ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ବାଡ଼ି ଉପାଖ୍ୟାନ

   ବାଡ଼ି ଉପାଖ୍ୟାନ

        ଅପର୍ତ୍ତି ସେଠୀ

          (ରମ୍ୟ ରଚନା) 
କି ବର୍ଣ୍ଣିବି ଭାଇ ବାଡି ଉପାଖ୍ୟାନ
        ଭାବିଲେ ଲାଗୁଛି ଡର,
ବାରମ୍ବାର ମନେ ପଡେ ଘରଣୀର
        ବେଲଣା‌ ବାଡ଼ିର ମାଡ଼।
ବାଡି ପଡା‌ ବୋଲି ନିତି ସହେ ଗାଳି
         ବିଦାରି ହୁଏ ମୋ ହୃଦ,
ଛାତିରେ ଛନକା ପଶିଯାଏ ଯେବେ
         କାନେ ବାଜେ ବାଡ଼ି ଶବ୍ଦ।
ଚାଟଶାଳୀ ପାଠ ବୋଉର ଆକଟ
         ଅଝଟିଆ ପିଲାବେଳ,
ମନେ ପଡିଯାଏ ଆଜି ଗୁରୁଜୀଙ୍କ 
         ସେହି ବେତ ବାଡ଼ି ମାଡ଼।
ଆଜିମୁଁଭାବୁଛି ସେ ମାଡ଼ରେ କେତେ
          ଆଶୀର୍ବାଦ ରହିଥିଲା,
ମୋ ଭଳି ଅଖାଡୁ ସାବାଡ‌ ହୋଇକି
          ବାଟକୁ ତ ଆସିଗଲା।
ଆଜି କିନ୍ତୁ ବେତ ବାଡ଼ି ଧରିବାକୁ
          ଗୁରୁଜୀଙ୍କୁ କଟକଣା,
ବାଡ଼ି ହଲେଇଲେ ମାଷ୍ଟର ମାନଙ୍କ
          ଚାକିରୀ ଯାଉଛି ସିନା।
ଶିଶୁରୁ ଯେବେ ମୁଁ କିଶୋର ହୋଇଲି
           ବାଡ଼ି ବି ଯୁବକ ହେଲା,
ନିଜଗୋଡ଼ରେ ମୁଁ ଠିଆହେଲି ଯେବେ
           ବାଡ଼ି ବି ବଦଳିଗଲା।
ବାଡ଼ି ଆଜି ଠେଙ୍ଗା ସ୍ଵରୂପକୁ‌ ନେଇ
          ଅନେକ କାମ କରୁଛି,
ଅଖାଡୁ ମାନଙ୍କ ପିଠିରେ ସେ ତାର
          କରାମତି ଦେଖାଉଛି।
ଗାନ୍ଧୀ ବୁଢାଙ୍କର ହାତରେ ବାଡିଟି
          ଆଜି ବି ଶୋଭା ପାଉଛି,
ସେହି ବାଡ଼ି ପୁଣି ଏଦେଶ କାହାଣୀ
          କାନେ କାନେ ଶୁଣ‌ଉଛି।
ବଙ୍କୁଲୀ ବାଡି ସେ ଅଜାଙ୍କ ହାତରେ
          କେବେ ସେ ପୁଲିସି ଲାଠି,
କେବେ ଅନ୍ଧ ଖଞ୍ଜ ଜନ ପାଇଁ ବାଡ଼ି
          ସାଜୁଛି ଆଖିର ଜ୍ୟୋତି।
ବାଡ଼ି ଉପାଖ୍ୟାନ ମୂଲ୍ୟବାନ ଜାଣ
          ଧନ୍ୟ ତାର କରାମତି,
ଅବାଟରୁ‌ ବାଟେ ନିଏ ବାଳୁଙ୍ଗାଙ୍କୁ
          ଦେଇ ସେମାନଙ୍କୁ ଶାସ୍ତି।
ଅଝଟିଆ କାହ୍ନୁ ଯଶୋଦା ମାଆର
          ବାଡ଼ି ମାଡ଼ ଖାଉଥିଲା,
ସେ ମାଡ଼ରେ କେଉଁ ଭାବ ରହିଥିଲା
          ସେହି ଏକା ଜାଣିଥିଲା।
କେଳାଟିର ବାଡ଼ି ମାଡ଼ର ଭୟରେ‌
          ମାଙ୍କଡଟି ନାଚ କରେ,
ବାଡ଼ିଟି ସର୍ବଦା ଯମଦଣ୍ଡ ଫାଶ‌
          ବାଡ଼ିଟିକୁ‌ ପାପୀ ଡରେ।
ପାଞ୍ଚଣ‌ ବାଡ଼ିର ଦୁଇ ପାହାରରେ‌
          ବଳଦ ବୁଲାଏ‌ ହଳ,
ନାହିଁ ବାଡ଼ି ଯଦି ଏ ସମାଜ ଆଜି
          ହୋଇଯିବ ଗଡବଡ।
ବାଡ଼ିଟି ଅଟ‌ଇ ଶାସନ ଅଙ୍କୁଶ
          ସିଏ ଆମ ସମ୍ବିଧାନ,
ଭୁଲ୍ କଲେ ଶାସ୍ତି ଆଇନ୍ ଦଣ୍ଡୁଛି
         ବାଡ଼ି ମାଡ଼ ଇଏ ଜାଣ।
ଦେଖି ଦେଲେ ବାଡ଼ି ସିଧାହୁଏ‌ ଧାଡ଼ି
         ବାଡ଼ି ପଥ ନିର୍ଦ୍ଦେଶକ,
ଷ୍ଟିଅରିଙ୍ଗ୍ ବାଡ଼ି ତା’ବିହୁନେ ଗାଡି
         ପହଞ୍ଚେ କି ଲକ୍ଷ୍ୟ ପଥ?
ସାଧୁଟିର ବାଡ଼ି ଅଟନ୍ତି ଶ୍ରୀହରି
        ଲେଖନୀ କବିର ବାଡ଼ି,
ସମାଜକୁ ବାଡ଼ି ମହନୀୟ ବାର୍ତ୍ତା
         କିଏ ହେବ ତା’ପରି? 
ଏ ଦେହ ରଥର ସାରଥୀଟି ବାଡ଼ି
        ବୁଦ୍ଧି ଜ୍ଞାନ ସ୍ଵରୂପରେ, 
ମଣିଷକୁ ବାଟ ଦେଖାଉ ଅଛି ସେ
       ଦୁଃଖ ସୁଖ ସଂସାରରେ।
ମିଛ ଯଦି ହୁଏ ଏହି ଦୁନିଆଁଟି
        ବାଡ଼ିଟି ହେଉଛି ସତ,
ଏ ପାପ ପଙ୍କରୁ ଉଦ୍ଧାର କରିବ
        ହୋଇ ସିଏ ଜଗନ୍ନାଥ।
ସମୟର ଘୋଡା ଦ‌ଉଡୁଛି ପରା
        ମହାକାଳ‌ ଅଟେ ବାଡ଼ି,
ପାଇ ତା’ଇଙ୍ଗିତ ଏ ଜୀବନ ପଥ
         ଯାଏ ଅତିକ୍ରମ କରି।
ଦ‌ଇବ ଦ‌ଉଡି ଏ ମଣିଷ ଗାଈ
       ଯେଣେ ନେଉଛି ଅଡେଇ,
ତା’ ହାତର ବାଡ଼ି ଦିଏ ତ ସଜାଡ଼ି
        ପଥ ସଫା କରିଦେଇ।

ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡା

   

Related posts

ପଣ୍ଡୁଆ ଠାରେ ସମ୍ବିଧାନ ଦିବସ ପାଳିତ

Sunil Chandra Nayak

ବେଆଇନ ଧାନ ଚାଳାଣ, ୨ ଟ୍ରକ ଜବତ

ମିଳିତ ଶିକ୍ଷକ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଗୋଷ୍ଟି ଶିକ୍ଷାଧିକାରୀ ଙ୍କୁ ଦାବି ପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!