ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ବିଦ୍ୟାଳୟ ଯାଉ ନାହାଁନ୍ତି ବାବୁସାହିର ପିଲା ; ଗ୍ରାମବାସୀଙ୍କ ଅଭିଯୋଗ ,୨- ଖାଦ୍ୟ ସୁରକ୍ଷାରୁ ବାଦ ପଡ଼ିଛନ୍ତି ଗରିବ ପରିବାରର ଛାତ୍ର ଛାତ୍ରୀ 

ବିଦ୍ୟାଳୟ ଯାଉ ନାହାଁନ୍ତି ବାବୁସାହିର ପିଲା ; ଗ୍ରାମବାସୀଙ୍କ ଅଭିଯୋଗ 

ରାଇରଙ୍ଗପୁର – ତା.୦୫/୧୦ ;  ମୟୁରଭଞ୍ଜ ଜିଲ୍ଲାର ଉଦଳା ବ୍ଲକ ଅଧିନସ୍ଥ ଖଲାଡ଼ି ପଂଚାୟତ ଅନ୍ତର୍ଗତ ବାବୁସାହି ଗ୍ରାମର କୌଣସି ପିଲା ଆଦୌ ବିଦ୍ୟାଳୟ ଯାଉନଥିବାର କଥା ଗ୍ରାମବାସୀ ମାନେ ଜଣାଇଛନ୍ତି । ଏହି ଗ୍ରାମର ୧୨ଜଣ ପିଲା କୋଚିଳାଡ଼ିହା ପଂଚାୟତରେ ଥିବା କଳାପାହାଡ଼ ପ୍ରାଥମିକ ବିଦ୍ୟାଳୟରେ ନାମ ଲେଖାଇଛନ୍ତି । କିନ୍ତୁ ନଦୀ ପାରି ହୋଇ ନିୟମିତ ବିଦ୍ୟାଳୟକୁ ଯିବା ପିଲାଙ୍କ ପକ୍ଷେ ସମ୍ଭବ ହେଉନଥିବାରୁ ପିଲାମାନେ ଯାଉନଥିବାର କଥା ଗ୍ରାମବାସୀ କହିଛନ୍ତି । ପିଲାଏ ବିଦ୍ୟାଳୟକୁ ଆସନ୍ତୁ ବା ନଆସନ୍ତୁ ସରକାରୀ ଫାଇଲ ଚାଷରେ ନିୟମିତ ବିଦ୍ୟାଳୟ କୁ ସମସ୍ତ ପିଲା ଆସୁଛନ୍ତି, ମଧ୍ୟାହ୍ନ ଭୋଜନ ଖାଉଛନ୍ତି ଇତ୍ୟାଦି ଦର୍ଶାଯାଉଥିବାର କଥା ସାଧାରଣରେ ଚର୍ଚ୍ଚା ହେଉଛି । ଏହା ଏକ ନିତି ଦିନିଆ ଘଟଣା ବୋଲି କେତେକ କହିଛନ୍ତି । ତେବେ ଏହି ପିଲାମାନଙ୍କ କ୍ଷେତ୍ରରେ ବାସ୍ତବ ଚିତ୍ର କଣ ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି କୁହାଯାଉଛି । ଗ୍ରାମପାଖରେ ଆଉ କୌଣସି ବିଦ୍ୟାଳୟ ନଥିବାରୁ କଳାପାହାଡ଼ ପ୍ରାଥମିକ ବିଦ୍ୟାଳୟରେ ନାମ ଲେଖାଇବାକୁ ବାଧ୍ୟ ହେଉଥିବାର କଥା ଜଣାଇଛନ୍ତି । ଚଳିତ ଅକ୍ଟୋବର ୩ ତାରିଖ ଶନିବାର ଦିନ ଜନଜାଗୃତି ମଂଚର ନେତୃତ୍ୱରେ ଉର୍ମି ଲିଡ଼ର ସସ୍ମିତା ମଢ଼େଇ ଏହି ଗ୍ରାମରେ ଶିକ୍ଷା ଚୌପାଲ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ତିତ ଥିବା ଗ୍ରାମବାସୀମାନେ ଏପରି ଏକ ଅଭିଯୋଗ କରିଥିବାର ଜଣାଯାଇଛି । ବିଭାଗୀୟ କର୍ତୃପକ୍ଷ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ମଂଚରେ କାର୍ଯ୍ୟରତ ଉର୍ମି ଲିଡ଼ର ମୋନାଲି ମୁର୍ମୁ, ଅବନ୍ତି ବେହେରା, ମଂଜୁଲତା ବିନ୍ଧାଣୀ, ମମତା ଟୁଡ଼ୁ ଓ ସାଉଁରି ମୁର୍ମୁ ପ୍ରମୁଖ ଅନୁରୋଧ ଜଣାଇଛନ୍ତି । 

ଖାଦ୍ୟ ସୁରକ୍ଷାରୁ ବାଦ ପଡ଼ିଛନ୍ତି ଗରିବ ପରିବାରର ଛାତ୍ର ଛାତ୍ରୀ

ବାରିପଦା /ଉଦଳା -ତା.୦୫/୧୦ ; ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ଅଧ୍ୟୟନରତ ବହୁ ଗରିବ ପରିବାରର ଛାତ୍ର ଛାତ୍ରୀ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ ପଡ଼ିଥିବାର ଖବର ହସ୍ତଗତ ହୋଇଛି । ମୟୁରଭଞ୍ଜ ଜିଲ୍ଲା,ଉଦଳା ବ୍ଲକ, ଖଲାଡ଼ି ପଂଚାୟତ ଅନ୍ତର୍ଗତ ନରହରିପୁର ଗ୍ରାମର ବାସିନ୍ଦା ସ୍ୱର୍ଗତଃ ହେମେନ୍ଦ୍ର ଟୁଡ଼ୁଙ୍କର ୧୬ ବର୍ଷ ବୟସର ପୁତ୍ର ସୁରେଶ ଟୁଡ଼ୁ ବର୍ତମାନ ରାଢ଼ୋଗ୍ରାମସ୍ଥିତ ଲୁଇପା କନିଷ୍ଠ ମହାବିଦ୍ୟାଳୟର +୨ ପ୍ରଥମବର୍ଷ କଳାର ଛାତ୍ର ଅଟନ୍ତି । ଖାଦ୍ୟ ସୁରକ୍ଷା ଯୋଜନାରୁ ସୁରେଶ ବାଦ ପଡ଼ିଥିବା ଯୋଗୁଁ ସରକାର ଯୋଗାଇ ଦେଉଥିବା ମୁଣ୍ଡପିଛା ୫ କିଗ୍ରା ଚାଉଳ ପାଇପାରୁନଥିବାର ଜଣାଇଛନ୍ତି । ପିଲାଟି ଦିନରୁ ସୁରେଶଙ୍କର ପିତା ଓ ମାତା ଉଭୟଙ୍କର ଦେହାନ୍ତ ହୋଇଯାଇଥିବାରୁ ସେ ସମ୍ପୁର୍ଣ୍ଣ ଅନାଥ ଅଟନ୍ତି । ସେହିପରି ଏହି ପଂଚାୟତର ବେଗୁନିଆଡ଼ିହା ଗ୍ରାମର ବାସିନ୍ଦା ହାଡ଼ିବନ୍ଦୁ ହାଁସଦାଙ୍କର ୨୧ବର୍ଷ ବୟସର କନ୍ୟା ସୁଚିତ୍ରା, ୧୮ବର୍ଷ ବୟସର ପୁତ୍ର ଜୟନ୍ତ ଓ ୧୩ ବର୍ଷ ବୟସର କନ୍ୟା ସୁଜାତା ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପାଠପଢ଼ୁଛନ୍ତି । କିନ୍ତୁ ପରିବାରକୁ ମିଳିଥିବା ରାସନ କାର୍ଡ଼ରେ ନାମ ଯୋଡ଼ାଯାଇନଥିବାରୁ ସରକାର ଯୋଗାଇ ଦେଉଥିବା ମୁଣ୍ଡପିଛା ୫ କିଗ୍ରା ଚାଉଳ ପାଇବାରୁ ସେମାନେ ବଂଚିତ ଥିବାର ଜଣାଇଛନ୍ତି । ଏ ବାବଦରେ ପଂଚାୟତ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟରେ ବାରମ୍ବାର ଗୁହାରି ଜଣାଇଥିଲେ ମଧ୍ୟ କେହି ଶୁଣୁନଥିବାର ଅଭିଯୋଗ କରିଛନ୍ତି । ତାଛଡ଼ା ଆଦିବାସୀ ଭାଇ ଭଉଣୀ ମାନଙ୍କର ସବୁପ୍ରକାର ସୁଖ ଦୁଃଖ ବୁଝିବା ପାଇଁ ଏଠାରେ ସମନ୍ୱିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ କରୁଛି । ଯାହାର କାର୍ଯ୍ୟାଳୟ ଉଦଳାଠାରେ ରହିଛି । ଏହିସବୁ ଆଦିବାସୀ ଛାତ୍ର ଛାତ୍ରୀ ମାନଙ୍କର ଦୁଃଖ ବୁଝିବା ପାଇଁ ଉକ୍ତ ପ୍ରକଳ୍ପ ତତ୍ପରତା ପ୍ରକାଶ ନକରି କାହିଁକି ଚୁପମାରି ବସିଛି ବୋଲି ଅନେକ ପ୍ରଶ୍ନ ଉଠାଇଛନ୍ତି । ରାଜ୍ୟ ସରକାର ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ସ୍ୱେଛାସେବି ମାନେ ଅନୁରୋଧ ଜଣାଇଛନ୍ତି ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

ପ୍ରଧାନମନ୍ତ୍ରୀ ଜନମନ ପରିଯୋଜନା ଧର୍ତ୍ତି ଅବା ଗ୍ରାମ ଉତକର୍ଷ ଅଭିଯାନ ଉପରେ ଜିଲ୍ଲାପାଳଙ୍କ ସମୀକ୍ଷା

masiha

ରାୟଗଡ଼ା ଗାୟତ୍ରୀ ନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଜନ୍ମାଷ୍ଟମୀ ଉତ୍ସବ ପାଳନ

masiha

ବର୍ଷେ ହେଲା ଅନ୍ଧାରରେ ୪୦ ଘର 

masiha

Leave a Comment

error: Content is protected !!