ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ। ହେଲମେଟ ବିନା ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟାଳୟ ପ୍ରବେଶ ମନା: ଜିଲ୍ଲାପାଳ

ନୂଆପଡାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ। ହେଲମେଟ ବିନା ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟାଳୟ ପ୍ରବେଶ ମନା: ଜିଲ୍ଲାପାଳ

ନୂଆପଡା,(ସୁଜିତ କୁମାର ପ୍ରଧାନ )ନୂଆପଡା ଜିଲ୍ଲା ସଡ଼କ ସୁରକ୍ଷା କମିଟିର ଏକ ବୈଠକ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ଆରମ୍ଭରେ ଜିଲ୍ଲା ପରିବହନ ଅଧିକାରୀ ଶର୍ମିଳା ମହାରଣା ସମସ୍ତଙ୍କୁ ସ୍ୱାଗତ ଜଣାଇ ବୈଠକର କାର୍ଯ୍ୟସୂଚୀ ଓ ପୂର୍ବ ବୈଠକର ଅନୁପାଳନ ରିପୋର୍ଟ ଉପସ୍ଥାପନ କରିଥିଲେ।

ସଡ଼କ ସୁରକ୍ଷା କ୍ଷେତ୍ରରେ ସଚେତନତା ଓ ଆଇନର କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱାରୋପ କରି ଜିଲ୍ଲାପାଳ ଶ୍ରୀ ଦାଶ କହିଥିଲେ ଯେ, ଦୁଇ ଚକିଆ ଯାନ ଚଳାଉଥିବା ସରକାରୀ କର୍ମଚାରୀମାନେ ହେଲମେଟ ପରିଧାନ ନ କଲେ ସେମାନଙ୍କୁ କାର୍ଯ୍ୟାଳୟ ପ୍ରବେଶ ଅନୁମତି ଦିଆଯିବ ନାହିଁ। ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ ନିଜ ନିଜ କାର୍ଯ୍ୟାଳୟରେ ଏହାର କଡ଼ାକଡ଼ି ପାଳନ ସୁନିଶ୍ଚିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଚାରି ଚକିଆ ଯାନରେ ଯାତାୟାତ କରୁଥିବା ସମସ୍ତ କର୍ମଚାରୀଙ୍କୁ ସିଟ୍‌ବେଲ୍ଟ ବ୍ୟବହାର କରିବା ପାଇଁ କହିଥିଲେ।

ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଶିକ୍ଷକମାନଙ୍କ ମଧ୍ୟରେ ହେଲମେଟ ବ୍ୟବହାର ନିଶ୍ଚିତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାର ସମସ୍ତ ୧୦ଟି ହେଲମେଟ ହବ୍‌ରେ ଆସନ୍ତା ଦୁଇ ଦିନ ମଧ୍ୟରେ ପ୍ରାଥମିକ ଚିକିତ୍ସା ବାକ୍ସ (ଫାଷ୍ଟ ଏଡ୍ ବକ୍ସ) ଉପଲବ୍ଧ କରାଇବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ଜିଲ୍ଲା ପରିବହନ ଅଧିକାରୀ ସୂଚନା ଦେଇଥିଲେ ଯେ, ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁସାରେ ଜିଲ୍ଲାରେ ‘ଜିଲ୍ଲା ରାଜପଥ ସୁରକ୍ଷା ଟାସ୍କ ଫୋର୍ସ’ ଗଠନ କରାଯାଇଛି। ଜାତୀୟ ରାଜପଥରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବା, ବେଆଇନ ଦଖଲ ହଟାଇବା, ଅବୈଧ ପାର୍କିଂ ରୋକିବା ଏବଂ ସମନ୍ୱିତ ପ୍ରବର୍ତ୍ତନ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ଏହି ଟାସ୍କ ଫୋର୍ସର ମୁଖ୍ୟ ଉଦ୍ଦେଶ୍ୟ।

ଜିଲ୍ଲାପାଳ ନୂଆପଡା, ଖରିଆର ଓ ଖରିଆର ରୋଡ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ରାସ୍ତା କଡ଼ରେ ଅବୈଧ ଭାବେ ପାର୍କିଂ କରାଯାଇଥିବା ଯାନଗୁଡ଼ିକୁ ହଟାଇବା ପାଇଁ କ୍ରେନ କ୍ରୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଜାତୀୟ ରାଜପଥ ପାର୍ଶ୍ୱରେ ସରକାରୀ ଜମି ଉପରେ ନିର୍ମିତ ଅବୈଧ ଢାବା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସମସ୍ତ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଚଳିତ ବର୍ଷ ଜାନୁଆରୀରୁ ୧୭ ଜୁନ ପର୍ଯ୍ୟନ୍ତ ହେଲମେଟ ବିନା ଯାନ ଚାଳନା ଅଭିଯୋଗରେ ୩୧୫୯ଟି ଏବଂ ମଦ୍ୟପାନ କରି ଯାନ ଚାଳନା ଅଭିଯୋଗରେ ୧୪୭ଟି ଚାଲାଣ କରାଯାଇଛି। କେବଳ ମେ’ ମାସରେ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ୪୯୫ଟି ଇ-ଚାଲାଣ ଜାରି କରାଯାଇଥିବା ବେଳେ ୧୫୩ଟି ଡ୍ରାଇଭିଂ ଲାଇସେନ୍ସ ସସପେଣ୍ଡ କରାଯାଇଛି। ବିଭିନ୍ନ ଟ୍ରାଫିକ ଉଲ୍ଲଂଘନ ବାବଦରେ ମେ’ ମାସରେ ୧୨ ଲକ୍ଷ ୭୫ ହଜାର ଟଙ୍କା ରାଜସ୍ୱ ଆଦାୟ ହୋଇଥିବା ସୂଚନା ଦିଆଯାଇଥିଲା।

ବୈଠକରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୂର୍ମୀ ସୋରେନ, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡା. ଦିଲୀପ କୁମାର ଦାଶ, ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଡ଼. ସୁଖେନ୍ଦୁ ରାୟ, ଅବକାରୀ ଅଧୀକ୍ଷକ ସଂଘମିତ୍ରା ପ୍ରଧାନ, ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ, ଆର୍ ଆଣ୍ଡ ବି ଏସଡିଓ ସୁକାନ୍ତ ଗରଡ଼ିଆ, ନୂଆପଡା, ଖରିଆର ଓ ଖରିଆର ରୋଡ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

Related posts

ସେବା ପର୍ବ – ୨୦୨୫ ପାଳନ ଅବସରରେ ବିକଶିତ ଭାରତ ଥିମ ସମ୍ପର୍କରେ ଚିତ୍ରାଙ୍କନ ପ୍ରତିଯୋଗିତା

Sunil Chandra Nayak

ଅର୍ଜୁନ କେଣ୍ଡ୍ରୁକା ଙ୍କ ଶ୍ରାଦ୍ଧ ଦିବସ ପାଳନ

Sunil Chandra Nayak

୧୩୦ ଦିନ ହେଲା ବର୍ଷା ନାହିଁ , ଦେଖାଦେଇଛି ବନାଗ୍ନି ଭୟ

Sunil Chandra Nayak

Leave a Comment

error: Content is protected !!