ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିନା ଅସ୍ତ୍ରୋପଚାରରେ ଆକାଶ ପେଟରୁ ବାହାରିଲା ଲୁହା କଣ୍ଟା ; ବିଧାୟକଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ

ବିନା ଅସ୍ତ୍ରୋପଚାରରେ ଆକାଶ ପେଟରୁ ବାହାରିଲା ଲୁହା କଣ୍ଟା ; ବିଧାୟକଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ 

ବେଲଗୁଣ୍ଠା, ୨୭/୦୮: ଦୀର୍ଘ ଏକ ମାସ ଧରି ପେଟରେ ଲୁହା କଣ୍ଟା ରହି ଯନ୍ତ୍ରଣା ଭୋଗୁଥିବା ତିନି ବର୍ଷୀୟ ଶିଶୁ ଆକାଶ ଜେନାଙ୍କ ପେଟରୁ ଶେଷରେ ବିନା ଅସ୍ତ୍ରୋପଚାରରେ କଣ୍ଟାଟି ବାହାର କରାଯାଇଛି। ଭୁବନେଶ୍ୱର ଏମ୍ସରେ ଡାକ୍ତରୀ ଟିମ୍ ଆଧୁନିକ ପଦ୍ଧତିରେ ଚିକିତ୍ସା କରି ଏହି ସଫଳତା ହାସଲ କରିଛି। ବର୍ତ୍ତମାନ ଆକାଶ ସୁସ୍ଥ ଥିବାବେଳେ ତାଙ୍କୁ କୌଣସି ବିପଦ ନଥିବା ଜଣାପଡ଼ିଛି। ଆସନ୍ତାକାଲି ତାଙ୍କୁ ମେଡିକାଲରୁ ଡିସ୍ଚାର୍ଜ କରାଯିବ ବୋଲି ମେଡିକାଲ ପକ୍ଷରୁ କୁହାଯାଇଛି। ସୂଚନା ଅନୁଯାୟୀ, ବେଲଗୁଣ୍ଠା ବ୍ଲକ୍‌ ଆମ୍ବପୁଆ ପଞ୍ଚାୟତ ଅନ୍ତର୍ଗତ ଚଢ଼ିଆପଲ୍ଲୀ ଢେପସାହିର ତୋଫାନ ଜେନା ଓ ରିଙ୍କି ଜେନାଙ୍କ ତିନି ବର୍ଷୀୟ ପୁଅ ଆକାଶ ଗତ ଜୁଲାଇ ୩୦ ତାରିଖରେ ଖେଳୁଥିବା ସମୟରେ ପ୍ରାୟ ଦୁଇ ଇଞ୍ଚ ଲମ୍ବର ଏକ ଲୁହା କଣ୍ଟା ଗିଳି ଦେଇଥିଲେ। ପରେ ପେଟରେ ଯନ୍ତ୍ରଣା ହେବାରୁ ଘଟଣା ସମ୍ପର୍କରେ ପରିବାରକୁ ଜଣାଇଥିଲେ। ପ୍ରଥମେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ଓ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସା କରାଯାଇଥିଲା। ଏକ୍ସ-ରେରେ କଣ୍ଟାଟି ଅନ୍ତନାଳୀ ନିକଟରେ ରହିଥିବା ଜଣାପଡ଼ିଥିଲା। ଶିଶୁର ଆର୍ଥିକ ଦୁରବସ୍ଥା ଓ ଜଟିଳ ସ୍ଥିତି ସମ୍ପର୍କରେ ଜାଣି ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ସହଯୋଗର ହାତ ବଢ଼ାଇଥିଲେ। ବିଧାୟକଙ୍କ ତତ୍ତ୍ୱାବଧାନରେ ଆକାଶଙ୍କୁ ତାଙ୍କ ବାପା-ମାଆଙ୍କ ସହ ଏକ କାର୍‌ ଯୋଗେ ଭୁବନେଶ୍ୱର ଏମ୍ସକୁ ପଠାଯାଇଥିଲା। ଶିଶୁର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ। ଏମ୍ସରେ ଗୁରୁବାର ସକାଳ ପ୍ରାୟ ୧୦ଟା ସମୟରେ ଡାକ୍ତରୀ ଟିମ୍ ଆକାଶଙ୍କ ପରୀକ୍ଷାନିରୀକ୍ଷା କରିଥିଲେ। ଶରୀର ଭିତରକୁ କ୍ୟାମେରା ସଂଲଗ୍ନ ଏକ ଚିକିତ୍ସା ଯନ୍ତ୍ର ପ୍ରବେଶ କରାଇ ଚିକିତ୍ସକମାନେ କଣ୍ଟାଟିକୁ ଚିହ୍ନଟ କରିଥିଲେ। ପରେ ବିନା ଅସ୍ତ୍ରୋପଚାରରେ ପାଟି ପଟେ କଣ୍ଟାଟିକୁ ସଫଳତାର ସହ ବାହାର କରାଯାଇଥିଲା। ଏହି ସଫଳ ଚିକିତ୍ସା ପରେ ଆକାଶଙ୍କ ପରିବାର ଆଶ୍ୱସ୍ତ ହୋଇଥିବା ବେଳେ ବିଧାୟକ ନୀଳମଣି ବିଷୋୟୀଙ୍କ ସହଯୋଗ ଓ ପ୍ରଚେଷ୍ଟାକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି। ଆକାଶ ଶୀଘ୍ର ସୁସ୍ଥ ହୋଇ ନିଜ ଘରକୁ ଫେରୁଥିବାରୁ ଚଢ଼ିଆପଲ୍ଲୀ ଅଞ୍ଚଳରେ ମଧ୍ୟ ଖୁସିର ମାହୋଲ ସୃଷ୍ଟି ହୋଇଛି।

ପ୍ରିୟବ୍ରତ ପଣ୍ଡା ଙ୍କ ରିପୋର୍ଟ୍ 

Related posts

ବିଶ୍ଵ ଶାନ୍ତି ଷୋହଲ ପ୍ରହର ନାମ ଯଜ୍ଞ ଉଦଯାପିତ

Sunil Chandra Nayak

ମହାବିନାୟକ ପ୍ରକୃତି ପାରିଜାତ ଲୋକ ସାହିତ୍ୟ ସମ୍ମିଳନୀ

masiha

ଚିକିତ୍ସାଧିନ ଅବସ୍ଥାରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!