ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଗଜଲକ୍ଷ୍ମୀ ପୂଜା ପାଇଁ ଅନୁକୂଳ ମାଟି ଅଣାଗଲା ,୨- କଂସାରୀ ସମାଜ ଲକ୍ଷ୍ମୀପୂଜା ଶତ ବାର୍ଷିକୀ ଉପଲକ୍ଷେ ମାଟି ଅନୁକୂଳ,୩- ସହର ମଧ୍ୟରେ ଦ୍ରୁତ ଗତିରେ ଭାରୀଯାନ ଚଳାଚଳ ନେଇ ଅସନ୍ତୋଷ ,୪- ବିଦ୍ୟାଳୟରେ ନିମ୍ନ ମାନର ପୋଷାକ ବଣ୍ଟନ, ୫- ମଠକରଗୋଳା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ, ୬- ଅଧ୍ୟାପକ ନଥିବାରୁ ଉଦ୍ଭିଦ ବିଜ୍ଞାନ ର ବିଦ୍ୟାର୍ଥୀ ନିରାଶ , ୭- ମୁଖ୍ୟ ଚିକିତ୍ସକ ନଥିବାରୁ ନିୟମିତ କର୍ମଚାରୀଙ୍କ ଅନୁପସ୍ଥିତ ,୮- ସ୍କୁଟି ଦୁର୍ଘଟଣାରେ ୧ ମୃତ , ୯- ଶୌଚ ପାଇଁ ବାଡ଼ିକୁ ଯାଇଥିଲେ, ହାତୀ ଆକ୍ରମଣରେ ବ୍ୟକ୍ତି ଗୁରୁତର ,୧୦-ପାଠକ ବିଚାର ମଞ୍ଚ ପକ୍ଷରୁ ଆୟୁର୍ବେଦ ଦିବସ , ୧୧- ରାଧାଷ୍ଟମୀ ଓ ସୁନିଆଁରେ ମା’ ଗଜଲକ୍ଷ୍ମୀଙ୍କ ମୂର୍ତ୍ତି ପାଇଁ ମାଟି ଅନୁକୂଳ , ୧୨- ୪୩୦ ଗ୍ରାମ ବ୍ରାଉନସୁଗର୍ ଜବତ,ବେପାରୀ ଗିରଫ ,୧୩- ତପୋବନ ପୀଠରେ ନବାନ୍ନ ଉତ୍ସବ , ୧୪- ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ, କ୍ରସରରେ ମୃତ ଅପରେଟରଙ୍କ ପରିବାରକୁ କ୍ଷତିପୁରଣ ଦାବି , ୧୫- ଭକ୍ତଙ୍କୁ ଦୁର୍ବ୍ୟବହାର ଓ ମାଡ଼, ଥାନା ରେ ଅଭିଯୋଗ , ୧୬ – ବନ୍ୟଜନ୍ତୁ ଶିକାର ପାଇଁ ସୋଲାର ଫେନ୍ସିଂ ରେ ୧୧କେଭି ବିଦ୍ୟୁତ/ ଶୌଚ ହେବାକୁ ଯାଇ ବିଦ୍ୟୁତ, ଯୁବକ ମୃତ୍ୟୁ , ୧୭- ଚାକିରୀ ନାଁ ରେ ଚକ୍ରାନ୍ତ, ଘରକୁ ଯିବା ମନା, ଜଣକୁ ଆଣି ଦେଲେ ଜଣେ ଘରକୁ ଯିବ, ଝିଅକୁ ଖୋଜିଖୋଜି ବଲାଙ୍ଗୀରରୁ ଢେଙ୍କାନାଳରେ ପହଁଞ୍ଚିଲେ ବାପା 

ଗଜଲକ୍ଷ୍ମୀ ପୂଜା ପାଇଁ ଅନୁକୂଳ ମାଟି ଅଣାଗଲା

କାମାକ୍ଷାନଗର – ଢେ଼ଙ୍କାନାଳ ଜିଲ୍ଲା ଭୁବନ ରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ପବିତ୍ର ବାମନ ଜନ୍ମ ସୁନିଆଁ ରେ ଅନୁକୂଳ ମାଟି ଅଣାଗଲା । ପୁରାତନ ଅନୁଷ୍ଠାନ ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ , ଅରାସାହି ତରଫରୁ ଏକ ଶୋଭାଯାତ୍ରାରେ ଯାଇ ରଗଡ଼ି ନାଳ ନିକଟରେ ପୂଜାର୍ଚ୍ଚନା କରାଯାଇ ଅନୁକୂଳ ମାଟି ଅଣାଯାଇଥିଲା । ଅରାସାହି ସଭାପତି ହୃଦାନନ୍ଦ ବେହେରା ଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ସାହି ବାସିନ୍ଦା ଏଥିରେ ସାମିଲ ହୋଇଥିଲେ । ମହାଲକ୍ଷ୍ମୀ ବଣିକ ସଂଘ ନୁଆ ବଜାର ତରଫରୁ ସଭାପତି ଦୁଷ୍ମନ୍ତ କୁମାର ପୃଷ୍ଟି ଙ୍କ ନେତୃତ୍ଵରେ ବ୍ୟବସାୟୀ ଭାଇ ମାନେ ମଧ୍ୟ ଶୋଭାଯାତ୍ରାରେ ଯାଇ ରଗଡି ସ୍ଥିତ ଅଷ୍ଟଶମ୍ଭୁ ମନ୍ଦିର ପରିସରରେ ପୂଜାର୍ଚ୍ଚନା କରାଯାଇ ପବିତ୍ର ମାଟି ଆଣିଥିଲେ । ଅନୁରୂପ ଭାବେ ଭୁବନର ଲତାବିଲ ( ବଉଳ ଛକ ), ଟୋଲଙ୍କ ବେରେଣି,ବଡ଼ହାଟ ପ୍ରଭୃତି ପୂଜା ପ୍ରତିଷ୍ଠାନ ତରଫରୁ ମଧ୍ୟ ଲକ୍ଷ୍ମୀପୂଜା ନିମନ୍ତେ ମାଟି ଅଣାଯାଇଥିଲା ।

କଂସାରୀ ସମାଜ ଲକ୍ଷ୍ମୀପୂଜା ଶତ ବାର୍ଷିକୀ ଉପଲକ୍ଷେ ମାଟି ଅନୁକୂଳ

କାମାକ୍ଷାନଗର – ଢେଙ୍କାନାଳ ଜିଲ୍ଲା ଭୁବନ ଏନ୍ ଏ ସି ଅନ୍ତର୍ଗତ ଗୋପାଳପୁରପାଟଣା ଛକ ସ୍ଥିତ ବ୍ରଜମୋହନ ଜୀୟୁ ମଣ୍ଡପ ଠାରେ କଂସାରୀ ସମାଜ ପକ୍ଷରୁ ଚଳିତ ବର୍ଷ ଲକ୍ଷ୍ମୀପୂଜା ର ଶତାବର୍ଷିକ ପାଳନ ହେବ । ଏହି ଉପଲକ୍ଷେ ପବିତ୍ର ବାମନ ଜନ୍ମ ସୁନିଆ ତିଥିରେ ଶୁଭ ମାଟି ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ କଂସାରୀ ସମାଜ ସଭାପତି ନନ୍ଦକିଶୋର ମେହେଣା , ସମ୍ପାଦକ ଗିରିଶ ମହାରଣା, କୋଷାଧକ୍ଷ ପ୍ରଫୁଲ୍ଲ ସାହୁ, ଉପଦେଷ୍ଟା ଇନ୍ଦ୍ରମଣି ମହାପାତ୍ର ଙ୍କ ସମେତ କାଉନସିଲର ପପୁ କୁମାର ସାହୁ ଓ କଂସାରୀ ସମାଜ ର ଶତାଧିକ ବ୍ୟକ୍ତି ଯୋଗ ଦେଇଥିଲେ। ରଗଡି ନାଳ କୂଳରେ ପୂଜାର୍ଚ୍ଚନା କରାଯାଇ ମା ଲକ୍ଷ୍ମୀ ଙ୍କ ମୂର୍ତ୍ତି ନିର୍ମାଣ ପାଇଁ ଅନୁକୂଳ ମାଟି ଉଠାଣ ହୋଇଥିଲା।

ସହର ମଧ୍ୟରେ ଦ୍ରୁତ ଗତିରେ ଭାରୀଯାନ ଚଳାଚଳ ନେଇ ଅସନ୍ତୋଷ

କାମାକ୍ଷାନଗର- କାମାକ୍ଷାନଗର ସହର ମଧ୍ୟଡେଇ ଭାରୀଯାନ ଗୁଡିକ ଦ୍ରୁତ ଗତିରେ ଚଳାଚଳ କରୁଥିବାରୁ ସାଧାରଣରେ ତିବ୍ର ଅସନ୍ତୋଷ ପ୍ରକାଶ ପାଉଛି l ସହର ମଧ୍ୟରେ ପୂର୍ବାହ୍ନ ୭ ଟାରୁ ରାତି ୯ ଟା ପର୍ଯ୍ୟନ୍ତ ଜିଲାପାଳଙ୍କ ନିର୍ଦେଶ ରହିଚି l ଏଥିପାଇଁ ମାଳପୁରା, ଆଳତୁମା ଏବଂ ରେକୁଳା ରୋଡ଼ ର ଦାସୀ ପୋଖରୀ ନିକଟରେ ପୂର୍ତ୍ତ ବିଭାଗ ପକ୍ଷରୁ ପୂର୍ବାହ୍ନ ୭ ଟାରୁ ରାତି ୯ ଟା ପର୍ଯ୍ୟନ୍ତ ଭାରୀଯାନ ପ୍ରବେଶ ନିଷେଧ ବୋଲି ଫଳକ ରହିଛି l ହେଲେ ଜିଲାପାଳଙ୍କ ଏହି ନିର୍ଦେଶ କୁ ଭାରୀଯାନ ଗୁଡିକ ଫୁ କରି ବେଧଡ଼କ ଚଳାଚଳ କରିବା ସହିତ ଦ୍ରୁତଗତି ରେ ଯାତାୟାତ କରୁଥିବାରୁ ସାଧାରଣ ରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି l ପୁଣି କେତେକ ଯୁବ ଗୋଷ୍ଠୀ ବାଇକ ରେ ଦ୍ରୁତ ଗତିରେ ଯାତାୟାତ କରୁଛନ୍ତି l ଏଥିପ୍ରତି ଜିଲା ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ସକାଶେ ସାଧାରଣରେ ଦାବି ହେଉଛି l

ବିଦ୍ୟାଳୟରେ ନିମ୍ନ ମାନର ପୋଷାକ ବଣ୍ଟନ

କାମାକ୍ଷାନଗର-କାମାକ୍ଷାନଗର ଅଞ୍ଚଳରେ ଥିବା ପ୍ରାଥମିକ ବିଦ୍ୟାଳୟ ଠାରୁ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ରହିଥିବା ବିଦ୍ୟାଳୟରେ ସରକାରଙ୍କ ପକ୍ଷରୁ ପ୍ରଦତ୍ତ ପୋଷାକ, ଜୋତା ପ୍ରଦାନରେ ନିମ୍ନମାନର ହୋଇଥିବାର ଅଭିଯୋଗ ହେଉଛି l ସରକାରଙ୍କ ପକ୍ଷରୁ ବିଦ୍ୟାଳୟକୁ ବିଦ୍ୟାର୍ଥୀ ଆସିବା ସକାଶେ ଖାଦ୍ୟ ଓ ପୋଷାକ ର ବ୍ୟବସ୍ଥା କରାଯାଇଛି ଲ ଏହି ଖାଦ୍ୟ ଓ ପୋଷାକ ନିର୍ମାଣ ସକାଶେ ସ୍ୱୟଂ ସହାୟକ ଗୋଷ୍ଠୀକୁ ନିୟୋଜିତ କରିବାର ଲକ୍ଷ୍ୟ ରଖାଯାଇଛି l ଏହି ପୋଷାକ ତିଆରି ରେ ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ନିଜେ ପୋଷାକ ସିଲାଇ କରି ଦେବାର ବ୍ୟବସ୍ଥା ରହିଥିବା ବେଳେ ଏଥିପାଇଁ ଏକ ହଜାର ଟଙ୍କା ଅନୁଦାନ ର ବ୍ୟବସ୍ଥା ରହିଛି l ହେଲେ ବିଦ୍ୟାଳୟର ବିଦ୍ୟାର୍ଥୀ ମାନଙ୍କୁ ଦିଆଯାଉଥିବା ପୋଷାକ ଗୁଡିକ ନିମ୍ନ ମାନର ହୋଇଥିବାରୁ ଗୋଟିଏ ଦିନରେ ପୋଷାକର ସିଲାଇ ଫିଟି ଯାଉଥିବାର ଅଭିଭାବକ ମହଲରେ ଅଭିଯୋଗ ହେଉଛି l ପୋଷାକ ପାଇଁ ୫ ସହ ଟଙ୍କା ରହିଥିବା ବେଳେ ଶନିବାର ପାଇଁ ହାଉସ ଡ୍ରେସ ଓ ଜୋତା ମୋଜା ପାଇଁ ୫ ସହ ଟଙ୍କା ର ବ୍ୟବସ୍ଥା କରାଯାଇଛି l କିନ୍ତୁ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ର କେତେକ ଅସାଧୁ ଅଧିକାରୀ ନିଜେ ଦାୟିତ୍ୱ ନେଇ କୋଲକତା ରୁ ନିମ୍ନ ମାନର ପୋଷାକ ଆଣି ବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କୁ ପ୍ରଦାନ କରି ବେଶ ମୁନାଫା ଉଠାଉଥିବାର ଅଭିଯୋଗ ହେଉଛି l ଏପରିକି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ଜନୈକ ଅଧିକାରୀ ଉଚ୍ଚ ବିଦ୍ୟାଳୟ ସ୍ତରୀୟ ଶିକ୍ଷକ ମାନଙ୍କୁ ବାହାରୁ ପୋଷାକ ନଆଣି ତାଙ୍କ ଠାରୁ ପୋଷାକ ଆଣିବାକୁ ପରାମର୍ଶ ଦେଉଥିବାର ଅଭିଯୋଗ ହେଉଛି l ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ରହି ଆସିଥିବା ଅଧିକାରୀ କେବଳ ପୋଷାକ ନୁହେଁ ଚାଉଳ ବଣ୍ଟନ ରେ ମଧ୍ୟ ବ୍ୟାପକ ଅନିୟମିତତା କରୁଥିବାର ଅଭିଯୋଗ ହେଉଛି l ଏ ସଂକ୍ରାନ୍ତରେ ଜିଲା ଶିକ୍ଷାଧିକାରୀଙ୍କ ନଜର କୁ ଅଣାଯାଇଥିବା ବେଳେ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ଶିକ୍ଷକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି l ଜିଲାପାଳ ଏଥିପ୍ରତି ଗୁରୁତ୍ୱ ଦେଇ ତ୍ୱରିତ ପଦକ୍ଷେପ ନେବା ସକାଶେ ଅଭିଭାବକ ମହଳରେ ଦାବି ହେଉଛି l

ମଠକରଗୋଳା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ

କାମାକ୍ଷାନଗର -ମଠକରଗୋଳା ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ସେବା ଯୋଜନା ଦିବସ ପାଳନ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଚିତ୍ତ ରଞ୍ଜନ ଦାଶ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମସ୍ତ ଜାତୀୟ ସେବା ଯୋଜନା ଅଧିକାରୀ ତଥା ସ୍ବେଛାସେବୀ ମାନେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଅଧ୍ୟାପକ ପ୍ରଦୀପ୍ତ କୁମାର ସାହୁ ଅତିଥି ମାନଙ୍କୁ ସ୍ଵାଗତ କରିବା ସହ ଦିବସ ପାଳନ ର ଆବଶ୍ୟକତା ସମ୍ପର୍କରେ ସୂଚନା ଦେଇଥିଲେ। ଆଲୋଚନା ରେ ଅଂଶଗ୍ରହଣ କରି ଆଭ୍ୟନ୍ତରୀଣ ଗୁଣବତ୍ତା ପ୍ରକୋଷ୍ଠ ର ସଂଯୋଜିକା ଅଧ୍ୟାପିକା ସବିତା ଦେହୁରୀ ଛାତ୍ରଛାତ୍ରୀ ମାନଙ୍କୁ ଜାତୀୟ ସ୍ରୋତରେ ସାମିଲ ହେବା ନିମନ୍ତେ ଆହ୍ଵାନ ଦେଇଥିଲେ। ପ୍ରାକ୍ତନ ସେବା ଯୋଜନା ଅଧିକାରୀ ଅଧ୍ୟାପିକା ସ୍ଵପ୍ନିତା ରାଉତ ସ୍ଵେଚ୍ଛାସେବୀ ମାନେ ଗୋଷ୍ଠୀ ସେବା ମାଧ୍ୟମରେ ବ୍ୟକ୍ତିତ୍ଵ ର ବିକାଶ କରିବାକୁ ପରାମର୍ଶ ଦେଇଥିଲେ। ପ୍ରାକ୍ତନ ସେବା ଯୋଜନା ଅଧିକାରୀ ତଥା ବାଣିଜ୍ୟ ବିଭାଗର ମୂଖ୍ୟ ଅଧ୍ୟାପକ ସୁଧାଂଶୁ ଶେଖର ପାତ୍ର ସ୍ଵେଚ୍ଛାସେବୀ ମାନେ ସମାଜ ସେବା ମାଧ୍ୟମରେ ଭବିଷ୍ୟତରେ ସୁନାଗରିକ ହେବାର ସ୍ବପ୍ନ କୁ ସାକାର କରିବାକୁ ମତବ୍ୟକ୍ତ କରିଥିଲେ। ଅଧ୍ୟକ୍ଷ ଶ୍ରୀ ଦାଶ ଜାତୀୟ ସେବା ଯୋଜନା ର ଲକ୍ଷ୍ୟ, ଉଦ୍ଦେଶ୍ୟ, ଆଭିମୁଖ୍ୟ, ଉପଲବ୍ଧ ସୁବିଧା ସୁଯୋଗ ତଥା ବସୁଧୈବ କୁଟୁମ୍ବକମ୍ ର ମହାନ ବାର୍ତ୍ତା ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ଅଧିକାରୀ ସୋମନାଥ ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ଵେଚ୍ଛାସେବୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ପରିଶେଷରେ ସେବା ଯୋଜନା ଅଧିକାରୀଣୀ ଅଧ୍ୟାପିକା ଶ୍ରଦ୍ଧାଞ୍ଜଳି ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପିକା ବିଦ୍ୟାବତୀ ରାଜୀନ୍ଦ୍ର, ପ୍ରଦିପ୍ତା ମହାପାତ୍ର, ଦିପ୍ତିମୟୀ ସାହୁ, ବିଜୟିନୀ ଲେଙ୍କା, ସ୍ମରଣିକା ସାମଲ, ସଙ୍ଗୀତା ଖୁଣ୍ଟିଆ ତଥା ବିନୟ କୁମାର ଦାସ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିବା ସହ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ ସହ କାର୍ଯ୍ୟକ୍ରମ ସମାପନ କରାଯାଇଥିଲା।

ଅଧ୍ୟାପକ ନଥିବାରୁ ଉଦ୍ଭିଦ ବିଜ୍ଞାନ ର ବିଦ୍ୟାର୍ଥୀ ନିରାଶ 

କାମାକ୍ଷାନଗର- କାମାକ୍ଷାନଗର ମହାବିଦ୍ୟାଳୟରେ ଗତ କିଛି ମାସ ଧରି ଉଦ୍ଭିଦ ବିଜ୍ଞାନ ର ଅଧ୍ୟାପକ ନଥିବାରୁ ବିଦ୍ୟାର୍ଥୀ ଏବେ ନିରାଶ ହୋଇ ପଡିଥିବାର ଜଣାଯାଇଛି l ମହାବିଦ୍ୟାଳୟରେ ଗତ ଦୁଇମାସ ଧରି ଉଦ୍ଭିଦ ବିଜ୍ଞାନ ର ଅଧ୍ୟାପକ ନଥିବାରୁ ମହାବିଦ୍ୟାଳୟ ରେ ଅଧ୍ୟୟନ ୧୩୫ ଜଣ ବିଦ୍ୟାର୍ଥୀ ଶିକ୍ଷରୁ ବଞ୍ଚିତ ରହିଛନ୍ତି l ଏହି ବିଭାଗର ଅଧ୍ୟାପକ ନଥିବାରୁ ଚଳିତ ବର୍ଷ ଉଦ୍ଭିତ ବିଜ୍ଞାନରେ କେହି ବିଦ୍ୟାର୍ଥୀ ନାମ ଲେଖାଇ ନଥିବାର ଜଣାଯାଇଛି l ସରକାରୀ ସ୍ତରରେ ଏଥିପ୍ରତି ଗୁରୁତ୍ୱ ଦିଆଯାଇ ତୁରନ୍ତ ଅଧ୍ୟାପକ ନିଯୁକ୍ତି ସକାଶେ ଅଭିଭାବକ ମହଲରେ ଦାବି ହେଉଛି l

ମୁଖ୍ୟ ଚିକିତ୍ସକ ନଥିବାରୁ ନିୟମିତ କର୍ମଚାରୀଙ୍କ ଅନୁପସ୍ଥିତ                                      

ଢେ଼ଙ୍କାନାଳ- କଙ୍କଡ଼ାହାଡ଼ ବ୍ଲକ ବିର।ଶ।ଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ମହାବୀରୋଡ , ପଙ୍ଗାତିରା, ବିରାଶାଳ ଓ କଙ୍କଡ଼ାହାଡ଼ ଏହିପରି ଚାରୋଟି ଉପ ସ୍ୱାସ୍ଥ୍ୟ କେନ୍ଦ୍ର ପରିଚାଳିତ ହେଉଛି । ଏହା ଅଧୀନରେ ୧୮ ଗୋଟି ସବସେଣ୍ଟର ଅନ୍ତର୍ଭୁକ୍ତ ରହିଛି । ବିଭିନ୍ନ ଅଞ୍ଚଳର ପ୍ରାୟ ଏକ ଲକ୍ଷରୁ ଉର୍ଦ୍ଧ ଜନସାଧାରଣ ଏହି ମେଡ଼ିକାଲ ଉପରେ ନିର୍ଭରଶୀଳ କରୁଥିବା ବେଳେ ଯେପରି କଥାରେ ଅଛି ” ବାଘ ଘରେ ମିରିଗ ନାଟ ” ଠିକ୍ ସେହିପରି ଏହି ମୁଖ୍ୟ ଚିକିତ୍ସାଳୟରେ ମୁଖ୍ୟ ଚିକିତ୍ସକ ନଥିବାରୁ ଅନ୍ୟ କର୍ମଚାରୀ ଏହାର ସୁଯୋଗ ନେଇ ଅନୁପସ୍ଥିତ ରହିବାକୁ ମୌକା ମିଳୁଛି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରହିଥିବା ମେଡ଼ିକାଲରେ ଯେଉଁ ପରି ଭାବେ ଆବଶ୍ୟକୀୟ କର୍ମଚାରୀ ରହିବା କଥା ତାହା ରାହୁନଥିବାରୁ ଜନସଧାରଣ ନାହଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏକ ମାସରୁ ଉର୍ଦ୍ଧ ହେବ ଏହି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରୁ ମୁଖ୍ୟ ଚିକିତ୍ସକ ଡାକ୍ତର ପ୍ରଦୀପ କୁମାର ଜେନା ଅନ୍ୟତ୍ର ବଦଳି ହେବା କାରଣ ରୁ କୌଣସି ସରକାରୀ କାର୍ଯ୍ୟ ସଠିକ୍ ଭାବରେ ହୋଇ ପାରୁନାହିଁ, ଅତି ଆବଶ୍ୟକ ଜିନିଷ ଜନ୍ମ ମୃତ୍ୟୁ ସାର୍ଟିଫିକେଟ୍ ଖଣ୍ଡିଏ ମଧ୍ୟ ମିଳି ପାରୁନାହିଁ। ଆଉ ବଡ ଆଶ୍ଚର୍ଯ୍ୟର କଥା ଆମ୍ଭ ପ୍ରତିନିଧି ଗତ ସେପ୍ଟେମ୍ବର ୨୩ ତାରିଖ ଦିନ ମେଡ଼ିକାଲ ପରିସରକୁ ଅପରାହ୍ନ ୪ଟାରେ ଯାଇଥିବା ବେଳେ ଅଫିସ ସମ୍ପୂର୍ଣ୍ଣ ଖୋଲା ଥିଲା, କିନ୍ତୁ କର୍ମଚାରୀ କେହି ନଥିଲେ, ଅନ୍ୟ ଜଣେ ମାତ୍ର ଡାକ୍ତର ରୋଗୀ ଦେଖୁ ଥିବା ବେଳେ ନା ଦେଖା ଥିଲା ବି ପି ଏମ ,ଡାଟା ଏଣ୍ଟ୍ରି ଅପରେଟର, ଟି ଭି ସୁପର ଭାଇଜର, ବ୍ଲକ ଡାଟା ମ୍ୟାନେଜର,କିରାଣୀ, ଜନ୍ମ ମୃତ୍ୟୁ ସାର୍ଟିଫିକେଟ ଦେବା ଅଧିକାରୀ । ଅଫିସ ଖୋଲ। ଥିଲେ ମଧ୍ୟ ମୂଖ୍ୟ ଡାକ୍ତର ନଥିବାରୁ ଚିକିତ୍ସାଳୟ ମଧ୍ୟ ଆସୁନାହାନ୍ତି । ଫୋନ କଲାପରେ କିଏ ଅଫିସ୍ କାମରେ କାମାକ୍ଷାନଗର ଯାଇଛି ତ ଆଉ କିଏ ଢେଙ୍କାନାଳରେ ଥିବା ଜଣାପଡ଼ିଛି । ଚିକିତ୍ସାଳୟକୁ କର୍ମଚାରୀ ମାନେ ନିୟମିତ ନଆସିବା ଫଳରେ ବାଧ୍ୟ ହୋଇ ଜନସଧାରଣ ନାହଁ ନଥିବା ହଇର।ଣ ହେଉଛନ୍ତି । ଡ଼ାକ୍ତର ନିଯୁକ୍ତି ସହିତ ଅଧିକ କର୍ମଚାରୀ ନିଯୁକ୍ତି ଦେବାକୁ ଅଞ୍ଚଳବାସୀ ଜିଲାପାଳଙ୍କ ନିକଟରେ ଦାବୀ ଜଣାଇଛନ୍ତି ।

ସ୍କୁଟି ଦୁର୍ଘଟଣାରେ ୧ ମୃତ 

କାମାକ୍ଷାନଗର-କାମାକ୍ଷାନଗର ଥାନା ଅନ୍ତର୍ଗତ ମହୁଲପାଳ ସଂନିକଟ ଜଡ଼ପାଳ ନିକଟରେ ପୂର୍ତ୍ତ ବିଭାଗ ରାସ୍ତାରେ ବୁଧବାର ରାତିରେ ଏକ ସ୍କୁଟି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାର ଜଣାଯାଇଛି l ମୃତକ ଜଣଙ୍କ ହେଲେ ସାରୁଆଳି ଗ୍ରାମର ବାବାଜୀ ବେହେରା(୪ ୬ ) ବୋଲି ଜଣାଯାଇଛି l ସାରୁଆଳି ଗ୍ରାମର ବାବାଜୀ ବେହେରା ଢେଙ୍କାନାଳ ରୁ ଏକ ସ୍କୁଟି ଯୋଗେ ଘରକୁ ଫେରୁଥିଲେ l ଫେରିବା ସମୟରେ ଜଡ଼ପାଳ ଠାରେ ଏକ ଟ୍ରକ ପଛରେ ଦୁର୍ଘଟଣା ଘଟିଥିଲା l ଫଳରେ ଘଟଣା ସ୍ଥଳରେ ବାବାଜୀଙ୍କ ର ମୃତ୍ୟୁ ହୋଇଛି l

ଶୌଚ ପାଇଁ ବାଡ଼ିକୁ ଯାଇଥିଲେ, ହାତୀ ଆକ୍ରମଣରେ ବ୍ୟକ୍ତି ଗୁରୁତର

ଢେଙ୍କାନାଳ -ଢେଙ୍କାନାଳ ଜିଲ୍ଲାରେ ପୁଣି ହାତୀ ଆତଙ୍କ। ଗତକାଲି ରାତ୍ରୀ ସମୟରେ ଶୌଚ ପାଇଁ ବାଡ଼ିକୁ ଯାଇଥିବା ଜଣେ ବ୍ୟକ୍ତିଙ୍କୁ ହାତୀ ଆକ୍ରମଣ କରିଥିବା ବେଳେ ଘଟଣାରେ ସେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଗଁଦିଆ ଥାନା ଅନ୍ତର୍ଗତ ଷଡ଼ଙ୍ଗୀ ବନାଞ୍ଚଳର ବରଦା ଗ୍ରାମରେ ଏହି ଅଭାବନୀୟ ଘଟଣାଘଟିଛି। ଆହତ ବ୍ୟକ୍ତି ଜଣକ ହେଲେ ବରଦା ଗ୍ରାମର ୫୮ ବର୍ଷୀୟ ରୋହିତ ମହାନ୍ତି। ଗତକାଲି ରାତ୍ରୀ ସମୟରେ ରୋହିତ ଶୌଚ ପାଇଁ ନିଜ ବାଡ଼ିପଟକୁ ଯାଇଥିବା ବେଳେ, ସେଠାରେ ପୂର୍ବରୁ ଲୁଚି ରହିଥିବା ଏକ ହାତୀ ହଠାତ୍ ତାଙ୍କୁ ଆକ୍ରମଣ କରିଥିଲା। ହାତୀଟି ନିଜ ଦାନ୍ତରେ ରୋହିତଙ୍କ ପେଟକୁ ଆକ୍ରମଣ କରିବାରୁ ସେ ଗୁରୁତର ଭାବେ କ୍ଷତବିକ୍ଷତ ହୋଇ ପଡ଼ିଥିଲେ। ପରିବାର ଓ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ବନ ବିଭାଗର କର୍ମଚାରୀମାନେ ତତକ୍ଷଣାତ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ନିଜ ବିଭାଗୀୟ ଗାଡ଼ିରେ ଗୁରୁତର ରୋହିତଙ୍କୁ ଉଦ୍ଧାର କରି ପ୍ରଥମେ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ଡାକ୍ତରମାନେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି।ଏହି ଦୁଃଖଦ ଘଟଣା ପରେ ସମଗ୍ର ବରଦା ଓ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଗ୍ରାମବାସୀଙ୍କ ମଧ୍ୟରେ ହାତୀ ଆତଙ୍କ ବଢ଼ିଥିବା ବେଳେ, ବନ ବିଭାଗ ପକ୍ଷରୁ ହାତୀର ଗତିବିଧି ଉପରେ କଡ଼ା ନଜର ରଖାଯାଇଥିବା ଜଣାପଡ଼ିଛି।

ପାଠକ ବିଚାର ମଞ୍ଚ ପକ୍ଷରୁ ଆୟୁର୍ବେଦ ଦିବସ 

କାମାକ୍ଷାନଗର -କାମାକ୍ଷାନଗର ପାଠକ ବିଚାର ମଞ୍ଚ ପକ୍ଷରୁ ଆୟୁର୍ବେଦିକ ଦିବସ କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି l ପାଠକ ବିଚାର ମଞ୍ଚ ର ଆବାହକ ଶୁଭମୟ ନନ୍ଦଙ୍କ ଆବାହକତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସଭାପତି ଜ୍ଞାନ ରଞ୍ଜନ ମିଶ୍ର ଅଧ୍ୟକ୍ଷତା କରି ସାଂପ୍ରତୀକ ପରିସ୍ଥିତିରେ ସୁସ୍ଥ ସମାଜ ଗଠନରେ ଆୟୁର୍ବେଦିକ ଚିକିତ୍ସାର ଗୁରୁତ୍ୱ ରହିଥିବାର ପ୍ରକାଶ କରିଥିଲେ l ପୂର୍ବତନ ନଗରପାଳ ଗୋବିନ୍ଦ ଚନ୍ଦ୍ର ସାହୁ ଯୋଗଦେଇ ଆୟୁର୍ବେଦ କେବଳ ମାନବ ସମାଜ ନୁହେଁ ସମଗ୍ର ପ୍ରାଣୀ ଜଗତ ପାଇଁ ଉପଯୋଗୀ ବୋଲି ମତବ୍ୟକ୍ତ କରିଥିଲେ l ମୁଖ୍ୟ ପରାମର୍ଶଦାତା ମେଜର ପ୍ରଭାତ କୁମାର ଦାଶ ଯୋଗଦେଇ ଆୟୁର୍ବେଦ ଏକ ପ୍ରମାଣ ଭିତ୍ତିକ ହୋଇଥିବା ବେଳେ ଏହି ଚିକିତ୍ସାରେ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନଥିବାର ଆଲୋକପାତ କରିଥିଲେ l ଆୟୁର୍ବେଦିକ ବଇଦ ପ୍ରମୋଦ କୁମାର ସାହୁ ଯୋଗ ଦେଇ ଏହି ଚିକିତ୍ସା ସମାଜ ପ୍ରତି ଗୁରୁତ୍ୱ ବହନ କରି ପାରୁଥିବାରୁ ସାଧାରଣରେ ଗୁରୁତ୍ୱ ବୃଦ୍ଧି ପାଉଛି l ସଦସ୍ୟ ଅମର ପ୍ରସାଦ ଶତପଥୀ,ନୀଳମଣି ମହାପାତ୍ର, ପ୍ରକାଶ କୁମାର ପାତ୍ର, ନସନ୍ତ କୁମାର ସାହୁ,ରସାନନ୍ଦ ଦେହୁରୀ,ଦୟାନିଧି ସାହୁ, ପ୍ରହଲ୍ଲାଦ ମୁଦୁଲି, ମଧୁସୂଦନ ରାଉତ, ପ୍ରମୁଖ ଉପସ୍ଥିତ ଥିଲେ l ସଂଯୋଜକ ନିରଞ୍ଜନ ସାହୁ ସଂଯୋଜନା କରିଥିବା ବେଳେ ସଦସ୍ୟ ପ୍ରମୋଦ କୁମାର ସ୍ୱାଇଁ ଧନ୍ୟବାଦ ଦେଇଥିଲେ l

ରାଧାଷ୍ଟମୀ ଓ ସୁନିଆଁରେ ମା’ ଗଜଲକ୍ଷ୍ମୀଙ୍କ ମୂର୍ତ୍ତି ପାଇଁ ମାଟି ଅନୁକୂଳ।

ଢେଙ୍କାନାଳ – ଢେଙ୍କାନାଳର ବିଶ୍ଵ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାର ମାଟି ଅନୁକୂଳ ଆରମ୍ଭ ହୋଇଛି। ରାଧାଷ୍ଟମୀ ଓ ସୁନିଆଁ ଅବସରରେ ମା’ ଗଜଲକ୍ଷ୍ମୀଙ୍କ ମୂର୍ତ୍ତି ପାଇଁ ବ୍ରାହ୍ମଣୀ ନଦୀର କମଗରା ଘାଟରୁ ମାଟି ଅନୁକୂଳ କରାଯାଇଛି। ଢେଙ୍କାନାଳ ସହର ଗଜଲକ୍ଷ୍ମୀ ପୂଜା ପାଇଁ ସାରା ବିଶ୍ଵରେ ପରିଚିତ । ପୂଜା ଆସିଲେ ଚଳଚଞ୍ଚଳ ହୋଇଉଠେ ସହର। ୧୧ ଦିନ ବ୍ୟାପୀ ମା’ଙ୍କ ପୂଜା ଚାଲେ। ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୁଏ। କୈବଲ୍ୟବଜାରରୁ ବାଜିଚୌକ ପର୍ଯ୍ୟନ୍ତ ୩ କିମି ବ୍ୟାପି ରାସ୍ତାରେ ହଜାର ହଜାର ଲୋକଙ୍କ ଭିଡ଼ ଜମେ,ଯାହା ଏହି ପୂଜାର ସ୍ଵତନ୍ତ୍ରତା।

।। ମାଟି ଅନୁକୂଳରୁ ଆରମ୍ଭ ହୁଏ ପରିବେଶ।।

 ପ୍ରତ୍ୟେକ ପୂଜା କମିଟି ବାଜା ବାଣ ସହ ଶୋଭାଯାତ୍ରାରେ ଯାଇ ଘାଟରୁ ମାଟି ଆଣିଥାନ୍ତି। ଏଇଠୁ ଆରମ୍ଭ ହୁଏ ଲକ୍ଷ୍ମୀପୂଜାର ପରିବେଶ। ମାସେ ଆଗରୁ ତୋରଣ,ଗେଟ୍ କାମ ଆରମ୍ଭ ହୋଇ ନବବଧୂ ପରି ସଜେଇ ହୋଇଉଠେ ଢେଙ୍କାନାଳ।

।। ୩୮ଟି ମଣ୍ଡପରେ ପୂଜା।। 

କୁମାର ପୂର୍ଣ୍ଣିମାଠାରୁ ମା’ଙ୍କ ପୂଜା ଆରମ୍ଭ ହୁଏ। ସହରର ୩୮ଟି ମଣ୍ଡପରେ ମା’ ପୂଜା ପାଆନ୍ତି। ଜାତି,ଧର୍ମ,ବର୍ଣ୍ଣ ଉର୍ଦ୍ଧ୍ବରେ ସମସ୍ତେ ଏକାଠି ହୋଇ ମା’ଙ୍କ ପୂଜା କରିଥାନ୍ତି। ପୂଜା ମଧ୍ୟରେ ସଙ୍କୁଡ଼ି ଭୋଗ ହୁଏ। ପ୍ରତ୍ୟେକ କମିଟି ପକ୍ଷରୁ ୨ରୁ ୩ ହଜାର ଲୋକଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା ହୁଏ। କେଉଁଠି ପଦ୍ମପତ୍ରରେ ତ କେଉଁଠି ମାଟି କୁଡ଼ୁଆରେ ଦହି ପଖାଳ ପରସାଯାଏ,ଯାହା ଏକତ୍ଵର ଭାବ ସୃଷ୍ଟି କରେ।

।। ମିଳିତ ଭସାଣି ଓ ଚାନ୍ଦି ମେଢ଼।। 

ଭସାଣ ଉତ୍ସବ ଏହାର ଅନନ୍ୟ ଆକର୍ଷଣ। ମିଳିତ ଭସାଣିରେ ସମସ୍ତ ୩୮ମେଢ଼ କ୍ରମିକ ସଂଖ୍ୟା ଅନୁସାରେ ଶୋଭାଯାତ୍ରାରେ ଯାଇଥାନ୍ତି। ୩୮ଟି ମଧ୍ୟରୁ ୭ଟି ମଣ୍ଡପ ଚାନ୍ଦିରେ ଚମକେ। ମୀନାବଜାରରେ ୧ କୁଇଣ୍ଟାଲ ୬୫ କେଜି ଚାନ୍ଦି ସହ ସୁନା ମୁକୁଟ,କୈବଲ୍ୟବଜାରରେ ୧ କୁଇଣ୍ଟାଲ ୪୦ କେଜି,ଗଣେଶ ବଜାର ସୌଭାଗ୍ୟଲକ୍ଷ୍ମୀରେ ୩ କୁଇଣ୍ଟାଲ ଚାନ୍ଦି ଓ ୧ କେଜି ସୁନା ମୁକୁଟ ମା’ ପିନ୍ଧିଥାନ୍ତି।

।। ୮୩ ବର୍ଷର ଐତିହ୍ୟ।। 

ଢେଙ୍କାନାଳ ପୂର୍ବେ ‘ନିଜଗଡ଼’ ନାମରେ ଗଡ଼ଜାତ ଥିଲା। ୧୯୨୩ରେ ଉପରଗଡ଼ ହନୁମାନ ମନ୍ଦିର ପ୍ରାଙ୍ଗଣରେ ସ୍ୱର୍ଗୀୟ ବ୍ରଜକିଶୋର ପଟ୍ଟନାୟକଙ୍କ ଉଦ୍ୟମରେ ପ୍ରଥମେ ପୂଜା ଆରମ୍ଭ ହୋଇଥିଲା। ପ୍ରଜାମଣ୍ଡଳ ଆନ୍ଦୋଳନ ଯୋଗୁଁ କିଛି ବର୍ଷ ବନ୍ଦ ହୋଇ ୧୯୪୨ରୁ ନିରବଚ୍ଛିନ୍ନ ଭାବେ ୮୩ ବର୍ଷ ହେଲା ପୂଜା ହୋଇ ଆସୁଛି। ଚଳିତ ବର୍ଷ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତ୍ୟେକ କମିଟିକୁ ୫୦ ହଜାର ଟଙ୍କା ସହାୟତା।ଦିଆଯାଉଛି।

୪୩୦ ଗ୍ରାମ ବ୍ରାଉନସୁଗର୍ ଜବତ,ବେପାରୀ ଗିରଫ 

ଢେଙ୍କାନାଳ -ଗଣେଶ ପୂଜା ଭସାଣିରେ ଢେଙ୍କାନାଳ ସହର ଉତ୍ସବମୁଖର ହୋଇପଡ଼ିଥିବା ବେଳେ ଭଲ ବେପାରର ସୁଯୋଗ ନେଇଥିଲା ନିଶା ବେପାରୀ। ବ୍ରାଉନସୁଗର ମହଜୁଦ୍ ରଖିଥିବା ବେଳେ ମାଡ଼ି ବସିଲା ଅବକାରୀ ବିଭାଗ। ଗିରଫ ବେପାରୀ ଢେଙ୍କାନାଳ ଟାଉନ ଥାନା ଲକ୍ଷ୍ମୀବଜାରର ଅଞ୍ଜନ ମହାପାତ୍ର। ତା’ ନିକଟରୁ ୪୩୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଏଥିସହ ଏକ ସ୍କୁଟର ଓ ମୋବାଇଲ ଫୋନ୍ ଜବତ କରାଯାଇଛି। ଢେଙ୍କାନାଳ ସ‌ହରରେ ଦିନକୁ ଦିନ ନିଶା କାରବାର ବଢ଼ିବାରେ ଲାଗିଛି। ଲକ୍ଷ୍ମୀବଜାର ବ୍ରାଉନସୁଗର ବେପାରର ପେଣ୍ଠସ୍ଥଳ ପାଲଟିଛି। ସୋମବାର ଢେଙ୍କାନାଳ ସହରରେ ଗଣେଶ ଭସାଣି ଉତ୍ସବ ଥିଲା। ଏଥି ପାଇଁ ଭଲ ବେପାର ଲକ୍ଷ୍ୟରେ ଅଭିଯୁକ୍ତ ଅଞ୍ଜନ ବହୁ ପରିମାଣରେ ବ୍ରାଉନସୁଗର୍ ଆଣିଥିଲା। ମାତ୍ର ବେପାର ପୂର୍ବରୁ ଅବକାରୀ ବିଭାଗ ତାକୁ ଧରିବାରେ ସଫଳ ହୋଇଥିଲା।

ତପୋବନ ପୀଠରେ ନବାନ୍ନ ଉତ୍ସବ 

 ଢେଙ୍କାନାଳ -ମହିମାଗାମୀଙ୍କ ୨୪ ବର୍ଷ ଆତ୍ମଯୋଗ ସାଧନା ପୀଠ କପିଳାସ ମହିମା ତପୋବନ ପୀଠରେ ନବାନ୍ନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭୋର୍ ୫ଟାରୁ ମନ୍ଦିର ଶୁଦ୍ଧ ନିମିତ୍ତ ଗୋମୟ,ମିଶ୍ରିତ ଜଳ ସିଞ୍ଚନ ଚନ୍ଦନ ଓ କର୍ପୁର ମିଶ୍ରିତ କରାଯାଇ ପୀଠସ୍ଥିତ ଅଖଣ୍ଡଜ୍ୟୋତିରେ ଘୃତାହୁତି କରାଯାଇଥିଲା। ଏହାପରେ ମହାପ୍ରଭୁ ଶୂନ୍ୟବ୍ରହ୍ମଙ୍କ ଉଦ୍ଦେଶ୍ୟରେ ନୂଆ ଚୁଡ଼ାର ଅହ୍ମଣିଆ ପ୍ରସାଦ ତଥା ନବାନ୍ନ ପ୍ରସାଦ ଟେକାଯାଇଥିଲା। ଆସନ୍ତା ନଭେମ୍ବର ୨୦ ତାରିଖ ଶୁକ୍ରବାରରେ ଗୁରୁ ଶିଷ୍ୟଙ୍କ ଭେଟର ସ୍ମାରକୀ ଉପଲକ୍ଷେ ଆୟୋଜିତ ହେବାକୁ ଥିବା ବାର୍ଷିକ ମେଳାର ପ୍ରାଚାରପତ୍ର ଉନ୍ମୋଚନ ହୋଇଥିଲା। ତପୋବନ ମହିମା ପୀଠ ଟ୍ରଷ୍ଟ ବୋର୍ଡର ଅଧକ୍ଷ ଶ୍ରୀମଦ୍ ରଘୁନାଥ ବାବା,ଉପାଧ୍ଯକ୍ଷ ପ୍ରଦ୍ୟୁମ୍ନ ରଥ ଓ ସଂପାଦକ ପ୍ରଶାନ୍ତ ମହାପାତ୍ର ପ୍ରଚାରପତ୍ରକୁ ଉନ୍ନମୋଚନ କରିଥିଲେ। ଟ୍ରଷ୍ଟ ବୋର୍ଡର ଅଧ୍ଯକ୍ଷ ଶ୍ରୀମଦ୍ ରଘୁନାଥ ବାବା ମହିମାଧର୍ମର ନବାନ୍ନ ଉତ୍ସବର ମାହାତ୍ମ୍ୟ ଉପରେ ଆଲୋକପାତ କରିଥିଲେ। ଏହି ଦିନ ଶୂନ୍ୟପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଧାନରେ ପ୍ରସ୍ତୁତ ଚୁଡ଼ାକୁ ପଞ୍ଚାମୃତ ଓ ବିଭିନ୍ନ ଫଳ ସହ ମିଶ୍ରଣ କରାଯାଇ ପ୍ରଭୁଙ୍କୁ ସମର୍ପଣ କରାଯାଇଥାଏ। ଧରଣୀମାତାଙ୍କୁ ଶସ୍ୟଶାଳିନୀ କରିବା ପାଇଁ ପ୍ରାର୍ଥନା କରାଯାଇଥାଏ। ଜୀବଜଗତ ତିଷ୍ଠିବା ପାଇଁ ଅନ୍ନବ୍ରହ୍ମଙ୍କ ଏକାନ୍ତ ଆବଶ୍ୟକତା ଥିବାର ଶ୍ରୀମଦ୍ ରଘୁନାଥ ବାବା ବା ମତବ୍ୟକ୍ତ କରିଥିଲେ। ଅଣାକାର ଶୂନ୍ୟବ୍ରହ୍ମଙ୍କଠାରୁ ସମଗ୍ର ଉଦ୍ଭିଦ,ପ୍ରାଣୀ ଓ ଜୀବଜଗତ ସୃଷ୍ଟ ବୋଲି ତପୋବନ ଟ୍ରଷ୍ଟ ବୋର୍ଡର ଉପାଧ୍ୟକ୍ଷ ଶ୍ରୀ ରଥ କହିଥିଲେ। ମହିମାଧର୍ମ ଜଟିଳ କ୍ରିୟାକର୍ମ ଠୁ ଉର୍ଦ୍ଧ୍ବରେ ରହି ସରଳତା ଓ ନିରାଡ଼ମ୍ବରତାର ପ୍ରଚାର କରିଥାଏ ବୋଲି ଟ୍ରଷ୍ଟବୋର୍ଡର ସଂପାଦକ ଶ୍ରୀ ମହାପାତ୍ର କହିଥିଲେ। ଆସନ୍ତା ବାର୍ଷିକ ମେଳା ସମ୍ପାଦନ ପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଉତ୍ସବରେ ପରିବ୍ରାଜକ ମହିମା ସନ୍ୟାସୀ ଶେଷଦେବ ବାବା,କରୁଣାକର ବାବା,ଫକୀର ବାବା,ଜ୍ଞାନି ବାବା,ସନକ ବାବା,ଶ୍ରଦ୍ଧାକର ବାବା,କନ୍ଦର୍ପ ବାବା,ନିବାରଣ ବାବା,ନିରାକାର ବାବା ଓ ସଦାନନ୍ଦ ବାବା,ଶ୍ରଦ୍ଧାଳୁ ଅଶୋକ ପ୍ରଧାନ,ବାସୁଦେବ ଦେହୁରୀ,ଧର୍ମାନନ୍ଦ ପୃଷ୍ଟି,ପ୍ରଶାନ୍ତ ବେଉରା,ଗୋବିନ୍ଦ ବେହେରା ଓ ଶ୍ରୀକାନ୍ତ ଦେହୁରୀ ପ୍ରମୁଖ ବହୁ ସନ୍ୟାସୀ ଓ ଭକ୍ତ ଯୋଗ ଦେଇଥିଲେ। ନବାନ୍ନ ଉତ୍ସବର ପୂର୍ବ ରାତ୍ରିରୁ ପରଦିନ ସଂଧା ଯାଏଁ ବିଭିନ୍ନ ସ୍ଥାନରୁ ବହୁ ଭକ୍ତ ଓ ପର୍ଯ୍ୟଟକଙ୍କର ସମାଗମ ହୋଇଥିଲା।

୫୫ ନମ୍ବର ଜାତୀୟ ରାଜପଥ ଅବରୋଧ, କ୍ରସରରେ ମୃତ ଅପରେଟରଙ୍କ ପରିବାରକୁ କ୍ଷତିପୁରଣ ଦାବି

ଢେଙ୍କାନାଳ -ଢେଙ୍କାନାଳ ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥକୁ ମୂଳିସିଂହ ଏବଂ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ କ୍ଷତିପୁରଣ ଦାବିରେ ସଂପୂର୍ଣ୍ଣ ବନ୍ଦ କରି ଦିଆଯାଇଥିଲା । ଯାହାର ପ୍ରଭାବରେ କଟକ ଓ ଅନୁଗୋଳ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହାନ ଅଟକି ରହିଥିଲା । ସୂଚନା ମୁତାବକ ମୂଳିସିଂହ ଗ୍ରାମର ଯୁବକ ଯଦୁମଣୀ ପଟ୍ଟନାୟକ ମୋଟଙ୍ଗା ଥାନା ହିନ୍ଦୋଳ ରୋଡ ନିକଟରେ ଥିବା ଏକ କ୍ରସରରେ ଅପରେଟର ଭାବେ କାର୍ଯ୍ୟ କରନ୍ତି । ରବିବାର ଦିନ କାମ କରୁଥିବା ବେଳେ ମାତ୍ରାଧିକ ବିଦ୍ୟୁତ ଆଘାତରେ ତାଙ୍କର ମୃତ୍ୟୁ ହୋଇଥିଲା । କ୍ରସର ମାଲିକ ଏହାକୁ ଚପାଇ ଦେବା ପାଇଁ ପରିବାର ଲୋକଙ୍କୁ ମୃତ ଦେହ ବିଭିନ୍ନ ସ୍ଥାନରେ ଥିବା ମିଛି କହିଥିଲେ । ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜିବା ପରେ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ମୃତଦେହକୁ ଖୋଜି ପାଇଥିଲେ । ଏହାକୁ ନେଇ ଉତେଜନା ପ୍ରକାଶ ପାଇଥିଲା । ସୋମବାର ଦିନ ଶବ ବ୍ୟବଚ୍ଛେଦ ହୋଇ ଆସିବା ପରେ ଅଞ୍ଚଳବାସୀ ମୃତ ଦେହକୁ ରାଜପଥରେ ରଖି ରାସ୍ତାରୋକ କରିଥିଲେ । ସ୍ଥାନୀୟ ପୋଲିସ ତହସିଲଦାର ପ୍ରମୁଖ ଆସି ଲୋକମାନଙ୍କ ସହିତ ଆଲୋଚନା ଓ ବୁଝାସୁଝା କରିବା ପରେ ୧୦ଲକ୍ଷ ଟଙ୍କାର କ୍ଷତିପୁରଣର ପ୍ରତିସୃତି ତଥା ସେହିଠାରେ ୫ ଲକ୍ଷ ପ୍ରଦାନ ଓ ୧୦ ଦିନ ମଧ୍ୟରେ ଆଉ ୫ ଲକ୍ଷ ଦେବାର ପ୍ରତିଶୃତି ପରେ ରାସ୍ତାରୋକ ହଟିଥିଲା ।

ଭକ୍ତଙ୍କୁ ଦୁର୍ବ୍ୟବହାର ଓ ମାଡ଼, ଥାନା ରେ ଅଭିଯୋଗ 

ଢେଙ୍କାନାଳ- କପିଳାଶ ଦର୍ଶନ ସାରି ଫେରୁଥିବା ଭକ୍ତଙ୍କୁ ଦୁର୍ବ୍ୟବହାର ଓ ମାଡ଼ ଅଭିଯୋଗ । ଯୁବକ ଓ ଯୁବତୀଙ୍କ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ଗଁଦିଆ ଥାନାରେ ମାମଲା । ଘଟଣାରେ ୩ ଜଣଙ୍କୁ ଅଟକ ରଖିଛି ପୋଲିସ । ତଦନ୍ତ ଜାରି ରହିଛି । କପିଳାଶରୁ ଫେରୁଥିବା ସମୟରେ ଭକ୍ତଙ୍କୁ ଦୁର୍ବ୍ୟବହାର ଓ ମାଡ଼ ଅଭିଯୋଗ । ଗଁଦିଆ ଥାନା ଅଧୀନ ଭଣ୍ଡରଗଡ଼ା ଗାଁ ନିକଟରେ ଘଟିଥିବା ଏହି ଘଟଣାକୁ ନେଇ ଏବେ ପୋଲିସର କାର୍ଯ୍ୟାନୁଷ୍ଠାନ । ପୋଲିସର ସୂଚନା ଅନୁସାରେ, ସେପ୍ଟେମ୍ବର ୧୮ ତାରିଖରେ ଅଭିଯୋଗକାରୀ ଯୁବତୀ ତାଙ୍କ ସାଙ୍ଗମାନଙ୍କ ସହ କପିଳାଶରୁ ଫେରୁଥିଲେ । ଭଣ୍ଡରଗଡ଼ା ନିକଟରେ ସରୋଜ ନାୟକ, ସମୀର ନାୟକ ଓ ଅନ୍ୟମାନେ ନିଶାସକ୍ତ ଅବସ୍ଥାରେ ସେମାନଙ୍କୁ ଗାଳିଗୁଲଜ ଓ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ପରେ ସେତେବେଳେ ଘଟଣାର ସମାଧାନ ହୋଇଥିଲା । ତେବେ ପରେ ଅଭିଯୁକ୍ତମାନେ ପୁଣି ସେମାନଙ୍କ ରାସ୍ତା ଅଟକାଇ ଭିଡିଓ କରିଥିବା ଅଭିଯୋଗ । ଏହି ଭିଡିଓ ପରଦିନ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।ଘଟଣା ସମ୍ପର୍କରେ ଜାଣିବା ପରେ ଅଭିଯୋଗକାରୀ ଚୌଦ୍ୱାର ଥାନାରେ ଅଭିଯୋଗ କରିଥିଲେ । ସେଠାରୁ ଜିରୋ FIR ଗଁଦିଆ ଥାନାକୁ ଆସିବା ପରେ ମାମଲା ରୁଜୁ କରିଛି ପୋଲିସ ।ଏହି ଘଟଣାରେ ବାଣିଆ ଗାଁର ସରୋଜ ନାୟକ ଓ ସମୀର ନାୟକ, ଏବଂ ଗଁଦିଆ ଥାନା ଅଧୀନ ରାୟପୁର ଗାଁର ସଂଗ୍ରାମ ରଥ ଓରଫ ଦୁର୍ଗାଙ୍କୁ ପୋଲିସ ଧରିଛି । ଗଁଦିଆ ଥାନାରେ ବିଭିନ୍ନ ଧାରା ସହ ଆଟି ଧାରା ୬୭ରେ ମାମଲା ରୁଜୁ ହୋଇଛି । ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଭାଇରାଲ ଭିଡିଓ ଓ ଘଟଣା ସମ୍ପର୍କିତ ଅନ୍ୟ ତଥ୍ୟକୁ ନେଇ ପୋଲିସ ତଦନ୍ତ କରୁଛି ।

ବନ୍ୟଜନ୍ତୁ ଶିକାର ପାଇଁ ସୋଲାର ଫେନ୍ସିଂ ରେ ୧୧କେଭି ବିଦ୍ୟୁତ/ ଶୌଚ ହେବାକୁ ଯାଇ ବିଦ୍ୟୁତ, ଯୁବକ ମୃତ୍ୟୁ

ଢେଙ୍କାନାଳ-।ନାମକୁ ମାତ୍ର ବନ୍ୟ ଜନ୍ତୁଙ୍କ କବଳରୁ ଫସଲ ସୁରକ୍ଷା ଲକ୍ଷ କିନ୍ତୁ ବନ୍ୟଜନ୍ତୁ ଶିକାର । ଫଳରେ ସୋଲାର ଫେନ୍ସିଂ ରେ ୧୧କେଭି ବିଦ୍ୟୁତ କରେଣ୍ଟ ସଂଯୋଗ କରିଥିଲେ। ମାତ୍ର ବନ୍ୟଜନ୍ତୁ ବଦଳରେ ପଡିଗଲେ ଜଣେ ଯୁବକ । ଫଳରେ ବିଦ୍ୟୁତ କରେଣ୍ଟ ଯୋଗୁଁ ଉକ୍ତ ଯୁବକର ମୃତ୍ୟୁ ଘଟିଛି। ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଉଳପୁର ଗ୍ରାମରେ ଘତିଥିବା ଏହି ଅଘଟଣକୁ ନେଇ ସଦର ପୁଲିସ ଛାନ ଭିନ ଆରମ୍ଭ କରିଛି। ମୃତ ଯୁବକ ଉକ୍ତ ବଉଳପୁର ଗ୍ରାମର ୨୧ବର୍ଷୀୟ ବିଶ୍ୱଜିତ ମଲ୍ଲିକ ବୋଲି ଜଣାପଡିଛି। ଆଜି ସକାଳେ ବିଶ୍ୱଜିତ ଶୌଚ ହେବାକୁ ଯାଇଥିବାବେଳେ ଏହି ସୋଲାର ଫେନ୍ସିଂ ତାର ତାଙ୍କ ଦେହରେ ଲାଗିଥିଲା। ଫଳରେ ସେ ଗୁରୁତର ହୋଇଥିଲେ। ପରିବାର ଲୋକ ତାଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ବନ୍ୟଜନ୍ତୁ ଶିକାର ଆଳରେ ସୋଲାର ଫେନ୍ସିଂ ରେ ହେବି ବିଦ୍ୟୁତ କରେଣ୍ଟ ଚାର୍ଜ ଯୋଗୁଁ ମୃତ୍ୟୁ ଘଟିଥିବା ମୃତ ଯୁବକର ପରିବାର ଅଭିଯୋଗ ଉଠାଇଛନ୍ତି। ଏ ସମ୍ପର୍କରେ ସଦର ଥାନାରେ ଅଭିଯୋଗ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଚାକିରୀ ନାଁ ରେ ଚକ୍ରାନ୍ତ, ଘରକୁ ଯିବା ମନା, ଜଣକୁ ଆଣି ଦେଲେ ଜଣେ ଘରକୁ ଯିବ, ଝିଅକୁ ଖୋଜିଖୋଜି ବଲାଙ୍ଗୀରରୁ ଢେଙ୍କାନାଳରେ ପହଁଞ୍ଚିଲେ ବାପା 

ଢେଙ୍କାନାଳ -ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଉପରଝର ପଞ୍ଚାୟତ ରେଙ୍ଗାଲି ଗାଁ ର ସୁନ୍ଦରମଣି ନନ୍ଦଙ୍କ ଏକ ମାତ୍ର କନ୍ୟା ୧୮ ମାସରୁ ଉର୍ଦ୍ଧ୍ୱ ହେବ ଚାକିରୀ କରିବା ପାଇଁ ତାଙ୍କ ଗାଁ ପାଖର ଗୋଟିଏ ଝିଅ ସହିତ ଢେଙ୍କାନାଳ ଆସିଥିଲା। ଢେଙ୍କାନାଳରେ ସନସାଇନ୍ ଏସୋସିଏଟ ନାମକ ସଂସ୍ଥାରେ କାମ କରୁଥିବା ସେ ଘରକୁ ଜଣାଇଥିଲେ। ଏବେ ତାଲିମ ଚାଲିଛି, ତାଲିମ ପରେ ଦରମା ମିଳିବ। ତାଲିମ ପାଇଁ ୧୭,୦୦୦ ଟଙ୍କା ଆବଶ୍ୟକ ଯାହା ଯମା କଲେ ସଂସ୍ଥା ତାଲିମ ସହିତ ଏକ ଟ୍ରେନିଂ କିଟ ଦେଉଛି ବୋଲି ସେ ଘରକୁ ଜଣାଇଥିଲେ। ଝିଅକୁ ଟଙ୍କା ଦେବାପାଇଁ ସୁନ୍ଦରମଣି ଗ୍ରୁପରୁ ସୂଧକୁ ଆଣି ଟଙ୍କା ଦେଇଥିଲେ। ଢେଙ୍କାନାଳରେ ରହିବାର ଦେଢ଼ ବର୍ଷ ଉପରେ ହୋଇଥିଲେ ହେଁ ଝିଅ ନିଜ ଘରକୁ କେବେ ଯାଇ ନାହିଁ। ଗରିବ ଓ ଦଳିତ ଶ୍ରେଣୀର ହୋଇଥିବାରୁ ନିଜସ୍ୱ ଫୋନ ଟିଏ ନାହିଁ। ପ୍ରଥମେ ପ୍ରଥମେ ଘରକୁ ଅନ୍ୟ ସାଥି ମାନଙ୍କ ଫୋନରୁ ଯୋଗାଯୋଗ କରୁଥିବା ବେଳେ ପ୍ରାୟ ୬ ମାସ ହେଲା ଘରକୁ ଫୋନ କରୁ ନଥିଲା ବା ଘରୁ ଫୋନ କରିଲେ ଉଠାଉ ନଥିବାରୁ ପରିବାର ଲୋକ ଚିନ୍ତାରେ ଥିଲେ । ପରିବାର ଲୋକ କହିବା ଅନୁସାରେ ବାରମ୍ବାର ଗତ ଦେଢ଼ରୁ ଦୁଇ ବର୍ଷ ମଧ୍ୟରେ ୭୦ ହଜାର ଟଙ୍କା ଝିଅକୁ ପଠାଇଛନ୍ତି ବାପା କିନ୍ତୁ ଝିଅ ଘରକୁ ଟଙ୍କାଟିଏ ପଠାଇ ନାହିଁ। ଝିଅ କାମ କରୁଥିବା ସନସାଇନ୍ ଆସୋସିଏଟ ସଂସ୍ଥାରେ ପଶ୍ଚିମ ଓଡ଼ିଶାର ହଜାର ହଜାର ଗରିବ ଦଳିତ ଆଦିବାସୀ ଝିଅ ଓ ପୁଅ କାମ କରୁଛନ୍ତି। ଜଣକୁ ଆଣି ଦେଲେ ଅନ୍ୟ ଜଣେ ଘରକୁ ଯିବା ଆଇନରେ ଏହି ସଂସ୍ଥା। ସେମାନଙ୍କୁ ଘରକୁ ଯିବାକୁ ଦିଆଯାଉ ନାହିଁ। ଗୋଟିଏ ବୋଲି ଝିଅକୁ ମାଆ ଦେଖି ନପାରି ଅତ୍ୟନ୍ତ ଦୁଃଖ ଏବଂ ମର୍ମାହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। କିଛି ଉପାୟ ନପାଇ ସୁନ୍ଦରମଣି ୧୦ କିମି ପାଦରେ ଚାଲି ଆମ୍ ଆଦମୀ ପାର୍ଟି ବଲାଙ୍ଗୀର ଜିଲ୍ଲା ସଭାପତି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେଙ୍କ ସହିତ ସାକ୍ଷାତ କରି ତାଙ୍କର ସମସ୍ୟା ବିଷୟରେ କହିଥିଲେ। ଶ୍ରୀ ପାଣ୍ଡେ ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ଜିଲ୍ଲା ସଭାପତି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ପଙ୍କଜ ନାୟକ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରାଙ୍କ ସହିତ ଘଟଣା ବିଷୟରେ ଆଲୋଚନା କରିଥିଲେ । ଶେଷରେ ଆପ୍ ର ଏକ ପ୍ରତିନିଧି ଦଳ ଢେଙ୍କାନାଳସ୍ଥ ଆନନ୍ଦନଗର ଠାରେ ଝିଅ ରହୁଥିବା ଥିବା ଘର ଠାବ କରିଥିଲେ। ସେଠାରେ ପହଂଚି ଖୋଳତାଡ କରିଥିଲେ ଏବଂ ସେ ଝିଅ ସହିତ ତାଙ୍କ ବାପାଙ୍କୁ କଥାବାର୍ତ୍ତା କରାଇଥିଲେ। ସେହି ହଷ୍ଟେଲରେ ବଲାଙ୍ଗୀରର ପ୍ରାୟ ୨୫ ଜଣ ଝିଅ ରହୁଛନ୍ତି। ସେମାନଙ୍କ ନିଯୁକ୍ତି, ଦରମା, ଏବଂ ଚାକିରୀ ସମ୍ପର୍କରେ ପଚାରିବାରୁ ସେମାନେ କିଛି ଠୋସ ଉତ୍ତର ଦେଇପାରୁନାହାନ୍ତି। କିନ୍ତୁ କିଛି ଦିନ ଭିତରେ ସେ ଝିଅ ଘରକୁ ଯିବ ବୋଲି ପ୍ରତିସୃତି ଦେଇଥିଲା। ଜିଲ୍ଲାରେ ଏହିପରି ହଜାର ହଜାର ସଂଖ୍ୟାରେ ଯୁବକଯୁବତୀ ସକାଳୁ ସକାଳୁ ଡ଼ାଇରୀ ଖଣ୍ଡେ ଖଣ୍ଡେ ଧରି ଲମ୍ବା ଧାଡିରେ ବୁଲୁଛନ୍ତି। ସ୍ଥାନୀୟ ଲୋକଙ୍କ ମନରେ ବିଭିନ୍ନ ପ୍ରକାର ସନ୍ଦେହ ଉପୁଜୁଛି। ଏହି ପିଲାମାନଙ୍କର ଏବଂ ଏପରି ସଂସ୍ଥା ବିଷୟରେ ସ୍ଥାନୀୟ ପୋଲିସ ଏବଂ ଗୁଇନ୍ଦା ବିଭାଗ ତଦନ୍ତ କରିବାପାଇଁ ଆମ୍ ଆଦମୀ ପାର୍ଟି ଜିଲ୍ଲା ସଭାପତି ପଙ୍କଜ ନାୟକ ଦାବି କରିଛନ୍ତି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

କୋଣାର୍କ ସ୍ପିନିଂ ମିଲ୍ ପୁନରୁଦ୍ଧାର ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ତ ହେଲା ସାଇନିଂ କଳାହାଣ୍ଡି

Sunil Chandra Nayak

ବିଷାକ୍ତ ସାପ କାମୁଡ଼ିବାରୁ ସିନାମାଳ ଗ୍ରାମର ନାବାଳିକା ଗୁରୁତର

Sunil Chandra Nayak

ନବରଙ୍ଗପୁର ଜିଲ୍ଲା ଓ.ୟୁ.ଡବ୍ଲ୍ୟୁ.ଜେ ସାମ୍ବାଦିକ ସଂଘ ର ବାର୍ଷିକ ଉତ୍ସବ ପାଇଁ ପାପଡାହାଣ୍ଡି ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!