ବିସ୍ଥାପିତଙ୍କୁ ନିଯୁକ୍ତି, ଥଇଥାନ ଏବଂ କ୍ଷତିପୂରଣ ପ୍ରଦାନ ପ୍ରସଙ୍ଗ.
ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ବୈଠକରେ ଉଠାଇଲେ ବିଧାୟକ ଶ୍ରୀ ତନ୍ତୀ
ରାଉରକେଲା : ଓଡ଼ିଶାର ବିଭିନ୍ନ ସ୍ଥାନରେ କୌଣସି ନା କୌଣସି କାରଣରୁ ବିସ୍ଥାପିତ ହେଉଥିବା ପରିବାରଙ୍କୁ ଉଚିତ ଥଇଥାନ ଏବଂ ଉଚିତ କ୍ଷତିପୂରଣ ପ୍ରଦାନ କାର୍ଯ୍ୟର ସମୀକ୍ଷା ପାଇଁ ଓଡିଶା ସରକାର ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ଅଧକ୍ଷତାରେ ଏକ କମିଟି ଗଠନ କରିଛନ୍ତି । ଆଜି ଭୁବନେଶ୍ବରରେ ବିଧାନସଭା ସଚିବାଳୟ ପରିଷରରେ କମିଟିର ଅଧକ୍ଷ ତଥା ବିଧାନସଭାର ଉପବାଚସ୍ପତି ଶ୍ରୀ ଭୋଇଙ୍କ ଅଧକ୍ଷତାରେ ଏକ ବୈଠକ ଆୟୋଜନ ହୋଇଥିଲା । ଏହି ବୈଠକରେ ଉପସ୍ଥିତ ଥିବା କମିଟିର ଅନ୍ୟତମ ସଦସ୍ୟ ତଥା ରଘୁନାଥପଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ଏକଦା ଛଅ ଦଶନ୍ଧି ପୂର୍ବେ ରାଉରକେଲା ଠାରେ ସ୍ଥାପନା ହୋଇଥିବା ଦେଶର ପ୍ରଥମ ରାଷ୍ଟ୍ରାୟତ ଇସ୍ପାତ ଉଦ୍ୟୋଗ ରାଉରକେଲା ଇସ୍ପାତ କାରଖାନା ପାଇଁ ଅନେକ ପରିବାର ବିସ୍ଥାପିତ ହୋଇଥିଲେ । ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ଉଚିତ ଥଇଥାନ କରାଯାଇଥିବାବେଳେ କେତେକଙ୍କୁ କ୍ଷତିପୂରଣ ମଧ୍ୟ ଯଦିଓ ଦିଆଯାଇଥିଲା ତେବେ ଅନେକ ପରିବାର କ୍ଷତିପୂରଣ ପାଇନଥିବା କାରଣରୁ ଆଜି ପର୍ଯ୍ୟନ୍ତ ସଂଘର୍ଷ ଜାରି ରଖିଛନ୍ତି ବୋଲି ଏହି ବୈଠକରେ ବିଧାୟକ ଶ୍ରୀ ତନ୍ତୀ ଉପସ୍ଥାପନ କରିଥିଲେ । ଏହାସହିତ ଉଚିତ ଥଇଥାନ ଏବଂ ବିସ୍ଥାପିତଙ୍କୁ ନିଯୁକ୍ତି ପ୍ରଦାନରେ ହୋଇଥିବା ଅବହେଳା ଯୋଗୁଁ ଆଜି ଆଦିବାସୀ ବହୁଳ ଅଞ୍ଚଳ ଆମ ସୁନ୍ଦରଗଡ ଜିଲ୍ଲାର ମୁଳବାସିନ୍ଦା ହୋଇସୁଦ୍ଧା ଏଠାକାର ଯୁବକମାନେ ନିଯୁକ୍ତି ନପାଇ ବେକାର ହୋଇ ବୁଲୁଛନ୍ତି । ଯାହାଫଳରେ ଏଠି ଦିନକୁ ଦିନ ବେକାରୀ ସମସ୍ୟା ବୃଦ୍ଧି ପାଇ ଚାଲିଥିବା କଥା ମଧ୍ୟ ଉକ୍ତ ବୈଠକରେ ବିଧାୟକ ଶ୍ରୀ ତନ୍ତୀ ଉଠାଇଛନ୍ତି । ବିସ୍ଥାପିତଙ୍କୁ ଉଚିତ ଥଇଥାନ କରିବା ଏବଂ ସେମାନଙ୍କୁ ଉଚିତ କ୍ଷତିପୂରଣ ପ୍ରଦାନ କରିବା, ଆର ଏସ ପିର ସମ୍ପ୍ରସାରଣରେ ହେବାକୁଥିବା ନିଯୁକ୍ତିରେ ବିସ୍ଥାପିତଙ୍କୁ ପ୍ରାଥମିକତା ଦେବା ଆଦି ବିଷୟକୁ ନେଇ ସରକାରଙ୍କ ପକ୍ଷରୁ ରାଉରକେଲା ଇସ୍ପାତ କାରଖାନା ଏବଂ ଅନ୍ୟାନ୍ୟ ଶିଳ୍ପାନୁଷ୍ଠାନ ମାନଙ୍କୁ ନିର୍ଦ୍ଦେଶନାମା ଜାରି କରିବା ଉପରେ ବିଧାୟକ ଶ୍ରୀ ତନ୍ତୀ ଗୁରୁତ୍ୱାରୋପ କରିଥିଲେ । ଏହା ସହିତ ବିସ୍ଥାପିତ ମାନଙ୍କ ସମସ୍ୟା ଓ ଏହାର ସମାଧାନ ନିମିତ୍ତ କମିଟି ଯଥାଶୀଘ୍ର ରାଉରକେଲା ଗସ୍ତ କରିବା ପାଇଁ ଉକ୍ତ ବୈଠକରେ ବିଧାୟକ ପରାମର୍ଶ ଦେଇଥିଲେ । ବିଧାୟକଙ୍କ ଏହି ପରାମର୍ଶକୁ କମିଟିର ସଦସ୍ୟବୃନ୍ଦ ସର୍ବସମ୍ମତି କ୍ରମେ ସମର୍ଥନ କରିଥିଲେ ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

