ନଭେମ୍ବର ୧୨ ଓ ୧୩ ତାରିଖରେ ବିପିୟୁଟି ହ୍ୟାକାଥନ-୨୦୨୬ର ଗ୍ରାଣ୍ଡ ଫିନାଲେ
ରାଉରକେଲା ୮/୧୧, ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟରେ ବୈଷୟିକ ତଥା ଉଦ୍ଭାବନ କାର୍ଯ୍ୟକ୍ରମ ‘ବିପିୟୁଟି ହ୍ୟାକାଥନ୍ ୨୦୨୬’ (ତୃତୀୟ ସଂସ୍କରଣ)ର ଗ୍ରାଣ୍ଡ ଫିନାଲେ ଚଳିତ ନଭେମ୍ବର ୧୨ ଓ ୧୩ ତାରିଖରେ ବିଶ୍ୱବିଦ୍ୟାଳୟର ଛେଣ୍ଡ ସ୍ଥିତ ମୁଖ୍ୟ କ୍ୟାମ୍ପସରେ ଅନୁଷ୍ଠିତ ହେବାକୁ ଯାଉଛି।
ଏହି ହ୍ୟାକାଥନକୁ ଗତ ୨୦୨୬ ଅଗଷ୍ଟ ୩୧ରେ ବିପିୟୁଟିର କୁଳପତି ପ୍ରଫେସର ଅମିୟ କୁମାର ରଥ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଅଂଶଗ୍ରହଣ ଦୃଷ୍ଟିରୁ ସର୍ବବୃହତ ଅନ୍ତଃ-ବିଶ୍ୱବିଦ୍ୟାଳୟ ହ୍ୟାକାଥନ୍ ନିରବଛିନ୍ନ ଭାବେ ଏହି ସଂସ୍କରଣରେ ଛାତ୍ରଛାତ୍ରୀଙ୍କ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି। ୭୧ଟି ଅନୁବନ୍ଧିତ ତଥା ସଂଲଗ୍ନ କଲେଜରୁ ୩,୮୫୨ ଜଣ ଛାତ୍ର ଉଦ୍ଭାବକଙ୍କୁ ନେଇ ମୋଟ ୭୧୮ଟି ଦଳ ଏଥିରେ ପଞ୍ଜୀକରଣ କରିଥିଲେ, ଯାହାକି ପୂର୍ବ ସଂସ୍କରଣ ତୁଳନାରେ ୪୦ ପ୍ରତିଶତରୁ ଅଧିକ।
ହାକାଥର ଏହି ତୃତୀୟ ସଂସ୍କରଣରେ ବିଭିନ୍ନ କ୍ଷେତ୍ରର ଜଟିଳ ସମସ୍ୟାର ବ୍ୟବହାରିକ ସମାଧାନ ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ୭ଟି ପ୍ରମୁଖ କର୍ପୋରେଟ୍ ତଥା ସାଂସ୍ଥାଗତ ଭାଗୀଦାର—ଆର୍ଡୁଇନୋ, କଗ୍ନିଜାଣ୍ଟ, ଓକେସିଏଲ୍, ଏସଟିପିଆଇ, ମେଘା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକଚର୍ସ ଲିମିଟେଡ୍, ରୁମାନ୍ ଟେକ୍ନୋଲୋଜିସ୍ ଏବଂ ଫ୍ରେଟ୍ବକ୍ସ ପକ୍ଷରୁ ୧୦ଟି ଶିଳ୍ପ-ପ୍ରାୟୋଜିତ ବାସ୍ତବିକ ସମସ୍ୟା ବିବୃତି ପ୍ରଦାନ କରାଯାଇଛି।
ବହୁସ୍ତରୀୟ ଯାଞ୍ଚ ସହ ୨୦୨୬ ଅକ୍ଟୋବର ୧୦ରୁ ୧୩ ତାରିଖ ମଧ୍ୟରେ ୧୧ଟି ଆଞ୍ଚଳିକ ସହଯୋଗୀ ଶିକ୍ଷାନୁଷ୍ଠାନ—ବେଦାନ୍ତ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଜିଆଇଇଟି ଭୁବନେଶ୍ୱର, ଗିଫ୍ଟ, ନୀସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ବିଜନେସ ଆଡମିନିଷ୍ଟ୍ରେସନ, ଗୀତା ସ୍ୱୟଂଶାସିତ କଲେଜ, ରିଜିଓନାଲ କଲେଜ ଅଫ୍ ମ୍ୟାନେଜମେଣ୍ଟ, ଜିଆଇଇଟି ବଣିଆଟାଙ୍ଗୀ, ରାଜଧାନୀ ଇଞ୍ଜିନିୟରିଂ କଲେଜ, ଗାନ୍ଧୀ ଇଞ୍ଜିନିୟରିଂ କଲେଜ, ସ୍ନାତକ ଏବଂ ସ୍ନାତକୋତ୍ତର ଅଧ୍ୟୟନ କେନ୍ଦ୍ର (ବିପିୟୁଟି) ଏବଂ ରାଉରକେଲାର ରିମ୍ସ ଠାରେ ଅନୁଷ୍ଠିତ ଆଞ୍ଚଳିକ ମୂଲ୍ୟାଙ୍କନ ପରେ ୨୨ଟି କଲେଜର ୨୬୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଶ୍ରେଷ୍ଠ ୫୦ଟି ଦଳ ଏହି ୩୬ ଘଣ୍ଟିଆ ପ୍ରତ୍ୟକ୍ଷ ଗ୍ରାଣ୍ଡ ଫିନାଲେ ପାଇଁ ମନୋନୀତ ହୋଇଛନ୍ତି। ବୈଷୟିକ ସହଯୋଗୀ ‘ବେଦାଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି’ ଏବଂ ‘ୱୁବଲ୍ ସଫ୍ଟୱେର୍ ପ୍ରାଇଭେଟ୍ ଲିମିଟେଡ୍’ ସମଗ୍ର ମୂଲ୍ୟାଙ୍କନ ପ୍ରକ୍ରିୟାରେ ଆବଶ୍ୟକୀୟ ବୈଷୟିକ ସହାୟତା, ପ୍ଲାଟଫର୍ମ ଭିତ୍ତିଭୂମି ତଥା ମାର୍ଗଦର୍ଶନ ଯୋଗାଇ ଦେଇଛନ୍ତି।
ଗ୍ରାଣ୍ଡ ଫିନାଲେରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୫୦ଟି ଫାଇନାଲିଷ୍ଟ ଦଳ ମଧ୍ୟରୁ ୩୦ଟି ବିଜୟୀ ଦଳକୁ ଟେକ୍ନୋଲୋଜି କିଟ୍, ଉପହାର, ଟ୍ରଫି ଓ ପ୍ରମାଣପତ୍ର ସହିତ ସର୍ବମୋଟ ୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ। ଏହା ସହିତ ପୂର୍ବ ସଂସ୍କରଣ ଭଳି କୃତୀ ପ୍ରତିଯୋଗୀମାନଙ୍କୁ ସହଯୋଗୀ ଶିଳ୍ପସଂସ୍ଥାଗୁଡ଼ିକ ପକ୍ଷରୁ ସବେତନ ଇଣ୍ଟର୍ଣ୍ଣସିପ୍, ନିଯୁକ୍ତି ସୁଯୋଗ ଏବଂ ଷ୍ଟାର୍ଟଅପ୍ ଇନକ୍ୟୁବେସନ୍ ସହାୟତା ମଧ୍ୟ ମିଳିବ।
ଏହି ପ୍ରତିଯୋଗିତାର ଆନୁଷ୍ଠାନିକ ଉଦ୍ଘାଟନୀ ଉତ୍ସବ ନଭେମ୍ବର ୧୨ ତାରିଖ ପୂର୍ବାହ୍ନ ୧୦:୩୦ରେ ବିପିୟୁଟି କ୍ୟାମ୍ପସସ୍ଥିତ ନେତାଜୀ ସୁଭାଷ ପ୍ରେକ୍ଷାଗୃହରେ ଅନୁଷ୍ଠିତ ହେବ। ଏଥିରେ ରଘୁନାଥପାଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ସମ୍ମାନିତ ଅତିଥି ଭାବେ ଓୟୁଟିଆର୍ ଭୁବନେଶ୍ୱରର କୁଳପତି ପ୍ରଫେସର ବିଭୂତି ଭୂଷଣ ବିଶ୍ୱାଳ, ଗୁରୁ ଘାସିଦାସ ବିଶ୍ୱବିଦ୍ୟାଳୟ ବିଳାସପୁରର କୁଳପତି ପ୍ରଫେସର ଆଲୋକ କୁମାର ଚକ୍ରୱାଲ, ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ସୁକାନ୍ତ କୁମାର ପ୍ରଧାନ, ଓକେସିଏଲ୍ର ପରିଚାଳନା ନିର୍ଦ୍ଦେଶକ ଡ. ମନୋରଞ୍ଜନ ପୁଥାଳ ଏବଂ ପାରାଦ୍ୱୀପ ସହକାରୀ ସୀମାଶୁଳ୍କ ଆୟୁକ୍ତ ଶୁଭେନ୍ଦୁ ମହାନ୍ତି ପ୍ରମୁଖ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି।
ସେହିପରି ନଭେମ୍ବର ୧୩ ତାରିଖ ସନ୍ଧ୍ୟା ୦୬ଟା ୩୦ରେ ସମାନ ପ୍ରେକ୍ଷାଗୃହରେ ଉଦ୍ଯାପନୀ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଏବଂ ସୁନ୍ଦରଗଡ଼ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିବାର କାର୍ଯ୍ୟକ୍ରମ ରହିଛି।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

