ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇଣ୍ଡିଆ ମେଣ୍ଟ ପକ୍ଷରୁ ଜଳେଶ୍ୱର ବଞ୍ଚାଅ ଆନ୍ଦୋଳନ ଆରମ୍ଭ  ୮ ଦଫା ଦାବି ନେଇ ଜଳେଶ୍ୱର ତହସିଲଦାର ଓ ବିଡିଓ ମାଧ୍ୟମରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ 

ଇଣ୍ଡିଆ ମେଣ୍ଟ ପକ୍ଷରୁ ଜଳେଶ୍ୱର ବଞ୍ଚାଅ ଆନ୍ଦୋଳନ ଆରମ୍ଭ 

୮ ଦଫା ଦାବି ନେଇ ଜଳେଶ୍ୱର ତହସିଲଦାର ଓ ବିଡିଓ ମାଧ୍ୟମରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ 
୧୫ ଦିନର କାର୍ଯ୍ୟାନୁଷ୍ଠାନ ନନେଲେ ବ୍ୟାପକ ଆନ୍ଦୋଳନର ଚେତାବନୀ 

 ଜଳେଶ୍ୱର,୧୧/୯(ମନିସ)-ଜଳେଶ୍ବର ବ୍ଲକ ଓ ସହରର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜଳେଶ୍ୱର ବଞ୍ଚାଅ ଆନ୍ଦୋଳନ ଆଜି ଆରମ୍ଭ ହୋଇଛି l ଇଣ୍ଡିଆ ମେଣ୍ଟ, ବିଶେଷକରି କଂଗ୍ରେସ ଓ ସିପିଏମ ପକ୍ଷରୁ ଆଜି ଜଳେଶ୍ୱର ତହସିଲଦାର ସତ୍ୟଜିତ ମହାନ୍ତି ଓ ବିଡିଓ ଗୌରାଙ୍ଗ ଚରଣ ଘୋଷଙ୍କ ଜରିଆରେ ବାଲେଶ୍ୱର ଜିଲ୍ଲାପାଳ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ଅନ୍ୟାନ୍ୟ ବିଭାଗୀୟ ମନ୍ତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଆଜି ୮ ଦଫା ଦାବି ସମ୍ବଳିତ ଏକ ଦାବି ପାତ୍ର ପ୍ରଦାନ କରାଯାଇଛି l 

ଜଳେଶ୍ୱର ଅଞ୍ଚଳରେ ଦୀର୍ଘଦିନ ଧରି ଜଳବନ୍ଦୀ ସମସ୍ୟା ଏକ ଗୁରୁତର ଜନଜୀବନ ଓ କୃଷି ସମସ୍ୟାରେ ପରିଣତ ହୋଇଛି। ପ୍ରତିବର୍ଷ ବର୍ଷା ଋତୁରେ ବିଶେଷକରି ପଶ୍ଚିମବଙ୍ଗ ପଟୁ ଆସୁଥିବା ବର୍ଷା ଓ ବନ୍ୟାଜଳ ଦୀର୍ଘ ସମୟ ଧରି ନିଷ୍କାସିତ ହୋଇନପାରିବା ଯୋଗୁଁ ଜଳେଶ୍ୱର ବ୍ଲକର ବହୁ ପଞ୍ଚାୟତର ଶହ ଶହ ଗ୍ରାମ ପ୍ରଭାବିତ ହେଉଛନ୍ତି। ସୁଗୋ, ନାମ୍ପୋ, ନେତୁଆ, ଖାଲିନା, ସଂପତିଆ, ଖୁଲୁଡ଼ା, ବର୍ତନା, ପଶ୍ଚିମବାଡ଼, ଝାଡ଼ପିମ୍ପଳ, ବାଇଗଣବାଡ଼ିଆ, ପାଇକସିଦା, କୁଟସାହି, ଆର୍.ଆର୍.ପୁର, ଗୋପୀମୋହନପୁର, ଆରୁହା ଆଦି ଅଞ୍ଚଳ ଏହାଦ୍ୱାରା ବାରମ୍ବାର କ୍ଷତିଗ୍ରସ୍ତ ହେଉଛି। ଜଳେଶ୍ୱର ପୌରାଞ୍ଚଳ ଏବଂ ଭୋଗରାଇ ବ୍ଲକର ମଧ୍ୟ ଅନେକ ଅଞ୍ଚଳ ଏହି ସମସ୍ୟାର ଶିକାର ହେଉଛନ୍ତି।ଚଳିତ ବର୍ଷର ବନ୍ୟା ଓ ଜଳବନ୍ଦୀ ପରିସ୍ଥିତି ଏହି ସମସ୍ୟାର ଭୟାବହତାକୁ ଆହୁରି ସ୍ପଷ୍ଟ କରିଦେଇଛି। ଜଳବନ୍ଦୀ ଯୋଗୁଁ ଜଳେଶ୍ୱର ଅଞ୍ଚଳର ହଜାର ହଜାର ଏକର ଧାନଚାଷ ଓ ପନିପରିବା ଫସଲ ନଷ୍ଟ ହୋଇଛି। ଅନେକ ଗ୍ରାମର କଚ୍ଚା ଘର ଜଳବନ୍ଦୀ ଓ ଅତ୍ୟଧିକ ବର୍ଷାରେ କ୍ଷତିଗ୍ରସ୍ତ ହୋଇଛି। ଏପରିକି ମାଟିର କାନ୍ଥ ଭୁଶୁଡ଼ି ପଡ଼ିବା ଫଳରେ ଦୁଇ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ହଜାର ହଜାର ପରିବାର ଏବେ ମଧ୍ୟ ଅସୁରକ୍ଷିତ ଓ ଦୁର୍ଦ୍ଦଶାପୂର୍ଣ୍ଣ ପରିସ୍ଥିତିରେ ରହୁଛନ୍ତି। ତେଣୁ ଏହାକୁ କେବଳ ଏକ ସାଧାରଣ ବର୍ଷାଜନିତ ସମସ୍ୟା ଭାବେ ନଦେଖି ଏକ ଗୁରୁତର ମାନବିକ ଓ କୃଷି ସଙ୍କଟ ଭାବେ ନେଇ ତୁରନ୍ତ ରିଲିଫ୍ ଓ ପୁନର୍ବାସମୂଳକ ପଦକ୍ଷେପ ନିଆଯିବା ପାଇଁ ଦାବି କରାଯାଇଛି l ବର୍ତ୍ତମାନ ଯେପରି ଛୋଟ ଛୋଟ ନାଳ ଖୋଳିବା, ସଫା କରିବା କିମ୍ବା ଅସ୍ଥାୟୀ ଭାବେ ଜଳ ନିଷ୍କାସନ କରିବାର ପଦକ୍ଷେପ ନିଆଯାଉଛି, ତାହା ଦ୍ୱାରା ଏହି ସମସ୍ୟାର ସ୍ଥାୟୀ ସମାଧାନ ସମ୍ଭବ ନୁହେଁ। ତେଣୁ ସମଗ୍ର ଜଳେଶ୍ୱର–ଭୋଗରାଇ ଅଞ୍ଚଳର ଭୌଗୋଳିକ ଓ ଜଳପ୍ରବାହ ପରିସ୍ଥିତିକୁ ଆଧାର କରି ଏକ ସମନ୍ୱିତ ଜଳ ନିଷ୍କାସନ ମାଷ୍ଟର ପ୍ଲାନ ପ୍ରସ୍ତୁତ କରି ଦୀର୍ଘମିଆଦୀ ଭିତ୍ତିରେ ଏହାର ସମାଧାନ କରିବା ଅତ୍ୟନ୍ତ ଆବଶ୍ୟକ ବୋଲି ଦାବି ପତ୍ରରେ କୁହା ଯାଇଛି ।ଏହା ସହିତ ଚଳିତ ବର୍ଷ ଜଳବନ୍ଦୀ ଓ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ଚାଷୀଙ୍କର ଫସଲ କ୍ଷୟକ୍ଷତିର ତୁରନ୍ତ ଆକଳନ କରାଯାଇ ଅବିଳମ୍ବେ ଯଥାଯଥ କ୍ଷତିପୂରଣ/ଇନ୍ ପୁଟ ସହାୟତା ପ୍ରଦାନ କରାଯାଉ ଓ କ୍ଷତିଗ୍ରସ୍ତ ଚାଷୀଙ୍କ କୃଷି ଋଣ ଛାଡ଼ କରିବା ପାଇଁ ଦାବି କରାଯାଇଛି l ଜଳବନ୍ଦୀ ଓ ବନ୍ୟା ଯୋଗୁଁ ଯେଉଁ କଚ୍ଚା ଘରଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି କିମ୍ବା ଯେଉଁ ପରିବାର ନିଜ ଘରେ ରହିବା ପାଇଁ ଅସମର୍ଥ, ସେମାନଙ୍କୁ ତୁରନ୍ତ ପଲିଥିନ୍ ସିଟ୍/ତାରପୋଲିନ୍ ଯୋଗାଇ ଅସ୍ଥାୟୀ ଆଶ୍ରୟର ବ୍ୟବସ୍ଥା କରାଯାଉ। ଏଥିସହିତ ଅତ୍ୟଧିକ କ୍ଷତିଗ୍ରସ୍ତ ଘରଗୁଡ଼ିକର ତୁରନ୍ତ ସର୍ଭେ କରି ନିୟମାନୁସାରେ ଘରଭଙ୍ଗା ସହାୟତା ଓ ପୁନର୍ବାସ ସହାୟତା ପ୍ରଦାନ କରାଯାଉ।ସୁବର୍ଣ୍ଣରେଖା ସଂସ୍କାର ଯୋଜନା କାର୍ଯ୍ୟକାରୀ କରିବା ସହିତ ଯେଉଁ ସ୍ଥାନରେ ନଦୀବନ୍ଧ ନାହିଁ ସେହି ସବୁ ସ୍ଥାନରେ ନଦୀ ବନ୍ଧ ନିର୍ମାଣ କରାଯାଉ l ସବୁ ଯୋଗ୍ୟ ହିତାଧିକାରୀ ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ପକ୍କା ଘର ଦିଆଯାଉ ଏବଂ ଭୂମିହୀନ ମାନଙ୍କୁ ପଟ୍ଟା ଦେବା ସହିତ ସେମାନଙ୍କୁ ମଧ୍ୟ ଘର ଦିଆ ଯାଉ l ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ମାନଙ୍କୁ ନିୟମିତ ଭାବରେ ଭତ୍ତା ପ୍ରଦାନ କରାଯିବା ସହିତ ପ୍ରତିଶ୍ରୁତି ମୁତାବକ ୩୦୦୦ ଟଙ୍କା ଭତ୍ତା ପ୍ରଦାନ କରାଯାଉ l

ଉପରୋକ୍ତ ଦାବି ଗୁଡିକୁ ନେଇ ଦାବିପତ୍ର ପ୍ରଦାନ ବେଳେ କଂଗ୍ରେସ ନେତା ସୁଦର୍ଶନ ଦାସ, ହେମନ୍ତ ଗିରି, ମଧୁସୂଦନ ଦାସ, ସୁଦାମ ପାତ୍ର, ଜଗଦୀଶ ନନ୍ଦୀ,ସିପିଏମ ନେତା ଶିଶିର ହୁଇ, ସୀତାଂଶୁ ସେନାପତି, ଦିଲ୍ଲୀପ ପରିଡ଼ା, ରବୀନ୍ଦ୍ର ବାରିକଙ୍କ ସମେତ ପଦ୍ମଲୋଚନ ବେହେରା ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ l ପ୍ରକାଶ ଥାଉକି ସୁଦାମ ଚରଣ ପାତ୍ର ଏହି ଜଳେଶ୍ୱର ବଞ୍ଚାଅ ଆନ୍ଦୋଳନର ଆବାହକ ଭାବରେ ମନୋନୀତ ହୋଇଛନ୍ତି ଏବଂ ତାଙ୍କ ସଂଯୋଜନାରେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ଆୟୋଜିତ ହେବ l

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

Irregularities Alleged in LPG Distribution by Jay Shree Balaji Gramin HP Gas Agency in Kolnara Block

Sunil Chandra Nayak

ସେକ୍ଟର ୧୯ ଥାନାରେ ଆମ ପୁଲିସ ର ବୈଠକ 

Sunil Chandra Nayak

ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ … ଅଷ୍ଟମ ଦିନ ପ୍ରୟାସ ର ନାଟକ ଗିରଫ ମଞ୍ଚସ୍ଥ 

masiha

Leave a Comment

error: Content is protected !!