ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସେବା ସପ୍ତାହ ତଥା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ଅବସରରେ ଦିବ୍ୟାଙ୍ଗମାନଙ୍କ ଦ୍ୱାରା ସଚେତନତା ସମ୍ମିଳନୀ ଅନୁଷ୍ଠିତ

ସେବା ସପ୍ତାହ ତଥା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ଅବସରରେ ଦିବ୍ୟାଙ୍ଗମାନଙ୍କ ଦ୍ୱାରା ସଚେତନତା ସମ୍ମିଳନୀ ଅନୁଷ୍ଠିତ

ରାୟଗଡ଼ା, ୧୮ ସେପ୍ଟେମ୍ବର: କାଶୀପୁର ବ୍ଲକ ସମ୍ମିଳନୀ କକ୍ଷରେ କାଶୀପୁର ଅଞ୍ଚଳର ଦୁଇ ଶହରୁ ଊର୍ଦ୍ଧ୍ୱ ଭିନ୍ନକ୍ଷମ ବ୍ୟକ୍ତି ଏକତ୍ରିତ ହୋଇ ସନ୍ଥ କବି ଭୀମ ଭୋଇ, ସନ୍ଥ ସୁର ଦାସ, ଋଷି ଅଷ୍ଟାବକ୍ର ଓ ହେଲେନ କେଲରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଆର୍ ପି ଡବ୍ଲିୟୁ ଡି ଆଇନ-୨୦୧୬ରେ ଥିବା ଅଧିକାର ଓ ଦାୟିତ୍ୱ ସମ୍ପର୍କରେ ସଚେତନ ହୋଇଥିଲେ। ଏଥିସହ ସେମାନେ ମଦ୍ୟପାନ ନକରିବା ପାଇଁ ଶପଥ ଗ୍ରହଣ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର ଏହି ଶପଥ ପାଠ କରାଇଥିଲେ। ଏହି ବିଶେଷ ସମାବେଶରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ପାଳନ କରାଯିବା ସହ ‘ସେବା ସପ୍ତାହ’ ଅବସରରେ କିଛି ନା କିଛି ସମାଜସେବା ଜାରି ରଖିବାକୁ ସଙ୍କଳ୍ପ ନିଆଯାଇଥିଲା।

ଏହି ଉତ୍ସବ ତଥା ସଚେତନତା କର୍ମଶାଳାରେ ଏସ୍‌ଏସ୍‌ଏସ୍‌ଓ ଶ୍ରୀକାନ୍ତ ପାଣିଗ୍ରାହୀ, ବିଏସ୍‌ଏସ୍‌ଓ, କାଶୀପୁର ବିଡିଓ, ସକ୍ଷମ ସଂରକ୍ଷକ ଡକ୍ଟର ବାଦଲ କୁମାର ତା, ଓଡ଼ିଶା ବିକଳାଙ୍ଗ ମଞ୍ଚ (ଓଭିଏମ୍‌) ଜିଲ୍ଲା ସଭାପତି ରାକେଶ ହିମିରିକା, ଉପସଭାପତି ସନ୍ତୋଷ ମହାପାତ୍ର, ସମ୍ପାଦକ ଜଳନ୍ଧର ବାଛେଲି, ଓଡ଼ିଶା ଆଦିବାସୀ ମଞ୍ଚ ରାଜ୍ୟ ଆବାହିକା ତଥା ଦକ୍ଷିଣ ଓଡ଼ିଶା ଉନ୍ନୟନ ଓ ସୁରକ୍ଷା ପରିଷଦ ଜିଲ୍ଲା ସଭାନେତ୍ରୀ ବିଦୁଲତା ହୁଇକା, ସାଂସଦ ଓ ବିଧାୟକଙ୍କ ପ୍ରତିନିଧି, ବ୍ଲକ ଅଧ୍ୟକ୍ଷ କଣ୍ଠ ମାଝୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରମାକାନ୍ତ ନୁନ୍ଦ୍ରୁକା, ଦିବ୍ୟାଙ୍ଗ ମିତ୍ର ଶିବରାମ ନାୟକଙ୍କ ସମେତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ହିମିରିକା ଉପସ୍ଥିତ ଜନସାଧାରଣଙ୍କୁ ଓଭିଏମ୍‌ର ଉତ୍ପତ୍ତି ଓ ବିକାଶ ବିଷୟରେ ଜଣାଇଥିଲେ ଏବଂ ଉପସଭାପତି ମହାପାତ୍ର ସମ୍ମିଳନୀର ଉଦ୍ଦେଶ୍ୟ ସମ୍ପର୍କରେ ସଂକ୍ଷେପରେ କହିଥିଲେ । ବିଧାୟକ ପ୍ରତିନିଧି ଝିଉରୁ ମାଝୀ, ସାଂସଦ ପ୍ରତିନିଧି ସାନ୍ଦୁ ଚରଣ ମାଝୀ ଏବଂ ବ୍ଲକ ଅଧ୍ୟକ୍ଷ କଣ୍ଠ ମାଝୀ ଭିନ୍ନକ୍ଷମଙ୍କ ଅଧିକାର ଓ ଆତ୍ମବିଶ୍ୱାସ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ। ବିଦୁଲତା ହୁଇକା ଦିବ୍ୟାଙ୍ଗ ଶିଶୁ ଏବଂ ମହିଳାମାନଙ୍କ ଅଧିକାର ଉପରେ ଆଲୋଚନା କରିଥିଲେ। ସେ କେନ୍ଦ୍ର ସରକାରଙ୍କ ଏକ ପ୍ରାୟୋଜିତ ଯୋଜନା ବା ସ୍ପଂସର୍ଷିପ ବିଷୟରେ କହିଥିଲେ, ଯେଉଁଥିରେ ଦିବ୍ୟାଙ୍ଗ ପିତାମାତାଙ୍କ ସନ୍ତାନ ନିଜର ବିଦ୍ୟାଳୟ ଶିକ୍ଷା ଜାରି ରଖିବା ପାଇଁ ମାସିକ ୪,୦୦୦ ଟଙ୍କା ପାଇପାରିବେ। ସିଡବ୍ଲୁସି ଅଧ୍ୟକ୍ଷା ଭାବେ କାର୍ଯ୍ୟ କରୁଥିବା ସମୟରେ ସେ ଶହ ଶହ ଏଭଳି ମାମଲାରେ ଏହା ସମ୍ଭବ କରିପାରିଥିଲେ। ଶ୍ରୀକାନ୍ତ ପାଣିଗ୍ରାହୀ ଦିବ୍ୟାଙ୍ଗମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଯୋଜନାଗୁଡ଼ିକ ବିଷୟରେ ବିସ୍ତୃତ ଭାବେ ବୁଝାଇଥିଲେ ଏବଂ ରାୟଗଡ଼ା ଜିଲ୍ଲାର ନିର୍ଦ୍ଦିଷ୍ଟ ସଫଳତା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। 

ମୁଖ୍ୟ ଅତିଥି ଭାବେ ଏଡିଏମ୍‌ କହଁର କହିଥିଲେ ଯେ ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ ଏବଂ ଐତିହାସିକ ଆର୍ ପି ଡବ୍ଲିୟୁ ଡି ଆଇନ-୨୦୧୬ ସତ୍ତ୍ୱେ ଏ ଦିଗରେ ଆହୁରି କାର୍ଯ୍ୟ କରିବାର ସୁଯୋଗ ରହିଛି । ସେ ସମସ୍ତ ଦିବ୍ୟାଙ୍ଗ ଅଂଶଗ୍ରହଣକାରୀଙ୍କୁ ଭିନ୍ନକ୍ଷମମାନଙ୍କ ପାଇଁ ଥିବା ସମସ୍ତ ଯୋଜନାର ସମୀକ୍ଷା କରିବାକୁ ପ୍ରତିଶ୍ରୁତି ଦେଇଥିଲେ ଏବଂ ଆସନ୍ତା ୧୫ ଦିନ ମଧ୍ୟରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଏସ୍‌ଏସ୍‌ଏସ୍‌ଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଦିବ୍ୟାଙ୍ଗ ଅଂଶଗ୍ରହଣକାରୀଙ୍କ ଦ୍ୱାରା ସମସ୍ତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସଫଳ କରିବାରେ ବାଛେଲି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଦିବ୍ୟାଙ୍ଗ ମହାସଂଘ କାଶୀପୁର ବ୍ଲକ ସଭାପତି ସୁଶାନ୍ତ ନାୟକ, ଭିଙ୍ଗୁ ନାୟକ, ପ୍ରଦୀପ ନାୟକ, ଜଗନ୍ନାଥ ମାଝୀ, ଉପେନ୍ଦ୍ର ନାୟକ ଏବଂ ପ୍ରଧାନ ମୁଦୁଲି କାର୍ଯ୍ୟକ୍ରମଟିକୁ ସଫଳ କରିବାରେ ସହଯୋଗ କରିଥିଲେ । ଏଥିସହିତ କାଶୀପୁର ବ୍ଲକ ଗଣସଂଗଠନ ‘ଜନ ଜାଗରଣ ମଞ୍ଚ’ର କର୍ମୀ ପଦ୍ମଲୋଚନ ମାଝୀ ଓ ପାଇକ ମାଝୀ ପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର 

masiha

ପଦ୍ମନାଭ ପରେ କୋଇଡା’ର  କେଉଁ ମାଇନିଙ୍ଗ ଅଫିସର ର  ପାଳି ?

masiha

ଆନ୍ଧ୍ର ଗୁଣ୍ଟୁର ରୁ ୮ ଦିନ ହେଲା ଚାଲି ଆସୁ ଥିଲା ଦାଦନ ଶ୍ରମିକ, ରାସ୍ତା ରେ ଦେଖି ସହାୟତl ର ହାତ ବଢ଼ାଇଲେ ଦୁଇ ପଞ୍ଚାୟତ ଅଧିକାରୀ

masiha

Leave a Comment

error: Content is protected !!