ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ବାଲ୍ୟ ବିବାହ ବିରୋଧୀ ‘ଜଷ୍ଟ ରାଇଟ୍ସ ଫର୍ ଚିଲଡ୍ରେନ’ ଅଭିଯାନକୁ ଜାତିସଂଘର ଐତିହାସିକ ସ୍ୱୀକୃତି , ୨- ବିଲୁପ୍ତ ପଥରେ ବଗ ପକ୍ଷୀ , ୩-ଢେଙ୍କାନାଳ ଶିଶୁମନ୍ଦିର ପ୍ରାଙ୍ଗଣରେ ଜନ୍ମାଷ୍ଟମୀ ଉତ୍ସବ , ୪- କେନାଲ ପାର୍ଶ୍ୱରେ ଫୁଲର ସମ୍ଭାର, ସହରକୁ ସୁନ୍ଦର କରିବାର ପ୍ରୟାସ , ୫- ୧ ଲକ୍ଷ ୩୨ ହଜାରରୁ ଊର୍ଦ୍ଧ୍ୱ ଚାଷୀ ସିଏମ୍‌-କିଷାନର ପଞ୍ଚମ କିସ୍ତି ପାଇଲେ , ୬-ଢେଙ୍କାନାଳ ସହରରେ ବୋମାମାଡ଼ ଘଟଣା ଜିଲ୍ଲା ବାହାରେ ଡେରା ପକାଇଛି ପୋଲିସ୍ 

ବାଲ୍ୟ ବିବାହ ବିରୋଧୀ ‘ଜଷ୍ଟ ରାଇଟ୍ସ ଫର୍ ଚିଲଡ୍ରେନ’ ଅଭିଯାନକୁ ଜାତିସଂଘର ଐତିହାସିକ ସ୍ୱୀକୃତି

ଢେଙ୍କାନାଳ- ଢେଙ୍କାନାଳ ଜିଲ୍ଲାରେ ବାଲ୍ୟ ବିବାହ ରୋକିବା ପାଇଁ ତୃଣମୂଳସ୍ତରରେ ସଚେତନତା ଓ ପ୍ରତିରୋଧମୂଳକ କାର୍ଯ୍ୟକ୍ରମ କରୁଥିବା ବିଶ୍ୱ ଯୁବ କେନ୍ଦ୍ର (VYK), ଜାତିସଂଘ ପକ୍ଷରୁ ନଭେମ୍ବର ୨୭କୁ ‘ଶିଶୁ, ପ୍ରାରମ୍ଭିକ ଓ ବାଧ୍ୟତାମୂଳକ ବିବାହ ଉଚ୍ଛେଦ ପାଇଁ ଆନ୍ତର୍ଜାତୀୟ ଦିବସ’ ଭାବେ ଘୋଷଣା କରାଯାଇଥିବା ଐତିହାସିକ ନିଷ୍ପତ୍ତିକୁ ସ୍ୱାଗତ କରିଛି।

ଏହି ଘୋଷଣା ଭାରତରେ ବାଲ୍ୟ ବିବାହ ବିରୋଧରେ ଚାଲିଥିବା ‘ଜଷ୍ଟ ରାଇଟ୍ସ ଫର୍ ଚିଲଡ୍ରେନ’ (JRC) ନେତୃତ୍ୱାଧୀନ ଅଭିଯାନ ଏବଂ ଏହା ସହ ଜଡ଼ିତ ସହଯୋଗୀ ସଂଗଠନଗୁଡ଼ିକର ଦୀର୍ଘଦିନର ପ୍ରୟାସକୁ ବିଶ୍ୱସ୍ତରରେ ମିଳିଥିବା ଏକ ବଡ଼ ସ୍ୱୀକୃତି ବୋଲି ବିଶ୍ୱ ଯୁବ କେନ୍ଦ୍ର କହିଛି।

ବିଶ୍ୱ ଯୁବ କେନ୍ଦ୍ର (VYK), ‘ଜଷ୍ଟ ରାଇଟ୍ସ ଫର୍ ଚିଲଡ୍ରେନ’ର ଏକ ସହଯୋଗୀ ସଂଗଠନ ଭାବେ ସମୁଦାୟ, ବିଦ୍ୟାଳୟ, ପଞ୍ଚାୟତ, ଅଭିଭାବକ ଓ ବିଭିନ୍ନ ହିତଧାରୀଙ୍କ ସହଯୋଗରେ ବାଲ୍ୟ ବିବାହ ରୋକିବା ପାଇଁ ନିରନ୍ତର କାର୍ଯ୍ୟ କରୁଛି।

ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଶିକ୍ଷକ ଦିବସ ଅବସରରେ ‘ବାଲ୍ୟ ବିବାହ ଉଚ୍ଛେଦରେ ଶିକ୍ଷକଙ୍କ ଭୂମିକା’ ବିଷୟରେ ଆୟୋଜିତ ପରାମର୍ଶ ସଭାରେ ବିଶ୍ୱ ଯୁବ କେନ୍ଦ୍ରର ନିର୍ଦ୍ଦେଶକ ମନୋଜ ମହାପାତ୍ର କହିଥିଲେ—

“ଭାରତରୁ ଉଠିଥିବା ଏହି ସ୍ୱର ଆଜି ବିଶ୍ୱସ୍ତରୀୟ ସଂକଳ୍ପରେ ପରିଣତ ହୋଇଛି। ବାଲ୍ୟ ବିବାହ ଉଚ୍ଛେଦ ପାଇଁ ଆମର ପ୍ରୟାସକୁ ବିଶ୍ୱସ୍ତରରେ ସ୍ୱୀକୃତି ମିଳିବା ଅତ୍ୟନ୍ତ ଗର୍ବର ବିଷୟ। ଭାରତ ପାଇଁ ମଧ୍ୟ ଏହା ଗର୍ବର ବିଷୟ ଯେ, ବାଲ୍ୟ ବିବାହ ଉଚ୍ଛେଦ ପାଇଁ ଜାତିସଂଘ ନଭେମ୍ବର ୨୭କୁ ଏକ ଆନ୍ତର୍ଜାତୀୟ ଦିବସ ଭାବେ ଚୟନ କରିଛି।”»

ସେ ଆହୁରି କହିଥିଲେ, “ଏହା କେବଳ ଉତ୍ସବ ପାଳନ କରି ଥମିଯିବାର ସମୟ ନୁହେଁ। ବରଂ ଏହି ବିଶ୍ୱସ୍ତରୀୟ ସଂକଳ୍ପକୁ ତୃଣମୂଳସ୍ତରରେ କାର୍ଯ୍ୟରେ ପରିଣତ କରିବା ହେଉଛି ଆମର ପ୍ରକୃତ ଚ୍ୟାଲେଞ୍ଜ। ଯେପର୍ଯ୍ୟନ୍ତ ଆମ ଜିଲ୍ଲାର କୌଣସି ଗାଁର ଜଣେ ଶିଶୁ ମଧ୍ୟ ବାଲ୍ୟ ବିବାହର ବିପଦରେ ରହିଛି, ସେପର୍ଯ୍ୟନ୍ତ ଆମର ଲଢ଼େଇ ଅସମ୍ପୂର୍ଣ୍ଣ ରହିବ।”

ସେ କହିଥିଲେ ଯେ କେବଳ ଆଇନ ଦ୍ୱାରା ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ରୋକାଯାଇପାରିବ ନାହିଁ। ଏଥିପାଇଁ ବିଦ୍ୟାଳୟ, ପଞ୍ଚାୟତ ଓ ଗ୍ରାମସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି କରିବା, ଲୋକମାନଙ୍କୁ ବାଲ୍ୟ ବିବାହ ବିରୋଧରେ ସଂକଳ୍ପ ନେବାକୁ ପ୍ରେରିତ କରିବା, ଆର୍ଥିକ ଭାବେ ଅସୁବିଧାରେ ଥିବା ପରିବାରଗୁଡ଼ିକୁ ସରକାରୀ ଯୋଜନା ଓ ସେବା ସହିତ ଯୋଡ଼ିବା ଏବଂ ସ୍କୁଲ ଛାଡ଼ିଥିବା ଶିଶୁମାନଙ୍କୁ ପୁନର୍ବାର ଶିକ୍ଷା ବ୍ୟବସ୍ଥା ସହିତ ଯୋଡ଼ିବା ଆବଶ୍ୟକ।

ଢେଙ୍କାନାଳ ଜିଲ୍ଲାରେ ବିଶ୍ୱ ଯୁବ କେନ୍ଦ୍ରର ହସ୍ତକ୍ଷେପ ମାଧ୍ୟମରେ ବାଲ୍ୟ ବିବାହ ରୋକାଯାଇଛି।

ବିଶ୍ୱସ୍ତରୀୟ ଅଭିଯାନରେ ଭାରତର ଭୂମିକା

‘ଜଷ୍ଟ ରାଇଟ୍ସ ଫର୍ ଚିଲଡ୍ରେନ’ର ପ୍ରତିଷ୍ଠାତା ଭୁବନ ରିଭୁ ବାଲ୍ୟ ବିବାହ ଉଚ୍ଛେଦ ପାଇଁ ଏକ ସ୍ୱତନ୍ତ୍ର ବିଶ୍ୱସ୍ତରୀୟ ଦିବସ ଘୋଷଣା କରିବା ପାଇଁ ଆନ୍ତର୍ଜାତୀୟ ଆହ୍ୱାନ ଆରମ୍ଭ କରିଥିଲେ।

ମାର୍ଚ୍ଚ ୨୦୨୬ରେ ଜାତିସଂଘରେ ତାଙ୍କ ଅଭିଭାଷଣ ସମୟରେ ସେ ପୁନର୍ବାର ଏକ ସ୍ୱତନ୍ତ୍ର ଆନ୍ତର୍ଜାତୀୟ ଦିବସ ଘୋଷଣା ପାଇଁ ଆହ୍ୱାନ କରିଥିଲେ। ପରବର୍ତ୍ତୀ ସମୟରେ ପ୍ରାୟ ୫୦ଟି ଦେଶର ସମର୍ଥନ ସହିତ ସିଏରା ଲିଓନ ଜାତିସଂଘ ସାଧାରଣ ସଭାରେ ନଭେମ୍ବର ୨୭କୁ ବାଲ୍ୟ ବିବାହ ଉଚ୍ଛେଦ ପାଇଁ ବିଶ୍ୱସ୍ତରୀୟ ଦିବସ ଭାବେ ଘୋଷଣା କରିବାକୁ ପ୍ରସ୍ତାବ ଆଣିଥିଲା। ସେପ୍ଟେମ୍ବର ୪ରେ ଜାତିସଂଘ ଏହି ପ୍ରସ୍ତାବକୁ ଅନୁମୋଦନ କରିଛି।

‘ବାଲ୍ୟ ବିବାହ ମୁକ୍ତ ବିଶ୍ୱ’ ଗଠନ ପାଇଁ ସଂକଳ୍ପ

‘ଜଷ୍ଟ ରାଇଟ୍ସ ଫର୍ ଚିଲଡ୍ରେନ’ର ‘ବାଲ୍ୟ ବିବାହ ମୁକ୍ତ ବିଶ୍ୱ’ ଅଭିଯାନ ଅଧୀନରେ ବାଲ୍ୟ ବିବାହ ବିରୋଧରେ ଏକ ବିଶ୍ୱସ୍ତରୀୟ ଆନ୍ଦୋଳନ ଗଢ଼ିବା ପାଇଁ କାର୍ଯ୍ୟ କରାଯାଉଛି।ଭାରତରେ ‘ଜଷ୍ଟ ରାଇଟ୍ସ ଫର୍ ଚିଲଡ୍ରେନ’ର ସହଯୋଗୀ ସଂଗଠନଗୁଡ଼ିକ ବିଭିନ୍ନ ରାଜ୍ୟ ଓ ୭୮୨ଟି ଜିଲ୍ଲାରେ ସରକାର ଓ ପ୍ରଶାସନ ସହିତ ମିଶି କାର୍ଯ୍ୟ କରୁଛନ୍ତି।

ଏହି ସାମୂହିକ ପ୍ରୟାସରେ ବିଦ୍ୟାଳୟ, ପଞ୍ଚାୟତ, ଆଦିବାସୀ ଓ ବଞ୍ଚିତ ସମୁଦାୟ, ମହିଳା, ପୁଲିସ କର୍ମଚାରୀ, ଧାର୍ମିକ ନେତା ଏବଂ ଜନପ୍ରତିନିଧିମାନଙ୍କୁ ସାମିଲ କରାଯାଇ ବାଲ୍ୟ ବିବାହ ରୋକିବା ପାଇଁ ସଚେତନତା ଓ ସମୁଦାୟଭିତ୍ତିକ ପଦକ୍ଷେପ ନିଆଯାଉଛି।

ଜଷ୍ଟ ରାଇଟ୍ସ ଫର୍ ଚିଲଡ୍ରେନ’ର ସୂଚନା ଅନୁଯାୟୀ, ଏହି ସାମୂହିକ ପ୍ରୟାସ ମାଧ୍ୟମରେ ଭାରତରେ ୫.୫ ଲକ୍ଷରୁ ଅଧିକ ବାଲ୍ୟ ବିବାହ ରୋକିବାରେ ସହାୟତା ମିଳିଛି ଏବଂ ଲକ୍ଷ ଲକ୍ଷ ଲୋକଙ୍କୁ ବାଲ୍ୟ ବିବାହ ବିରୋଧୀ ସଂକଳ୍ପ ନେବାରେ ସାମିଲ କରାଯାଇଛି।

ବାଲ୍ୟ ବିବାହ ବିରୋଧରେ ନିରନ୍ତର ସଚେତନତା, ସମୁଦାୟର ସକ୍ରିୟ ଭାଗୀଦାରି, ଶିକ୍ଷକଙ୍କ ସହଯୋଗ ଏବଂ ସରକାରୀ ଓ ପ୍ରଶାସନିକ ବ୍ୟବସ୍ଥା ସହିତ ସମନ୍ୱୟ ହିଁ ଏହି ସାମାଜିକ ପ୍ରଥାକୁ ସମ୍ପୂର୍ଣ୍ଣ ରୋକିବାର ମୁଖ୍ୟ ମାଧ୍ୟମ।

ଆସନ୍ତୁ, ଏକାଠି ସଂକଳ୍ପ ନେବା—

କୌଣସି ଶିଶୁର ବାଲ୍ୟ ବିବାହ ହେବ ନାହିଁ।
ପ୍ରତ୍ୟେକ ଶିଶୁ ଶିକ୍ଷା, ସୁରକ୍ଷା ଓ ନିଜ ସ୍ୱପ୍ନ ପୂରଣର ଅଧିକାର ପାଇବ।

ବିଲୁପ୍ତ ପଥରେ ବଗ ପକ୍ଷୀ 

ଢ଼େଙ୍କାନାଳ – ବର୍ଷା ଋତୁ ଆସିଲେ ଭାପୁର ଛଦେଶ ଅଞ୍ଚଳରେ ସବୁଜ ଧାନ କ୍ଷେତରେ ମନ ଖୋଲି ଉଡ଼ୁଥିବା ଦଳ ଦଳ ଧଳା ବଗ ପକ୍ଷୀ ଗ୍ରାମାଞ୍ଚଳ ପରିବେଶରେ ମନୋରମ ଦୃଶ୍ୟ ସୃଷ୍ଟି କରୁଥିଲା। ଦୂରରୁ ଦେଖିଲେ ମନେ ହେଉଥୁଲା ଯେମିତି କି ସବୁଜ କ୍ଷେତ ଉପରେ ଧଳା ଚାଦର ବିଛାଇ ଦିଆ ଯାଇଛି। ହଳ ବଳଦ ହେଉ କି ଟ୍ରାକ୍ଟର କିମ୍ବା ପାଓ୍ବାର ଟିଲରରେ ଚାଷ ସମୟରେ ମାଟିରୁ ବାହାରୁ ଥିବା କାଟପଡଙ୍ଗ ଖାଇବାକୁ ବଗ ପକ୍ଷୀ ଦଳ ପଛେ ପଛେ ଖାଦ୍ୟ ଖୋଜି ବୁଲୁଥିଲେ। କିନ୍ତୁ ବଦଳୁ ଥିବା ପରିବେଶ ଓ ମାନବ ସମାଜର କାର୍ଯ୍ୟକଳାପ ଯୋଗୁଁ ଗ୍ରାମାଞ୍ଚଳରେ ସେହି ଦୃଶ୍ୟ ଧୀରେ ଧୀରେ ଇତିହାସ ପାଲଟିବାକୁ ବସିଲାଣି। ଭାପୁର ଗ୍ରାମର ଉପକଣ୍ଠରେ ପୂର୍ବଭଳି ଦଳ ଦଳ ବଗ ପକ୍ଷୀ ଆଉ ଦେଖିବାକୁ ମିଳୁ ନାହିଁ। ଯେଉଁ ଚାଷ କ୍ଷେତରେ ଶହ ଶହ ବଗ ପକ୍ଷୀ କାଟପତଙ୍ଗ ଖାଇବାକୁ ଦଳ ଦଳ ହୋଇ ଉଡୁଥିଲେ ଆଜି ସେଠାରେ କେବଳ କିଛି ହାତ ଗଣତି ବଗ ପକ୍ଷୀଙ୍କୁ ଦେଖିବାକୁ ମିଳୁଛି। ଏହି ପରିସ୍ଥିତି ପରିବେଶପ୍ରେମୀ ଓ ପ୍ରକୃତି ପ୍ରେମୀଙ୍କ ମଧ୍ୟରେ ଗଭୀର ଚିନ୍ତା ସୃଷ୍ଟି କରିଛି। ଗତ କିଛି ବର୍ଷ ହେବ କୃଷି କାର୍ଯ୍ୟରେ ଅତ୍ୟଧିକ ରାସାୟନିକ କାଟ ନାଶକ ବ୍ୟବହାର ବଗ ପକ୍ଷୀଙ୍କ ସଂଖ୍ୟା ହ୍ରାସର ଅନ୍ୟତମ ପ୍ରମୁଖ କାରଣ ବୋଲି ପରିବେଶବିତ୍ ମତ ଦିଅନ୍ତି। ବିଷାକ୍ତ କୀଟ ନାଶକ ପ୍ରୟୋଗ ଯୋଗୁଁ କୀଟପତଙ୍ଗ ଲୋପ ପାଇଛନ୍ତି। ଏହି କାରଣରୁ ବଗ ବଂଶ ବୃଦ୍ଧି ନିମନ୍ତେ ଖାଦ୍ୟର ବହୁଳ ଅଭାବ ହୋଇଛି। ଏହାବାଦ କିଛି ଶିକାରୀ ବଗ ପକ୍ଷୀଙ୍କୁ ବିଭିନ୍ନ ଉପାୟରେ ମାରି ସେମାନଙ୍କ ମାଂସକୁ ଖାଦ୍ୟ ରୂପେ ଗ୍ରହଣ କରୁଥିବା ବେଳେ ଗ୍ରାମାଞ୍ଚଳରେ ବଡ଼ ବଡ଼ ଗଛ କାଟି ଦିଆଯିବା ଫଳରେ ସେମାନଙ୍କ ବାସ ସ୍ଥଳୀ ମଧ୍ୟ ନଷ୍ଟ ହେଉଛି। ଏକ ସମୟରେ ଗ୍ରାମାଞ୍ଚଳରେ ବିରାଟ ବରଗଛ,ଓସ୍ତ ଗଛ,ତେନ୍ତୁଳି ଗଛ ସମେତ ଅନ୍ୟାନ୍ୟ ବଡ଼ ଗଛରେ ସନ୍ଧ୍ୟା ହେଲେ ପକ୍ଷୀ ରାତ୍ରି ଯାପନ କରୁଥିଲେ। ସେମାନଙ୍କ ରାବରେ ପରିବେଶ ପ୍ରାଣବନ୍ତ ହୋଇ ଉଠୁଥିଲା। ଆଜି ସେହି ଗଛ ଅନେକ ସ୍ଥାନରେ ନାହିଁ, ଆଉ ବଗ ପକ୍ଷୀଙ୍କ କଳରବ ପ୍ରାୟ ଶୁଣିବାକୁ ମିଳୁ ନାହିଁ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ବଗ ପକ୍ଷୀ କେବଳ ପ୍ରକୃତିର ସୌନ୍ଦର୍ଯ୍ୟର ପ୍ରତୀକ ନୁହେଁ,ବରଂ କୃଷକଙ୍କ ନିରବ ସହଯୋଗୀ। ଚାଷ କ୍ଷେତରୁ କ୍ଷତିକାରକ କାଟପତଙ୍ଗ ଖାଇ ସେମାନେ ପ୍ରାକୃତିକ ଉପାୟରେ ଫସଲର ସୁରକ୍ଷା କରିଥାନ୍ତି। ସେମାନଙ୍କ ସଂଖ୍ୟା ହ୍ରାସ ପରିବେଶ ଅସନ୍ତୁଳନର ଏକ ସତର୍କ ସଂକେତ । ରାସାୟନିକ କୀଟ ନାଶକର ଅତ୍ୟଧିକ ବ୍ୟବହାର ଉପରେ ନିୟନ୍ତ୍ରଣ,ଅବୈଧ ଶିକାର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ,ବଡ଼ ବଡ଼ ଗଛର ସଂରକ୍ଷଣ ଓ ବ୍ୟାପକ ବୃକ୍ଷ ରୋପଣ ସହିତ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରା ନଗଲେ ଆଗାମୀ ପିଢ଼ି କେବଳ ବହିର ପୃଷ୍ଠାରେ ଚାଷ ଜମିରେ ଧଳା ଚାଦର ବିଛାଇଥିବା କାହାଣୀ ପଢ଼ିବେ ସିନା ବାସ୍ତବରେ ବଗ ପକ୍ଷୀ ଆଉ ଦେଖିପାରିବେ ନାହିଁ।

ଢେଙ୍କାନାଳ ଶିଶୁମନ୍ଦିର ପ୍ରାଙ୍ଗଣରେ ଜନ୍ମାଷ୍ଟମୀ ଉତ୍ସବ 

 ଢେଙ୍କାନାଳ- ଢେଙ୍କାନାଳ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ସୁନ୍ଦରୀ ଖାଲ ବିଦ୍ୟାଳୟ ପରିସରରେ ଜନ୍ମାଷ୍ଟମୀ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ମୁଖ୍ୟ ବକ୍ତା ଭାବେ ବିଦ୍ୟାଲୟର କୋଷାଧ୍ଯକ୍ଷ ଉମା ପ୍ରସାଦ ପଟ୍ଟନାୟକ ଯୋଗ ଦେଇ ଶିଶୁମାନଙ୍କୁ କାର୍ଯ୍ୟକ୍ରମର ମହତ୍ତ୍ବ ବିଷୟରେ ବୁଝାଇଥିଲେ। ସଭାପତି ବାବୁ ଚାନ୍ଦ ମହାଳିକଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଉତ୍ସବରେ ପ୍ରଧାନ ଆଚାର୍ଯ୍ୟ ନଗେନକୁ ଦାସ ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ଗଗନ ବିହାରୀ ନାୟକ ଶିଶୁମାନଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ। ଢେଙ୍କାନାଳ ଜିଲ୍ଲା ଟୋଲିର ସଦସ୍ୟ ତଥା ପୂର୍ବତନ ସମ୍ପାଦକ ବିଶ୍ବନାଥ ବେହେରା,ପୂର୍ବତନ ଆଚାର୍ଯ୍ୟା ପ୍ରତିଭା ଦାସ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗଦେଇ କୁନି କୁନି ଶିଶୁମାନଙ୍କୁ ଉତ୍ସାହ ପ୍ରଦାନ କରିଥିଲେ।ପାଖାପାଖୂ ୧୫୦ ଶିଶୁ କୃଷ୍ଣ ପରିବାର ବେଶରେ ସୁସଜ୍ଜିତ ହେବା ସହ ଦଧୂ ହାଣ୍ଡି ଭାଙ୍ଗିବା,ଦଳ ଗତ ନୃତ୍ୟ ଦ୍ବାରା ଶିଶୁମନ୍ଦିର ପ୍ରାଙ୍ଗଣର ଆଧ୍ୟାତ୍ମିକ ପରିବେଶ ସମସ୍ତ ଙ୍କୁ ଆକୃଷ୍ଟ କରିଥିଲା।ବିଭିନ୍ନ ପ୍ରତିଯଗିତା ମମ୍ୱନ ଅନୁଷ୍ଠିତ ହୋଇଥିଲା । ୫୫୭ ଜଣ ଶିଶୁ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। କୃଷ୍ଣବେଶଧାରୀ ଶିଶୁମାନଙ୍କୁ ଆଚାର୍ଯ୍ୟା ଓ ଅଭିଭାବକମାନଙ୍କ ଦ୍ବାରା ବନ୍ଦାପନା କରାଯାଇଥିଲା। ସ୍ତର ପ୍ରମୁଖ ଗାୟତ୍ରୀ ସାହୁ,ମଧୁସ୍ମିତା ମହାନ୍ତି,ପ୍ରିତିମୟୀ ଆଚାର୍ଯ୍ୟ,ସୁମିତା ପାଲ୍, ରଶ୍ମିବାଳା ଦାସ ଗୁରୁମାମାନଙ୍କ ସହିତ ପ୍ରଜ୍ଞା ତ୍ରିପାଠୀ ,ଆଚାର୍ଯ୍ୟ ଆଶିଷ ପାଲ,ଚିନ୍ତାମଣି ନାଥ,ପ୍ରଦୀପ ଦାଶ,ସରୋଜ ସତପଥୀ,ଭଗବାନ ଦାସ, ଆଦିଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା । ଇତି ଅବସରରେ ପ୍ରାଚୀର ପତ୍ରିକା ଉନ୍ମୋଚନ କରାଯାଇଥିଲା ।

କେନାଲ ପାର୍ଶ୍ୱରେ ଫୁଲର ସମ୍ଭାର, ସହରକୁ ସୁନ୍ଦର କରିବାର ପ୍ରୟାସ 

କାମାକ୍ଷାନଗର- ମେନ୍‌ରୋଡ୍‌ସ୍ଥିତ କେନାଲ ପାର୍ଶ୍ୱରେ ଆରମ୍ଭ ହୋଇଛି ବୃକ୍ଷରୋପଣ କାର୍ଯ୍ୟକ୍ରମ। ସହରକୁ ସବୁଜ ଓ ସୁନ୍ଦର କରିବା ସହ ପରିବେଶ ସୁରକ୍ଷା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି।

ମେନ୍‌ରୋଡ୍‌ର ସଭାପତି ସଞ୍ଜୟ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ଆୟୋଜିତ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ରାସବିହାରୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଛ ଲଗାଇଥିଲେ।

ବିଶେଷ କରି ଏଠାରେ ବିଭିନ୍ନ ପ୍ରକାରର ଫୁଲ ଗଛ ଲଗାଯାଇଛି। ଚମ୍ପା, ମନ୍ଦାର, କନିଅର, ଟଗର ଭଳି ଅନେକ ପ୍ରଜାତିର ଗଛ କେନାଲ ପାର୍ଶ୍ୱରେ ରୋପଣ କରାଯାଇଛି। ଗଛଗୁଡ଼ିକ ବଡ଼ ହେଲେ ଏହି ରାସ୍ତା ପାର୍ଶ୍ୱରେ ଫୁଲର ସୌନ୍ଦର୍ଯ୍ୟ ସହ ସୃଷ୍ଟି ହେବ ସବୁଜ ପରିବେଶ।

କାର୍ଯ୍ୟକ୍ରମରେ ରବିନାରାୟଣ ସାହୁ, ମଙ୍ଗତୁଲାଲ କଟାରୁକା, ସରୋଜକାନ୍ତ ବେହେରା, ଲୁଣକରଣ ମହତା, ପବିତ୍ର କୁମାର ରାଉତ, ଜ୍ୟୋତି ରଞ୍ଜନ ପଣ୍ଡାଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ।

ସହରର ସୌନ୍ଦର୍ଯ୍ୟ ବୃଦ୍ଧି ସହ ପରିବେଶକୁ ସବୁଜ ରଖିବା ପାଇଁ ଆଗାମୀ ଦିନରେ ମଧ୍ୟ ଏଭଳି ବୃକ୍ଷରୋପଣ ଜାରି ରଖିବାକୁ ଆୟୋଜକମାନେ ଗୁରୁତ୍ୱ ଦେଇଛନ୍ତି।

୧ ଲକ୍ଷ ୩୨ ହଜାରରୁ ଊର୍ଦ୍ଧ୍ୱ ଚାଷୀ ସିଏମ୍‌-କିଷାନର ପଞ୍ଚମ କିସ୍ତି ପାଇଲେ 

ଢେଙ୍କାନାଳ- ନୂଆଖାଇ ପୂର୍ବରୁ ତଥା ଜନ୍ମାଷ୍ଟମୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସିଏମ୍‌-କିଷାନ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କରିଛନ୍ତି। ଡିବିଟି ମାଧ୍ୟମରେ ରାଜ୍ୟର ୪୧ଲକ୍ଷରୁ ଅଧିକ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଖାତାକୁ ୮୩୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ପ୍ରଦାନ କରାଯାଇଛି। ଏହି ଅବସରରେ ଢେଙ୍କାନାଳ ପୁରୁଣା ଜିଲ୍ଲା ପରିଷଦ ସଭାଗୃହରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜିଲ୍ଲାର ୧,୩୨,୩୮୮ ଜଣ ଚାଷୀ ଏହି ପଞ୍ଚମ କିସ୍ତିରୁ ଉପକୃତ ହେବେ। କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ଅର୍ଚ୍ଚନା ପୁହାଣ, ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ରମେଶ ଚନ୍ଦ୍ର ସେଠୀ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦୀପ୍ତି ରଞ୍ଜନ ସେଠୀ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ହେମନ୍ତ କୁମାର ପାଢ଼ୀହାରୀ ଏବଂ କୃଷି ବିଜ୍ଞାନ କେନ୍ଦ୍ର, ମହିଷାପାଟର ବରିଷ୍ଠ ତଥା ମୁଖ୍ୟ ବୈଜ୍ଞାନିକ ଡ. ବିମଳେନ୍ଦୁ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ପୁହାଣ କହିଥିଲେ ଯେ, “ଚାଷୀ ସମୃଦ୍ଧ ହେଲେ ହିଁ ଆମେ ସମସ୍ତେ ସମୃଦ୍ଧ ହେବା। ଜିଲ୍ଲାପାଳ ଶ୍ରୀ ପାଟିଲ କହିଥିଲେ ଯେ, କୃଷି କ୍ଷେତ୍ରରେ ଢେଙ୍କାନାଳ ଏକ ଅଗ୍ରଣୀ ଜିଲ୍ଲା। ଜିଲ୍ଲାର କୃଷିଜାତ ଉତ୍ପାଦର ବିଶ୍ୱ ବଜାରରେ ପହଞ୍ଚିବାର ବିପୁଳ ସମ୍ଭାବନା ରହିଛି। ମୂଲ୍ୟଯୁକ୍ତ ଉତ୍ପାଦ, ପ୍ରକ୍ରିୟାକରଣ, ନୂତନ ପ୍ରଯୁକ୍ତିର ବ୍ୟବହାର ଓ ଚାଷୀଙ୍କ ଦକ୍ଷତା ବିକାଶ ମାଧ୍ୟମରେ ସରକାର ଏ ଦିଗରେ ପଦକ୍ଷେପ ନେଉଛନ୍ତି ବୋଲି ସେ କହିଥିଲେ। ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟର କୃଷି ଶିକ୍ଷା ସଦନରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ସିଧାପ୍ରସାରଣ ଜରିଆରେ ଉପସ୍ଥିତ ଅତିଥି ଓ ଚାଷୀମାନେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଶୁଣିଥିଲେ। ୨୦୨୬-୨୭ ରବି ଋତୁ ପୂର୍ବରୁ ଚାଷୀମାନଙ୍କୁ ବିହନ, ସାର ଓ କୀଟନାଶକ କ୍ରୟ ସହ କୃଷି ଓ ଆନୁଷଙ୍ଗିକ ଜୀବିକାରେ ସହାୟତା ଯୋଗାଇବା ଏହି ସହାୟତାର ମୁଖ୍ୟ ଉଦ୍ଦେଶ୍ୟ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଚାଷୀଙ୍କ ସମୃଦ୍ଧି ହିଁ ଓଡ଼ିଶାର ପ୍ରଗତିର ପ୍ରକୃତ ଆଧାର। ସିଏମ୍‌-କିଷାନ କେବଳ ଆର୍ଥିକ ସହାୟତା ନୁହେଁ, ବରଂ ଚାଷୀଙ୍କ ପରିଶ୍ରମ ପ୍ରତି ସମ୍ମାନ। କୃଷି ଉପକରଣ କ୍ରୟଠାରୁ ଆନୁଷଙ୍ଗିକ ଜୀବିକା ଏବଂ ଚାଷୀ ପରିବାରର ପିଲାମାନଙ୍କ ଗୁଣାତ୍ମକ ବୈଷୟିକ ଶିକ୍ଷା ପର୍ଯ୍ୟନ୍ତ ସରକାର ସହାୟତା ଯୋଗାଇ ଆସୁଛନ୍ତି ବୋଲି ସେ କହିଥିଲେ।

ଢେଙ୍କାନାଳ ସହରରେ ବୋମାମାଡ଼ ଘଟଣା ଜିଲ୍ଲା ବାହାରେ ଡେରା ପକାଇଛି ପୋଲିସ୍ 

ଢେଙ୍କାନାଳ – ଢେଙ୍କାନାଳ ସହର ଜଗନ୍ନାଥ ରୋଡ୍ ରଗଡ଼ି ସାହି ନିକଟରେ ଥିବା ଏକ ଦୋକାନ ଉପରକୁ ବୋମା ମାଡ଼ ଘଟଣାକୁ ତିନି ଦିନ ବିତିଥିଲେ ବି ପୋଲିସ୍ ଏପର୍ଯ୍ୟନ୍ତ କୌଣସି ଅଭିଯୁକ୍ତଙ୍କୁ ଗିରଫ କରିପାରିନାହିଁ। ବୋମା ମାଡ଼ କରି ଅଭିଯୁକ୍ତ ଜିଲ୍ଲା ପାର୍ ହୋଇଯାଇଥିବା ଜଣାଯାଇଛି। ବାରମ୍ବାର ଏପରି ଘଟଣାକୁ ନେଇ ପୁଲିସ୍ ବିରୋଧରେ ଜନଅସନ୍ତୋଷ ତେଜୁଥିବାରୁ ପୋଲିସ୍ ତତ୍ପର ହୋ ହୋଇଛି। ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ୍ ଢେଙ୍କାନାଳ ସହରରେ ସଧା ପୋଷାକରେ ପଇଁତରା ମାରିବା ସହ ସହ ଜିଲ୍ଲା ବାହାରେ ଡେରା ପକାଇଛି। ଜିଲ୍ଲା ବାହାକୁ ଏହାକୁ ଫେରାର୍ ହୋଇଯାଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣଙ୍କୁ ପୋଲିସ୍ କାବୁ କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣ ଜଣାଯାଇଛି। ତେବେ ଏହା ବୋମା ଫୁଟିଛି କି ବାଣ,ତାହା ପୋଲିସ୍ ଏପର୍ଯ୍ୟନ୍ତ ଜାଣି ପାରୁନାହିଁ। ମଙ୍ଗଳବାର ରାତିରେ ବୋମା ମାଡ଼ ଠାରୁ ସହରର ୨ ସାହି ମଧ୍ୟରେ ଉତ୍ତେଜନା ଲାଗି ରହିଛ। ଛକାପଞ୍ଚା ଚାଲିଥିବା ବେଳେ ଉଭୟ ସାହି ନିକଟରେ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି। ଏହି ଘଟଣାରେ ୩ଟି ମାମଲା ରୁଜୁ କରାଯାଇଥିବା ବେଳେ ପୋଲିସ୍ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରି ପାରିନାହିଁ। ଅଭିଯୋଗ ଅନୁସାରେ ୪ ଅଭିଯୁକ୍ତଙ୍କୁ କାବୁ କରିଥିବା ସୂଚନା। ବୋମା କି ବାଣ ; ଜାଣି ପାରୁନି ପୋଲିସ୍ ରଗଡ଼ିସାହି ନିକଟରେ ଜଣେ ମହିଳାଙ୍କ ଚୁଡ଼ି ଦୋକାନ ଉପରକୁ ରାତି ପ୍ରାୟ ୧୦ଟାରେ ବୋମା ମାଡ଼ ହୋଇଥିଲା। ତାଙ୍କ ଦୋକାନର ସଟର,କାଚ ଆଦି ଭାଙ୍ଗିଥିବା ସେ ଅଭିଯୋଗ କରିଛନ୍ତି। ସେହିଭଳି ସାଢ଼େ ୧୦ଟା ବେଳେ ଜଗନ୍ନାଥ ରୋଡ୍‌ର ଅନ୍ୟ ଏକ ସାହି ନିକଟରେ ଯାଉଥିବା ଜଣେ ବ୍ୟକ୍ତି ସହ ଆଉ ଏକ ସାହିର ଦୁଇ ଜଣ ଯୁବକ ଅଟକାଇ ପୁଅକୁ ଆୟତ୍ତରେ ରଖ ନହେଲେ ଉଭୟଙ୍କୁ ମାରିଦେବୁ ବୋଲି ଧମକ ଦେଇଥିଲେ। ଆକ୍ରମଣ କରି ସ୍ଫୁଟର୍‌ ଭାଙ୍ଗି ଦେଇଥିଲେ। ସ୍କୁଟର ଚାଳକଙ୍କୁ ଆକ୍ରମଣ ହୋଇଥିବା ଖବର ପାଇ ପିସିଆର୍ ଭ୍ୟାନ୍ ପହଞ୍ଚିବାରୁ ପୋଲିସ୍ କର୍ମଚାରୀଙ୍କୁ ଭକ୍ତ ସାହିର ୫୦ରୁ ୬୦ ଜଣ ଲୋକ ଘେରି ଗାଳିଗୁଲଜ କରିବା ଟେକା ଫିଙ୍ଗିଥିଲେ। ଏନେଇ ପୋଲିସ୍ ପକ୍ଷରୁ ମାମଳ ହୋଇଛି। ଏହି ମାମଲାରେ ଗତକାଲି ପୋଲିସ୍ ସାହିର ୨ ମହିଳାଙ୍କୁ ଉଠାଇ ଆଣିଥିବା ବେଳେ ସାହିବାସିନ୍ଦା ଥାନା ଘେରିବାରୁ ଅଟକ ମହିଳାଙ୍କୁ ପୋଲିସ୍ ଛାଡ଼ି ଦେଇଥିଲା। ୩ଟି ପୃଥକ ମାମଲାରେ ବି ପୋଲିସ୍ ଏ ଯାଏଁ କାହାରିକୁ ଗିରଫ କରିନପାରିବା ଆହୁରି ଅସଷେଷ ବଢ଼ାଉଛି। ଖୁବ୍ ଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଧରାଯିବ ବୋଲି ଥାନା ଅଧିକାରୀ ଧିରେନ୍ କୁମାର ବେହେରା କହିଛନ୍ତି। ପୋଲିସ୍ ଜିଲ୍ଲା ବାହାରୁ ୪ ଜଣଙ୍କୁ ଧରିଥିବା ବେଳେ ଅନ୍ୟମାନଙ୍କୁ ଧରିବାକୁ ଉଦ୍ୟମ ଚଳାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

Rotary club of Rourkela Vibrant organised an awareness programme

Sunil Chandra Nayak

୧୯୮୮ ବ୍ୟାଚ୍ ର ପୁରୁଣାସ୍ମୃତି କୁ ରୋମନ୍ଥନ 

masiha

ହିନ୍ଦୋଳକୁ 5T ସଚିବଙ୍କ ଆଗମନ ନେଇ ବିଜେଡିର ପ୍ରସ୍ତୁତି ବୈଠକ 

Leave a Comment

error: Content is protected !!