ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ା ରେଳ ମଣ୍ଡଳରେ ୮୦ତମ ସ୍ୱାଧୀନତା ଦିବସ ପାଳିତ: ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଅମିତାଭ ସିଂହଲଙ୍କ ଉପଲବ୍ଧି ଓ ବିକାଶମୂଳକ ପଦକ୍ଷେପ ଉପରେ ଆଲୋକପାତ

ରାୟଗଡ଼ା ରେଳ ମଣ୍ଡଳରେ ୮୦ତମ ସ୍ୱାଧୀନତା ଦିବସ ପାଳିତ:

ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଅମିତାଭ ସିଂହଲଙ୍କ ଉପଲବ୍ଧି ଓ ବିକାଶମୂଳକ ପଦକ୍ଷେପ ଉପରେ ଆଲୋକପାତ

ରାୟଗଡ଼ା, 15 ଅଗଷ୍ଟ 2026:  ପୂର୍ବତଟ ରେଳପଥ ରାୟଗଡ଼ା ରେଳ ମଣ୍ଡଳ ପକ୍ଷରୁ ରେଲୱେ ଖେଳ ପଡ଼ିଆରେ ଦେଶଭକ୍ତିମୟ ପରିବେଶରେ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଅଛି । ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଅମିତାଭ ସିଂହଲ ଏହି ଅବସରରେ ଜାତୀୟ ପତାକା ଉତ୍ତୋଳନ କରି ପ୍ୟାରେଡ୍ ପରିଦର୍ଶନ କରିଥିଲେ। ଏହି ଅବସରରେ ରେଳବାଇ ସୁରକ୍ଷା ବଳ, ଭାରତ ସ୍କାଉଟ୍ସ ଓ ଗାଇଡ୍ସ ଏବଂ ଏନସିସି କ୍ୟାଡେଟ୍‌ମାନଙ୍କମାନେ ଅଂଶଗ୍ରହଣ କରିଥିଲେ। ରେଳ ଅଧିକାରୀ, କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଇ ଶ୍ରୀ ସିଙ୍ଗଲ ଦେଶର ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ସ୍ୱାଧୀନତା ସଂଗ୍ରାମୀ, ସହିଦ ଓ ଦେଶଭକ୍ତମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଏହି ଅବସରର ଗୁରୁତ୍ୱ ଉପରେ ଆଲୋକପାତ କରି ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ସିଂହଲ କହିଥିଲେ ଯେ, 1 ଜୁନ 2026 ରେ ରାୟଗଡ଼ା ମଣ୍ଡଳ ପୂର୍ବତଟ ରେଳପଥର ଏକ ନୂତନ ରେଳ ମଣ୍ଡଳ ଭାବେ ଗଠିତ ହୋଇଥିଲା ଯାହା ଏକ ନୂତନ ଅଧ୍ୟାୟର ଆରମ୍ଭ। ଶ୍ରୀ ସିଂହଲ ସମସ୍ତ କର୍ମଚାରୀଙ୍କୁ ନୂତନ ଉତ୍ସାହ, ନିଷ୍ଠା ଓ ଦଳଗତ ଭାବନା ସହ କାର୍ଯ୍ୟ କରି ଏକ ସୁଦୃଢ଼, କାର୍ଯ୍ୟକ୍ଷମ ଓ ପ୍ରଗତିଶୀଳ ମଣ୍ଡଳ ଗଠନ ପାଇଁ ଆହ୍ୱାନ ଜଣାଇଥିଲେ।

ରେଳ ମଣ୍ଡଳ ଗଠନ ପରଠାରୁ ଏହି ରେଳ ମଣ୍ଡଳ ପରିଚାଳନା, ସୁରକ୍ଷା, ରାଜସ୍ୱ, ଯାତ୍ରୀ ସେବା ଓ ଭିତ୍ତିଭୂମି କ୍ଷେତ୍ରରେ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିଛି। ଏଥିମଧ୍ୟରେ 219 ଟି ଲଙ୍ଗ ହାଉଲ ଟ୍ରେନ୍ ପ୍ରସ୍ତୁତି, କିରଣ୍ଡୁଲରେ 526ଟି ୱାଗନର ନୀରିକ୍ଷଣ, ନଗରନାର ରେ ୬୫ଟି ରେକ୍ ଓ ୧୦୫ଟି ଷ୍ଟିଲ କୟେଲ ରେକ୍ ପରୀକ୍ଷଣ ଏବଂ 29 ଜୁନ 2026ରେ ସିଙ୍ଗାପୁର ରୋଡ଼ ଓ ରାୟଗଡା ମଧ୍ୟରେ ଉନ୍ନତ ସାଙ୍କେତିକ ପ୍ରଣାଳୀ ସ୍ଥାପନ ଅନ୍ତର୍ଭୁକ୍ତ। ସୁରକ୍ଷା ଓ ଯାତ୍ରୀ ସୁରକ୍ଷା ପଦକ୍ଷେପ ଅଧୀନରେ ଅନଧିକୃତ ବ୍ୟକ୍ତିଙ୍କ ସମ୍ପର୍କିତ 1338ଟି ମାମଲା ରୁଜୁ କରାଯାଇ ₹5.62 ଲକ୍ଷ ଜରିମାନା ଆଦାୟ ହୋଇଛି। ଚାରିଟି ନାର୍କୋଟିକ୍ସ ମାମଲାରେ ପ୍ରାୟ ₹8.11 ଲକ୍ଷ ମୂଲ୍ୟର 34.232 କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି। 13 ଜଣ ନାବାଳକ ବାଳିକାଙ୍କୁ ଉଦ୍ଧାର କରାଯାଇଛି। ଅପରେସନ ଅମାନତ ଅଧୀନରେ ₹5.57 ଲକ୍ଷ ମୂଲ୍ୟର ହଜିଯାଇଥିବା ଯାତ୍ରୀ ସାମଗ୍ରୀ ଫେରାଇ ଦିଆଯାଇଛି। ମେରୀ ସହେଲି ପଦକ୍ଷେପ ଅଧୀନରେ ଏକାକୀ ଯାତ୍ରା କରୁଥିବା 10180 ଜଣ ମହିଳା ଯାତ୍ରୀଙ୍କୁ ସହାୟତା ପ୍ରଦାନ କରାଯାଇଛି।

ଆର୍ଥିକ ଓ ମାଲ ପରିବହନ କ୍ଷେତ୍ରରେ ମଧ୍ୟ ରାୟଗଡା ରେଳ ମଣ୍ଡଳ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ଜୁଲାଇ 2026ରେ ₹378.87 କୋଟି ବାଣିଜ୍ୟିକ ରାଜସ୍ୱ ହାସଲ ହୋଇଥିଲା, ଯେଉଁଥିରେ ₹8.53 କୋଟି ଯାତ୍ରୀ ଆୟ ଏବଂ ₹370.34 କୋଟି ମାଲ ଆୟ ରହିଛି। ସଞ୍ଚିତ ମାଲ ଆୟ ₹1,676.69 କୋଟିରେ ପହଞ୍ଚିଛି। ଜୁଲାଇ ପର୍ଯ୍ୟନ୍ତ 13.72 ନିୟୁତ ଟନ୍ ମୂଳ ମାଲ ବୋଝେଇ ହାସଲ ହୋଇଛି, ଯାହା 13.68 ନିୟୁତ ଟନ୍ ଲକ୍ଷ୍ୟ ଠାରୁ ଅଧିକ। ଜୁନ-ଜୁଲାଇ 2025 ର 5.78 ନିୟୁତ ଟନ୍ ତୁଳନାରେ ଜୁନ-ଜୁଲାଇ 2026ରେ ମାଲ ବୋଝେଇ ୬.୬୩ ମିଲିୟନ ଟନ୍ ହୋଇ 14.7% ବୃଦ୍ଧି ରେକର୍ଡ କରିଛି। ଟିକେଟ୍ ଯାଞ୍ଚ ଅଭିଯାନରେ 5,403ଟି ମାମଲା ଧରାପଡ଼ି ₹38.41 ଲକ୍ଷ ଆଦାୟ ହୋଇଛି। ରଥ ଯାତ୍ରା 2026 ପାଇଁ ଏବଂ CRPF ଓ BSF କର୍ମଚାରୀଙ୍କ ଯାତାୟାତ ପାଇଁ ଛଅଟି ବିଶେଷ ଟ୍ରେନ୍ ଚଳାଚଳର ମଧ୍ୟ ବ୍ୟବସ୍ଥା କରାଯାଇଥିଲା।

ଭିତ୍ତିଭୂମି ବିକାଶ କ୍ଷେତ୍ରରେ କାମାଲୁର- ଭାଁସି (12.428 କିମି) ଏବଂ ବାଇଗୁଡ଼ା-କାକିରିଗୁମା (12.385 କିମି) ସେକ୍ସନ୍ ଦୋହରୀକରଣ ପାଇଁ ନନ ଇଣ୍ଟର ଲକିଂ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଗୋଟିଏ ଜଗୁଆଳି ଲେବୁଲ କ୍ରସିଂ ବନ୍ଦ କରାଯାଇଥିବାବେଳେ ୪ଟି ଉପମାର୍ଗ ଖୋଲାଯାଇଛି। ଆରକୁ, ଜଗଦଳପୁର, ଜୟପୁର, କାକିରିଗୁମା ଷ୍ଟେସନରେ ନୂତନ ଫୁଟ ଓଭର ବ୍ରିଜ ନିର୍ମାଣ କରାଯାଇଛି ଏବଂ ଜିମିଡିପେଟା, ଲାଡା, ସିଙ୍ଗରମ ଷ୍ଟେସନକୁ ଦିବ୍ୟାଙ୍ଗଜନ ସହାୟକ ଷ୍ଟେସନରେ ପରିଣତ କରାଯାଇଛି। ଅମୃତ ଭାରତ ଷ୍ଟେସନ ସ୍କିମ ଅଧୀନରେ କୋରାପୁଟ, ଜୟପୁର, ଆରକୁ, ଜଗଦଳପୁର ଓ ଦIମନଯୋଡି ଷ୍ଟେସନରେ ଲିଫ୍ଟ କାର୍ଯ୍ୟ ଚାଲୁ ରହିଛି।

କର୍ମଚାରୀ କଲ୍ୟାଣକୁ ପ୍ରାଥମିକତା ଦିଆଯାଇ ଆରଆରବି dwara 35ଟି ନିଯୁକ୍ତି, 85 ଜଣଙ୍କ ମାଲ୍ ବାହି ଲୋକୋ ପାଇଲଟ ପଦକୁ ପଦୋନ୍ନତି, କର୍ମଚାରୀ ମାମଲାର ସମାଧାନ ସହ ଯୋଗ ଦିବସ, ସାଂସ୍କୃତିକ ପ୍ରତିଯୋଗିତା ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ରେଲୱେ ବୋର୍ଡ ରାୟଗଡ଼ାରେ ₹22.5 କୋଟି ବ୍ୟୟରେ ମଣ୍ଡଳ ରେଳବାଇ ଚିକିତ୍ସାଳୟ ନିର୍ମାଣକୁ ଅନୁମୋଦନ କରିଛି। ରାୟଗଡ଼ା ମେଡିକାଲ ୟୁନିଟର ଲାବୋରେଟୋରୀ 17 ଅଗଷ୍ଟ 2026ରୁ କାର୍ଯ୍ୟକ୍ଷମ ହେବାକୁ ଥିବାବେଳେ 24×7 ଆମ୍ବୁଲାନ୍ସ ସୁବିଧା ଓ ବେସରକାରୀ ହସ୍ପିଟାଲ/ଡାୟାଗ୍ନୋଷ୍ଟିକ୍ ସେଣ୍ଟର ସହ ଚୁକ୍ତି ପ୍ରକ୍ରିୟାଧୀନ ରହିଛି। 40ଟି ଷ୍ଟାଫ୍ କ୍ୱାର୍ଟର ନିର୍ମାଣ ଚାଲିଥିବାବେଳେ ଆଉ 112ଟି କ୍ୱାର୍ଟର ପାଇଁ ଟେଣ୍ଡର ପ୍ରକ୍ରିୟା ଚାଲିଛି।

ଶ୍ରୀ ସିଂହଲ ରେଳ କର୍ମଚାରୀମାନଙ୍କ ଦଳଗତ କାର୍ଯ୍ୟ, ନିଷ୍ଠା ଓ ନିରନ୍ତର ପରିଶ୍ରମକୁ ପ୍ରଶଂସା କରିଥିଲେ। ସେ ସ୍ୱୀକୃତିପ୍ରାପ୍ତ ଟ୍ରେଡ୍ ୟୁନିଅନ୍, ଆସୋସିଏସନ୍, ବିଭିନ୍ନ ସଂଗଠନ, ରାୟଗଡ଼ାର ନାଗରିକ ଏବଂ ପ୍ରେସ୍ ଓ ମିଡିଆକୁ ନିରନ୍ତର ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ। ପରେ ଶ୍ରୀ ଅମିତାଭ ସିଂହଲ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋର) ରାୟଗଡ଼ା ମଣ୍ଡଳର ସଭାପତି ଶ୍ରୀମତୀ ସିମ୍ପଲ ସିଂହଲ ଏବଂ ଅନ୍ୟାନ୍ୟ ଶାଖା ଅଧିକାରୀଙ୍କ ସହ ରେଳବାଇ ହସ୍ପିଟାଲର ଲାବୋରେଟୋରୀ ଉଦ୍ଘାଟନ କରିଥିଲେ।

ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଅମିତାଭ ସିଂହଲ ଆଶା ପ୍ରକାଶ କରିଥିଲେ ଯେ ସମସ୍ତ ଅଂଶୀଦାରଙ୍କ ସକ୍ରିୟ ଅଂଶଗ୍ରହଣରେ ରାୟଗଡ଼ା ମଣ୍ଡଳ ନୂତନ ଉଚ୍ଚତା ହାସଲ କରିବ ଏବଂ ଭାରତୀୟ ରେଳ ଓ ଦେଶର ପ୍ରଗତିରେ ଉଲ୍ଲେଖନୀୟ ଅବଦାନ ରଖିବ। ସେ କହିଥିଲେ ଯେ ନିଷ୍ଠା, ଅଧ୍ୟବସାୟ ଓ ଦୃଢ଼ ସଂକଳ୍ପ (Dedication, Diligence and Determination) ଥିଲେ ଯେକୌଣସି ଲକ୍ଷ୍ୟ ହାସଲ କରାଯାଇପାରିବ। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ରେଳବାଇ ସୁରକ୍ଷା ବଳ ଯବାନ ମାନଙ୍କ ଦ୍ୱାରା ଦୁଃସାହସିକ ବୁଲେଟ ସୋ ପ୍ରଦର୍ଶନ କରାଯାଇ ଏହି କାର୍ଯ୍ୟକ୍ରମକୁ ସମାପନ କରାଯାଇଥିଲା।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଓଡ଼ିଶା କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ରାଉରକେଲା ଗ୍ରସ୍ତ

masiha

ଦିଲ୍ଲୀ ସ୍ଥିତ ଆଇ ଆଇ ଏମ ସି ବ୍ୟାଖ୍ୟାନମାଲାରେ ଡ଼. ଭବାନୀ ଶଙ୍କର ନିଆଲଙ୍କର ଉଦବୋଧନ

masiha

କୋକସରା ବ୍ଲକରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ସହାୟତା ରାଶି ବଣ୍ଟନ

masiha

Leave a Comment

error: Content is protected !!