ବିଶ୍ୱ ବରିଷ୍ଠ ନାଗରିକ ଦିବସରେ ଦର୍ଶକଙ୍କ ମନକୁ ଛୁଇଁଲା ନାଟକ “ପରେ କହିବି”
ରାଇରଙ୍ଗପୁର – ତା ୦୧/୧୦ ; ଵାରିପଦାର ସହିଦ ସ୍ମୃତି ଭବନରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ମୟୁରଭଞ୍ଜ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ନାଟକ “ପରେ କହିବି” ମଞ୍ଚସ୍ଥ ହୋଇଯାଇଛି I ୭୫ ବାସ୍ତବ ପରିବାର ଗ୍ରୁପ ପ୍ରଯୋଜିତ ଏବଂ ଚିନ୍ମୟ ଦାସ ପଟ୍ଟନାୟକଙ୍କ ଲିଖିତ ଓ ନିର୍ଦ୍ଦେଶିତ ନାଟକରେ ପ୍ରଦୀପ କିଶୋର ମହାନ୍ତି, ଚିନ୍ମୟ ଦାସ ପଟ୍ଟନାୟକ, ପ୍ରଦୀପ କୁମାର ପାଣିଗ୍ରାହୀ, ଅଶୋକ ପଟ୍ଟନାୟକ, ଶାନ୍ତନୁ ପାଢ଼ୀ, ଶିଶିର ଲେଙ୍କା, ଜୟନ୍ତ ସେନାପତି, ଅରୁଣ ପାତ୍ର, ସର୍ବତୋଷ ଦାଶ, ରବି ମହାପାତ୍ର, ଯାମିନୀକାନ୍ତ ମାଲାକାର ଓ ଶିଶୁ କଳାକାର ଲତାଶା ଖୁରାନା ଅଭିନୟ କରିଥିବା ବେଳେ ଆଲୋକରେ ଜ୍ଞାନରଞ୍ଜନ ପଣ୍ଡା, ସଂଗୀତରେ ଅଂକୁର ଖୁରାନା, ଦୁର୍ଗା ପାତ୍ର ଓ ମଞ୍ଚସଜ୍ଜାରେ ନରସିଂହ ବାରିକ ସହଯୋଗ କରିଥିଲେ I ଆଜିର ସମାଜରେ ବୃଦ୍ଧ ପିତାମାତାଙ୍କ ପୁଅଝିଅ ମାନେ ସେମାନଙ୍କୁ ନିଛାଟିଆ ଛାଡ଼ିଦେଇ ନିଜର ବିଳାସବ୍ୟସନରେ ବ୍ୟସ୍ତ I ପିତାମାତାଙ୍କ ସହିତ ଦୁଃଖସୁଖ ହେବା ପାଇଁ ସେମାନଙ୍କ ପାଖରେ ସମୟ ନାହିଁ I ଏହିଭଳି ଜଣେ ଅବସରପ୍ରାପ୍ତ ଶିକ୍ଷକର ବୃଦ୍ଧାବସ୍ଥାର ନିଛାଟିଆ ଜୀବନଯାପନ ଉପରେ ଆଧାରିତ କାହାଣୀରେ କଳାକାରମାନଙ୍କ ନିଖୁଣ ଅଭିନୟ ଉପସ୍ଥିତ ବରିଷ୍ଠ ନାଗରିକଙ୍କ ମନକୁ ଛୁଇଁ ଯାଇଥିଲା I ଶେଷରେ ବିଭାଗ ତରଫରୁ ସମସ୍ତ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I
ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ

