ପ୍ରାଣୀ ଉଦ୍ଧାର ଯାନ ଶୁଭାରମ୍ଭ; ପଶୁଙ୍କୁ ମିଳିବ ଚିକିତ୍ସା ସେବା
ରଙ୍ଗେଇଲୁଣ୍ଡା, ୨୭/୦୭ : ମଣିଷଙ୍କ ପାଇଁ ବର୍ଷ ବର୍ଷ ଧରି ୧୦୮ ଆମ୍ବୁଲାନ୍ସ ସେବା ଉପଲବ୍ଧ ଥିବାବେଳେ ଆହତ ଓ ରୋଗାକ୍ରାନ୍ତ ପଶୁଙ୍କ ଉଦ୍ଧାର ପାଇଁ କୌଣସି ସ୍ୱତନ୍ତ୍ର ସହାୟତା ବ୍ୟବସ୍ଥା ନଥିଲା। ପରବର୍ତ୍ତୀ ସମୟରେ ସରକାରଙ୍କ ଦୃଷ୍ଟି ଆକର୍ଷଣ ପରେ ପଶୁଙ୍କ ପାଇଁ ୧୯୬୨ ଟୋଲ୍-ଫ୍ରି ସହାୟତା ନମ୍ବର ଜାରି କରାଯିବା ସହ ରାଜ୍ୟର ୩୧୪ଟି ବ୍ଲକରେ ପ୍ରାଣୀ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଥିଲା।
ତେବେ ସେହି ଆମ୍ବୁଲାନ୍ସଗୁଡ଼ିକରେ ହାଇଡ୍ରୋଲିକ୍ ଲିଫ୍ଟ କିମ୍ବା ବଡ଼ ପଶୁଙ୍କୁ ସୁରକ୍ଷିତ ଭାବେ ଉଠାଇବାର ବ୍ୟବସ୍ଥା ନଥିବାରୁ ଦୁର୍ଘଟଣାଗ୍ରସ୍ତ ଗାଈ, ବଳଦ, ମଇଁଷି ଓ ଅନ୍ୟାନ୍ୟ ବଡ଼ ପଶୁଙ୍କୁ କେବଳ ପ୍ରାଥମିକ ଚିକିତ୍ସା ମିଳୁଥିଲା। ଫଳରେ ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ପଶୁ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବା ସମ୍ଭବ ହେଉନଥିବାରୁ ଅନେକ ପଶୁ ଉପଯୁକ୍ତ ଚିକିତ୍ସାରୁ ବଞ୍ଚିତ ରହୁଥିଲେ।
ଏହି ସମସ୍ୟାକୁ ନେଇ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ପଶୁପ୍ରେମୀ ତଥା ଜିଲ୍ଲା ଏସପିସିଏ ସଦସ୍ୟ ଲଲାଟେନ୍ଦୁ ଚୌଧୁରୀ ସରକାର ଏବଂ ଜିଲ୍ଲା ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଭିନ୍ନ ସମୟରେ ସେ ହାଇଡ୍ରୋଲିକ୍ ଲିଫ୍ଟ ସମ୍ବଳିତ ଉନ୍ନତ ପ୍ରାଣୀ ଉଦ୍ଧାର ଯାନର ଆବଶ୍ୟକତା ଉପସ୍ଥାପନ କରିଥିଲେ। ସରକାର ଓ ପ୍ରଶାସନ ଏହାକୁ ଗୁରୁତ୍ୱର ସହ ବିଚାର କରି ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ମହାନଗର ନିଗମ, ଖଲ୍ଲିକୋଟ ଏନଏସି, ପୋଲସରା ଏନଏସି ଓ ଗୋପାଳପୁର ଏନଏସିକୁ ସ୍ୱତନ୍ତ୍ର ପ୍ରାଣୀ ଉଦ୍ଧାର ଯାନ ପ୍ରଦାନ କରିଛନ୍ତି।
ପୂର୍ବରୁ ବ୍ରହ୍ମପୁର ମହାନଗର ନିଗମ, ଖଲ୍ଲିକୋଟ ଓ ପୋଲସରା ଏନଏସିରେ ଏହି ସେବା ସଫଳତାର ସହ କାର୍ଯ୍ୟକାରୀ ହୋଇଥିବାବେଳେ ସୋମବାର ଦିନ ରଙ୍ଗେଇଲୁଣ୍ଡା ବ୍ଲକ ପରିସରରେ ଗୋପାଳପୁର ଏନଏସି ପକ୍ଷରୁ ପ୍ରାଣୀ ଉଦ୍ଧାର ଯାନର ଶୁଭାରମ୍ଭ ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ପତାକା ଦେଖାଇ କରିଥିଲେ।
ଏହି ଉଦ୍ଧାର ଯାନରେ ହାଇଡ୍ରୋଲିକ୍ ଲିଫ୍ଟ ସହ ଆବଶ୍ୟକୀୟ ଉଦ୍ଧାର ଉପକରଣ ଓ ଜରୁରୀ ଚିକିତ୍ସା ସୁବିଧା ଉପଲବ୍ଧ ଥିବାରୁ ଦୁର୍ଘଟଣାଗ୍ରସ୍ତ, ଅସୁସ୍ଥ ଓ ଅସହାୟ ପଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ପଶୁ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇ ଉନ୍ନତ ଚିକିତ୍ସା ସେବା ଯୋଗାଇ ଦିଆଯିବ। ଚିକିତ୍ସା ପରେ ଆବଶ୍ୟକତା ଅନୁଯାୟୀ ସେମାନଙ୍କୁ ଗୋଶାଳାକୁ ସ୍ଥାନାନ୍ତର କରାଯିବ।
ପଶୁ କଲ୍ୟାଣ କ୍ଷେତ୍ରରେ ଏହି ପଦକ୍ଷେପକୁ ଗଞ୍ଜାମ ଜିଲ୍ଲା ପାଇଁ ଏକ ମାଇଲଖୁଣ୍ଟ ବୋଲି ବିବେଚନା କରାଯାଉଛି। ସାଧାରଣ ଲୋକମାନେ ଆହତ କିମ୍ବା ସଙ୍କଟାପନ୍ନ ପଶୁ ଦେଖିଲେ ୧୯୬୨ ଟୋଲ୍-ଫ୍ରି ସହାୟତା ନମ୍ବରରେ ଯୋଗାଯୋଗ କରି ଏହି ସେବାର ସୁବିଧା ନେବାକୁ ଆହ୍ୱାନ କରାଯାଇଛି।
ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳ କୀର୍ତ୍ତି ଭାସନ ଭି. କହିଥିଲେ ଯେ, ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ୩ଟି ଏନଏସି ଓ ଗୋଟିଏ ମ୍ୟୁନିସିପାଲିଟିରେ ପ୍ରାଣୀ ଉଦ୍ଧାର ଯାନର ଶୁଭାରମ୍ଭ ହୋଇସାରିଛି। ଖୁବ୍ ଶୀଘ୍ର ଜିଲ୍ଲାର ଅବଶିଷ୍ଟ ୧୧ଟି ଏନଏସି ଓ ୬ଟି ମ୍ୟୁନିସିପାଲିଟିରେ ମଧ୍ୟ ଏହି ସେବା ଆରମ୍ଭ କରାଯିବ। ଏହା ଫଳରେ ଜିଲ୍ଲାର ଆହତ ଓ ଅସୁସ୍ଥ ପଶୁପକ୍ଷୀଙ୍କୁ ତ୍ୱରିତ ଉଦ୍ଧାର ଓ ଉନ୍ନତ ଚିକିତ୍ସା ସେବା ଯୋଗାଇବା ଅଧିକ ସହଜ ହେବ।
ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡ଼. ଶ୍ରବଣା ବିବେକ ଏମ୍., ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଗଞ୍ଜାମ ମୁଖ୍ୟ ଜିଲ୍ଲା ପଶୁ ଚିକିତ୍ସା ଅଧିକାରୀ ଡ଼. ଅଞ୍ଜନ ଦାସ, ଉପଖଣ୍ଡ ପଶୁ ଚିକିତ୍ସା ଅଧିକାରୀ ଡ଼. ଭବାନୀ ଶଙ୍କର ଷଡ଼ଙ୍ଗୀ, ବ୍ଲକ ପଶୁ ଚିକିତ୍ସା ଅଧିକାରୀ ଡ଼. କିରଣ ବିଶୋୟୀ, ଗୋପାଳପୁର ଏନଏସି ଅଧ୍ୟକ୍ଷ ଜାନକୀ ରାମ, ବ୍ରହ୍ମପୁର ମହାନଗର ନିଗମର ଉପ-ଆୟୁକ୍ତ ଆଶୀର୍ବାଦ ପରିଡ଼ା, ରଙ୍ଗେଇଲୁଣ୍ଡା ବିଡିଓ ବିଶ୍ୱଜିତ ରାୟ, ଗୋପାଳପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ କୁମାର ନାହାକ, ଜିଲ୍ଲା ଏସ୍ପିସିଏ ସଦସ୍ୟ ଲଲାଟେନ୍ଦୁ ଚୌଧୁରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

