏକ ମନମୋହନୀ ମାର୍ଗ ଧରି,
ପ୍ରକୃତି ର ରୂପ ଏମିତି — ତା ଆଖି ଚମକିକୁ ବାଧ୍ୟ କରୁଥିଲା ।
ରାସ୍ତା ଥିଲା ଆଲୋକ ଆଶାରେ ଝିଙ୍କି ଉଠୁଥିବା,
ଚକ୍ଷୁ ଭରି ଆଲୋକ ଥିଲା, ଆତ୍ମା ଅନ୍ଧାରରେ।
ପାଖରେ ପ୍ରକୃତି ହସୁଥିଲା ମୁହଁରେ ମୁହଁ ନେଇ,
ସେ ଭାବିଲା — “ଏହି ହେଉଛି ସତ୍ୟ ର ପଥ!”
ସେ ଆଘାତ ମାରେ, ବାରମ୍ବାର…..
ପ୍ରତି ଥୁଣ୍ଟାରେ ତାଙ୍କ ଆଶା ର ହାର,
ଫୁଲ ତଳେ ଦେଖିଥିବା ସ୍ଵପ୍ନ ଗଛ ମୁହଁ ମୁଦାଏ,
ପ୍ରକୃତି ର ଭିତରେ ସେ ଆଉ ନ ମିଶିପାରେ।
ପ୍ରକୃତି ତା’କୁ ଡାକୁଥିଲା — ଆସ!
ଗଛ ର ଛାୟା, ତଳ ର ଜଳ, ଫୁଲ ର ଘ୍ରାଣ — ସବୁ ତୋ ପାଇଁ,
କିନ୍ତୁ କାଚ ରେ ବନ୍ଦ ଏ ପ୍ରଜାପତି
ବୁଝିପାରିଲା ନାହିଁ କେଉଁ ଭାବେ ଆଗକୁ ବଢ଼େ ସେ ।
ସେ ଚେଷ୍ଟା କଲା, କମ୍ପିଲା, ଡେଣା ଝଡ଼ିଗଲା,
ତଥାପି ଆଶା ର ଆଖି ନ ଝରିଗଲା।
ଏ ଦୁଃଖ ନୁହେଁ କେବଳ ଦେହ ର,
ଏ ଦୁଃଖ ମନ ର ଏକ ଶିର୍ଷ ଅନୁଭବ — ମୁକ୍ତି ଅଛି,
କିନ୍ତୁ ତା ହାତ ପାଉନାହିଁ।
ଏହି ମୁକ୍ତି ନୁହେଁ — ଏହି ଭ୍ରମ,
ମୋ ମନର ଗଢ଼ିଥିବା ଏକ ଅବର୍ଣ୍ଣନୀୟ ଚିତ୍ର,
ଯାହା ଆଲୋକ ଦେଖାଏ, କିନ୍ତୁ ତାଳା ଲଗାଏ
ତା ଡେଣା ର ଶବ୍ଦକୁ ଉପେକ୍ଷା କରି ହସିଯାଏ।
ମୁକ୍ତି ର ଭ୍ରମ ହେଉଛି ଏଭଳି ଅନ୍ତର୍ଜ୍ୱାଳା,
ଯେଉଁଠାରେ ଆଲୋକ ଅଛି, ପ୍ରକୃତି ଅଛି,
କିନ୍ତୁ ଏକ କାଚ ମଧ୍ୟରେ ତାର ଡେଣା ନିଜେ ପ୍ରଶ୍ନ କରେ —
“ମୁଁ ସତରେ ଆଉ କେବେ ଉଡ଼ିପାରିବି କି?”
ସତ୍ୟ ର ପଥ ସରଳ ଓ ନିର୍ମଳ ଥିଲେ ମଧ୍ୟ,
ଆଲୋକ ଓ ପ୍ରକୃତି ର ମୋହ ଆମକୁ ଭ୍ରମ କରେ।
ଯେଉଁପଥ ଦେଖିବାକୁ ସୁନ୍ଦର, ସେ ସଦା ସଠିକ୍ ନୁହେଁ।
ଅନ୍ତଃଚେତନା ଏବଂ ବିବେକ ହେଉଛି ସଠିକ୍ ଦିଗ ଚିହ୍ନଟ କରିବାର ଆଲୋକ।”
“ମୋହ ରେ ଆଲୋକ ମିଳେ, କିନ୍ତୁ ମୁକ୍ତି ହୁଏ ବିବେକ ରେ।”
ପୁଜା ବାଦି
ସୁନ୍ଦରଗଡ



