ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଲେଲିଗୁମା ସଂରକ୍ଷିତ ଜଙ୍ଗଲରେ ବେଆଇନ ଲୁହାପଥର ଉତ୍ତୋଳନ ଓ ଚାଲାଣ ପଣ୍ଡ: ଜେସିବି, ହାଇୱା ସହ ବିପୁଳ ଲୁହାପଥର ଜବତ, ୪ ଅଭିଯୁକ୍ତ ଗିରଫ

ଲେଲିଗୁମା ସଂରକ୍ଷିତ ଜଙ୍ଗଲରେ ବେଆଇନ ଲୁହାପଥର ଉତ୍ତୋଳନ ଓ ଚାଲାଣ ପଣ୍ଡ: ଜେସିବି, ହାଇୱା ସହ ବିପୁଳ ଲୁହାପଥର ଜବତ, ୪ ଅଭିଯୁକ୍ତ ଗିରଫ

ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ଲେଲିଗୁମା ସଂରକ୍ଷିତ ଜଙ୍ଗଲରେ ଚାଲିଥିବା ବେଆଇନ ଲୁହାପଥର ଉତ୍ତୋଳନ ଓ ଚୋରା ଚାଲାଣ ଉଦ୍ୟମକୁ ବନ ବିଭାଗ ଏକ ସୁଚିନ୍ତିତ ଅଭିଯାନ ମାଧ୍ୟମରେ ପଣ୍ଡ କରିଛି। ଗୁଇନ୍ଦା ସୂଚନା ଓ ଲଗାତାର ସାତ ଦିନ ଧରି ଚାଲିଥିବା କଡ଼ା ପେଟ୍ରୋଲିଂର ଫଳସ୍ୱରୂପ ବନ ବିଭାଗ ଏହି ସଫଳତା ହାସଲ କରିଛି। ଚଢ଼ାଉ ବେଳେ ଗୋଟିଏ ଜେସିବି, ଗୋଟିଏ ହାଇୱା ଟ୍ରକ ଏବଂ ବିପୁଳ ପରିମାଣର ଲୁହାପଥର ଜବତ କରାଯାଇଥିବା ବେଳେ ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରାଯାଇଛି।

ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ—

ଦେବୀ ଦତ୍ତ ମିଶ୍ର (୫୫ ବର୍ଷ), ଗୌତମ ନଗର, ୪ର୍ଥ ଗଳି, ରାୟଗଡ଼ା।

ବିଦୁର ବିବର (୩୭ ବର୍ଷ), ଗ୍ରାମ–ସୁନାଖଣ୍ଡି, ବ୍ଲକ–କଲ୍ୟାଣସିଂହପୁର।

ଜଗଦୀଶ ନିଆଳିବଂଶ, (ବୟସ ସମ୍ପର୍କିତ ସୂଚନା ମିଳିନାହିଁ)।

ସୁଶାନ୍ତ ନାଏକ (୨୬ ବର୍ଷ)।

ବନ ବିଭାଗ ସୂତ୍ରରୁ ପ୍ରକାଶ, ଗତ କିଛି ଦିନ ଧରି ଆନ୍ଧ୍ରପ୍ରଦେଶର କିଛି ବ୍ୟକ୍ତିଙ୍କ ସହଯୋଗରେ ଲେଲିଗୁମା ସଂରକ୍ଷିତ ଜଙ୍ଗଲରୁ ବେଆଇନ ଭାବେ ଲୁହାପଥର ଉତ୍ତୋଳନ କରି ଚୋରା ଚାଲାଣ କରାଯାଉଥିବା ନେଇ ବନ ବିଭାଗ ନିକଟରେ ବିଶ୍ୱସନୀୟ ସୂଚନା ପହଞ୍ଚିଥିଲା। ଏହାପରେ ରାୟଗଡ଼ା ଓ ଟିକିରି ବନାଞ୍ଚଳର ବନ କର୍ମଚାରୀମାନେ ମିଳିତ ଭାବେ ଅଞ୍ଚଳରେ କଡ଼ା ନଜରଦାରି ଆରମ୍ଭ କରିଥିଲେ। ଲଗାତାର ସାତ ଦିନ ଧରି ପେଟ୍ରୋଲିଂ କରାଯାଇ ସନ୍ଦିଗ୍ଧ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖାଯାଇଥିଲା।

ଗତକାଲି ବିଳମ୍ବିତ ରାତିରେ ମିଳିଥିବା ସ୍ୱତନ୍ତ୍ର ସୂଚନା ଆଧାରରେ ରାୟଗଡ଼ା ଓ ଟିକିରି ବନାଞ୍ଚଳର ବନ କର୍ମଚାରୀମାନେ ଏକ ମିଳିତ ଚଢ଼ାଉ କରିଥିଲେ। ସେତେବେଳେ ଏକ ଜେସିବି ସାହାଯ୍ୟରେ ହାଇୱା ଟ୍ରକରେ ଲୁହାପଥର ଲୋଡ଼ କରାଯାଉଥିବା ଦେଖିବାକୁ ମିଳିଥିଲା। ବନ କର୍ମଚାରୀଙ୍କ ଉପସ୍ଥିତି ଜାଣିପାରି ଅଭିଯୁକ୍ତମାନେ ତଡ଼ିତ୍‌ଗତିରେ ଲୋଡ଼ ହୋଇଥିବା ପଥରକୁ ଅନଲୋଡ଼ କରି ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିଲେ। ମାତ୍ର ବନ ବିଭାଗର ଟିମ୍ ସେମାନଙ୍କୁ କାବୁ କରି ଘଟଣାସ୍ଥଳରୁ ଜେସିବି, ହାଇୱା ଟ୍ରକ ଓ ସେଥିରେ ଥିବା ଲୁହାପଥର ଜବତ କରିଥିଲେ।

ପ୍ରାଥମିକ ତଦନ୍ତରୁ ଏହା ଏକ ସଂଗଠିତ ବେଆଇନ ଖଣି କାରବାରର ଅଂଶ ହୋଇଥିବା ସନ୍ଦେହ କରାଯାଉଛି। ଏହି ଚୋରା ଚାଲାଣରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ଏହା ପଛରେ କୌଣସି ବଡ଼ ରାକେଟ୍ କାର୍ଯ୍ୟ କରୁଛି କି ନାହିଁ ଏବଂ ପୂର୍ବରୁ ଏଭଳି କାର୍ଯ୍ୟକଳାପ କେତେଦିନ ଧରି ଚାଲିଆସୁଥିଲା, ସେନେଇ ବନ ବିଭାଗ ବିସ୍ତୃତ ତଦନ୍ତ ଚଳାଇଛି।

ଟିକିରି ବନାଞ୍ଚଳ ଅଧିକାରୀ ତଥା ରାୟଗଡ଼ାର ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ଅନିଲ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏହି ସଫଳ ଚଢ଼ାଉ କରାଯାଇଥିଲା। ଘଟଣାରେ ବ୍ୟବହୃତ ଗାଡ଼ି, ଜବତ ଲୁହାପଥର ଓ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରି ଆଇନଗତ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ବେଳେ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଛି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଅବକାରୀ ଚଢାଉ ବିପୁଳ ପରିମାଣର ଦେଶୀ ମଦ ଓ ପୋଚ ଜବତ 

masiha

ଚାକିରି ଦେବା ନାଁରେ ଠକେଇ ଅଭିଯୋଗ : ମାଷ୍ଟର ମାଇଣ୍ଡ ସହ ଦୁଇ ସହଯୋଗୀ ଗିରଫ 

masiha

ଗଞ୍ଜେଇ ଜବତ, ୧ ଗିରଫ

Sunil Chandra Nayak

Leave a Comment

error: Content is protected !!