ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀମଦ୍ ଭଗବତ୍ ଗୀତ।ର ଦଶମ ଅଧ୍ଯାୟର ସାରକଥା–୧୦

ଶ୍ରୀମଦ୍ ଭଗବତ୍ ଗୀତ।ର ଦଶମ ଅଧ୍ଯାୟର ସାରକଥା–୧୦

      ଭଗବାନ ଶ୍ରୀକୃଷ୍ଣ କହିଲେ–ଦେବତାମାନେ ଓ ମହର୍ଷିମାନେ ମୋର ଉତ୍ପତ୍ତି ବିଷୟ ଜାଣନ୍ତି ନାହିଁ । ଦେବତାମାନେ,ମହର୍ଷିମାନେ ଓ ମନୁଗଣ-ଏମାନେ ସମସ୍ତେ ମୋ’ ପରେ ଓ ମୋ’ ଠାରୁ ସୃଷ୍ଟ । ଏମାନଙ୍କଠାରୁ ଏ ଜଗତର ସୃଷ୍ଟି ହୋଇଅଛି । ମୋର ଜନ୍ମ ନାହିଁ, ଆଦି ନାହିଁ, ଅନ୍ତ ବି ନାହିଁ । ମୋତେ ଯେଉଁ ବ୍ଯକ୍ତି ସର୍ବଲୋକମହେଶ୍ବର ବୋଲି ଜାଣନ୍ତି ସେ ସମସ୍ତ ପାପରୁ ମୁକ୍ତ ହୁଅନ୍ତି । ବୁଦ୍ଧି, ଜ୍ଞାନ, କ୍ଷମା,    ଅ ସଂମୋହ,ସତ୍ଯ, ଦମ, ଶମ, ସୁଖ, ଦୁଃଖ ଭବ,ଅଭାବ,ଭୟ,ଅଭୟ,ଅହିଂସା,ସମତା,ତୁଷ୍ଟି,ତପ,ଦାନ,ଯଶ,ଅଯଶ-ଏ କୋଡିଏଟି ଭାବ ଜୀବମାନଙ୍କଠାରେ ଅଲଗା ଅଲଗା ଦେଖାଯାଇଥିଲେ ହେଁ ଏ ସବୁ ମୋଠାରୁ ସୃଷ୍ଟ । ମୋର ବିଭୂତି (ଐଶ୍ଵର୍ଯ୍ଯ) ଓ ଯୋଗ (କର୍ମକୌଶଳ) ଯେ ଯଥାର୍ଥ ଭାବରେ ଜାଣନ୍ତି,ସେ ପ୍ରକୃତରେ ମୋତେ ଜାଣିପାରନ୍ତି । ମୁଁ ସମସ୍ତ ଜଗତର ଉତ୍ପତ୍ତିର କାରଣ ଓ ମୋଠାରୁ ସବୁ ଉତ୍ପତ୍ତି ହୋଇଅଛି ଏହା ଜାଣି ଜ୍ଞାନୀମାନେ ମୋତେ ଉପାସନା କରନ୍ତି,ମୋ ବିଷୟରେ ପରସ୍ପର ମଧ୍ଯରେ ଆଲୋଚନା କରନ୍ତି । ମୋଠାରେ ସର୍ବଦା ଆସକ୍ତ ଚିତ୍ତ ବ୍ଯକ୍ତିମାନେ ପ୍ରୀତିପୂର୍ବକ ମୋତେ ଭଜନ କରୁଥିବାରୁ ମୁଁ ସେମାନଙ୍କୁ ସଦବୁଦ୍ଧି ଦିଏ ଯାହା ଫଳରେ ସେମାନେ ମୁକ୍ତିଲାଭ କରନ୍ତି ।

     ଅର୍ଜୁନ କହିଲେ-ଆପଣ ପରମ ବ୍ରହ୍ମ, ପରମ ଧାମ,ପରମ ପବିତ୍ର ଦିବ୍ଯ ଶାଶ୍ବତ ପୁରୁଷ, ଆଦିଦେବ,ଅଜ ବିଭୂ ଇତ୍ଯାଦି-ଏକଥା ନାରଦ,ଅସିତ,ଦେବଳ,ବ୍ଯାସ ପ୍ରଭୃତି ସବୁ ଋଷିମାନେ କହିଛନ୍ତି ଏବଂ ଆପଣ ନିଜେ ମଧ୍ଯ କହିଛନ୍ତି । ଆପଣଙ୍କ ବ୍ଯକ୍ତରୂପକୁ ଦେବତାମାନେ ଓ ଅସୁରମାନେ ମଧ୍ଯ ଜାଣିପାରୁ ନାହାନ୍ତି । ଆପଣଙ୍କ ଅମୃତୋପମ କଥା ଯେତେ ଶୁଣିଲେ ବି ମୋ ମନ ତୃପ୍ତ ହେଉନାହିଁ । କେଉଁ କେଉଁ ଭାବରେ ମୁଁ ଆପଣଙ୍କୁ ଚିନ୍ତା କରିବି ସେହି ଦିବ୍ଯ ବିଭୂତି ବିସ୍ତୃତ ଭାବରେ ମୋତେ ପୁନର୍ବାର କୁହନ୍ତୁ ।

     ଶ୍ରୀଭଗବାନ କହିଲେ–ଆଚ୍ଛା ହେଉ,କହୁଛି ଶୁଣ । ମୁଁ ସମସ୍ତ ଜୀବମାନଙ୍କ ହୃଦୟରେ ଆତ୍ମା ଏବଂ ସମସ୍ତ ଜୀବଙ୍କର ଆଦି,ମଧ୍ଯ ଓ ଅନ୍ତ ବି । ମୁଁ ଆଦିତ୍ଯମାନଙ୍କ ମଧ୍ଯରେ ବିଷ୍ଣୁ, ଜ୍ଯୋତିମାନଙ୍କ ମଧ୍ଯରେ ସୂର୍ଯ୍ୟ (ରବି), ବାୟୁମାନଙ୍କ ମଧ୍ଯରେ ମରୀଚ,ନକ୍ଷତ୍ରମାନଙ୍କ ମଧ୍ଯରେ ଶଶୀ,ବେଦମାନଙ୍କ ମଧ୍ଯରେ ସାମବେଦ,ଦେବତାମାନଙ୍କ ମଧ୍ଯରେ ଇନ୍ଦ୍ର,ଇନ୍ଦ୍ରିୟମାନଙ୍କ ମଧ୍ଯରେ ମନ,ଜୀବମାନଙ୍କ ମଧ୍ଯରେ ଚେତନା,ରୁଦ୍ରମାନଙ୍କ ମଧ୍ଯରେ ଶଙ୍କର,ପୁରୋଧାମାନଙ୍କ ମଧ୍ଯରେ ବୃହସ୍ପତି, ସରସିମାନଙ୍କ ମଧ୍ଯରେ ସାଗର,ମହର୍ଷିମାନଙ୍କ ମଧ୍ଯରେ ଭୃଗୁ,ଦେବର୍ଷିମାନଙ୍କ ମଧ୍ଯରେ ନାରଦ,ସିଦ୍ଧମାନଙ୍କ ମଧ୍ଯରେ କପିଳ,ମୁନିମାନଙ୍କ ମଧ୍ଯରେ ବ୍ଯାସ,ବୃଷ୍ଣିମାନଙ୍କ ମଧ୍ଯରେ ବସୁଦେବଙ୍କ ପୁତ୍ର ବାସୁଦେବ,ପାଣ୍ଡବମାନଙ୍କ ମଧ୍ଯରେ ଅର୍ଜୁନ, ପଦମାନଙ୍କ ମଧ୍ଯରେ ‘ଓଁ’ କାର,ଅକ୍ଷରମାନଙ୍କ ମଧ୍ଯରେ ‘ ଅ ‘,ବିଦ୍ଯାମାନଙ୍କ ମଧ୍ଯରେ ଅଧ୍ଯାତ୍ମ (ବ୍ରହ୍ମ) ବିଦ୍ଯା,ଯଜ୍ଞମାନଙ୍କ ମଧ୍ଯରେ ଜପଯଜ୍ଞ,ସଂଯମକାରୀମାନଙ୍କ ମଧ୍ଯରେ ଯମ,ସର୍ବସଂହର୍ତ୍ତା ମୃତ୍ଯୁ ମଧ୍ଯ । ସମସ୍ତ ଜୀବମାନଙ୍କର ମୁଁ ମୂଳକାରଣ ଅଟେ । ସମସ୍ତ ଜୀବ ବା ବସ୍ତୁ ମୋଠାରୁ ଉତ୍ପନ୍ନ ବା ମୋଠାରେ ଅବସ୍ଥିତ । ମୋ ବିଭୂତିର ବର୍ଣ୍ଣନା କରୁଥିଲେ ସରିବ ନାହିଁ । ଐଶ୍ବର୍ଯ୍ଯଯୁକ୍ତ , ଶ୍ରୀଯୁକ୍ତ ବା ପ୍ରଭାବ ସମ୍ପନ୍ନ ଯେଉଁ ଯେଉଁ ଜୀବ ବା ପଦାର୍ଥ ଦେଖୁଛ ସେସବୁ ମୋ ଅଂଶରୁ ସଂଭୂତ ବୋଲି ବୁଝ । ତୁମର ମୋ ବିଭୂତି ବିଷୟରେ ଏତେ ଅଧିକ ଜାଣିବାରେ କି ପ୍ରୟୋଜନ ? ଏ ସମଗ୍ର ଜଗତ ମୋର ଏକ ଅଂଶରେ ଅବସ୍ଥିତ ବୋଲି ଜାଣ ।

   ଏ ଅଧ୍ଯାୟରେ ଭଗବାନଙ୍କ ବିଭୂତି (ଐଶ୍ଵର୍ଯ୍ଯ) ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଥିବାରୁ ଏ ଅଧ୍ଯାୟର ନାମ ବିଭୂତିଯୋଗ ରଖାଯାଇଅଛି ।

 

ସଂଗ୍ରାହକ– କବିକମଳ ନରେନ୍ଦ୍ର ପ୍ରସାଦ ବେହେରା,

ସମ୍ପାଦକ – ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ବର, 

Related posts

ସାମୁହିକ ଭାବରେ ଚାରିଜଣ ବରିଷ୍ଠ ଶିକ୍ଷକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ 

ତୃପ୍ତି ରାଣୀ ପାତ୍ର ଙ୍କ କବିତା ଚାଲିଗଲ ଛାଡି……..

ରୁକେୟା ଜବିନ ଙ୍କ କବିତା ଏଇ ତ ଜୀବନ

Sunil Chandra Nayak

Leave a Comment

error: Content is protected !!