ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମ , ୨- ଢେଙ୍କାନାଳର କପିଳାସ ପ୍ରାଣୀ ଉଦ୍ୟାନରେ ବିଶ୍ୱ ହାତୀ ଦିବସ-୨୦୨୬ ପାଳିତ , ୩- ସ୍ଵତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ରାଜନୈତିକ ଦଳର ପ୍ରତିନିଧିଙ୍କ ବୈଠକ , 4-ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ , 5- ବାଲ୍ୟ ବିବାହ ମୁକ୍ତ ସମାଜ ଗଠନ ପାଇଁ ପଞ୍ଚାୟତସ୍ତରୀୟ ବୈଠକ                                               

ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମ 

କାମାକ୍ଷାନଗର -କାମାକ୍ଷାନଗର ସନ୍ନିକଟ କାନପୁରା ସ୍ଥିତ ପଞ୍ଚାୟତ ରାଜ ଉଚ୍ଚ ବିଦ୍ୟାଳୟ ରେ ଭାରତ ସ୍ୱାଧୀନତାର ୮୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଭାରତ ସରକାରଙ୍କ ଆଜାଦି କି ଅମୃତ ମହୋତ୍ସବ ଅନ୍ତର୍ଗତ ହର ଘର ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଏକ ବିଶାଳ ଶୋଭାଯାତ୍ରା କୁ କାମାକ୍ଷାନଗର ବିଧାୟକ ମୁଖ୍ୟତିଥି ରୁପେ ଯୋଗଦେଇ ଉଦ୍ଘାଟନ କରିଥିଲେ । ବିଦ୍ୟାଳୟ ର ଏନ ସି ସି , ସ୍କାଉଟ , ଗାଇଡ଼ , ଜେ ଆର ସି ଦଳ ଇକୋ କ୍ଲବ୍ ସଦସ୍ୟଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ ଅଂଶ ଗ୍ରହଣ କରିଥିଲେ । ସମ୍ମାନିତ ଅତିଥି ରୂପେ ଢ଼େଙ୍କାନାଳ ଭା. ଜ. ପା ର ଜିଲ୍ଲା ସଭାପତି ରାସ ବିହାରୀ ବେହେରା , କାମାକ୍ଷାନଗର ଉପଜିଲ୍ଲାପାଳ ବିକାଶ କୁମାର ମହାନ୍ତି , ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଭୁ କଲ୍ୟାଣ ଦାସ , ବିଦ୍ୟାଳୟ ର ପରିଚାଲନା କମିଟି ସଭାପତି ସଂଜୟ କୁମାର ରାଉତ ଯୋଗ ଦେଇଥିଲେ । ପ୍ରତ୍ୟେକ ଭାରତୀୟଙ୍କ ମନରେ ଦେଶ ପ୍ରେମ ଓ ଜାତୀୟତା ବୋଧ ବୃଦ୍ଧି କରିବା ଉଚିତ୍। ଜାତୀୟ ପତାକା ସହ ଆମର ବ୍ୟକ୍ତିଗତ ଓ ଭାବନାତ୍ମକ ସମ୍ପର୍କ ଗଢିଉଠିବା ଦରକାର ବୋଲି ମୁଖ୍ୟଅତିଥି ବକ୍ତବ୍ୟ ରଖିଥିଲେ । ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ପୂର୍ବତନ ଛାତ୍ର ସଂସଦର ସଭ୍ୟ ଜିତେନ୍ଦ୍ର କୁମାର ସାମଲ , ସୁରେଶ ବ୍ରହ୍ମ , ଗ୍ରାମବାସୀ , ପୂର୍ବତନ ଛାତ୍ର, ବିଭିନ୍ନ କମିଟିର ସଦସ୍ୟ ଉପସ୍ଥିତ ଥିଲେ । ପରିକ୍ରମା ଅବସରରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ଦେଶାତ୍ମବୋଧକ ନାରା ଦେଇଥିଲେ । ବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ ଏକ ଲମ୍ବା ତ୍ରିରଙ୍ଗା ପତାକା କୁ ଧରି ଗ୍ରାମ ପରିକ୍ରମା କରାଯାଇଥିଲା । ବିଦ୍ୟାଳୟର ବିଭିନ୍ନ ସ୍ଥାନରେ ଜାତୀୟ ପତାକା ଲଗା ଯାଇଥିଲା । ଏହି ଅବସରରେ ପ୍ରବନ୍ଧ, ବତକୃତା , ସଙ୍ଗୀତ , ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତି ପ୍ରତିଯୋଗୀ ମାନଙ୍କୁ ଚଳିତ ସ୍ୱାଧୀନତା ଦିବସ ପାଳନ ଅବସରରେ ପୁରସ୍କୃତ କରାଯିବ ବୋଲି ପ୍ରଧାନ ଶିକ୍ଷକ ସୂଚନା ପ୍ରଦାନ କରିଛନ୍ତି ।ଏନ୍ ସି ସି ଫାଷ୍ଟ ଅଫିସର୍ ଧ୍ରୁବ ଚରଣ ସୁନ୍ଦରାୟ , ଜେ ଆର ସି କାଉନସିଲର ସୁରେଶ କୁମାର ବିଶ୍ବାଳ , ସ୍କାଉଟ ମାଷ୍ଟର ବାନାର୍ଜୀ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷକ ଚନ୍ଦ୍ରମଣି ଲେଙ୍କା , ରୁଦ୍ରନାରାୟଣ ପରିଡା , ଶିକ୍ଷା କର୍ମଚାରୀ ଗିରିଶ ଚନ୍ଦ୍ର ମହାନ୍ତି , ରବିନାରାୟଣ ରାଉତ , ଶାନ୍ତନୁ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ଢେଙ୍କାନାଳର କପିଳାସ ପ୍ରାଣୀ ଉଦ୍ୟାନରେ ବିଶ୍ୱ ହାତୀ ଦିବସ-୨୦୨୬ ପାଳିତ

ଢେଙ୍କାନାଳ- ହାତୀ ସଂରକ୍ଷଣ, ବାସସ୍ଥାନ ସୁରକ୍ଷା ଏବଂ ମଣିଷ ଏବଂ ହାତୀ ମଧ୍ୟରେ ସୁସଜ୍ଜିତ ସହାବସ୍ଥାନକୁ ପ୍ରୋତ୍ସାହିତ କରିବାର ଏକ ଦୃଢ଼ ବାର୍ତ୍ତା ସହିତ ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ କପିଳାଶ ପ୍ରାଣୀ ଉଦ୍ୟାନରେ ବିଶ୍ୱ ହାତୀ ଦିବସ-୨୦୨୬ ପାଳିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଢେଙ୍କାନାଳର ବନଖଣ୍ଡ ଅଧିକାରୀ ଲଳିତ କୁମାର ପାତ୍ର, ଏସିଏଫ ନୀଳେନ୍ଦ୍ର ନାରାୟଣ ସିଂହ ଦଳପତି ଏବଂ ଏସିଏଫ ବିଦ୍ୟା ସାଗରଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା। ବନ ବିଭାଗ ଏବଂ କପିଳାସ ପ୍ରାଣୀ ଉଦ୍ୟାନର ଅଧିକାରୀ ଏବଂ କର୍ମଚାରୀମାନେ ଏହି ଉତ୍ସବରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଦେଓଗାଁ ସରପଞ୍ଚ ବିଜୟ କୁମାର ଦେହୁରୀ, ଇକୋ-କ୍ଲବ ମାଷ୍ଟର ଟ୍ରେନର ଏବଂ ପରିବେଶ ପ୍ରେମୀ ଦୀପ୍ତିମୟୀ ଲେଙ୍କା ଏବଂ ଯୁବ କ୍ଲବ, ଦେଓଗାଁର ସଦସ୍ୟମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ, ଯାହା ବନ୍ୟପ୍ରାଣୀ ସଂରକ୍ଷଣରେ ସମ୍ପ୍ରଦାୟର ଅଂଶଗ୍ରହଣର ଗୁରୁତ୍ୱକୁ ପ୍ରତିଫଳିତ କରିଥିଲା।

ସମାବେଶକୁ ସମ୍ବୋଧିତ କରି, ବିଶିଷ୍ଟ ବ୍ୟକ୍ତିମାନେ ହାତୀର ପରିବେଶଗତ ଗୁରୁତ୍ୱକୁ ଏକ ମୁଖ୍ୟ ପଥର ଏବଂ ଇକୋସିଷ୍ଟମ-ଇଞ୍ଜିନିୟରିଂ ପ୍ରଜାତି ଭାବରେ ଆଲୋକପାତ କରିଥିଲେ ଏବଂ ହାତୀ ବାସସ୍ଥାନର ସୁରକ୍ଷା, ଭୂଦୃଶ୍ୟ ସଂଯୋଗୀକରଣର ରକ୍ଷଣାବେକ୍ଷଣ, ବିଦ୍ୟୁତ ଆଘାତ ଏବଂ ଅନ୍ୟାନ୍ୟ ମାନବୀୟ ବିପଦକୁ ରୋକିବା ଏବଂ ସମ୍ପ୍ରଦାୟ-ଭିତ୍ତିକ ସଂରକ୍ଷଣ ପଦକ୍ଷେପକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସମ୍ପ୍ରଦାୟ ଏବଂ ଯୁବକମାନଙ୍କ ମଧ୍ୟରେ ହାତୀର ଗୁରୁତ୍ୱ ଏବଂ ସେମାନଙ୍କ ବାସସ୍ଥାନ ବିଷୟରେ ଅଧିକ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଇକୋ କ୍ଲବ, ଯୁବ ପ୍ରତିନିଧି ଏବଂ ସ୍ଥାନୀୟ ନିର୍ବାଚିତ ପ୍ରତିନିଧିମାନଙ୍କ ଅଂଶଗ୍ରହଣ ଉତ୍ସବକୁ ଗୁରୁତ୍ୱପୂର୍ଣ୍ଣ ସାମୁଦାୟିକ ଦିଗ ପ୍ରଦାନ କରିଥିଲା ଏବଂ ହାତୀ ସଂରକ୍ଷଣ ଏକ ମିଳିତ ଦାୟିତ୍ୱ ବୋଲି ବାର୍ତ୍ତାକୁ ଆହୁରି ଦୃଢ଼ କରିଥିଲା। ଢେଙ୍କାନାଳ ଭୂଦୃଶ୍ୟରେ ବନ୍ୟପ୍ରାଣୀ ସୁରକ୍ଷା, ବାସସ୍ଥାନ ପରିଚାଳନା, ବୈଜ୍ଞାନିକ ତଦାରଖ, ସମ୍ପ୍ରଦାୟ ସମ୍ପୃକ୍ତି ଏବଂ ମଣିଷ-ହାତୀ ସଂଘର୍ଷ ହ୍ରାସ ପାଇଁ ବନ ବିଭାଗ ଏହାର ପ୍ରତିବଦ୍ଧତାକୁ ଦୋହରାଇଲା। ହାତୀଙ୍କ ପାଇଁ ଏକ ସୁରକ୍ଷିତ ଏବଂ ସ୍ଥାୟୀ ଭବିଷ୍ୟତ ସୁନିଶ୍ଚିତ କରିବା ଏବଂ ମଣିଷ ଏବଂ ବନ୍ୟପ୍ରାଣୀଙ୍କ ମଧ୍ୟରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ସୁନିଶ୍ଚିତ କରିବା ପାଇଁ ସମସ୍ତ ଅଂଶୀଦାରଙ୍କୁ ମିଳିତ ଭାବରେ କାମ କରିବାକୁ ଆହ୍ୱାନ ସହିତ ଉତ୍ସବ ଶେଷ ହୋଇଥିଲା।

ସ୍ଵତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ରାଜନୈତିକ ଦଳର ପ୍ରତିନିଧିଙ୍କ ବୈଠକ

 ଢେଙ୍କାନାଳ-    ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠି ପ୍ରମୂଖ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହିତ ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ଅବଗତ କରାଇ ଆଲୋଚ଼ନା କରିଛନ୍ତି । ଏହି ଅବସରରେ ସେ ଉପସ୍ଥିତ ସମସ୍ତ ପ୍ରତିନିଧିମାନଙ୍କୁ ସ୍ୱତନ୍ତ୍ର ସଘନ ସଂଶୋଧନ ନିମନ୍ତେ ଦାବୀ – ଆପତ୍ତି ପାଇଁ ଫର୍ମ-୯, ୧୦,୧୧, ୧୧-ଏ ଓ ୧୧- ବି ପ୍ରଦାନ କରିଥିଲେ । ଏହି ବୈଠକରେ ଇ.ଆର.ଓ. – ସବ୍ କଲେକ୍ଟର (୫୫-ଢେଙ୍କାନାଳ) ପଦ୍ମ ଚରଣ ସାହୁ, ଡ଼େପୁଟୀ କଲେକ୍ଟର (ନିର୍ବାଚ଼ନ) ନିବେଦିତା ରାଉତଙ୍କ ସମେତ ବିଜେଡ଼ିର ପ୍ରତିନିଧି ଗୋପାଳ ପାତ୍ର ଏବଂ ବିଷ୍ଣୁ ପ୍ରସାଦ କର, ଜାତୀୟ କଂଗ୍ରେସର ବନମାଳି ଦାସ ଓ ଶ୍ରୀମତୀ ଶିଳ୍ପୀଶ୍ରୀ ହରିଚ଼ନ୍ଦନ ଏବଂ ଆମ୍ ଆଦମୀ ପାର୍ଟିର ପ୍ରତିନିଧି ପଙ୍କଜ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ                                                 

ଜିଲ୍ଲା କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । କଲେଜ ବାଇପାସ୍ ସ୍ଥିତ ସହରକୁ ପ୍ରବେଶ ରାସ୍ତାରେ ପାଣି ଜମୁଥିବାରୁ ଏହାର ପ୍ରତିକାର ପାଇଁ ବିହିତ ବ୍ୟବସ୍ଥା କରି ଓ ଦୁର୍ଘଟଣା ପ୍ରବଣ ରାସ୍ତା ଏବଂ ଛକ ଗୁଡ଼ିକରେ ଲାଇଟିଂ ର ବ୍ୟବସ୍ଥା ମାସକ ମଧ୍ୟରେ ଶେଷ କରିବାକୁ ଜିଲ୍ଲାପାଳ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରମୂଖ କଲେଜ ଓ ବିଦ୍ୟାଳୟ ସମ୍ମୁଖ ରାସ୍ତାରେ ସାଇନେଜ୍‌ ଓ ପ୍ରତିଫଳକ ଦର୍ପଣ ଲଗାଇବାକୁ କହିଛନ୍ତି । ଜାତୀୟ ରାଜପଥରେ ହୋଇଥିବା ଖାଲ ଓ ଜଳୁ ନ ଥିବା ଲାଇଟ ପୋଷ୍ଟକୁ ଚ଼ିହ୍ନଟ କରି ଯଥାଶୀଘ୍ର ମରାମତି ପାଇଁ ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକର ପରାମର୍ଶ ଦେଇଛନ୍ତି । ରାସ୍ତା କଡ଼ରେ ଗାଡ଼ି ପାର୍କିଂ ଯୋଗୁଁ ଦୁର୍ଘଟଣା ଘଟୁଥିବାରୁ ପାର୍କିଂ ପାଇଁ ବ୍ୟବସ୍ଥା କରିବାକୁ ସେ ଗୁରୁତ୍ବାରୋପ କରିଥିଲେ । କଣ୍ଟାନାଳୀ ବାଇପାସ ଛକ ଠାରେ ସୁଦୃଶ୍ୟ ସାଇନେଜ୍ ବ୍ୟବସ୍ଥା, ନବଭାରତ ଠାରେ ରାସ୍ତାରେ ଅଧିକ ପାଣି ଜମା ଯୋଗୁଁ ଚ଼ଳାଚ଼ଳରେ ଅସୁବିଧା, ଅପ୍ରାପ୍ତ ବୟସ୍କ ପିଲାମାନଙ୍କ ଗାଡ଼ିଚାଳନାରେ ରୋକ ଲଗାଇବା, ରାସ୍ତାରେ ଗାଇଗୋରୁଙ୍କ ଦୁର୍ଦ୍ଦଟଣାରେ ମୃତାହତ, ଅବୈଧ ନିର୍ମାଣ ଆଦି ଉଚ୍ଛେଦ , ସହର ମଧ୍ୟରେ ପାର୍କିଂ ବ୍ୟବସ୍ଥା ସଂପର୍କରେ ସଦସ୍ୟ ମାନେ ଆଲୋଚନା କରିଥିଲେ । ଗତ ଜୁଲାଇ ମାସରେ ୩୦ଟି ଦୁର୍ଘଟଣା ଘଟି ମୋଟ ୨୫ ଜଣ ଆହତ ହୋଇଥିବା ବେଳେ ୧୮ ଜଣ ମୃତ୍ୟୁ ବରଣ କରିଛନ୍ତି ବୋଲି ଆର. ଟି. ଓ. ଶ୍ରୀ ଶିବାଶିଷ ସାହୁ ପ୍ରକାଶ କରିଛନ୍ତି । ଟ୍ରାଫିକ ନିୟମ ଉଲଙ୍ଘନ କରିଥିବା ଯୋଗୁଁ ଚ଼ଳିତ ବର୍ଷ ଜୁଲାଇ ମାସ ସୁଦ୍ଧା ୨୧୫୦ ଜଣ ଗାଡ଼ି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଧ କରାଯାଇ ଥିବା ବେଳେ ଗତ ଜୁଲାଇ ମାସରେ ୧୦୧୮ଜଣଙ୍କୁ ଜୋରିମାନା କରାଯାଇଛି ବୋଲି ସେ ସୂଚ଼ନା ଦେଇଥିଲେ । ଏହି ଅବସରରେ, ଦୁର୍ଦ୍ଧଟଣା ଗ୍ରସ୍ତ ମାନଙ୍କୁ ଉଦ୍ଧାର କରିଥିବା ଷଣ୍ଢପଶିପାଟଣା (ଗନ୍ଦିଆ ) ର ମଦନ ରାଉତ, ପୋରୁଆଖୋଜ (ଗନ୍ଦିଆ ) ର ବଳରାମ ପରିଡ଼ା ଏବଂ ପାଳଗାଣ୍ଡୁଆ (ଗନ୍ଦିଆ ) ର ସଂଜୟ ପରିଡାଙ୍କୁ ଗୁଡ୍ ସମରିଟାନ ଭାବେ ଜିଲ୍ଲାପାଳ ପୁରସ୍କୃତ କରିଥିଲେ । ପ୍ରାରମ୍ଭରେ ରାସ୍ତା ଓ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଜୟନ୍ତ ପ୍ରସାଦ ନାୟକ ଜାତୀୟ ରାଜପଥରେ ହେଇଥିବା ବିଭିନ୍ନ କାର୍ଯ୍ୟ ସଂପର୍କରେ ଅବଗତ କରାଇଥିଲେ । ଏହି ବୈଠକରେ ଆଇ.ଏ.ଏସ୍. (ପ୍ରୋବେସନ୍ ) ସୁଧା ଚୈହାନ, କମିଟିର ସମସ୍ତ ସଦସ୍ୟ, ସଂପୃକ୍ତ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।

ବାଲ୍ୟ ବିବାହ ମୁକ୍ତ ସମାଜ ଗଠନ ପାଇଁ ପଞ୍ଚାୟତସ୍ତରୀୟ ବୈଠକ

ଢେଙ୍କାନାଳ- ବାଲ୍ୟ ବିବାହ ଭଳି ସାମାଜିକ କୁପ୍ରଥାକୁ ରୋକିବା ସହ ଶିଶୁମାନଙ୍କ ସୁରକ୍ଷା ଓ ଅଧିକାର ସୁନିଶ୍ଚିତ କରିବା ଲକ୍ଷ୍ୟରେ କଙ୍କଡାହାଡ଼ ବ୍ଲକ ଅନ୍ତର୍ଗତ ବାମ ପଞ୍ଚାୟତରେ ପଞ୍ଚାୟତସ୍ତରୀୟ ଶିଶୁ କଲ୍ୟାଣ ଓ ସୁରକ୍ଷା କମିଟିର ଏକ ସଚେତନତାମୂଳକ ବୈଠକ ଅନୁଷ୍ଠିତ ହୋଇଛି। ବିଶ୍ୱ ଯୁବ କେନ୍ଦ୍ର (VYK)ର ଶିଶୁ ସହାୟତା କାର୍ଯ୍ୟକ୍ରମ ଆନୁକୂଲ୍ୟରେ ଆୟୋଜିତ ଏହି ବୈଠକରେ ବାଲ୍ୟ ବିବାହ ନିରାକରଣ, ଶିଶୁ ସୁରକ୍ଷା ଓ ସ୍କୁଲ ଡ୍ରପ୍‌ଆଉଟ୍‌ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇଥିଲା।

ବୈଠକରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ପ୍ରତିନିଧି ଶ୍ରୀମତୀ ଅନୁରାଧା ଗୋସ୍ୱାମୀ, ଶିଶୁ ସହାୟତା ସଂଯୋଜକ ରୋଶନ ନନ୍ଦ, ଆଭା ସଂଯୋଜକ ରାକେଶ ମିଶ୍ରଙ୍କ ସମେତ ବିଶ୍ୱ ଯୁବ କେନ୍ଦ୍ରର ସୁମିତ୍ରା ସ୍ୱାଇଁ ଓ ପୂର୍ଣ୍ଣିମା ସାହୁ, ସରପଞ୍ଚ, ୱାର୍ଡ ସଦସ୍ୟ, ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମୀ, ଶିକ୍ଷକ, ସୁପରଭାଇଜର ଓ ପିଇଓ ଯୋଗଦେଇଥିଲେ।

ବୈଠକରେ ବାଲ୍ୟ ବିବାହ ଯୋଗୁଁ କିଶୋରୀମାନଙ୍କ ଶିକ୍ଷା ବାଧାପ୍ରାପ୍ତ ହେବା, ଶାରୀରିକ ଓ ମାନସିକ ବିକାଶ ପ୍ରଭାବିତ ହେବା, ସ୍ୱାସ୍ଥ୍ୟ ସମସ୍ୟା ଏବଂ ପୌଷ୍ଟିକ ଅଭାବ ଭଳି ଗୁରୁତର କୁପରିଣାମ ସମ୍ପର୍କରେ ସଚେତନ କରାଯାଇଥିଲା। ଏଥିସହ ବାଲ୍ୟ ବିବାହ ନିଷେଧ ଆଇନ ଓ ଏହାର ଦଣ୍ଡବିଧାନ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥିଲା।

ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ପ୍ରତିମାସରେ ଥରେ ପଞ୍ଚାୟତସ୍ତରୀୟ ଶିଶୁ କଲ୍ୟାଣ ଓ ସୁରକ୍ଷା କମିଟିର ବୈଠକ ନିୟମିତ ଭାବେ ଆୟୋଜନ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଶିଶୁ ସୁରକ୍ଷା ସହିତ ସ୍କୁଲ ଡ୍ରପ୍‌ଆଉଟ୍‌ ଶିଶୁମାନଙ୍କୁ ପୁନର୍ବାର ଶିକ୍ଷା ବ୍ୟବସ୍ଥା ସହ ଯୋଡ଼ିବା ନେଇ ମଧ୍ୟ ଆଲୋଚନା ହୋଇଥିଲା। ସରପଞ୍ଚ ପ୍ରତିମାସରେ ଏହି ବୈଠକ ଆୟୋଜନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହାସହ କୌଣସି ବାଲ୍ୟ ବିବାହ ସମ୍ପର୍କିତ ସୂଚନା ମିଳିଲେ ତୁରନ୍ତ ପ୍ରଶାସନ କିମ୍ବା ସମ୍ପର୍କିତ ବିଭାଗକୁ ଜଣାଇବା ସହ ଶିଶୁମାନଙ୍କ ସୁରକ୍ଷା ପାଇଁ ସମସ୍ତେ ମିଳିତ ଭାବେ ଦାୟିତ୍ୱ ତୁଲାଇବାକୁ ଆହ୍ୱାନ ଦିଆଯାଇଥିଲା। ବୈଠକର ଶେଷରେ ଉପସ୍ଥିତ ସମସ୍ତେ ବାଲ୍ୟ ବିବାହମୁକ୍ତ ସମାଜ ଗଠନ ପାଇଁ ସାମୂହିକ ଶପଥ ଗ୍ରହଣ କରିଥିଲେ। ଶିଶୁମାନଙ୍କ ପାଇଁ ଏକ ସୁସ୍ଥ, ସୁରକ୍ଷିତ ଓ ଶିକ୍ଷିତ ପରିବେଶ ଗଠନ କରିବାର ସଙ୍କଳ୍ପ ସହ ବୈଠକଟି ସଫଳତାର ସହ ସମାପ୍ତ ହୋଇଥିଲା।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ସୁବର୍ଣ୍ଣରେଖା ଓ ଫକିରମୋହନ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ ଆନୁକୁଲ୍ୟରେ “ଫକିରମୋହନ ତିରୋଧାନ ଦିବସ” ପାଳନ

masiha

ବ୍ଲକ ସ୍ତରୀୟ ଦିବ୍ୟାଙ୍ଗ ଛାତ୍ରୀଛାତ୍ର ମାନଙ୍କ ଶୈକ୍ଷିକ ପରିଭ୍ରମଣ କାର୍ଯ୍ୟକ୍ରମ 

masiha

ମଣ୍ଡେଇ ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!