ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର; କାରଣ ଅସ୍ପଷ୍ଟ 

ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର; କାରଣ ଅସ୍ପଷ୍ଟ 

ହିଞ୍ଜିଳିକାଟୁ,୨୭/୭ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ବେଲଗାଁ ଥାନା ଅନ୍ତର୍ଗତ ବେଲଗାଁରେ ରବିବାର ସନ୍ଧ୍ୟାରେ ଘଟିଥିବା ଏକ ଅଭାବନୀୟ ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଭଡ଼ା ଘର ଭିତରୁ ଜଣେ ୨୪ ବର୍ଷୀୟ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ବେଳେ ଘଟଣାକୁ ନେଇ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି। ମୃତ ମହିଳା ଜଣକ ହେଲେ ଗଣ୍ଡଳା ଗ୍ରାମର ଖୁମାରି ନାହାକ (୨୪), ସ୍ୱାମୀ ମନୋଜ ନାହାକ। ସୂଚନା ଅନୁଯାୟୀ, ମନୋଜ ନାହାକ ଓ ତାଙ୍କ ପତ୍ନୀ ଖୁମାରି ବେଲଗାଁରେ ଏକ ଭଡ଼ା ଘରରେ ବସବାସ କରୁଥିଲେ। ସେମାନଙ୍କ ସହ ଖୁମାରିଙ୍କ ଶାଶୁ ଏବଂ ଦେଢ଼ ବର୍ଷର କନ୍ୟା ସନ୍ତାନ ମଧ୍ୟ ରହୁଥିଲେ। ରବିବାର ସନ୍ଧ୍ୟା ସମୟରେ ଶାଶୁ ଓ ଶିଶୁ କନ୍ୟା ଘର ବାହାରେ ବସିଥିବା ବେଳେ ଖୁମାରି ଘରର ମଝି କୋଠରୀର କବାଟ ବନ୍ଦ କରି ଭିତରେ ରହିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ବାହାରକୁ ନ ଆସିବାରୁ ଶାଶୁ ସନ୍ଦେହ କରି କବାଟ ଖୋଲି ଦେଖିଥିଲେ। ସେଠାରେ ଖୁମାରିଙ୍କୁ ଏକ ଲୁଗା ସାହାଯ୍ୟରେ ଝୁଲନ୍ତା ଅବସ୍ଥାରେ ଲଟକି ରହିଥିବା ଦେଖି ସେ ଚିତ୍କାର କରି ପଡ଼ୋଶୀଙ୍କୁ ଡାକିଥିଲେ। ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ବେଲଗାଁ ପୋଲିସକୁ ସୂଚନା ଦିଆଯାଇଥିଲା। ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଖୁମାରିଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ଏମ୍.କେ.ସି.ଜି. ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ବେଲଗାଁ ପୋଲିସ କେସ୍ ନଂ ୪/୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରେ ପାରିବାରିକ କଳହକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଥିଲେ ମଧ୍ୟ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୋଲିସ ପରିବାର ସଦସ୍ୟ ଓ ପଡ଼ୋଶୀଙ୍କୁ ପଚରାଉଚରା କରିବା ସହ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ କରୁଛି। ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ବେଲଗାଁ ଥାନା ଆଇଆଇସି ସ୍ମିତାଞ୍ଜଳୀ ପ୍ରଧାନ ସୂଚନା ଦେଇଛନ୍ତି। ଏହି ଅକାଳ ମୃତ୍ୟୁ ପରିବାର ଉପରେ ଦୁଃଖର ପାହାଡ଼ ଲଦି ଦେଇଥିବା ବେଳେ ଦେଢ଼ ବର୍ଷର ଶିଶୁ କନ୍ୟା ମା’ର ସ୍ନେହରୁ ବଞ୍ଚିତ ହୋଇଥିବା ଘଟଣା ସ୍ଥାନୀୟ ଲୋକଙ୍କୁ ମର୍ମାହତ କରିଛି। ତେବେ ଘଟଣାର ପ୍ରକୃତ କାରଣ କ’ଣ, ଏହା ଆତ୍ମହତ୍ୟା ନା ଅନ୍ୟ କିଛି କାରଣ ରହିଛି, ତାହା ପୋଲିସର ତଦନ୍ତ ଓ ବ୍ୟବଚ୍ଛେଦ ରିପୋର୍ଟ ପରେ ସ୍ପଷ୍ଟ ହେବ।

Related posts

GST ତାରିଖ ଅବଦ୍ଧି ଶେଷ,ସିମେଣ୍ଟ ଗାଡିକୁ ଧରିଲା GST ବିଭାଗ ଅଧିକାରୀ

Sunil Chandra Nayak

ଡ଼ାବୁଗାଁ ପୋଲିସ କୁ ମିଳିଛି ଏକ ବଡ଼ ସଫଳତା, ୧୭ ମୋଟରସାଇକେଲ ଜବତ, ୪ ଗିରଫ

ବିଷ ପିଇ ଯୁବକ ଙ୍କ ଆତ୍ମହତ୍ୟା 

masiha

Leave a Comment

error: Content is protected !!