ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ମଣିମା

 ମଣିମା

 

ରାଗ (ବଙ୍ଗଳାଶ୍ରୀ )

ମଣିମା ମଣିମା ଡାକିଲି କେତେ ମୁଁ

     ଶୁଣୁନୁ କାହିଁକି ଜଗା

ବଡ ଦେଉଳରେ ହୋଇଲୁ କି କାଠ

      ଦେଉଛୁ କାହିଁକି ଦଗା,

କରନା ଦୁଃଖିତ ପ୍ରଭୂ କୃପାସିନ୍ଧୁ

      ମୋତେ ଆଉ ତୁ ନ ରଗା।୧

 

ଭାଇ ଭଉଣୀଙ୍କ ସହିତ ମନ୍ଦିରେ

    ଛପନ ପଉଟି ଖାଉ

ଚରଣ ନ ଥାଇ ସାରା ସଂସାରକୁ

      କେତେ ଶୀଘ୍ର ବୁଲିଯାଉ,

ନ ମାନିଲେ ବୋଲ କିଛି ନ ଶୁଣିଲେ

  ବାନ୍ଧି ଦେବି ଗଳେ ପଘା।୨

 

ଲୋକେ ଦେଖୁଥିଲା ବେଳେ ଆହେ ଜଗା

      ଦେଖୁ ତୁ ଚକା ନୟନେ

ଚଉଦ ଭୁବନ ନିମିଷକେ ଦେଖୁ

      ବର ଦେଉ ଦୀନ ଜନେ

ହଳଦୀ ପାଣିରେ ଗାଧଉ କାଳିଆ

     ଦୀନଭକ୍ତ କଳିଲଗା।୩

 

ତୋ ସିଂହ ଦୁଆରେ କେତେ ଜଗିବି ମୁଁ

      ହାତେ ଧରି ଭୋଗଥାଳି

କେତେବେଳେ ମୋତେ ଦେଖାଦେବୁ କହ

     କେତେବେଳେ ହେବପାଳି

କାଳିଆରେ ମୋର କଳାଠାକୁର ହେ

      ତୋ ସେବାରେ ମୋତେ ଲଗା।୪

 

ଦୁଃଖ ଦୁନିଆଁରେ ମୋ ଗୁହାରି ଶୁଣ

        ରତନ ବେଦି ଛାଡ଼ିଆ

ତୋ ଦୁଆରେ ଡାକେ ମୁଁ ଜଣେ ଓଡ଼ିଆ

       ଭାଷା ମୋ ମୋର ଓଡ଼ିଆ

ମଧୁରେ ମଧୁରେ ଡାକୁଛିରେ ଆଜି

     ଶୁଣ ଶୁଣ ଜଗାବଗା।୫

ଶ୍ରୀ ବିଦ୍ୟାଧର ମହାନ୍ତ

ତମ୍ବାହରା,କେନ୍ଦୁଝର

 

Related posts

ସଫଳ। ଦାସ ଙ୍କ କବିତା କିଛି ରହି ଯାଏ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ରଥଯାତ୍ରା

ମମତା ଶତପଥୀ ଙ୍କ କବିତା ମୁଁ ଆଜିକା ସୁନ୍ଦରୀଝିଅ

Sunil Chandra Nayak

Leave a Comment

error: Content is protected !!