ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏବେ ଅଲୋଡ଼ା ହେବା ସହ ଇତିହାସ ହେବାକୁ ବସିଲାଣି ଶଗଡ଼ ଗାଡ଼ି

ଏବେ ଅଲୋଡ଼ା ହେବା ସହ ଇତିହାସ ହେବାକୁ ବସିଲାଣି ଶଗଡ଼ ଗାଡ଼ି

ଢେ଼ଙ୍କାନାଳ – ଏବେ ୮୦ ଦଶକର ପୁରୁଣା ଗାଡ଼ି ଶଗଡ଼ ଗାଡ଼ି ଯାହା ଦିନେ ଚାଷ ପାଇଁ ଓ ଚାଷୀ ଭାଇ ମାନଙ୍କ ଏକ ଅତ୍ୟନ୍ତ ଆବଶ୍ୟକ ଜିନିଷ ଥିଲା,କିନ୍ତୁ ବର୍ତ୍ତମାନ ସମୟରେ ତାହା ସତେ ଯେମିତି ସମସ୍ତଙ୍କ ପାଇଁ ଅଲୋଡ଼ା ହୋଇ ପଡିଛି। ସତେ ଯେମିତି ଅସ୍ତିତ୍ବ ହରାଇବାକୁ ବସିଲାଣି ଏହି ଶଗଡ଼ ଗାଡ଼ିଟି କାହିଁକି ନା ବର୍ତ୍ତମାନ ସମୟରେ ମଣିଷ ଆଧୁନିକତାର ପରିଚୟ ଦେଇ ତାହା ସହିତ ଖାପ ଖୁଆଇ ଚାଲିଛି। ଗାଁ ଦାଣ୍ଡରେ ଗଡ଼ୁନି ଆଉ ସେ ବଳଦ ଚଲା ଶଗଡ଼ ଗାଡ଼ି ଗାଁ କ୍ଷେତରେ ଆଗଭଳି ଆଉ ହଳ ଲଙ୍ଗଳ ଦିଶୁନି କି ବଳଦଙ୍କ ହମ୍ବା ରଡ଼ି ଶୁଭୁନି । ଏଇ ଆଧୁନିକ ସମୟରେ ଶଗଡ଼ର ସ୍ଥାନ ଅଧିକାର କରିଛି ଆଧୁନିକ ଯନ୍ତ୍ରପାତି। ପୂର୍ବରୁ ଚାଷୀ ପୁଅ ହଳ ବାନ୍ଧି,କାନ୍ଧରେ ଲଙ୍ଗଳ ଧରି ଜମିରେ କାଳିଆ କସରା ଗୀତ ଗାଇ ଚାଷ କରୁଥିଲା। କିନ୍ତୁ ଆଜି ସେ ସବୁ ହଜି ଯାଇଛି। ଏବେ ଜମିରେ ଲଙ୍ଗଳ ବଦଳରେ ବୁଲୁଛି ଯାନ୍ତ୍ରିକ ମେସିନ । ଏହି ଯାନ୍ତ୍ରିକ ମେସିନ ଗାଡ଼ିର ଘଡ଼ ଘଡ଼ କର୍କଶ ଶବ୍ଦରେ କର୍ଣ୍ଣ ଯେପରି ଫାଟି ପଡୁଛି। କଣ ଠେଲା ହୋଇ ପଡିଛି ଚାଷୀ ପୁଅର ସେଇ ପରିଚୟ ପାଲଟି ଥିବା ଶଗଡ଼ ଗାଡ଼ି। ହଳ ଲଙ୍ଗଳ ପରି ଆଜି ଶଗଡ଼ ବି ସ୍ମୃତି ପାଲଟି ଯାଇଛି। ଚାଷୀ ପୁଅ ପାହାନ୍ତିଆ ସମୟରେ ଚାଷ କାମରେ ଯାଉଥିବା ବେଳେ ଶଗଡ଼ ଗାଡ଼ିର କେଁ କେଁ କଟର କଟର ଶବ୍ଦ ସାଙ୍ଗକୁ ଶଗଡ଼ ଚକ ରାସ୍ତାରେ ଗଡ଼ୁଥିବାର ଧଡ୍ ଧାଡ ଶବ୍ଦ ନିଦ ଭାଙ୍ଗି ଦେଉଥିଲା।ଚାଷ ଜମିରୁ ଖାଦ୍ୟ ସଷ୍ୟ ଶଗଡ଼ ଗାଡ଼ିରେ ବୋହି ଆଣି ବର୍ଷଯାକର ବିହନ ଡୋଲି ପେଟିରେ ସାଇତି ରଖୁଥିଲା ଚାଷୀ। ପୁଣି ଦିନ ଥିଲା ଶଗଡ଼ ଗାଡ଼ିରେ ନୂଆଁ କନିଆ ବସି ତାର ଶାଶୁ ଘରକୁ ଯାଉଥିଲା। ଲଙ୍ଗଳ ସହିତ ଶଗଡ଼ ଗାଡ଼ିର ଚକ,ଅଖ ଓ ଦଣ୍ଡା ଏବେ ଘର ପଛ ପାଖରେ ପଡ଼ିରହି ତାର ଅସ୍ତିତ୍ଵ ହରାଉଛି। ଆଜିର ସମୟରେ କେବଳ ବର୍ଣ୍ଣବୋଧ ବହିରେ ଚକ,ଅଖ ଓ ଶଗଡ଼କୁ ଚିହ୍ନା ଯାଉଛି। ସତେ ଯେମିତି ଶଗଡ଼ କିମ୍ବା ଚକ ସମୟ ଚକରେ ସବୁ ଯେମିତି ଲୀନ ହୋଇଗଲାଣି। ଏବେର ମଣିଷ ଆଧୁନିକ ମାଟି,ପାଣି,ପବନରେ ଖାପ ଖୁଆଇ ଚାଲି ଚାଲି ନାନାଦି ରୋଗରେ ପଡି ଛଟପଟ ହେଉଛି। ମଣିଷ ଆଧୁନିକତା ଓ ପାରମ୍ପାରିକତା ମଧ୍ୟରେ ସାମଞ୍ଜସ୍ୟ ରଖି ଚାଲିଲେ ଖୁସି ଓ ସୁସ୍ଥ ଜୀବନଯାପନ କରି ପାରିବ ବୋଲି ମତ ରହିଛି। ଆଧୁନିକତାର ଚାକଚକ୍ୟ ଗ୍ରାମୀଣ ଶାନ୍ତିପୂର୍ଣ୍ଣ ପରିବେଶକୁ ସତେ ଯେମିତି ହଜାଇ ଦେଇଛି। ସମୟର ଅନ୍ତରେ ହଜିଯାଇଛି ସେ ପୁରୁଣା ଦିନ । ଏବେ ଇତିହାସ ହେବାକୁ ବସିଲାଣି ଗ୍ରାମୀଣ ସଂସ୍କୃତି,ଗାଁ ଦାଣ୍ଡରୁ ହଜି ଯାଇଛି ଶଗଡ଼ ଓ ଲଙ୍ଗଳର ଚିହ୍ନବର୍ଣ୍ଣ। ଆଗାମୀ ପିଢ଼ି ମାନଙ୍କ ପାଇଁ ଏହା ଜ୍ଞାତରେ ରହିବ ନା ଇତିହାସ ହୋଇ ରହିଯିବ।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ବଜ୍ରପାତରେ ଦନ୍ତାହାତୀର ମୃତ୍ୟୁ ସନ୍ଦେହ,ଚୂଡ଼ାନ୍ତ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା 

ଗରିବଙ୍କ ବନ୍ଧୁ ଅର୍ଣ୍ଣାଡା ଶଙ୍କର ଦାସ

Sunil Chandra Nayak

ପଞ୍ଚଭୂତ ରେ ଲୀନ ହେଲେ ଶତାୟୁ ଆଦର୍ଶ ଶିକ୍ଷକ କୁଳମଣି ମହାନ୍ତ ; ଵାମନଘାଟୀ ଉପଖଣ୍ଡରେ ଶୋକର ଛାୟା

masiha

Leave a Comment

error: Content is protected !!