ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଆଶ୍ରୟସ୍ଥଳୀ ଓ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ଶାସନ ସଚିବ 

ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଆଶ୍ରୟସ୍ଥଳୀ ଓ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ଶାସନ ସଚିବ 

ନବରଙ୍ଗପୁର:(୨୭ ଅକ୍ଟୋବର ୨୦୨୬)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲାରେ ବିଭିନ୍ନ ଆଶ୍ରୟସ୍ଥଳୀ ଓ ସ୍ୱାସ୍ଥ୍ୟକେନ୍ଦ୍ରରେ ଉପଲବ୍ଧ ସୁବିଧାସୁଯୋଗ, ପରିଚାଳନା ବ୍ୟବସ୍ଥା ଏବଂ ଜନସାଧାରଣଙ୍କୁ ଯୋଗାଇ ଦିଆଯାଉଥିବା ସେବାର ସମୀକ୍ଷା ନିମନ୍ତେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରେରିତ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ଶାସନ ସଚିବ ଡ. ମହେଶ୍ୱର ସ୍ୱାଇଁ ଆଜି ଜିଲ୍ଲାର ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ।ଏହି ଗସ୍ତ ଅବସରରେ ସେମାନେ ନବରଙ୍ଗପୁର ପୌରପାଳିକା ଅନ୍ତର୍ଗତ ବସ୍‌ଷ୍ଟାଣ୍ଡ ନିକଟସ୍ଥ ସହରାଞ୍ଚଳ ଆଶ୍ରୟସ୍ଥଳୀ, ପୂଜାରୀଗୁଡ଼ା ଓ ଶାଉନିଗୁଡ଼ାସ୍ଥିତ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ ଏବଂ ନବରଙ୍ଗପୁର ବ୍ଲକ୍‌ ଅନ୍ତର୍ଗତ ସାନମସିଗାଁ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ। ଆଶ୍ରୟସ୍ଥଳୀଗୁଡ଼ିକରେ ପାନୀୟ ଜଳ, ପରିମଳ, ବିଦ୍ୟୁତ୍‌ ଯୋଗାଣ, ଶୌଚାଳୟ, ଆଲୋକ ବ୍ୟବସ୍ଥା ଓ ଅନ୍ୟାନ୍ୟ ମୌଳିକ ସୁବିଧାର ସ୍ଥିତି ସେମାନେ ଯାଞ୍ଚ କରିଥିଲେ। ଏଥିସହ ସେଠାରେ ନିୟୋଜିତ କର୍ମଚାରୀ ଓ ଦାୟିତ୍ୱରତ ଅଧିକାରୀମାନଙ୍କ ସହ ଆଲୋଚନା କରି ଆଶ୍ରୟସ୍ଥଳୀଗୁଡ଼ିକର ସୁଚାରୁ ପରିଚାଳନା, ପରିଷ୍କାର-ପରିଚ୍ଛନ୍ନତା ଏବଂ ଆଶ୍ରୟ ନେଉଥିବା ଲୋକମାନଙ୍କୁ ଆବଶ୍ୟକ ସେବା ଯୋଗାଣ ସମ୍ପର୍କରେ ତଥ୍ୟ ନେଇଥିଲେ।ସେହିପରି ସାନମସିଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଉପଲବ୍ଧ ଚିକିତ୍ସା ସେବା, ଔଷଧ ମଜୁତ, ଚିକିତ୍ସା ଉପକରଣ, ରୋଗୀମାନଙ୍କ ପାଇଁ ମୌଳିକ ସୁବିଧା ଏବଂ ଆବଶ୍ୟକୀୟ ମାନବ ସମ୍ବଳ ସମ୍ପର୍କରେ ସେମାନେ ଅନୁଧ୍ୟାନ କରିଥିଲେ। ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ରୋଗୀମାନଙ୍କୁ ସମୟୋପଯୋଗୀ, ଗୁଣାତ୍ମକ ଓ ସୁଲଭ ସ୍ୱାସ୍ଥ୍ୟସେବା ଯୋଗାଇବା ସହ ଆବଶ୍ୟକ ସୁବିଧାଗୁଡ଼ିକୁ ସୁଚାରୁ ଭାବେ ରକ୍ଷଣାବେକ୍ଷଣ କରିବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ଗୁରୁତ୍ୱ ଦିଆଯାଇଥିଲା।ଏହି ପରିଦର୍ଶନ ସମୟରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡ. ପ୍ରମୋଦ କୁମାର ପୃଷ୍ଟି, ଉପଜିଲ୍ଲାପାଳ ଶ୍ରୀ ପ୍ରକାଶ କୁମାର ମିଶ୍ର, ନବରଙ୍ଗପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁନୀଲ ଖୋରା ଓ ତହସିଲଦାର ଭୋଲେଶ୍ୱର ନାୟକ ଉପସ୍ଥିତ ଥିଲେ।ଅନ୍ୟପକ୍ଷରେ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ବିଶ୍ୱଜିତ ବର୍ମନ ନନ୍ଦାହାଣ୍ଡି ବ୍ଲକ୍‌ ଅନ୍ତର୍ଗତ ବିଭିନ୍ନ ଆଶ୍ରୟସ୍ଥଳୀ ପରିଦର୍ଶନ କରି ସେଠାରେ ଉପଲବ୍ଧ ସୁବିଧାସୁଯୋଗ, ପରିଷ୍କାର-ପରିଚ୍ଛନ୍ନତା ଓ ପରିଚାଳନା ବ୍ୟବସ୍ଥାର ଯାଞ୍ଚ କରିଥିଲେ। ଏଥିସହ ଆଶ୍ରୟ ନେଇଥିବା ପ୍ରଭାବିତ ଲୋକମାନଙ୍କ ସହ ଆଲୋଚନା କରି ସେମାନଙ୍କ ଆବଶ୍ୟକତା, ସମସ୍ୟା ଓ ଅଭିଯୋଗ ସମ୍ପର୍କରେ ପଚାରି ବୁଝିଥିଲେ। ଆଶ୍ରୟସ୍ଥଳୀରେ ଯୋଗାଇ ଦିଆଯାଉଥିବା ରନ୍ଧା ଖାଦ୍ୟର ଗୁଣବତ୍ତା, ପରିମାଣ ଓ ବଣ୍ଟନ ବ୍ୟବସ୍ଥା ମଧ୍ୟ ସେ ଯାଞ୍ଚ କରିଥିଲେ। ଆଶ୍ରୟ ନେଇଥିବା ସମସ୍ତଙ୍କୁ ସୁରକ୍ଷିତ ପରିବେଶ, ପର୍ଯ୍ୟାପ୍ତ ଖାଦ୍ୟ, ପାନୀୟ ଜଳ ଓ ଆବଶ୍ୟକ ସେବା ନିଶ୍ଚିତ କରିବା ପାଇଁ ସେ ସମ୍ପୃକ୍ତ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗସ୍ତ ସମୟରେ ନନ୍ଦାହାଣ୍ଡି ବ୍ଲକ୍‌ ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ସାହୁ ଉପସ୍ଥିତ ଥିଲେ।

Related posts

ପାଣିରେ ବୁଡି ଶିଶୁ ପୁତ୍ର ମୃତ 

masiha

ସ୍ବାମୀ ବିବେକାନନ୍ଦ ଲୋକ ସଂସଦର ଚିତ୍ରାଙ୍କନ ପ୍ରତିଯୋଗିତା ଆସନ୍ତା ୧୭ ରେ…….

masiha

ପିଚୁ ପ୍ଳାଣ୍ଟ ଯୋଗୁ ଜନ ଅସନ୍ତୋଷ, ଆନ୍ଦୋଳନ ପାଇଁ ଦାନା ବାନ୍ଧୁଛି

Leave a Comment

error: Content is protected !!