ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଭାବଗ୍ରାହୀ ତ୍ରିପାଠୀ ଙ୍କ କବିତା – ଅପୂର୍ବ ତାଙ୍କ ଘୋଷ ଯାତ

 ଅପୂର୍ବ ତାଙ୍କ ଘୋଷ ଯାତ

 ଆଷାଢ଼ ମାସରେ ଶୁକ୍ଳ ଦ୍ଵିତୀୟାରେ
 ଶ୍ରୀକ୍ଷେତ୍ରେ ଲାଗିଛି ଭିଡ,
 ଗୁଣ୍ଡିଚା ମନ୍ଦିର ଯିବାକୁ ତତ୍ପର
 କାଳିଆ ସାଆନ୍ତ ମୋର
 ଅପେକ୍ଷାରେ ତିନି ରଥ
 କୋଟି କୋଟି ଭକ୍ତ ଚାହିଁ ରହିଛନ୍ତି
 ଦରଶନ ଦେବେ ନାଥ।
 ବାରମାସେ ତେର ପରବ ପର୍ବାଣୀ
 ପାଳଇ କାଳିଆ ରଜା,
 ଉତ୍କଳ ଗୌରବ ଆମର ବୈଭବ
 ଜଗା ସଂସ୍କୃତିରେ ଖଞ୍ଜା
 କଳାମୁଖ ନରହରି
 ଜାତି ବର୍ଣ୍ଣ ଭେଦ ନାହିଁ ଜଗା ପାଶେ 
 ସଭିଏଁ ପ୍ରିୟ ତାହାରି।
 ରଥ ପଥ ଆଜି ସବୁ ଯେ ସୁନ୍ଦର
 ରଥାରୁଢ଼ ଭାବଗ୍ରାହୀ,
 ସୁନ୍ଦର ସୃଷ୍ଟିର ସମ୍ରାଟ ବୋଲାନ୍ତି
 ଶିରିକ୍ଷେତରରେ ରହି
 ରଥେ ବେଗେ ବିଜେ କର 
 ଉଚ୍ଛନ୍ନ ହେଲାଣି ଭକତ ପରାଣ
 ଟାଣିବ ଯେ ରଥ ତୋର।
 ପୃଥିବୀ ପ୍ରସିଦ୍ଧ ନୀଳାଚଳ ଧାମ
 ଯହିଁ ବିଜେ ଦଇତାରୀ, 
 ଭାଇ ଭଉଣୀକୁ ସଙ୍ଗରେ ଧରିଣ
 ଉଭା ଶଙ୍ଖ ଚକ୍ରଧାରୀ
 ଦୂରୁ ଜଣାଏ ଗୁହାରୀ 
 ଦ୍ବାଦଶ ଯାତରା ମଧ୍ୟେ ଶ୍ରେଷ୍ଠ ଅଟେ
 ଘୋଷଯାତ୍ରା ଯେ ତାଙ୍କରି ।
 ଝୁଲି ଝୁଲି ଆସେ କାଳିଆ କାହ୍ନୁ ମୋ
 ସତେ କି କାଳିଆ ହାତୀ, 
 ଆଗେ ବଳଭଦ୍ର ମଝିରେ ସୁଭଦ୍ରା
 ଭାଇ ଭଗ୍ନୀ ସଙ୍ଗେ ଧରି
 ଶୁଭେ ଘଣ୍ଟ ହୁଳହୁଳି
 ବଡ଼ଦାଣ୍ଡ ଆଜି ଉଛୁଳି ପଡୁଛି
 ଅପୂର୍ବ ସେ ଶୋଭାରାଜି ।
 ମାଉସୀ ମାଆର ପୋଡ଼ପିଠାରେ ଯେ
 ମନ ତ ଯାଇଛି ଲାଖି,
 ବିଶ୍ୱ ବାସୀଙ୍କର ମଙ୍ଗଳ ନିମନ୍ତେ
 ଘୋଷ ଯାତ୍ରା କରୁଛନ୍ତି
 ନିଳାଦ୍ରୀ ବିହାରୀ ହରି
 ପତିତ ଜନଙ୍କୁ ଦର୍ଶନ ଦିଅନ୍ତି
 ବଡ଼ଦାଣ୍ଡେ ବିଜେ କରି। 
 ଏମିତି ଠାକୁର ଜଗତରେ ନାହିଁ
 ଭକ୍ତ ଯାର ଗଳା ମାଳି,
 ରାଜା ଇନ୍ଦ୍ରଦ୍ୟୁମ୍ନ ମନ କିଣିନେଲା
 ଉଭା ହେଲେ ଦଣ୍ଡଧାରୀ
 ଉତ୍କଳର ଅଧିକାରୀ
 ଜାତି ଧର୍ମ ବର୍ଣ୍ଣ ନାହିଁ ତାଙ୍କ ପାଶେ 
 ସଭିଏଁ ପ୍ରିୟ ତାଙ୍କରି । 
 ବିବିଧତା ମଧ୍ୟେ ଏକତାର ଭାବ
 ଅଟେ ତାଙ୍କ ରଥଯାତ,
 ଅସମତା ମଧ୍ୟେ ସମତାର ଭାବ
 ରଥଯାତ୍ରା ପର୍ବ ଏତ
 ଚତୁର୍ଦ୍ଧିଗ ପ୍ରକମ୍ପିତ
 ଆଡ଼ପ ମଣ୍ଡପେ ନବ ଦିନ ରହି
 ବାହୁଡିବେ ଜଗନ୍ନାଥ। 
 ଭକତର ସିଏ ଭକତ ତାହାର
 ଖିର ନୀର ପରି ଭାବ,
 ଭକ୍ତ ଭଗବାନ ଅପୂର୍ବ ମିଳନ
 ଅଟେ ତାଙ୍କ ଘୋଷ ଯାତ
 ହରନ୍ତି ଭକ୍ତଙ୍କ ଦୁଃଖ
 ଶୂନ୍ୟଠାରୁ ପୂର୍ଣ୍ଣ ପୂର୍ଣ୍ଣଠାରୁ ଶୂନ୍ୟ
 ସେହି ମୋ ଜଗତନାଥ। 
 ରଥ ପରି ଉଚ୍ଚ ହେଉ ମନ ମୋର
 ପଥ ପରି ହେଉ ସ୍ବଚ୍ଛ,
 ହୃଦ ଆଇନାରେ ଦେଖୁଥାଏ ନିତି 
 ଚିକ୍କଣ କଳା ଶ୍ରୀମୁଖ 
 ଏତିକି ମୀନତି ମୋର
 ଭକତର ଦୁଃଖ ଦୂର କର ପ୍ରଭୁ 
 ଜଗତ ଉଦ୍ଧାର କର।
 ଭାବ ବିନୋଦିଆ ଭାବର ଠାକୁର 
 କରେ ଏଠୁ ଦଣ୍ଡବତ,   
 ଗୁହାରୀ କରୁଛି ବିଶ୍ୱବାସୀ ଦୁଃଖ
 ଦୂର କର ଲକ୍ଷ୍ମୀକାନ୍ତ 
 ପ୍ରତି ବର୍ଷ ଏହି ମାସେ
 ତୁମ ଘୋଷଯାତ୍ରା ହେଉ ଥାଉ ପ୍ରଭୁ 
 ଜଗତଜନଙ୍କ ହିତେ।

ଭାବଗ୍ରାହୀ ତ୍ରିପାଠୀ

Related posts

ଗାୟତ୍ରୀ ସିଂହ ଙ୍କ କବିତା = ଦେବସ୍ନାନ ପୂର୍ଣ୍ଣିମା

ଡ.ପ୍ରଶାନ୍ତ କୁମାର ଶତପଥୀ ଙ୍କ କବିତା  l l ସାମ୍ବ ଦଶମୀ l l

Sunil Chandra Nayak

ସହଦେବ ପରିଡ଼ା ଙ୍କ କବିତା // ହେ ବିଶ୍ଵନାଥ ବିଶ୍ଵର ମଙ୍ଗଳ କର

Sunil Chandra Nayak

Leave a Comment

error: Content is protected !!