ଏମ.କେ.ସି.ଜି ମେଡିକାଲରେ ଏଚ.ଆଇ.ଭି ପରୀକ୍ଷା ପ୍ରକ୍ରିୟାରେ ଗୁରୁତର ଅନିୟମିତତା ଅଭିଯୋଗ
ବ୍ରହ୍ମପୁର, ତା ୨୧/୦୪ : ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଏଚ.ଆଇ.ଭି ପରୀକ୍ଷା ପ୍ରକ୍ରିୟା ସମ୍ବନ୍ଧରେ ଗୁରୁତର ଅନିୟମିତତା ଘଟିଥିବା ଅଭିଯୋଗ ସାମ୍ନାକୁ ଆସିଛି । ଏହାକୁ ନେଇ ଗଞ୍ଜାମ ଜିଲ୍ଲାର ଏଚ.ଆଇ.ଭି /ଏଡଏସ (AIDS)ସହିତ ବସବାସ କରୁଥିବା ଲୋକମାନଙ୍କ ସଂଗଠନ ଓ ସ୍ୱାସ୍ଥ୍ୟ ସଚେତନତା କର୍ମୀମାନଙ୍କ ମଧ୍ୟରେ ଚିନ୍ତା ବୃଦ୍ଧି ପାଇଛି। ଗଞ୍ଜାମ ନେଟୱର୍କ ଅଫ ପିପଲ ଲିଭିଙ୍ଗ ଉଇଥ ଏଚ.ଆଇ.ଭି/ ଏଡଏସ AIDS (GNP+) ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଔପଚାରିକ ଅଭିଯୋଗ ପତ୍ର ଦାଖଲ କରାଯାଇଥିବା ସହ ଉଚ୍ଚସ୍ତରୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କୁ ମଧ୍ୟ ପ୍ରତିଲିପି ପଠାଯାଇଛି। ଏଥିରେ ହସ୍ପିଟାଲ ପରିସରରେ ଥିବା ରିଜିଅନାଲ ଡାୟାଗ୍ନୋଷ୍ଟିକ ସେଣ୍ଟର (ଆରଡିସି) ରେ ଏଚ.ଆଇ.ଭି (HIV)ପରୀକ୍ଷା ଜାତୀୟ ନିୟମାବଳୀ ଓ କାନୁନି ପ୍ରାବଧାନକୁ ଉଲ୍ଲଂଘନ କରି କରାଯାଉଥିବା ଅଭିଯୋଗ ରହିଛି।
ଅଭିଯୋଗ ଅନୁସାରେ, ହସ୍ପିଟାଲରେ ଦୁଇଟି ଇଣ୍ଟିଗ୍ରେଟେଡ କାଉନସେଲିଂ ଏଣ୍ଡ ଟେଷ୍ଟିଂ ସେଣ୍ଟର (ICTC) ଥିବା ସତ୍ତ୍ୱେ ରୋଗୀମାନଙ୍କୁ ଆରଡିସିକୁ ପଠାଯାଉଛି। ଏହା ଜାତୀୟ ଏଡଏସ (AIDS) ନିୟନ୍ତ୍ରଣ ସଂଗଠନ (ଏନ.ଏ.ସି.ଓ) ନିର୍ଦ୍ଦେଶିକାଙ୍କ ବିରୋଧାଭାସୀ, ଯେଉଁଥିରେ ଏଚ.ଆଇ.ଭି ପରୀକ୍ଷା ନିର୍ଦ୍ଦିଷ୍ଟ ଆଇ.ସି.ଟି.ସି (ICTC) କେନ୍ଦ୍ରରେ ନିୟମିତ ପ୍ରକ୍ରିୟା ଅନୁସରେ କରିବାକୁ ନିର୍ଦ୍ଦେଶ ରହିଛି। ସଂଗଠନ ପକ୍ଷରୁ ଆହୁରି କୁହାଯାଇଛି ଯେ, ପରୀକ୍ଷା ପୂର୍ବ ଓ ପରେ ଆବଶ୍ୟକ କାଉନସେଲିଂର ଅଭାବ, ରୋଗୀଙ୍କର ଲିଖିତ ସମ୍ମତି ବିନା ପରୀକ୍ଷା କରାଯାଉଥିବା ଏବଂ ଗୋପନୀୟତା ରକ୍ଷାରେ ଅବହେଳା ଭଳି ଗୁରୁତର ତ୍ରୁଟି ଦେଖାଯାଉଛି । କିଛି ଘଟଣାରେ ଅଧିକୃତ ଡାକ୍ତର ବା ପ୍ରୟୋଗଶାଳା କର୍ମଚାରୀଙ୍କ ସହି ବିନା ରିପୋର୍ଟ ଜାରି ହେଉଥିବା ମଧ୍ୟ ଅଭିଯୋଗ ହୋଇଛି, ଯାହା ରିପୋର୍ଟର ବୈଧତା ଉପରେ ପ୍ରଶ୍ନ ଉଠାଉଛି।
ଏହା ସହିତ, କେତେକ ରୋଗୀ ନିଜେ ଜାଣିନଥିବା ସ୍ଥିତିରେ ଏଚଆଇଭି ପରୀକ୍ଷା କରାଯାଇଥିବା ମଧ୍ୟ ଅଭିଯୋଗ ରହିଛି, ଯାହା HIV/AIDS (ପ୍ରତିରୋଧ ଓ ନିୟନ୍ତ୍ରଣ) ଆଇନ, ୨୦୧୭ ର ସ୍ପଷ୍ଟ ଉଲ୍ଲଂଘନ। ଏହି ଆଇନ ଅନୁଯାୟୀ, ରୋଗୀଙ୍କର ସଚେତନ ସମ୍ମତି ଓ ଗୋପନୀୟତା ରକ୍ଷା ଅନିବାର୍ୟ ଓ ଏହାର ଉଲ୍ଲଂଘନ ହେଲେ କାନୁନି କାର୍ଯ୍ୟବାହୀ ହୋଇପାରେ।
ଆର.ଡି.ସି ଦ୍ୱାରା ଭୁଲ ରିପୋର୍ଟ ଜାରି ହେଉଥିବା ନେଇ ମଧ୍ୟ ନଜିର ରହିଥିବା ସୂଚନା ମିଳିଛି , ଯାହା ରୋଗୀଙ୍କ ମନୋସାମାଜିକ ଅବସ୍ଥା ଓ ସ୍ୱାସ୍ଥ୍ୟରେ ଗୁରୁତର ପ୍ରଭାବ ପକାଇପାରେ । ଆଇ.ସି.ଟି.ସି ରହିଥିବା ସତ୍ତ୍ୱେ ଆର.ଡି.ସି (RDC)କୁ କାହିଁକି ପ୍ରାଥମିକତା ଦିଆଯାଉଛି ବୋଲି ପ୍ରଶ୍ନ ଉଠାଇ ସଂଗଠନ ତତ୍କାଳ ଜିଲ୍ଲା ପ୍ରଶାସନଙ୍କ ହସ୍ତକ୍ଷେପ ଦାବି କରିଛି । ଆର.ଡି.ସିରେ ଏଚ.ଆଇ.ଭି ପରୀକ୍ଷାକୁ ସ୍ଥଗିତ କରି ଆଇ.ସି.ଟି.ସି ମାଧ୍ୟମରେ ନିୟମିତ ପ୍ରକ୍ରିୟା ଅନୁସାରେ ପରୀକ୍ଷା କରିବାକୁ ଦାବି ହୋଇଛି ।

