ରାୟଗଡ଼ରେ ବିଜେପିର ୧୦୦ ଦିନିଆ ପଦଯାତ୍ରା
ଜନସମ୍ପର୍କ ଓ ବୁଥ୍ ସଶକ୍ତିକରଣ ଉପରେ ଗୁରୁତ୍ୱ; ମଙ୍ଗଳା ମନ୍ଦିରରୁ ମା’ ମଝିଘରିଆଣୀ ମନ୍ଦିର ଯାଏ ପଦଯାତ୍ରା
ରାୟଗଡ଼: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସ ଅବସରରେ ଆରମ୍ଭ ହୋଇଥିବା ‘ସେବା ସଂକଳ୍ପ ଅଭିଯାନ’ ପରିପ୍ରେକ୍ଷୀରେ ରାୟଗଡ଼ ଜିଲ୍ଲା ବିଜେପି ପକ୍ଷରୁ ଜନସମ୍ପର୍କ ଓ ବୁଥ୍ ସଶକ୍ତିକରଣ ଉଦ୍ଦେଶ୍ୟରେ ୧୦୦ ଦିନିଆ ପଦଯାତ୍ରା ଆରମ୍ଭ ହୋଇଛି। ଜିଲ୍ଲା ବିଜେପି ସଭାପତି ଗୋପୀ ଆନନ୍ଦଙ୍କ ଆଗ୍ରହକ୍ରମେ ଏହି କାର୍ଯ୍ୟକ୍ରମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆୟୋଜନ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି।
ଏହି କ୍ରମରେ ରାୟଗଡ଼ ନଗର ବିଜେପି ସଭାପତି ରାଜେଶ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ରାଣୀଗୁଡ଼ା ଫାର୍ମସ୍ଥିତ ମଙ୍ଗଳା ମନ୍ଦିର ପ୍ରାଙ୍ଗଣରୁ ପଦଯାତ୍ରାର ଶୁଭାରମ୍ଭ ହୋଇଥିଲା। ପରେ ଦଳୀୟ କର୍ମକର୍ତ୍ତା ଓ ସମର୍ଥକମାନେ ପଦଯାତ୍ରାରେ ସାମିଲ ହୋଇ ମା’ ମଝିଘରିଆଣୀ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ। ଦଳୀୟ ପତାକା ଓ ସ୍ଲୋଗାନରେ ପଦଯାତ୍ରାସ୍ଥଳ ଉତ୍ସବମୁଖର ହୋଇଥିଲା।
କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଗୋପୀ ଆନନ୍ଦ, ନଗର ସଭାପତି ରାଜେଶ କୁମାର ପାଣିଗ୍ରାହୀ, ନଗର ପ୍ରଭାରୀ ଚକ୍ର ବିଡିକା, ଲୋକସଭା ପ୍ରାର୍ଥୀ କାଳୀରାମ ମାଝୀ, ବିଧାନସଭା ପ୍ରାର୍ଥୀ ତଥା ରାଜ୍ୟ ଜନଜାତି ମୋର୍ଚ୍ଚା ଉପସଭାପତି ବସନ୍ତ ଉଲ୍ଲାକା, ରାଜ୍ୟ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଶିବ ଶଙ୍କର ଉଲ୍ଲାକା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା କଞ୍ଚଡ଼ା ଅଶ୍ୱିନୀ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରଜିତା କରୋଡା, ପୂର୍ବତନ ଜିଲ୍ଲା ମହିଳା ସଭାନେତ୍ରୀ ବି. ଲକ୍ଷ୍ମୀ, ଜିଲ୍ଲା କୃଷକ ମୋର୍ଚ୍ଚାର ଜିତେନ୍ଦ୍ର ବେହେରା, ଜିଲ୍ଲା ଯୁବ ମୋର୍ଚ୍ଚାର ପ୍ରୀତମ କୁମାର ଓ ଗୋପାଳ ଖରାଙ୍କ ସମେତ ଏସ୍ଡିସି ଉପାଧ୍ୟକ୍ଷା ମଞ୍ଜୁଳା ମିଣିଆକା ଯୋଗଦେଇଥିଲେ।
ସେହିପରି ନଗର ବିଜେପିର ସାଧାରଣ ସମ୍ପାଦକ ରାଜେଶ ନାଇଡୁ ଓ ଅଜୟ ଶର୍ମା, ଉପସଭାପତି ଦେବଗିରି ପଟ୍ଟନାୟକ, ରାମକୃଷ୍ଣ ପାଣିଗ୍ରାହୀ, ପି. ସାଇ ପ୍ରସାଦ, ଶିବା ଭାସ୍କର, ବି. ଦେବୀ, ଝରଣା ପାଣି, ଶ୍ରୀନିବାସ ଗରଡ଼ିଆ, ରାମ ଗରଡ଼ିଆଙ୍କ ସମେତ ଜିଲ୍ଲା ଓ ନଗର କାର୍ଯ୍ୟକାରିଣୀର ସଦସ୍ୟସଦସ୍ୟା, ଶକ୍ତିକେନ୍ଦ୍ର ପ୍ରମୁଖ ଓ ବୁଥ୍ ସ୍ତରୀୟ ପଦାଧିକାରୀମାନେ ଯୋଗ ଦେଇଥିଲେ।
ଜିଲ୍ଲା ବିଜେପି ପକ୍ଷରୁ କୁହାଯାଇଛି ଯେ, ଆଗାମୀ ୧୦୦ ଦିନ ଧରି ଜିଲ୍ଲାର ବିଭିନ୍ନ ମଣ୍ଡଳ ଓ ନଗରର ବିଭିନ୍ନ ୱାର୍ଡରେ ଏଭଳି ଜନସମ୍ପର୍କ ଓ ପଦଯାତ୍ରା କାର୍ଯ୍ୟକ୍ରମ ଜାରି ରହିବ। ବିଶେଷକରି ବୁଥ୍ ସ୍ତରରେ ସାଂଗଠନିକ କାର୍ଯ୍ୟକଳାପକୁ ସୁଦୃଢ଼ କରିବା, କାର୍ଯ୍ୟକର୍ତ୍ତାଙ୍କ ସହ ସମ୍ପର୍କ ବଢ଼ାଇବା ଓ ସ୍ଥାନୀୟ ଲୋକଙ୍କ ସହ ଯୋଗାଯୋଗ ବୃଦ୍ଧି କରିବା ଏହି ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଦଳୀୟ ନେତାମାନେ କହିଛନ୍ତି।
ଅନ୍ୟପକ୍ଷରେ, ଦଳୀୟ କାର୍ଯ୍ୟକ୍ରମର ଅଂଶ ଭାବେ ସନ୍ଧ୍ୟାରେ ବିଭିନ୍ନ ମନ୍ଦିରରେ ଦୀପ ପ୍ରଜ୍ୱଳନ କରାଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀର୍ଘାୟୁ ଓ ସୁସ୍ଥତା କାମନା କରାଯାଇଥିଲା। ରାୟଗଡ଼ ଜିଲ୍ଲାରେ ପର୍ଯ୍ୟାୟକ୍ରମେ ଏହି ଅଭିଯାନକୁ ମଣ୍ଡଳ ଓ ବୁଥ୍ ସ୍ତରକୁ ନେବା ପାଇଁ ପ୍ରସ୍ତୁତି ଚାଲିଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି।
ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍

