୧୧ ଦଫା ଦାବିନେଇ ରାଜରାସ୍ତାରେ ଗର୍ଜିଲା ଭାରତୀୟ ମଜଦୁର ସଂଘ
ନବରଙ୍ଗପୁର :(୧୭|୮)(ରବି ନାରାୟଣ ମହାନ୍ତି)ଭାରତୀୟ ମଜଦୁର ସଂଘ (BMS) ର ରାଞ୍ଚି ଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତି (KKS) ନିଷ୍ପତି ଅନୁଯାୟୀ ସାରା ଭାରତର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଶ୍ରମିକ ହିତରେ ପ୍ରତିବାଦ ଦିବସ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଥିଲା । ଏହି ଅବସରରେ ନବରଙ୍ଗପୁର ଜିଲ୍ଲା ଭାରତୀୟ ମଜଦୁର ସଂଘ ସଂଲଗ୍ନ ସମସ୍ତ ସଂଗଠନ ଯଥା ଅଲ ଓଡିଶା ଅଙ୍ଗନବାଡି ଲେଡ଼ିଜ ୱାର୍କର ଆସୋସିଏସନ, ଓଡିଶା ରାଜ୍ୟ ଆଶା କର୍ମୀ ସଂଘ, ଅଲ ଓଡିଶା ହସ୍ପିଟାଲ କର୍ମଚାରୀ ସଂଘ, ମଙ୍ଗଳ ଟିମର ଶ୍ରମିକ ସଂଘ, ଓଡିଶା କୃଷି ଓ ଗ୍ରାମୀଣ ମଜଦୁର ସଂଘ, ବିଶ୍ୱକର୍ମା ମଜଦୁର ସଂଘ ତରଫରୁ ନବରଙ୍ଗପୁର ପଲିସ ପଡିଆ ଠାରୁ ଏକ ବିରାଟ ସଭାଯାତ୍ର ରେ ବାହାରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ପହଞ୍ଚି ବୀକ୍ଷଭ ପ୍ରଦର୍ଶନ କରାଯାଇଥିଲା ମାନ୍ୟବର ପ୍ରଧାନମନ୍ତ୍ରୀ ନିୟୁଦିଲ୍ଲୀ, ମାନ୍ୟବର ଶ୍ରମ ମନ୍ତ୍ରୀ ନିୟୁଦିଲ୍ଲୀ ମାନନୀୟା ଅର୍ଥ ମନ୍ତ୍ରୀ ନିୟୁଦିଲ୍ଲୀ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଭୁବନେଶ୍ୱର ଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ଙ୍କ ଜରିଆରେ ୧୧ ଦଫା ସମ୍ବିଳିତ ଦାବିପତ୍ର ପ୍ରଦାନ କରାଯାଇଛି l ପ୍ରତିବାଦର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦୀର୍ଘଦିନ ଧରି ଅପେକ୍ଷାରତ ଶ୍ରମିକ ସମସ୍ୟାଗୁଡିକର ସମାଧାନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଶ୍ରମିକ ମାନଙ୍କ ଲମ୍ବିତ ଦାବୀ ଗୁଡିକ ଉପରେ ତତ୍କାଳ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି l ଦାବିଗୁଡିକ ମଧ୍ୟରେ ଇ.ଏସ.ଆଇ.ସି (ESIC) ଦରମା ସୀମାକୁ ଟ ୨୧୦୦୦/- ରୁ ଟ୪୨,୦୦୦/- କୁ ବୃଦ୍ଧି କରିବା, ଇ.ପି.ଏଫ.(EPF) ନ୍ୟୁନତମ ପେନସନକୁ ଟ୧୦୦୦/- ରୁ ଟ୭,୫୦୦/- କୁ ବୃଦ୍ଧି କରିବା, EPF ଦରମା ସୀମାକୁ ଟ୩୦,୦୦୦/- କରିବା, ବୋନସ ଗଣନା ସୀମାକୁ ଟ୧୮,୦୦୦/- କରିବା, ବୋନସ ଯୋଗ୍ୟତା ସୀମାକୁ ଟ୪୨,୦୦୦/- କରିବା, ସ୍କିମ୍ ଶ୍ରମିକ (ଅଙ୍ଗନୱାଡି, ଆଶା ଇତ୍ୟାଦି)ମାନଙ୍କୁ ନିୟମିତ କରିବା , ମାନଦେୟ ବୃଦ୍ଧି, ଚୁକ୍ତିଭିତ୍ତିକ ଶ୍ରମିକଙ୍କୁ “ସମାନ କାମ କୁ ସମାନ ଦରମା” ସୁନିଶ୍ଚିତ କରିବା, ଶ୍ରମ ଆଇନରୁ ଶ୍ରମିକ ବିରୋଧୀ ଧାରାଗୁଡିକୁ ବିଲୋପ କରିବା, ବ୍ୟାଙ୍କ କର୍ମଚାରୀ ମାନଙ୍କ ପାଇଁ ପାଞ୍ଚ ଦିନିଆ କାର୍ଯ୍ୟ ସପ୍ତାହ ଲାଗୁକରିବା, ଗ୍ରାଚୁଇଟି ସୀମାକୁ ୪୦ଲକ୍ଷ କୁ ବୃଦ୍ଧି କରିବା, କେନ୍ଦ୍ରୀୟ ନ୍ୟୁନତମ ଦରମାକୁ ଟ୩୦,୦୦୦/- ପ୍ରତିମାସ ନିର୍ଦ୍ଧାରଣ କରିବା ଓ ଜୀବନ ବୀମା ନିଗମ ରେ କାର୍ଯ୍ୟରତ ଡେଭଲପମେଣ୍ଟ ଅଫିସର ମାନଙ୍କ ପାଇଁ ପୂର୍ଣ୍ଣ ଚାକିରି ସୁରକ୍ଷା ଦେବା ଆଦି ଅନ୍ତର୍ଭୁକ୍ତ ରହିଛି l କେନ୍ଦ୍ର ଓ ରାଜ୍ୟ ସରକାର ନିଦ୍ରା ଭଙ୍ଗ କରନ୍ତୁ ଓ ପ୍ରତିଶୃତି ମୁତାବକ ପୁରଣ କରିବାକୁ ପଦକ୍ଷେପ ନିଅନ୍ତୁ ନଚେତ ଆନ୍ଦୋଳନ କୁ ଜରଦାର କରାଯିବ ବୋଲି ଉପଦେଷ୍ଟା ଶ୍ରୀ ପରମେଶ୍ୱର ବିଷୋୟୀ କହିଥିଲେ l ସମସ୍ତ ସଂଗଠନ ତରଫରୁ ପ୍ରାୟ ପାଞ୍ଚ ହଜାର ରୁ ଉର୍ଦ୍ଧ କର୍ମକର୍ତ୍ତା ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ କୁ ଭାରତୀୟ ମଜଦୁର ସଂଘ ସମ୍ପାଦକ ବିଷ୍ଣୁ ପ୍ରସାଦ ବିଷୋୟୀ ପରିଚାଳନା କରିଥିବା ବେଳେ ବିଶ୍ଵକର୍ମା ମଜଦୁର ସଂଘ ଜିଲ୍ଲା ସମ୍ପାଦକ ଖଗେଶ୍ୱର ବିଷୋୟୀ ସହଯୋଗ କରିଥିଲେ l ଅଙ୍ଗନବାଡି ସଂଘ ଉପଦେଷ୍ଟା ଶ୍ରୀମତୀ ସବିତା ନାୟକ, ସନ୍ଦ୍ୟା ରାଣୀ ବିଶ୍ୱାଳ , ମମତା ବ୍ରହ୍ମା, ସଭାନେତ୍ରୀ ଶ୍ରୀମତୀ ଛବିଳ କୁମାରୀ ମାଝୀ ସମ୍ପାଦିକା ଉମା ନାୟକ ସଂଗଠନ ସମ୍ପାଦିକା ଭାଗ୍ୟବତୀ ଷଡ଼ଙ୍ଗୀ ଆଶା କର୍ମୀ ସଂଘ ଜିଲ୍ଲା ସମ୍ପାଦିକା ଗୀତାଞ୍ଜଳି ହରିଜନ ମଙ୍ଗଳ ଟିମର ଶ୍ରମିକ ସଂଘ ସମ୍ପାଦକ ପଞ୍ଚାନନ ଚୌଧୁରୀ, ହସ୍ପିଟାଲ କର୍ମଚାରୀ ସଂଘ ସଭାନେତ୍ରୀ ମରିୟମ ଗରଡ଼ା ସମେତ ଭାରତୀୟ ମଜଦୁର ସଂଘ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ l
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

