ତୁରକେଲ ବ୍ରିଜ ନିର୍ମାଣ ଦାବିରେ ୧୦୦ ଦିନର ଧାରଣା, ୩୦ କିଲୋମିଟର ପଦଯାତ୍ରା କଲେ ସଦର ବିଧାୟକ
ତୁରକେଲ ବ୍ରିଜ ନିର୍ମାଣ ଦାବିରେ ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସଙ୍କ ଆନ୍ଦୋଳନକୁ ଆଜି ପୂରିଛି ୧୦୦ ଦିନ । ବ୍ରିଜ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ବାରମ୍ବାର ଦାବି ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି ବିଧାୟକ । ଏହାର ପ୍ରତିବାଦରେ ଆଜି ୧୦୦ ଦିନ ପୂର୍ତ୍ତି ଅବସରରେ ତୁରକେଲ ବ୍ରିଜ ନିକଟରୁ ଭବାନୀପାଟଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପ୍ରାୟ ୩୦ କିଲୋମିଟର ପଦଯାତ୍ରା କରିଛନ୍ତି ବିଧାୟକ ଓ ଶତାଧିକ କଂଗ୍ରେସ କର୍ମୀ ଆଜି ଅଗଷ୍ଟ ୪ ତାରିଖ । ତୁରକେଲ ବ୍ରିଜ ନିର୍ମାଣ ଦାବିରେ ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସଙ୍କ ଧାରଣା ଓ ଆନ୍ଦୋଳନକୁ ପୂରିଛି ୧୦୦ ଦିନ ।
ତୁରକେଲ ବ୍ରିଜ ନିର୍ମାଣ ନହେବା ଯୋଗୁଁ ଅଞ୍ଚଳବାସୀ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ବିକାଶ କ୍ଷେତ୍ରରେ ବିଭିନ୍ନ ସମସ୍ୟା ଭୋଗୁଥିବା ଅଭିଯୋଗ ହୋଇଆସୁଛି । ବ୍ରିଜ ନିର୍ମାଣ ପାଇଁ ବିଧାୟକ ଦୀର୍ଘଦିନ ଧରି ରାଜ୍ୟ ସରକାରଙ୍କୁ ଦାବି ଜଣାଇ ଆସୁଥିଲେ ମଧ୍ୟ ସରକାର ଏହା ପ୍ରତି କର୍ଣ୍ଣପାତ କରୁନଥିବା ବିଧାୟକ ଅଭିଯୋଗ କରିଛନ୍ତି ।
ଏହାକୁ ନେଇ ଆଜି ଆନ୍ଦୋଳନର ୧୦୦ ଦିନ ପୂର୍ତ୍ତି ଅବସରରେ ତୁରକେଲ ବ୍ରିଜ ନିକଟରୁ ବିଧାୟକ ସାଗର ଚରଣ ଦାସଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ପଦଯାତ୍ରା ଆରମ୍ଭ କରିଥିଲେ । ହାତରେ ପ୍ଲାକାର୍ଡ ଧରି ବ୍ରିଜ ନିର୍ମାଣ ଦାବିରେ ନାରାବାଜି କରି ପଦଯାତ୍ରା କରିଥିଲେ କଂଗ୍ରେସ କର୍ମୀ ।
ପଦଯାତ୍ରା ରାସ୍ତାରେ ବିଭିନ୍ନ ଗ୍ରାମର ଲୋକେ ବିଧାୟକଙ୍କୁ ପୁଷ୍ପମାଲ୍ୟ ପ୍ରଦାନ କରି ସ୍ୱାଗତ କରିଥିଲେ । ସେହିପରି କର୍ଲାପଡା +୨ ଓ +୩ କଲେଜ, ଶିଶୁ ମନ୍ଦିର ସମେତ ବିଭିନ୍ନ ସ୍କୁଲ ଓ ସଂଗଠନର ପ୍ରତିନିଧି ଏବଂ ଛାତ୍ରଛାତ୍ରୀମାନେ ମଧ୍ୟ ପଦଯାତ୍ରାକୁ ସ୍ୱାଗତ କରିଥିଲେ ।
ପ୍ରାୟ ୩୦ କିଲୋମିଟର ପଦଯାତ୍ରା ପରେ ଭବାନୀପାଟଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ବିଧାୟକ ଓ କଂଗ୍ରେସ କର୍ମୀ । ସେଠାରେ ତୁରକେଲ ବ୍ରିଜର ତୁରନ୍ତ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ଦାବି ଜଣାଇ ଜିଲ୍ଲାପାଳଙ୍କୁ ଏକ ଲିଖିତ ପତ୍ର ପ୍ରଦାନ କରିଥିଲେ ।
ବ୍ରିଜ ନିର୍ମାଣ ନହେବା ଯୋଗୁଁ ଅଞ୍ଚଳର ଲୋକେ ଦୀର୍ଘଦିନ ଧରି ଯାତାୟାତ ସହ ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ମୌଳିକ ସୁବିଧା ପାଇବାରେ ଅସୁବିଧା ଭୋଗୁଛନ୍ତି । ତେଣୁ ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ତୁରନ୍ତ ତୁରକେଲ ବ୍ରିଜ ନିର୍ମାଣ କରାଯାଉ ବୋଲି ଦାବି ହୋଇଛି ।
ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

