ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଙ୍ଗାଲୋରରେ କଳାହାଣ୍ଡିର ଦାଦନ ଶ୍ରମିକଙ୍କ ମୃତ୍ୟୁ: ଶବ ଫେରାଇ ଆଣିବାକୁ ସାହାଯ୍ୟ କଲା ସ୍ଥାନିୟ ସମାଜସେବୀ ଅନୁଷ୍ଠାନ

ବାଙ୍ଗାଲୋରରେ କଳାହାଣ୍ଡିର ଦାଦନ ଶ୍ରମିକଙ୍କ ମୃତ୍ୟୁ: ଶବ ଫେରାଇ ଆଣିବାକୁ ସାହାଯ୍ୟ କଲା ସ୍ଥାନିୟ ସମାଜସେବୀ ଅନୁଷ୍ଠାନ

ଗୋଲାମୁଣ୍ଡା,୦୯।୧୧)ଲ: ପେଟ ପାଟଣା ଓ ପରିବାର ପ୍ରତିପୋଷଣର ଆଶା ନେଇ ସୁଦୂର କର୍ଣ୍ଣାଟକର ବାଙ୍ଗାଲୋର ସହରକୁ ଦାଦନ ଖଟିବାକୁ ଯାଇଥିବା କଳାହାଣ୍ଡି ଜିଲ୍ଲାର ଜଣେ ଯୁବ ଶ୍ରମିକଙ୍କର ସେଠାରେ ଅକାଳ ବିୟୋଗ ଘଟିଛି। ମୃତ ଶ୍ରମିକ ଜଣକ ହେଲେ ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ବୃନ୍ଦାବାହାଲ ଗ୍ରାମର ସଞ୍ଜୁ ମଙ୍ଗରାଜ (୩୨)। ଜଣେ ସୁସ୍ଥ ସବଳ ଯୁବକ ରୋଜଗାର ଆଶାରେ ବାହାର ରାଜ୍ୟକୁ ଯାଇ ଶେଷରେ ଶବ ହୋଇ ଫେରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକାକୁଳ ପରିବେଶ ସୃଷ୍ଟି କରିଛି।ମିଳିଥିବା ସୂଚନା ମୁତାବକ, ଗ୍ରାମରେ କାମଧନ୍ଦାର ଅଭାବ ଯୋଗୁଁ ସଞ୍ଜୁ ନିଜ ପରିବାରକୁ ଦୁଇ ଓଳି ଦୁଇ ମୁଠା ଦେବା ପାଇଁ ବାଙ୍ଗାଲୋର ସହରକୁ ଯାଇ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ମାତ୍ର କିଛି ଦିନ ତଳେ ହଠାତ୍ ତାଙ୍କର ଦେହ ଅସୁସ୍ଥ ହୋଇପଡ଼ିଥିଲା। ସହକର୍ମୀମାନେ ତାଙ୍କୁ ତୁରନ୍ତ ସେଠାକାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରାଉଥିଲେ। ତେବେ ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ଗତ ୭ ତାରିଖ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ସଞ୍ଜୁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସଞ୍ଜୁଙ୍କ ମୃତ୍ୟୁ ପରେ ତାଙ୍କ ପଛରେ ସ୍ତ୍ରୀ ସମେତ ଜଣେ ୧୨ ବର୍ଷର ନାବାଳିକା ଝିଅ ଓ ୭ ବର୍ଷର ପୁଅ ସମ୍ପୂର୍ଣ୍ଣ ଅନାଥ ହୋଇଯାଇଛନ୍ତି।ଆକସ୍ମିକ ମୃତ୍ୟୁ ଖବର ପାଇ ପରିବାର ଲୋକଙ୍କ ଉପରେ ଚଡ଼କ ପଡ଼ିଥିଲା। ହଜାର ହଜାର କିଲୋମିଟର ଦୂରରୁ ମୃତଦେହକୁ ନିଜ ଭିଟାମାଟି ବୃନ୍ଦାବାହାଲକୁ ଆଣିବା ପାଇଁ ଏହି ଗରିବ ପରିବାର ନିକଟରେ ଆଦୌ ସାମର୍ଥ୍ୟ ନଥିଲା। ପ୍ରଶାସନ ବା ନେତାଙ୍କ ସହ ଯୋଗାଯୋଗ କରିବା ସେମାନଙ୍କ ପାଇଁ ସମ୍ଭବ ନଥିବାରୁ, ଉପାୟଶୂନ୍ୟ ହୋଇ ସେମାନେ ସୋସିଆଲ ମେଡିଆର ସାହାରା ନେଇଥିଲେ। ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସ୍ଥାନୀୟ ବିଧାୟକ, ସାଂସଦ ଏବଂ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଶବ ଆଣିବା ପାଇଁ କାନ୍ଦି କାନ୍ଦି ସହଯୋଗ ଭିକ୍ଷା କରିଥିଲେ।ଏହି ଭିଡିଓଟି ‘ବିନ୍ଦୁମିନା ସେବା ଫାଉଣ୍ଡେସନ’ର ଅଧ୍ୟକ୍ଷ ତଥା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ନଜରକୁ ଆସିଥିଲା। ପରିବାରର ଏହି ଦୁର୍ଦ୍ଦଶା ଦେଖି ସେ ଆଦୌ ବିଳମ୍ବ ନ କରି ତୁରନ୍ତ ବାଙ୍ଗାଲୋରରେ ଥିବା ସମ୍ପୃକ୍ତ ଘରୋଇ ଚିକିତ୍ସାଳୟ କର୍ତ୍ତୃପକ୍ଷ ଓ ମୃତକଙ୍କ ପରିବାର ସହ ଯୋଗାଯୋଗ କରିଥିଲେ। ଫାଉଣ୍ଡେସନ ପକ୍ଷରୁ ସମ୍ପୂର୍ଣ୍ଣ ମାଗଣାରେ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇ ଶବକୁ ବାଙ୍ଗାଲୋରରୁ ଗ୍ରାମକୁ ଅଣାଯାଇଥିଲା। ଯାହାଫଳରେ ଆଜି ସଞ୍ଜୁଙ୍କ ପାର୍ଥିବ ଶରୀର ସମ୍ମାନର ସହ ନିଜ ଗାଁ ମାଟିରେ ପହଞ୍ଚି ପାରିଛି ଏବଂ ଗ୍ରାମ ଶ୍ମଶାନରେ ସ୍ଥାନୀୟ ଲୋକଙ୍କ ଗହଣରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି।ଏହି ଘଟଣା ପୁଣି ଥରେ କଳାହାଣ୍ଡି ଜିଲ୍ଲାର ଜ୍ୱଳନ୍ତ ଦାଦନ ସମସ୍ୟାକୁ ପଦାରେ ପକାଇଛି। ସରକାରୀ ତଥ୍ୟ ଅନୁସାରେ, କେବଳ ଗୋଲାମୁଣ୍ଡା ବ୍ଲକରେ ସମୁଦାୟ ଜବକାର୍ଡ ଧାରୀଙ୍କ ସଂଖ୍ୟା ୨୯,୬୦୬ ରହିଥିବା ବେଳେ ପ୍ରାୟ ୫୭,୪୧୩ ଜଣ ଶ୍ରମିକ ଅଛନ୍ତି। ପୂର୍ବରୁ ସରକାରଙ୍କ ମନରେଗା ଯୋଜନାରେ ଶ୍ରମିକମାନଙ୍କୁ ବର୍ଷକୁ ୩୦୦ ଦିନର କାମ ଯୋଗାଇ ଦିଆଯାଉଥିଲା, ଯାହା ସ୍ଥାନୀୟ ଅଞ୍ଚଳରେ ଲୋକଙ୍କୁ ରୋଜଗାର ଦେବାରେ ସହାୟକ ହେଉଥିଲା। ମାତ୍ର ସରକାରଙ୍କ ନୂତନ ଗାଇଡ଼ଲାଇନ ଏବଂ ବର୍ତ୍ତମାନର ଭିବି ଜି ରାମଜି ଯୋଜନା ଅଧୀନରେ ଏହି କାର୍ଯ୍ୟଦିବସକୁ ମାତ୍ର ୧୨୫ ଦିନକୁ ହ୍ରାସ କରାଯାଇଛି।କାର୍ଯ୍ୟଦିବସ କମିଯିବା ହେତୁ ଗୋଲାମୁଣ୍ଡା ବ୍ଲକର ହଜାର ହଜାର ଶ୍ରମିକ ଏବେ କାମ ନ ପାଇ ବେକାର ହୋଇ ବସିଛନ୍ତି। ନିଜ ଭିଟାମାଟିରେ ରୋଜଗାର ନମିଳିବାରୁ ଶ୍ରମିକମାନେ ବାଧ୍ୟ ହୋଇ ଜୀବନକୁ ବାଜି ଲଗାଇ ବାଙ୍ଗାଲୋର,ଗୋଆ,ସୁରଟ, ଚେନ୍ନାଇ, ରାୟପୁର, ପୁନେ, ଦୁର୍ଗ,ମୁମ୍ବାଇ, ବିଜୟବାଡା, ଗୁଣ୍ଟୁର, ପଠାନକୋଟ ଓ ହାଇଦ୍ରାବାଦ ଭଳି ବାହାର ରାଜ୍ୟକୁ ଦାଦନ ଖଟିବାକୁ ପଳାୟନ କରୁଛନ୍ତି।ଗୋଲାମୁଣ୍ଡା ବ୍ଲକ ଏକ ଅତ୍ୟନ୍ତ ଦାଦନ ପ୍ରବଣ ଅଞ୍ଚଳ ହୋଇଥିବାରୁ ଏଠାକାର ଶ୍ରମିକମାନଙ୍କ ସ୍ଥିତିକୁ ସୁଧାରିବା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣ ସରକାରଙ୍କ ନିକଟରେ ତୀବ୍ର ଦାବି କରିଛନ୍ତି। ସରକାର ପୂର୍ବ ଭଳି ଶ୍ରମିକମାନଙ୍କୁ ବର୍ଷକୁ ଅତିକମରେ ୩୦୦ ଦିନର କାମ ଯୋଗାଇ ଦିଅନ୍ତୁ, ଯେପରି ସେମାନେ ନିଜ ଅଞ୍ଚଳରେ ରହି ସମ୍ମାନର ସହ ବଞ୍ଚିପାରିବେ। ଯଦି ସରକାର ଏହି ଦିଗରେ ତୁରନ୍ତ ପଦକ୍ଷେପ ନନିଅନ୍ତି, ତେବେ ଆଗାମୀ ଦିନରେ ଅଞ୍ଚଳର ଆହୁରି ଅନେକ ଗରିବ ଲୋକ ଭେଳା ଭେଳା ହୋଇ ଦାଦନ ଚାଲିଯିବେ ଏବଂ ସଞ୍ଜୁଙ୍କ ଭଳି ଶବ ହୋଇ ଫେରିବେ ବୋଲି ଗ୍ରାମବାସୀ କ୍ଷୋଭର ସହ ପ୍ରକାଶ କରିଛନ୍ତି।

Related posts

ବିକଶିତ ଗାଁ ବିକଶିତ ଓଡିଶା, ର ସ୍ୱତନ୍ତ୍ର ଗ୍ରାମ ସଭା 

masiha

ଓଡିଶାର ପ୍ରଥମ ବିଶ୍ଵବିଦ୍ୟାଳୟ ଭାବରେ ମାଉଣ୍ଟ ରୁଦୁଗେରା (୧୯,୧୦୦ ଫୁଟ) ଶିଖରରେ ପହଞ୍ଚିଲା କଳାହାଣ୍ଡି ବିଶ୍ବବିଦ୍ୟାଳୟର ପର୍ବତାରୋହୀ ଦଳ

masiha

ମ. ରାମପୁର ସହର ରେ ମାଙ୍କଡ ଙ୍କ ଆତଙ୍କରାଜ

Sunil Chandra Nayak

Leave a Comment

error: Content is protected !!