ଦଶ ଦିନ ମଧ୍ୟରେ ଉଡେଇ ଦେବାକୁ ଚେତାବନୀ
ମ.ରାମପୁର,୨୨/୫( ମସୀହା ): କଳାହାଣ୍ଡି ଜିଲ୍ଲା ମ.ରାମପୁର ନିକଟବର୍ତ୍ତୀ ତୁଜୁଙ୍ଗ ଗ୍ରାମ ସ୍ଥିତ ଶ୍ରୀ ଏଜୁକେଶନ ନିକଟ ଜାମବlହାଲି ଛକ ରେ ଆଜି ଏକ ଗଛରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି l ଗୋଟିଏ ମାସ ବ୍ୟବଧାନ ରେ ତୃତୀୟ ଥର ସମାନ ଅଭିଯୋଗ ନେଇ ଶ୍ରୀ ଏଜୁକେଶନ ଘରୋଇ ଶିକ୍ଷାନୁଷ୍ଠାନ ନାଁରେ ପୁଣି ଲାଗିଲା ଲାଲ୍ ବ୍ୟାନର । ରିଷିଡ଼ା ପୂର୍ତ୍ତବିଭାଗ ରାସ୍ତା ତଥା ଜାମବାହାଲି ଛକ ନିକଟରେ ଏକ ଗଛରେ ଏହି ବ୍ୟାନର ଲଗାଯାଇଛି । ଉକ୍ତ ବ୍ୟାନରରେ ଏତଦ୍ ଦ୍ଵାରା ଜଣାଇ ଦିଆ ଯାଉ ଅଛି ଯେ, ଆମେ ଦୁଇ ଥର ସରକାରକୁ ଜଣାଇ ଥିଲୁ ଶ୍ରୀ ଏଜୁ କେସନ୍ ସ୍କୁଲ୍ ବିଷୟ ରେ । ସେମାନେ କିଛି ପଦକ୍ଷେପ ନ ନେବା, ଆମ୍ଭେ ମାନେ ବାଧ୍ୟ ହୋଇ ଶ୍ରୀ ଏଜୁକେଶନ ସ୍କୁଲ୍ ଉପରେ ପଦକ୍ଷେପ ନେବୁ । ଆମ୍ଭେ ମାନେ ଆଗରୁ ଜଣାଇ ଥିଲୁ ସେଠାରେ ଛାତ୍ରୀ ମାନଙ୍କୁ ଯୌନ ନିର୍ଯାତନା ଦିଆ ଯାଉଛି ଓ ବଳାତ୍କାର ମଧ୍ୟ କରାଯିବା, ଆମ୍ଭେ କହିଥିଲୁ ହେଲେ ସରକାର ଆମ୍ଭ କଥା ଶୁଣିଲେ ନାହିଁ, ଆମେ ବାଧ୍ୟ ଚାରିଦିନ ମଧ୍ୟରେ ଆକ୍ରମଣ କରିବୁ । ଏତଦ୍ ଦ୍ଵାରା ଜଣାଇ ଦିଆ ଯାଉ ଅଛି ଯେ ଛାତ୍ର ମାନଙ୍କର କଣ ହୁଏ ତାହା ହେଲେ ଆମେ ଦାୟୀ ନୁହଁ, ଦଶ ଦିନ ମଧ୍ୟରେ ଉଡେଇ ଦେବୁ, ସିପିଆଇ(ମାଓବାଦୀ) ବୋଲି ବ୍ୟାନରରେ ଉଲ୍ଲେଖ ରହିଛି । ଏଠାରେ ସୂଚନାଥାଉ କି,ଗତ ଅପ୍ରେଲ ଚଉଦ ତାରିଖ ଓ ଅପ୍ରେଲ ସତର ତାରିଖ ରାତିରେ ମଧ୍ୟ ସମାନ ଏହି ବିଷୟକୁ ନେଇ ସିପିଆଇ(ମାଓବାଦୀ) ଉଲ୍ଲେଖଥିବା ଏକ ବ୍ୟାନର ଲାଗିଥିଲା ଏବଂ ଆଜିର ଏହି ସମାନ ସ୍ଥାନ,ସମାନ ବିଷୟରେ ବ୍ୟାନରକୁ ଦେଖି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି । ବାରମ୍ବାର ଗୋଟିଏ ଶିକ୍ଷାନୁଷ୍ଠାନ ବିରୋଧରେ ପୋଷ୍ଟର ଲାଗୁଥିବାରୁ ସତରେ ଏହା ମାଓ ପୋଷ୍ଟର ନା ବିରୋଧୀ ଗୋଷ୍ଠୀଙ୍କ କାରନାମା କି ବୋଲି ଲୋକଙ୍କ ମନରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି l ଯେହେତୁ ସ୍ଥାନୀୟ ଅଞ୍ଚଳରେ ମାଓବାଦୀଙ୍କ ସକ୍ରୀୟ ଗତିବିଧି ରହିଛି l ଏଣୁ ଏହା ମାଓ ପୋଷ୍ଟର ନୁହେଁ ବୋଲି ମଧ୍ୟ ଅଣଦେଖା କରାଯାଇ ନପାରେ l ପୁଲିସ ତଦନ୍ତ କଲେ ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ସାଧାରଣରେ ଦାବି ହୋଇଛି l
ମ.ରାମପୁର ରୁ ପରମାନନ୍ଦ ବିଶିଙ୍କ ରିପୋର୍ଟ୍ l