ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଜଙ୍ଗଲରୁ ୧୫ ଶାଳଗଣ୍ଡି ବୋଝେଇ ପିକ୍‌ଅପ୍ ଭ୍ୟାନ୍ ଜବତ, ୨- ଶିଶୁ ବିକାଶ ପ୍ରକଳ୍ପ ରେ ବ୍ୟାପକ ଅନିୟମିତତା , ୩-ବିନା ମେଟ୍ରାନ ରେ ଆବାସିକ ସେବାଶ୍ରମ ଛାତ୍ରୀ ନିବାସ, ୪- ୮ ମାସ ଧରି ଭତ୍ତାରୁ ବଞ୍ଚିତ ବିଧବା ଜାନକୀ , ୫-ଗୋବିନ୍ଦେଇ ସାହିରେ ଲଗାଣ ବର୍ଷାରେ କୂଅ ଭୁଶୁଡ଼ି ପଡ଼ିବାରୁ ମରାମତି ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ, ୬- ବନବିଭାଗ ଦ୍ବାରା ବୋଡ଼ା ସାପ ଉଦ୍ଧାର, ୭- ଭାଙ୍ଗି ଗଲାଣି ରେଳ ଓଭର ବ୍ରିଜ,ହେଉନି ମରାମତି, ୮- ପୁରୁଣା କଟକ ସମ୍ବଲପୁର ରାସ୍ତାର ଅବସ୍ଥା ଶୋଚନୀୟ, ୯- ଅନ୍ଧାରରେ ୪୦ ଗାଁ ଢେଙ୍କାନାଳରେ ବିଦ୍ୟୁତ ସେବା ବିପର୍ଯ୍ୟସ୍ତ , ୧୦- ନିଷ୍କାସନ ହୋଇପାରୁନି ବର୍ଷାଜଳ ଜାତୀୟ ରାଜପଥରେ ଜମୁଛି ପାଣି, ୧୧-ଜିଲ୍ଲା ସ୍ତରୀୟ ଶ୍ରମ ପର୍ଯ୍ୟବେକ୍ଷଣ ସମିତି ବୈଠକ, ୧୨- କନ୍ତାରିପାଟ ଗାଁ ନିକଟରେ ଟ୍ରେନ୍ ଧକ୍କାରେ ୧୩ ଗୋରୁ ମୃତ, ୧୫ରୁ ଉର୍ଦ୍ଧ୍ୱ ଆହତ ,୧୩- ଦନ୍ତା ହାତୀର ମୃତ୍ୟୁ ଦେହ ଉଦ୍ଧାର,କେନାଲରେ ପଡି ମୃତ 

ଜଙ୍ଗଲରୁ ୧୫ ଶାଳଗଣ୍ଡି ବୋଝେଇ ପିକ୍‌ଅପ୍ ଭ୍ୟାନ୍ ଜବତ

ଢେଙ୍କାନାଳ – ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଖଜୁରିଆକଟା ସେକ୍ସନ ତଣ୍ଟିଚିରା ଗ୍ରାମ୍ୟ ଜଙ୍ଗଲ ବନବିଭାଗ ଓ ହିନ୍ଦୋଳ ପୋଲିସ ୧୫ଟି ଶାଳଗଣ୍ଡି ବୋଝେଇ ପିକ୍‌ଅପ୍ ଜବତ କରିଛି। ଜବତ ଗାଡିର ନମ୍ବର ଓଡି-୦୫-ଏଡବ୍ଧ -ଏଡବ୍ଲ୍ୟୁ-୫୩୫୧ । ତଣ୍ଟିଚିରା ସଂଲଗ୍ନ ଶାଳ ଜଙ୍ଗଲରୁ ଅବାଧ ଗଛ କାଟି କାଠ ଚୋରାଚାଲାଣ ହେଉଥିବା ନେଇ ବନବିଭାଗ ଓ ପୋଲିସକୁ ସୂଚନା ମିଳିଥିଲା। ଗୁରୁବାର ବିଳମ୍ବିତ ରାତିରେ ଖଜୁରିଆକଟା ସେକ୍ସନ ବନବିଭାଗ ହିନ୍ଦୋଳ ଥାନା ପୋଲିସ ସହାୟତାରେ ଜଙ୍ଗଲରେ ଚଢ଼ାଉ କରିଥିଲା। ଚଢ଼ାଉ ଜାଣି ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ବେଳେ ଶାଳଗଣ୍ଡି ବୋଝେଇ ଭ୍ୟାନ୍‌ଟି ଜବତ ହୋଇଥିଲା। ଏନେଇ ବନବିଭାଗ ପକ୍ଷରୁ ମାମଲା ରୁଜୁ କରାଯାଇ ଭ୍ୟାନ୍‌ଟିକୁ ବିଭାଗୀୟ କାର୍ଯ୍ୟାଳୟରେ ରଖାଯାଇଛି। କାଠ ଚୋରିରେ ସମ୍ପୃକ୍ତଙ୍କୁ ଧରିବା ପାଇଁ ବନବିଭାଗ ଓ ପୋଲିସର ମିଳିତ ତଦନ୍ତ ଜାରି ରହିଛି।

ଶିଶୁ ବିକାଶ ପ୍ରକଳ୍ପ ରେ ବ୍ୟାପକ ଅନିୟମିତତା 

କାମାକ୍ଷାନଗର- କାମାକ୍ଷାନଗର ବ୍ଲକରେ ଶିଶୁ ବିକାଶ ପ୍ରକଳ୍ପ ଅଧୀନରେ ଥିବା ଅଙ୍ଗନାୱାଡି କେନ୍ଦ୍ର ରେ ବ୍ୟାପକ ଅନିୟମିତତା ହେଉ ଥିବାର ଅଭିଯୋଗ ହେଉଛି l ଶିଶୁ ମାନଙ୍କର ବିକାଶ ସକାଶେ ଅଙ୍ଗନୱାଡି କେନ୍ଦ୍ର ଖୋଲାଯାଇଛି l କେନ୍ଦ୍ରରେ ଶିଶୁ ମାନଙ୍କୁ ଉର୍ନ୍ନତ ମାନର ଖାଦ୍ୟ ଯୋଗାଇବାର ବ୍ୟବସ୍ଥା କରାଯାଇଛି l କେବଳ ଶିଶୁ ନୁହେଁ ଗର୍ଭବତୀ ମା ମାନଙ୍କୁ ମଧ୍ୟ ଖାଦ୍ୟ ଯୋଗାଇବାର ଦାୟିତ୍ୱ ଅଙ୍ଗନୱାଡି କେନ୍ଦ୍ରର l କିନ୍ତୁ କେନ୍ଦ୍ର କୁ ତଦାରଖ କରିବା ସକାଶେ ସୁପରଭାଇଜର ସୁପରଭାଇଜରକୁ ତଦାରଖ କରିବାକୁ ବ୍ଲକର ଶିଶୁ ପ୍ରକଳ୍ପ ଅଧିକାରୀ ନିୟୋଜିତ ରହିଛନ୍ତି l ହେଲେ ବ୍ଲକ ର ପ୍ରକଳ୍ପ ଅଧିକାରୀ ଏହି ବ୍ଲକରେ ୫ ବର୍ଷରୁ ଉର୍ଦ୍ଧ ରହି ବହୁ ଅନିୟମିତତାରେ ସଂପୃକ୍ତ ରହିଥିବାର ଅଭିଯୋଗ ହୋଇଆସୁଛି l ପ୍ରକଳ୍ପ ଅଧିକାରୀ ବିଭିର୍ନ୍ନ ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ହେଉଥିବା ଅନିୟମିତତା ଉପରେ କୌଣସି ଅଙ୍କୁଶ ଲଗାଉ ନଥିବା କିମ୍ବା ତଦାରଖ କରୁ ନଥିବାରୁ ବ୍ଲକର କେତେକ ଅଙ୍ଗନୱାଡି କେନ୍ଦ୍ର ଦାୟିତ୍ୱରେ ରହୁଥିବା ଅଙ୍ଗନୱାଡି କର୍ମୀ ମାନଙ୍କର ସ୍ୱାର୍ଥ ପ୍ରଣୋଦିତ ଭାବେ କାର୍ଯ୍ୟ କରୁଥିବାର ଅଭିଯୋଗ ହେଉଛି l ଏହି ସବୁ ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ସରକାରଙ୍କ ଯୋଜନା ରେ ବ୍ୟାପକ ବାଟ ମରଣା ହେଉଛି l ବ୍ଲକରେ ଶିଶୁ ବିକାଶ ଅଧିକାରିଣୀ ଦୀର୍ଘ ବର୍ଷ ଧରି ଏଠାରେ ଅବସ୍ଥାପିତ ଥିବାରୁ କେନ୍ଦ୍ର ପ୍ରତି କୌଣସି ଦୃଷ୍ଟି ଦେଉନଥିବା ସହିତ ସୁପରଭାଇଜର ମାନେ ମଧ୍ୟ ସଠିକ ଭାବେ ତଦାରଖ କରୁନଥିବାର ଅଭିଯୋଗ ହେଉଛି l ଏପରିକି କେନ୍ଦ୍ର ଗୁଡିକରେ ଶିଶୁ ଓ ମା କୁ ସଠିକ ଭାବେ ଅଣ୍ଡା, ଛତୁଆ ଆଦି ଖାଦ୍ୟ ଦେଉ ନଥିବାର ବାରମ୍ବାର ଅଭିଯୋଗ ହୋଇ ଆସୁଥିବା ବେଳେ ନୀରବଦ୍ରଷ୍ଟା ସାଜିଛନ୍ତି ପ୍ରକଳ୍ପ ଅଧିକାରିଣୀ l ଏହି ଖାଦ୍ୟ ବଣ୍ଟନ ପ୍ରତି ଗୁରୁତ୍ୱ ନଦେଇ ମିନି ଅଙ୍ଗନୱାଡି କେନ୍ଦ୍ରରେ ନୂତନ କର୍ମୀ ନିଯୁକ୍ତି ରେ ବ୍ୟାପକ ଅନିୟମିତତା କରିଥିବାର ଅଭିଯୋଗ ହେଉଛି l ଦୀର୍ଘ ବର୍ଷ ଧରି ଗୋଟିଏ ସ୍ଥାନରେ ରହି ଆସିଥିବାରୁ ସବୁ ଅନିୟମିତତା କରିବାରେ ସିଦ୍ଧହସ୍ତ l ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ତ୍ୱରିତ ପଦକ୍ଷେପ ନେବା ସକାଶେ ସଂପୃକ୍ତ କେନ୍ଦ୍ର ର ଅଭିଭାବକ ମହଲରେ ଦାବି ହେଉଛି।

ବିନା ମେଟ୍ରାନ ରେ ଆବାସିକ ସେବାଶ୍ରମ ଛାତ୍ରୀ ନିବାସ

କାମାକ୍ଷାନଗର- କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କାନପୁରା ପଞ୍ଚାୟତର ଯନ୍ତାରିବୋଲ ସ୍ଥିତ ଆଦିବାସୀ ଆବାସିକ ସେବାଶ୍ରମ ଛାତ୍ରୀ ନିବାସରେ ଦୀର୍ଘ ଦିନ ଧରି ବିନା ମେଟ୍ରନ ରେ ଚାଲିଥିବାର ଅଭିଯୋଗ ହୋଇଛି l ଯନ୍ତାରିବୋଲ ସେବାଶ୍ରମ ବିଦ୍ୟାଳୟର ଆବାସିକ ଛାତ୍ରୀ ନିବାସରେ ଶିଶୁ ବାଟିକା ରୁ ସପ୍ତମ ପର୍ଯ୍ୟନ୍ତ ଛାତ୍ରୀ ରହୁଛନ୍ତି l ଛାତ୍ରୀମାନେ ଆବାସିକ ଛାତ୍ରୀ ନିବାସରେ ରହୁଥିବା ବେଳେ ଗତ ଜୁନ ମାସରୁ ଏହି ଆବାସିକ ଛାତ୍ରୀ ନିବାସ ରେ ମେଟ୍ରନ ରହୁ ନଥିବାର ଜଣାଯାଇଛି l ବିଦ୍ୟାଳୟରେ ଜଣେ ମାତ୍ର ଶିକ୍ଷୟତ୍ରୀ ରହିଥିବା ବେଳେ ଆବାସିକ ଛାତ୍ରୀ ନିବାସ ରୁ ଦୁରେଇ ରଖିବା କେତେଦୂର ଯଥାର୍ଥ ତାହା ସାଧାରଣରେ ଆଲୋଚ୍ୟ ର ବିଷୟ ହୋଇଛି l ଆବାସିକ ଛାତ୍ରୀ ନିବାସରେ ଅପରାହ୍ନ ୪ ଟାରୁ ପୂର୍ବାହ୍ନ ଦଶ ଟା ମଧ୍ୟରେ ଛାତ୍ରୀ ମାନଙ୍କର କେତେବେଳେ କଣ ହେବ ସେଥିପାଇଁ ଦାୟିତ୍ୱ କାହାର ବୋଲି ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l ଗତ ଜୁନ ମାସରୁ ଏଠାରେ ଥିବା ମେଟ୍ରନଙ୍କୁ ବିଭିର୍ନ୍ନ୍ନ ଆଳ ଦେଖାଇ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ପରଠାରୁ ଏଠାରେ କାହାକୁ ଆବସ୍ଥାପିତ କରାଯାଇନାହିଁ l ବିଭାଗୀୟ ଜିଲା କର୍ତ୍ତ୍ତୃପକ୍ଷ ଏଥିପ୍ରତି କୌଣସି ପଦକ୍ଷେପ ନେଉ ନଥିବାରୁ ସାଧରଣରେ ବିସ୍ମୟ ପ୍ରକାଶ ପାଇଛି l ଜିଲାପାଳ ଏଥିପ୍ରତି ଗୁରୁତ୍ୱ ଦେଇ ଜଣେ ମେଟ୍ରନଙ୍କୁ ତୁରନ୍ତ ଏଠାରେ ନିଯୁକ୍ତ କରାଯିବା ସକାଶେ ଅଭିଭାବକ ଓ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଇଛି।

୮ ମାସ ଧରି ଭତ୍ତାରୁ ବଞ୍ଚିତ ବିଧବା ଜାନକୀ 

କାମାକ୍ଷାନଗର – କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ବରୁଆଁ ଗ୍ରାମ ର ଜଣେ ନିରାଶ୍ରୟ ବିଧବା ଜାନକୀ ପଧାନ ଦୀର୍ଘ ୮ ମାସ ଧରି ଭତ୍ତାରୁ ବଞ୍ଚିତ ରହିଥିବାର ଜଣାଯାଇଛି l ବାରୁଆଁ ଗ୍ରାମ ଶବର ବସ୍ତି ର ଅଶୀ ବର୍ଷ ର ବିଧବା ଜାନକୀ ଦୀର୍ଘ ୮ ମାସ ଧରି ଭତ୍ତା ରୁ ବଞ୍ଚିତ ହୋଇ ବାର ଦୁଆର ବୁଲି ଖତ ଗୋଟାଇ ନିଜ ପେଟ ପୋଷିବାକୁ ଏବେ ଅକ୍ଷମ l ଭତ୍ତା ଦୀର୍ଘ ୮ ମାସ ଧରି ପାଉ ନଥିବାରୁ ବ୍ୟାଙ୍କ ଓ ବ୍ଲକ କୁ ଧାଇଁ ଧାଇଁ ଅଣାୟତ୍ତ ହୋଇ ପଡିଲେଣି ଜାନକୀ l ଜିଲା ପ୍ରଶାସନ ପକ୍ଷରୁ ଏଥିପ୍ରତି ଗୁରୁତ୍ୱ ଦେଇ ନିରାଶ୍ରୟା ଜାନକୀଙ୍କ ଭତ୍ତା କରାଇଦେବା ସକାଶେ ଜାନକୀ ଆକୁଳ ନିବେଦନ କରିଛନ୍ତି l

ଗୋବିନ୍ଦେଇ ସାହିରେ ଲଗାଣ ବର୍ଷାରେ କୂଅ ଭୁଶୁଡ଼ି ପଡ଼ିବାରୁ ମରାମତି ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ

ଢେଙ୍କାନାଳ – ଲଗାଣ ବର୍ଷା ଯୋଗୁଁ ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଭାପୁର ଗ୍ରାମପଞ୍ଚାୟତ ଗୋବିନ୍ଦେଇ ସାହିରେ ଏକ କୂଅ ଭୁଶୁଡ଼ି ପଡ଼ିଛି। ଫଳରେ ସାହିର ଲୋକମାନେ ପାନୀୟ ଜଳ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସୂଚନା ଅନୁଯାୟୀ,ଗତ କିଛି ଦିନ ହେବ ଲଗାଣ ବର୍ଷା ଜାରି ରହିଛି। ଏହି ବର୍ଷା ଯୋଗୁଁ ଗୋବିନ୍ଦେଇ ସାହିର ପୁରୁଣା କୂଅଟି ହଠାତ୍ ଭୁଶୁଡ଼ି ପଡ଼ିଛି। ଏହି କୂଅ ଉପରେ ସାହିର ପ୍ରାୟ ୪୦ରୁ ଅଧିକ ପରିବାର ନିର୍ଭର କରୁଥିଲେ। କୂଅ ଭୁଶୁଡ଼ିବା ପରେ ଲୋକେ ବାଧ୍ୟ ହୋଇ ବହୁ ଦୂରରୁ ପାଣି ଆଣିବାକୁ ପଡୁଛି। ଏନେଇ ସ୍ଥାନୀୟ ସମାଜସେବୀ ଇଂ ଶୁଭ ପ୍ରସାଦ ପଣ୍ଡା ଓ ଗୋବିନ୍ଦେଇ ସାହି ବାସିନ୍ଦା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ଓ ଶୀଘ୍ର କୂଅ ମରାମତି ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି। ଯଦି ତୁରନ୍ତ ମରାମତି କରା ନ ଯାଏ,ତେବେ ସ୍ଥିତି ଆହୁରି ଗମ୍ଭୀର ହେବ ବୋଲି ସାହିବାସିନ୍ଦା କହିଛନ୍ତି।

ବନବିଭାଗ ଦ୍ବାରା ବୋଡ଼ା ସାପ ଉଦ୍ଧାର

କାମାକ୍ଷାନଗର – ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅଧିନସ୍ଥ ମୁକ୍ତାପଶି ବନପାଳ ଅଞ୍ଚଳ ମୁକ୍ତାପଶି ନିକଟ ୫୩ନଂ ଜାତୀୟ ରାଜପଥ ପୋଲ ତଳ ନାଳକୂଳରୁ ଏକ ବାଉଁଶ ବୋଦା ଉପରୁ ପ୍ରାୟ ୬ ଫୁଟରୁ ଉର୍ଦ୍ଧ ଏକ ବୁଡ଼ା (ଇଣ୍ଡିଆନ ପାଇଥାନ) ସାପ ଶନିବାର ଦିନ ବନ ବିଭାଗ ଦ୍ଵାରା ଉଦ୍ଧାର କରାଯାଇଛି। ସାପଟି ବାଉଁଶ ବୁଦା ଉପରେ ଥିବା ବେଳେ,କେହି ସ୍ଥାନୀୟ ଲୋକ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ହେଲେ ତୁରନ୍ତ ବନପାଳ କଳ୍ପନା ବେହେରା କାମାକ୍ଷାନଗର ସାପ ଉଦ୍ଧାର ଟିମକୁ ଡାକି ଥିବା ବେଳେ,ଉଦ୍ଧାର ଟିମ କୌଶଳ କ୍ରମେ ସାପଟିକୁ ଉପରୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରିଥିଲେ। ବନାଞ୍ଚଳ ଅଧିକାରୀ କୈଳାସ ଚନ୍ଦ୍ର ସାହୁଙ୍କ ନିର୍ଦ୍ଧେଶ କ୍ରମେ ସାପଟିକୁ ଅନନ୍ତପୁର ରାଇଘଟି ଜଙ୍ଗଲରେ ସୁସ୍ଥ ଅବସ୍ଥାରେ ଛାଡ଼ିଥିବା ସୂଚନା ମିଳିଛି।

ଭାଙ୍ଗି ଗଲାଣି ରେଳ ଓଭର ବ୍ରିଜ,ହେଉନି ମରାମତି

ଢେଙ୍କାନାଳ -। କାମାକ୍ଷାନଗର ରାସ୍ତାର ଗେଙ୍ଗୁଟିଆ ପଞ୍ଚାୟତ ରଣପଶି ନିକଟରେ ଥିବା ରେଳ ଓଭର ବ୍ରିଜଟି ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଅସୁରକ୍ଷିତ ହୋଇପଡ଼ିଛି। ସେତୁର ବିଭିନ୍ନ ଜାଗାରେ କଂକ୍ରିଟ ସଂଯୋଗଗୁଡିକ ଭାଙ୍ଗି ପଡ଼ିବା ସହ ସେତୁ ସାରା ଖାଲଖମା ହୋଇପଡ଼ିଛି। ସେହିବାଟ ଦେଇ ଅହରହ ବିଭିନ୍ନ ଗାଡିମଟର ଓ ଭାରୀଯାନଗୁଡିକ ଯିବା ଆସିବା କରିବା ଦ୍ବାରା ତାହା ଅଧିକ ନଷ୍ଟ ହେଉଥିବା ବେଳେ ନିୟମିତ ମରାମତି କି ରକ୍ଷଣାବେକ୍ଷଣ କରାଯାଉ ନଥିବା ନେଇ ଯାତ୍ରୀ ଅସନ୍ତୋଷ ଦେଖାଦେଇଛି। ସ୍ଥାନୀୟ ଅଞ୍ଚଳରେ ଅଭିଯୋଗ ହେଉଛି ଏସବୁ ପ୍ରତି କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି କରାଯାଉଛି।

ପୁରୁଣା କଟକ ସମ୍ବଲପୁର ରାସ୍ତାର ଅବସ୍ଥା ଶୋଚନୀୟ 

ଢେଙ୍କାନାଳ – ଢ଼େଙ୍କାନାଳ ଜିଲ୍ଲା ସଦର ପୁରୁଣା କଟକ ସମ୍ବଲପୁର ରାସ୍ତାର ଅବସ୍ଥା ଶୋଚନୀୟ,ଆଠଗଡ଼ ଠାରୁ ଭାପୁର ଛଦେଶ ଅଞ୍ଚଳ ଦେଇ ମଇଧରପୁରକୁ ସଂଯୋଗ କରୁଥିବା ରାସ୍ତାର ଶୋଚନୀୟ ଅବସ୍ଥା ଏବେ ଅଞ୍ଚଳବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ରାସ୍ତାର ଦୂରବସ୍ଥା ଯୋଗୁଁ ଦୈନନ୍ଦିନ ଯାତାୟାତରେ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗ୍ରାମାଞ୍ଚଳର ଯୋଗାଯୋଗ ବ୍ୟବସ୍ଥାରେ ରାସ୍ତାର ଗୁରୁତ୍ଵ ଅତ୍ୟନ୍ତ ଅଧିକ। ହେଲେ ପୁରୁଣା କଟକ ସମ୍ବଲପୁର ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ରାସ୍ତାର ଏଭଳି ଦୁରବସ୍ଥା ଯୋଗୁଁ ଏହି ରାସ୍ତାରେ ଯାତାୟାତ କରିବା କଷ୍ଟକର ହୋଇପଡ଼ିଛି। ବିଶେଷକରି ଜରୁରୀକାଳୀନ ସେବା,ରୋଗୀଙ୍କୁ ହସ୍ପିଟାଲ ନେବା,ଛାତ୍ରଛାତ୍ରୀଙ୍କ ଯାତାୟାତ ଓ ଦୈନନ୍ଦିନ ଆବଶ୍ୟକ‌ତା ପାଇଁ ଏହି ରାସ୍ତା ଉପରେ ନିର୍ଭରଶୀଳ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ସରକାର ଗ୍ରାମାଞ୍ଚଳର ବିକାଶ ସହ ଉତ୍ତମ ଯୋଗାଯୋଗ ବ୍ୟବସ୍ଥା ପାଇଁ ବିଭିନ୍ନ ଯୋଜନା ହାତକୁ ନେଉଥିବା ବେଳେ ଏହି ରାସ୍ତାର ଅବସ୍ଥା କେବେ ସୁଧୁରିବ,ତାହାକୁ ନେଇ ଅଞ୍ଚଳବାସୀଙ୍କ ମନରେ ପ୍ରଶ୍ନ ଉଠୁଛି। ପୁରୁଣା କଟକ ସମ୍ବଲପୁର ରାସ୍ତାର ପ୍ରଶସ୍ତିକରଣ ସହ ଉନ୍ନତିକରଣ କରାଗଲେ ଅଞ୍ଚଳବାସୀଙ୍କ ଯାତାୟାତ ସୁବିଧା ବୃଦ୍ଧି ପାଇବ । ଏନେଇ ଜନସାଧାରଣଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ ଓ ଦାବି ହୋଇଆସୁଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିବା ଅଭିଯୋଗ ହେଉଛି। ତେବେ ପ୍ରଶ୍ନ ଉଠୁଛି। ରାଜ୍ୟ ସରକାର କେବେ ଏହି ରାସ୍ତା ପ୍ରତି ଦୃଷ୍ଟି ଦେବ ? କେବେ ହେବ ରାସ୍ତାର ପ୍ରଶସ୍ତିକରଣ ଓ ଉନ୍ନତିକରଣ ? ଏଣୁ ସମ୍ପୃକ୍ତ ବିଭାଗ ଓ ପ୍ରଶାସନ ତୁରନ୍ତ ରାସ୍ତାର ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକ ମରାମତି ସହ ପ୍ରଶସ୍ତି କରଣ ଓ ଉନ୍ନତିକରଣ ଦିଗରେ ପଦକ୍ଷେପ ନେବାକୁ ଛଦେଶ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି। ଲୋକଙ୍କ ଯାତାୟାତ ସମସ୍ୟାର ସମାଧାନ କରି ଏକ ସୁଗମ ଓ ସୁରକ୍ଷିତ ରାସ୍ତା ଯୋଗାଇଦେବା ଏବେ ସମୟର ଆହ୍ୱାନ। ଖବର ପ୍ରସାରଣ ପରେ ପ୍ରଶାସନର ଦୃଷ୍ଟି ଏହି ରାସ୍ତା ଉପରେ ପଡ଼ୁଛି କି ନାହିଁ ଏବଂ ସମସ୍ୟାର ସମାଧାନ କେବେ ହେଉଛି ତାହାକୁ ଅପେକ୍ଷା କରିଛନ୍ତି ଭାପୁର ଛଦେଶ ଅଞ୍ଚଳବାସୀ।

 ଅନ୍ଧାରରେ ୪୦ ଗାଁ ଢେଙ୍କାନାଳରେ ବିଦ୍ୟୁତ ସେବା ବିପର୍ଯ୍ୟସ୍ତ 

ଢେଙ୍କାନାଳ -ଦିନକୁ ଦିନ ଢେଙ୍କାନାଳରେ ବିଦ୍ୟୁତ୍ ସେବା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ବାରମ୍ବାର ବିଦ୍ୟୁତ୍ କାଟ୍ ଲୋକଙ୍କୁ କଲବଲ୍,ଅତିଷ୍ଠ କଲାଣି। ଗ୍ରାମଞ୍ଚଳ ଅବସ୍ଥା ଆହୁରି ସଙ୍ଗିନ୍ ୩ ଦିନ ହେଲା ଭାପୁର ସେକ୍ସନର ଭାପୁର ଛଦେଶ ଅଞ୍ଚଳ ତଥା ୧୨ ପଞ୍ଚାୟତରେ ବିଜୁଳି ନାହିଁ। ପ୍ରାୟ ୪୦ ଖଣ୍ଡଗାଁର ଗ୍ରାମବାସୀ ପ୍ରଭାବିତ ହୋଇଛନ୍ତି। ବିନା ବିଜୁଳିରେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ବିଦ୍ୟୁତ୍ ବିଭାଗର ଅବହେଳା ଓ ଖାମଖିଆଲି କାର୍ଯ୍ୟରୁ ଭାପୁର ଛଦେଶ ଅଞ୍ଚଳବାସୀ ଦୁର୍ଦ୍ଦଶା ଭୋଗୁଛନ୍ତି। ଯାହାକୁ ନେଇ ଜନ ଅସନ୍ତୋଷ କୁହୁଳିଲାଣି। ସୂଚନା ଅନୁସାରେ,ଅବପାତ ବର୍ଷା ପୂର୍ବରୁ ଭାପୁର ସେକ୍ସନ ଅଞ୍ଚଳର ବିଦ୍ୟୁତ ବିଭ୍ରାଟ ଦେଖା ଦେଇଛି। ବର୍ଷା ଆରମ୍ଭ ହେବା ଦିନରୁ ଓ ଏହାପୂର୍ବରୁ ମଧ୍ୟ ବାରମ୍ବାର ବିଦ୍ୟୁତ୍ କଟ୍ ହେଉଥିବା ଉପଭୋକ୍ତା ମହଲରେ ଅଭିଯୋଗ ହୋଇଛି। ୩ ଦିନ ହେଲା ବିଦ୍ୟୁତ୍‌ର ଦେଖା ମିଳୁ ନାହିଁ। ଭାପୁର ସେକ୍ଟନ ଅଞ୍ଚଳରେ ଢେଙ୍କାନାଳ ସଦର ବ୍ଳକର ୮ଟି ପଞ୍ଚାୟତ ଓ ଓତାପଡ଼ା ବ୍ଳକର ୪ଟି ପଞ୍ଚାୟତକୁ ମିଶାଇ ପ୍ରାୟ ୧୨ଟି ପଞ୍ଚାୟତର ୪୦ ଗାଁ ଅନ୍ଧାର ମଧ୍ୟରେ ରହିଛି। ବିଦ୍ୟୁତ୍ ନଥିବାରୁ ବର୍ଷା,ପବନ ରାତି ଲୋକଙ୍କୁ ସମସ୍ୟାରେ ପକାଉଛି। ହାତୀ ଭୟ ଥିବାରୁ ଲୋକେ ଘରୁ ଗୋଡ଼ କାଢ଼ିବାକୁ ଭୟ କରୁଛନ୍ତି। ଦିନରେ ବି ବିଦ୍ୟୁତ୍ ନ ରହିବାରୁ ନାହିଁ ନଥିବା ସମସ୍ୟା ହେଉଛି। ସୂଚନା ଅନୁସାରେ ଲମ୍ବୋଦରପୁର ନିକଟରେ ଏକ ବାଉଁଶ ବୁଦା ତାର ଉପରେ ଉପୁଡ଼ି ପରିଥିବାରୁ ସମସ୍ୟା ହୋଇଥିବା କୁହାଯାଉଛି। ମାତ୍ର ୩ ଦିନ ପରେ ବି ବିଦ୍ୟୁତ୍ ସେବା ପୁନର୍ବାହାଲ ହୋଇପାରିନାହିଁ। ଗତ କାଲି ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ବେଳକୁ ଭାପୁରର କିଛି ଅଞ୍ଚଳକୁ ବିଦ୍ୟୁତ୍ ଆସିଥିଲେ ବି ବାରମ୍ବାର ଲାଇନ୍ କଟୁଥିବା ଲୋକେ ଅଭିଯୋଗ କରିଛନ୍ତି। ଢେଙ୍କାନାଳ ବିଦ୍ୟୁତ୍,ପରିଚାଳକ ବେଣୁଧର ବାଶ କହିଛନ୍ତି ଭାପୁର ସେକ୍ସନ ଏକ ବଡ଼ ସେକ୍ସନ । ବିଭିନ୍ନ ଜଙ୍ଗଲ ଦେଇ ବିଦ୍ୟୁତ୍ ଯାଇଥିବାରୁ ବର୍ଷା ପାଗରେ ବିଭିନ୍ନ ସ୍ଥାନରେ ଡାଳ,ଗଛ ଭାଙ୍ଗି ପଡୁଛି। ମରାମତି କରିବାକୁ ସମୟ ଲାଗୁଥିବାରୁ ବିଦ୍ୟୁତ୍ ସେବା ବ୍ୟାହତ ହେଉଛି। ତଥାପି ବିଦ୍ୟୁତ୍ ଦିଆଗଲଣି ବୋଲି ଶ୍ରୀ ଦାଶ କହିଛନ୍ତି।

ନିଷ୍କାସନ ହୋଇପାରୁନି ବର୍ଷାଜଳ ଜାତୀୟ ରାଜପଥରେ ଜମୁଛି ପାଣି

 ଢେଙ୍କାନାଳ- ଜାତୀୟ ରାଜପଥର ସହର ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର କୋରିଆଁ ବାଇପାସ୍ ଓଭରବ୍ରିଜ୍ ତଳେ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ଜମୁଛି ପାଣି। ତା ଭିତରେ ସ୍କୁଲ ବସ୍,ଆମ୍ବୁଲାନ୍ସ ଓ ସାଧାରଣ ଯାତ୍ରୀ ତଥା ଗାଡ଼ିମୋଟ ମାଟର ଯାତାୟାତ ବେଳେ ହନ୍ତସନ୍ତ ହେଉଛନ୍ତି। ଅସରାଏ ବର୍ଷା ହେଲେ ଆଣ୍ଠୁଏ ପାଣି ଜମା ହୋଇ ରହୁଛି। ଏବେ ହୋଇଥିବା ଲଗାଣ ବର୍ଷାରେ ସମଗ୍ର ଅଞ୍ଚଳ ଜଳମଗ୍ନ ହେବା ସହ ବ୍ରିଜ ତଳଟି ଉଭୟ ପଟକୁ ବାଇପାସ୍ ରାସ୍ତା ହୋଇଥିବାରୁ ସମସ୍ତ ଯାତ୍ରୀ ଓ ଗାଡ଼ିମୋଟର ପାଣି ଭିତରେ ପଶି ଯିବା ଆସିବା ବେଳେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସଂପୃକ୍ତ ଅଞ୍ଚଳଟି ଖାଲୁଆ ହୋଇଥିବାରୁ ବାରମ୍ବାର ଏଭଳି ସମସ୍ୟା ସୃଷ୍ଟି ହେଉଥିବା ମତପ୍ରକାଶ ପାଇଥିବା ବେଳେ ପ୍ରଶାସନ ସେଥିପ୍ରତି ଉଦାସୀନ ରହିଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି।

ଜିଲ୍ଲା ସ୍ତରୀୟ ଶ୍ରମ ପର୍ଯ୍ୟବେକ୍ଷଣ ସମିତି ବୈଠକ

ଢେଙ୍କାନାଳ-ଜିଲ୍ଲା ସଦଭାବନା ବୈଠକ ଗୃହ ଠାରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ ବିଭାଗର ମିଳିତ ଆନୁକୂଲ୍ୟରେ ଢେଙ୍କାନାଳ ଜିଲ୍ଲାରେ ଶ୍ରମିକମାନଙ୍କ କଲ୍ୟାଣ, ଶ୍ରମ ଆଇନର ଅନୁପାଳନ ଏବଂ ଶିଶୁ ଶ୍ରମିକ ପ୍ରଥାର ଉଚ୍ଛେଦ ଏହା ବିରୁଦ୍ଧରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ଵର ପାଟିଲ, ଉପ ଆରକ୍ଷୀ ଅଧୀକ୍ଷକ, ଢେଙ୍କାନାଳ, ସୁଷମା ପ୍ରଧାନ, ପ୍ରଭାଗୀୟ ଶ୍ରମ ଆୟୁକ୍ତ, ଢେଙ୍କାନାଳ, ଶ୍ରୀମତୀ ମୋନାଲିସା ନାୟକ, ଅଧ୍ୟକ୍ଷ, ଶିଶୁ କଲ୍ୟାଣ ସମିତି, ଶ୍ରୀ ଗୋଲେଖ ବିହାରୀ ପାଣିଗ୍ରାହୀ ଯୋଗଦାନ କରିଥିଲେ । ଉକ୍ତ ବୈଠକରେ, ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଢେଙ୍କାନାଳ, ଜିଲ୍ଲା ନିୟୋଜନ ଅଧିକାରୀ, ଢେଙ୍କାନାଳ, ଜିଲ୍ଲା କଲ୍ୟାଣ ଅଧିକାରୀ, ଢେଙ୍କାନାଳ, ସାଧାରଣ ପରିଚାଳକ, ଜିଲ୍ଲା ଶିଳ୍ପ କେନ୍ଦ୍ର, ଢେଙ୍କାନାଳ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ କର୍ମକର୍ତ୍ତା, ଢେଙ୍କାନାଳ, ସହକାରୀ ଶ୍ରମ ଅଧିକାରୀ, ଢେଙ୍କାନାଳ ଯୋଗଦାନ କରିଥିଲେ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟlଳୟର ଅନ୍ୟାନ୍ୟ କର୍ମଚାରୀ, NGOs, Trade Union, President of Dhenkanal, Chamber of Commerce & Traders ର ସଦଶ୍ୟ ମାନେ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ ଜିଲ୍ଲା ଶ୍ରମ ଅଧିକାରୀ ତପନ କୁମାର ସୂତାର ପରିଚାଳନା କରିଥିଲେ । 

 ବୈଠକରେ ଶିଶୁ ଶ୍ରମିକ ଉଚ୍ଛେଦ ଓ ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରି ସେମାନଙ୍କର ପୁନର୍ବାସ ବ୍ୟବସ୍ଥା, ପ୍ରବାସୀ ଶ୍ରମିକ ସୁରକ୍ଷା ଓଡ଼ିଶାରୁ ବାହାରକୁ ଯାଉଥିବା ବା ବାହାରୁ ଆସୁଥିବା ଦାଦନ/ପ୍ରବାସୀ ଶ୍ରମିକମାନଙ୍କର ସୁରକ୍ଷା ଓ ଅଧିକାରର ତଦାରଖ କରିବା, ଜିଲ୍ଲାରେ ସର୍ବନିମ୍ନ ମଜୁରୀ ପ୍ରଦାନ ଏବଂ ଅନ୍ୟାନ୍ୟ ସରକାରୀ ଶ୍ରମ କଲ୍ୟାଣ ଯୋଜନାର ସଫଳ ରୂପାୟନର ଅନୁଧ୍ୟାନ କରିବା ନିମନ୍ତେ କମିଟିର ବୈଠକରେ ଆଲୋଚନା କରଯାଇଥିଲା ।

କନ୍ତାରିପାଟ ଗାଁ ନିକଟରେ ଟ୍ରେନ୍ ଧକ୍କାରେ ୧୩ ଗୋରୁ ମୃତ, ୧୫ରୁ ଉର୍ଦ୍ଧ୍ୱ ଆହତ 

କାମାକ୍ଷାନଗର-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଅନୁଗୁଳ–ସୁକିନ୍ଦା ନୂତନ ରେଳପଥର କନ୍ତାରିପାଟ ଗ୍ରାମ ନିକଟରେ ଘଟିଛି ଅଘଟଣ। ଟ୍ରେନ୍ ଧକ୍କାରେ ୧୩ଟି ଗୋରୁଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଊର୍ଦ୍ଧ୍ୱ ଗୋରୁ ଆହତ ହୋଇଥିବା ସୂଚନା ମିଳିଛି। ଆଜି ସକାଳ ଗୋରୁପଲ ରେଳ ଲାଇନ୍ ପାର୍ ହେଉଥିବା ବେଳେ ଏକ ମାଲବାହି ଟ୍ରେନ୍ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ୧୩ଟି ଗୋରୁଙ୍କର ମୃତ୍ୟୁ ହୋଇଥିବାବେଳେ ୧୫ ରୁ ଉର୍ଧ ଗୋରୁ ଆହାତ ହୋଇଛନ୍ତି। ଖବର ପାଇ କାମାକ୍ଷାନଗର ଗୋଷ୍ଠୀ ପ୍ରାଣୀ ଚିକିତ୍ସକ ପହଞ୍ଚି ଆହତ ଗୋରୁମାନଙ୍କର ଚିକିତ୍ସା ଆରମ୍ଭ କରିଛନ୍ତି।ଘଟଣାକୁ ନେଇ ଚାଷୀ ଓ ଗ୍ରାମବାସୀ କିଛି ସମୟ ଧରି ରେଳ ଟ୍ରାକ୍‌ରେ ହଟଗୋଳ କରିଥିଲେ। କାମାକ୍ଷାନଗର ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ରେଳ ଟ୍ରାକ୍‌ରୁ ଗୋରୁମାନଙ୍କୁ ହଟାଇଥିଲା। ଏହାପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଥିଲା। ସେପଟେ, ରଙ୍ଗମାଟିଆରୁ ବାଲିଗୋରଡ଼ ପର୍ଯ୍ୟନ୍ତ ରେଳ ଲାଇନ୍‌ରେ ବାରିକେଡ୍ ନିର୍ମାଣ କରାଗଲେ ଏଭଳି ଦୁର୍ଘଟଣାକୁ ରୋକାଯାଇପାରିବ ବୋଲି ଗ୍ରାମବାସୀ ଦାବି କରିଛନ୍ତି।

ଦନ୍ତା ହାତୀର ମୃତ୍ୟୁ ଦେହ ଉଦ୍ଧାର,କେନାଲରେ ପଡି ମୃତ 

ଢେଙ୍କାନାଳ -ଢେଙ୍କାନାଳ ଜିଲ୍ଲା ବନଖଣ୍ଡ ଅଧୀନ ହିନ୍ଦୋଳ ବନାଞ୍ଚଳରେ ଦନ୍ତା ହାତୀର ଗଳିତ ମୃତଦେହ ଉଦ୍ଧାର। ହିନ୍ଦୋଳ ବନାଞ୍ଚଳ କର୍ଣ୍ଣପୁର ବିଟ ଅନ୍ତର୍ଗତ ନୂଆକୂଟ ଜଙ୍ଗଲରେ ଏକ ୫ବର୍ଷୀୟ ଦନ୍ତା ହାତୀ ଅସୁସ୍ଥ ଥିବାରୁ ହିନ୍ଦୋଳ ବନବିଭାଗ ପକ୍ଷରୁ ତାହାର ଚିକିତ୍ସା ଜାରି ରହିଥିଲା। ମାତ୍ର ଗତକାଲି ସନ୍ଧ୍ୟାରେ ହାତିଟି ନୂଆକୂଟ ଗ୍ରାମନିକଟରେ ଯାଇଥିବା କେନାଲ ଦିଗକୁ ଆସି କେନାଲରେ ପଡିଯାଇଥିଲା ଏବଂ ଘଟଣା ସ୍ଥଳରେ ହାତିଟି ମୃତ୍ୟୁବରଣ କରିଥିଲା। ତେବେ ଖବରପାଇ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ସୁମିତ କର,ହିନ୍ଦୋଳ ରେଞ୍ଜର ତ୍ରିଲୋଚନ ଦେହୁରୀ ବନବିଭାଗ କର୍ମଚାରୀ ଙ୍କ ସହିତ ପହଂଚି ମୃତ ଦେହ ଉଦ୍ଧାର କରିବାସହ ଡାକ୍ତରୀ ଟିମଦ୍ୱାରା ଶବ ବ୍ୟବଚ୍ଛେଦ କରିବାପରେ ହାତୀଟିକୁ ପୋତି ଦେଇଥିଲେ। ତେବେ ଶବବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ହାତୀ ମୃତ୍ୟୁରେ କାରଣ ଜଣାପଡିବ ବୋଲି ବନବିଭାଗ ସୂତ୍ରରୁ ପ୍ରକାଶ।ଗଣମାଧ୍ୟମ ପ୍ରତିନିଧି ଘଟଣା ସ୍ଥଳରେ ପହଂଚି ଖବର ସଂଗ୍ରହ ପାଇଁ ଉଦ୍ୟମ କରୁଥିବା ବେଳେ ଉପସ୍ଥିତ ଫରେଷ୍ଟର ବାରଣ କରିବାକୁ ଉଦ୍ୟମ କରିବା, ହାତୀ ମୃତ୍ୟୁ କାରଣ ଓ ସ୍ଥାନକୁ ଲୁଚାଇବା ଉଦ୍ୟମ ଅତ୍ୟନ୍ତ ନିନ୍ଦନୀୟ ଥିବାବେଳେ ଦାୟିତ୍ୱରେ ଥିବା ଫରେଷ୍ଟରେ ଙ୍କ ଅବହେଳା ଓ ଭୁଲ ପରିଚାଳନା ପାଇଁ ହାତିଟି ଜଙ୍ଗଲ ଦିଗକୁ ନଯାଇ କେନାଲ ଦିଗକୁ ଦୌଡ଼ି ଆସିବାରୁ ଖସିପଡି ମୃତ୍ୟୁ ବରଣ କରିଥିବା ଆଲୋଚନା ହେଉଛି।ହିନ୍ଦୋଳରେ ଅନେକ ସମୟରେ ହାତୀ ମୃତ୍ୟୁ ପାଇଁ ବୁଦ୍ଧିଜୀବୀ,ଜଙ୍ଗଲ ଓ ପଶୁପ୍ରେମୀ ମାନେ ଉଦବେଗ ପ୍ରକାଶ କରି ହାତୀ ମୃତ୍ୟୁ ଓ ହାତୀ ଆକ୍ରମଣ ଜନିତ ମଣିଷ ମୃତ୍ୟୁ ରୋକିବା, ଆବଶ୍ୟକ ସୋଲାର ଲାଇଟ ଲଗାଇବା, ସଠିକ ସଚେତନତା କରାଇବାସହ ବନବିଭାଗ କୁ ଆହୁରି କ୍ରିୟାଶୀଳ କରାଇବାକୁ ଦାୟିତ୍ୱରେ ଫରେଷ୍ଟରଙ୍କ ଅବହେଳା ପାଇଁ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଅମଲା ସଙ୍ଘର ଡାକରାରେ ସାମିଲ ହୋଇ କଳାବ୍ୟାଚ ପିନ୍ଧି ପ୍ରତିବାଦ କଲେ କୋକସରା ବ୍ଲକ ଅମଲା କର୍ମଚାରୀ

ଇନସ୍ପାୟାର୍ ଫାଉଣ୍ଡେସନ,ନିଉ ଦିଲ୍ଲୀ ଆନୁକୂଲ୍ଯରେ ରାଇରଙ୍ଗପୁର କଚେରୀପଡିଆରେ ଅକ୍ଟୋବର ୭,୮,୯ ତ୍ରିଦୀବସୀୟ ବିକଶିତ ଓଡିଶା- ୨୦୨୫ ପ୍ରଦର୍ଶନୀ ସାଂସଦ ଓ ବିଧାୟକଙ୍କ ଦ୍ବାରା ଶୁଭ ଉଦଘାଟିତ

Sunil Chandra Nayak

ବେଦାନ୍ତ ହସ୍ପିଟାଲରେ ମୋତିଆବିନ୍ଦୁ ଚିହ୍ନଟ ଶିବିର

masiha

Leave a Comment

error: Content is protected !!