ଶିମିଳିପାଳ ପାଦଦେଶରେ ଲୁଚି ରହିଛି ପ୍ରକୃତିର ଅମୂଲ୍ୟ ଧନ ;ରାମଜୁଡ଼ି, କଦଳୀ ଧାରା ଓ ହାତୀ ଧାରା ଜଳପ୍ରପାତର ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ଓ ପ୍ରଚାର ପାଇଁ ଦାବି
ରାଇରଙ୍ଗପୁର – ୧/୧୦ ମୟୂରଭଞ୍ଜ ଜିଲ୍ଲା, କରଞ୍ଜିଆ ଉପଖଣ୍ଡ ରେ ଶିମିଳିପାଳ ସଂଲଗ୍ନ ଅଞ୍ଚଳରେ ପ୍ରକୃତିର ଅନେକ ଅନାବିଷ୍କୃତ ସୌନ୍ଦର୍ଯ୍ୟ ଲୁଚି ରହିଛି। ସେଥିମଧ୍ୟରୁ ରାମଜୁଡ଼ି (ରାମଜୋଡ଼ି), କଦଳୀ ଧାରା ଓ ହାତୀ ଧାରା ଜଳପ୍ରପାତ ପ୍ରକୃତିପ୍ରେମୀ ଓ ଟ୍ରେକିଂପ୍ରେମୀଙ୍କ ପାଇଁ ଆକର୍ଷଣର କେନ୍ଦ୍ର ହୋଇପାରିବ। ତେବେ ଆବଶ୍ୟକ ପ୍ରଚାର, ଯାତାୟାତ ଓ ପର୍ଯ୍ୟଟନ ଭିତ୍ତିଭୂମିର ଅଭାବରୁ ଏହି ସ୍ଥାନଗୁଡ଼ିକ ଏବେ ବି ପର୍ଯ୍ୟଟନ ମାନଚିତ୍ରରୁ ଦୂରରେ ରହିଛି।
କରଞ୍ଜିଆରୁ କାଦଡିହା ରାସ୍ତା ଦେଇ ଦୁଧିଆଣି ଅଞ୍ଚଳ ଅତିକ୍ରମ କରି ରାମଜୁଡ଼ି ଜଳପ୍ରପାତରେ ପହଞ୍ଚିହେବ। ଜଙ୍ଗଲ ଓ ବଡ଼ ବଡ଼ ପଥର ଚଟାଣ ମଧ୍ୟରେ ପ୍ରାୟ ୩ କିଲୋମିଟର ପାଦଚଲା ଓ ଟ୍ରେକିଂ କରିବା ପରେ ଏହି ଜଳପ୍ରପାତ ଦେଖିବାକୁ ମିଳେ। ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟ ଏହାକୁ ଧାର୍ମିକ ଓ ପବିତ୍ର ସ୍ଥାନ ଭାବେ ମାନି ପୂଜାର୍ଚ୍ଚନା କରୁଥିବା ର ଜଣାପଡ଼ିଛି।
ରାମଜୁଡ଼ି ନିକଟବର୍ତ୍ତୀ ଅଞ୍ଚଳରେ କଦଳୀ ଧାରା (କଦଳୀ ଦରହ) ଓ ହାତୀ ଧାରା ନାମରେ ଆଉ ଦୁଇଟି ଜଳପ୍ରପାତ ରହିଛି। ପରସ୍ପର ନିକଟରେ ଅବସ୍ଥିତ | ଏହି ଦୁଇ ଜଳପ୍ରପାତକୁ ସ୍ଥାନୀୟ ଭାବେ ‘ଟ୍ୱିନ୍ ଜଳପ୍ରପାତ’ ଭାବେ ମଧ୍ୟ କୁହାଯାଏ। କରଞ୍ଜିଆଠାରୁ ପ୍ରାୟ ୨୦ରୁ ୨୫ କିଲୋମିଟର ଦୂରରେ ଥିବା ବୁଢ଼ୀଗାଁ ନିକଟ ଅଞ୍ଚଳରୁ ଘଞ୍ଚ ଜଙ୍ଗଲ ଓ ପଥୁରିଆ ରାସ୍ତା ଦେଇ ପାଦରେ ଯାତ୍ରା କରିବାକୁ ପଡ଼ିଥାଏ। ପ୍ରଥମେ କଦଳୀ ଧାରା ଏବଂ ନଦୀର ଉପରମୁଣ୍ଡକୁ ଅଗ୍ରସର ହେଲେ ହାତୀ ଧାରା ଜଳପ୍ରପାତ ଦେଖିବାକୁ ମିଳେ।
ଏହି ତିନୋଟି ସ୍ଥାନର ବିଶେଷତା ହେଉଛି ଏଠାକାର ଘଞ୍ଚ ଜଙ୍ଗଲ, ପାହାଡ଼ିଆ ଭୂପୃଷ୍ଠ, ପଥରିଆ ଝରଣା ଓ ନିରବ ପ୍ରାକୃତିକ ପରିବେଶ। ତେବେ ଦୁର୍ଗମ ଭୌଗୋଳିକ ସ୍ଥିତି ଓ ମୋବାଇଲ ନେଟୱର୍କର ଅଭାବ ଯୋଗୁଁ ଏଠାକୁ ଯାଉଥିବା ପର୍ଯ୍ୟଟକଙ୍କ ପାଇଁ ସୁରକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ସ୍ଥାନୀୟ ଲୋକେ ଅପରିଚିତ ବ୍ୟକ୍ତିଙ୍କୁ ଏକାକୀ ଜଙ୍ଗଲ ମଧ୍ୟକୁ ନଯାଇ ସ୍ଥାନୀୟ ଗାଇଡ୍ଙ୍କ ସହାୟତା ନେବାକୁ ପରାମର୍ଶ ଦେଇଛନ୍ତି।
ସ୍ଥାନୀୟ ପର୍ଯ୍ୟଟକ ଓ ଅଞ୍ଚଳବାସୀଙ୍କ ମତରେ, ଏହି ତିନୋଟି ପ୍ରାକୃତିକ ସ୍ଥଳର ସୁସଂଗଠିତ ବିକାଶ ହେଲେ କରଞ୍ଜିଆ ସହ ମୟୂରଭଞ୍ଜର ପର୍ଯ୍ୟଟନ କ୍ଷେତ୍ରକୁ ନୂଆ ଦିଗ ମିଳିପାରିବ। ଏଥିପାଇଁ ଯାତାୟାତ ବ୍ୟବସ୍ଥା, ପଦଯାତ୍ରା ପଥର ସୁଧାର, ସୁରକ୍ଷା ବ୍ୟବସ୍ଥା, ସୂଚନା ଫଳକ, ପର୍ଯ୍ୟଟକ ସୁବିଧା କେନ୍ଦ୍ର, ସ୍ଥାନୀୟ ଗାଇଡ୍ ବ୍ୟବସ୍ଥା ଓ ପର୍ଯ୍ୟଟନ ପ୍ରଚାର ଉପରେ ଗୁରୁତ୍ୱ ଦେବାକୁ ଦାବି ହୋଇଛି। ତେବେ ପ୍ରାକୃତିକ ଓ ଜଙ୍ଗଲ ପରିବେଶର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଇକୋ-ଟୁରିଜମ୍ ଭିତ୍ତିରେ ବିକାଶ କରାଯିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।
ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ

