ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର ପ୍ରମୁଖ ବୈଷୟିକ ତଥା ଉଦ୍ଭାବନ କାର୍ଯ୍ୟକ୍ରମ ହ୍ୟାକାଥନ – ୨୦୨୬ (ତୃତୀୟ ସଂସ୍କରଣ) ଗ୍ରାଣ୍ଡ ଫିନାଲେ ଉଦ୍ଘାଟିତ
ରାଉରକେଲା: ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟ (ବିପିୟୁଟି)ର ପ୍ରମୁଖ ବୈଷୟିକ ତଥା ଉଦ୍ଭାବନ କାର୍ଯ୍ୟକ୍ରମ “ବିପିୟୁଟି ହ୍ୟାକାଥନ୍ – ୨୦୨୬” (ତୃତୀୟ ସଂସ୍କରଣ)ର ଗ୍ରାଣ୍ଡ ଫିନାଲେ ଆଜି ପୂର୍ବାହ୍ନ ୧୦:୩୦ରେ ବିଶ୍ୱବିଦ୍ୟାଳୟ ଛେଣ୍ଡ ସ୍ଥିତ କ୍ୟାମ୍ପସର ନେତାଜୀ ସୁଭାଷ ପ୍ରେକ୍ଷାଗୃହରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଏହି ୩୬ ଘଣ୍ଟିଆ ନିରବଚ୍ଛିନ୍ନ ଉଦ୍ଭାବନ ନଭେମ୍ବର ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହେଉଛି।
ଆଜିର ଉଦ୍ଘାଟନୀ ଉତ୍ସବରେ ଅଧ୍ୟକ୍ଷତା କରି ବିପିୟୁଟିର କୁଳପତି ପ୍ରଫେସର ଅମିୟ କୁମାର ରଥ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିଆଯାଉଥିବା ବିଭିନ୍ନ ରଣନୀତିକ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। “ବିପିୟୁଟି ହ୍ୟାକାଥନ” ଭଳି ମଞ୍ଚ କିଭଳି ଶ୍ରେଣୀଗୃହର ଶିକ୍ଷାଦାନ ଏବଂ ବାସ୍ତବ ଶିଳ୍ପ ଜଗତର ଆବଶ୍ୟକତା ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ସହ ସାରା ଓଡ଼ିଶାରେ ଉଦ୍ଭାବନ, ଗବେଷଣା ଏବଂ ଉଦ୍ୟୋଗୀତାର ଏକ ସମୃଦ୍ଧ ସଂସ୍କୃତି ସୃଷ୍ଟି କରୁଛି, ସେଥିପ୍ରତି ସେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଯୁବ ପ୍ରଯୁକ୍ତିବିଦ୍ମାନଙ୍କୁ ସମାଜର ଗୁରୁତ୍ୱପୂର୍ଣ୍ଣ ସମସ୍ୟାଗୁଡ଼ିକର ସମାଧାନ ଦିଗରେ ନିଜର ସୃଜନଶୀଳତାକୁ ବିନିଯୋଗ କରିବାକୁ ଏବଂ ବିଶ୍ୱସ୍ତରରେ ପ୍ରଭାବ ପକାଇପାରୁଥିବା ପରିବର୍ତ୍ତନଶୀଳ ସମାଧାନ ବିକଶିତ କରିବାକୁ ପ୍ରେରଣା ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ପ୍ରତିଯୋଗୀମାନଙ୍କୁ ସମ୍ବୋଧିତ କରି ରାଉରକେଲା ମ୍ୟୁନିସିପାଲ କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଡଃ ସନାତନ ପ୍ରଧାନ ଉତ୍କର୍ଷ ହାସଲ ଦିଗରେ ନିଷ୍ଠା, ଅଧ୍ୟବସାୟ ଏବଂ ଦଳଗତ କାର୍ଯ୍ୟ ପ୍ରଦର୍ଶନ କରିବାକୁ ଛାତ୍ର ଉଦ୍ଭାବକମାନଙ୍କୁ ଉତ୍ସାହିତ କରିଥିଲେ। ବିପିୟୁଟି ପରିଚାଳନା ସମିତିର ସଦସ୍ୟ ତଥା ଓଡ଼ିଶା ମ୍ୟାନେଜମେଣ୍ଟ କଲେଜ ଆସୋସିଏସନର ସଭାପତି ପ୍ରଫେସର ଡ଼ଃ ଆର୍ଯ୍ୟ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କ ପ୍ରୋଟୋଟାଇପ୍ଗୁଡ଼ିକୁ ବ୍ୟାପକ ତଥା ବଜାର-ଉପଯୋଗୀ ସମାଧାନ ଏବଂ ଉଦ୍ୟୋଗରେ ପରିଣତ କରିବା କ୍ଷେତ୍ରରେ ଶିଳ୍ପସଂସ୍ଥା ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ସମନ୍ୱୟ ଏବଂ ବ୍ୟବହାରିକ ଇଞ୍ଜିନିୟରିଂ ଦକ୍ଷତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଉଦ୍ଘାଟନୀ ସମାରୋହ ଡକ୍ଟର ଡି. ସି. ରାଓଙ୍କ ସ୍ୱାଗତ ଭାଷଣରୁ ଆରମ୍ଭ ହୋଇଥିଲା ଏବଂ ବିପିୟୁଟିର ଭାରପ୍ରାପ୍ତ କୁଳସଚିବ ତଥା ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ବି. ବି. ମଙ୍ଗରାଜଙ୍କ ଧନ୍ୟବାଦ ଅର୍ପଣ ସହ ଶେଷ ହୋଇଥିଲା।
ଗତ ଅକ୍ଟୋବର ୧୦ରୁ ୧୩ ତାରିଖ ମଧ୍ୟରେ ଅନୁଷ୍ଠିତ ଆଞ୍ଚଳିକ ମୂଲ୍ୟାଙ୍କନ (ଜୋନାଲ୍ ରାଉଣ୍ଡ) ମାଧ୍ୟମରେ ମନୋନୀତ ମୋଟ ୫୦ଟି ଫାଇନାଲିଷ୍ଟ ଦଳ ଆଜିର ଏହି ଗ୍ରାଣ୍ଡ ଫିନାଲେରେ ଅଂଶଗ୍ରହଣ କରିଛନ୍ତି। ବିଶ୍ୱବିଦ୍ୟାଳୟର ୭୧ଟି ଅନୁବନ୍ଧିତ ତଥା ସଂଲଗ୍ନ କଲେଜରୁ ୩,୮୫୨ ଜଣ ଛାତ୍ର ଉଦ୍ଭାବକଙ୍କୁ ନେଇ ପଞ୍ଜୀକୃତ ହୋଇଥିବା ୭୧୮ଟି ଦଳ ମଧ୍ୟରୁ ଶ୍ରେଷ୍ଠ ୫୦ଟି ଦଳ ଯୋଗ୍ୟତା ଅର୍ଜନ କରିଛନ୍ତି।
ଫାଇନାଲିଷ୍ଟମାନେ ୭ଟି ପ୍ରମୁଖ କର୍ପୋରେଟ୍ ତଥା ସାଂସ୍ଥାଗତ ଭାଗୀଦାର—ଆର୍ଡୁଇନୋ, କଗ୍ନିଜାଣ୍ଟ, ଓକେସିଏଲ୍, ଏସଟିପିଆଇ, ମେଘା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକଚର୍ସ ଲିମିଟେଡ୍, ରୁମାନ୍ ଟେକ୍ନୋଲୋଜିସ୍ ଏବଂ ଫ୍ରେଟ୍ବକ୍ସ ପକ୍ଷରୁ ପ୍ରାୟୋଜିତ ୧୦ଟି ବାସ୍ତବିକ ସମସ୍ୟା ବିବୃତି ଉପରେ କାର୍ଯ୍ୟ କରୁଛନ୍ତି। ଏହି ପଦକ୍ଷେପ ବିଦ୍ୟାର୍ଥୀମାନଙ୍କୁ ବାସ୍ତବ ଶିଳ୍ପ ଏବଂ ସାମାଜିକ ଆବଶ୍ୟକତାରୁ ଉତ୍ପନ୍ନ ଆହ୍ୱାନଗୁଡ଼ିକର ମୁକାବିଲା କରିବା ପାଇଁ ସେମାନଙ୍କର ବୈଷୟିକ ଜ୍ଞାନ, ସୃଜନଶୀଳତା ଏବଂ ସମସ୍ୟା ସମାଧାନ ଦକ୍ଷତା ପ୍ରୟୋଗ କରିବାର ସୁଯୋଗ ପ୍ରଦାନ କରୁଛି।
ଆଜିର ଏହି କାର୍ଯ୍ୟକ୍ରମରେ ରାଉରକେଲା ଏବଂ ଏହାର ଆଖପାଖ ଅଞ୍ଚଳର ୧,୦୦୦ରୁ ଊର୍ଦ୍ଧ୍ୱ ସ୍କୁଲ ଛାତ୍ରଛାତ୍ରୀ ଉଦ୍ଭାବନ ପ୍ରକ୍ରିୟା ଦେଖିବା ତଥା ଅଂଶଗ୍ରହଣକାରୀ ଦଳଗୁଡ଼ିକ ସହ ଭାବବିନିମୟ କରିବା ପାଇଁ ହ୍ୟାକାଥନ୍ ସ୍ଥଳ ପରିଦର୍ଶନ କରିଛନ୍ତି। ଯାହାଦ୍ୱାରା ସେମାନଙ୍କ ମଧ୍ୟରେ ଜିଜ୍ଞାସା ଜାଗ୍ରତ ହେବା ସହ ସୃଜନଶୀଳ ଚିନ୍ତାଧାରା ବିକଶିତ ହେବ ଏବଂ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ଉଦ୍ଭାବନ କ୍ଷେତ୍ରରେ ଆଗ୍ରହ ସୃଷ୍ଟି ହେବା ସହିତ ଆଗାମୀ ସମୟରେ ସେମାନଙ୍କୁ ଭବିଷ୍ୟତର ଦକ୍ଷ ଉଦ୍ଭାବକ ତଥା ପ୍ରଯୁକ୍ତିବିଦ୍ ଭାବେ ଗଢ଼ି ତୋଳିବାରେ ସହାୟକ ହେବ।
ବିପିୟୁଟି ହ୍ୟାକାଥନ୍ – ୨୦୨୬ର ଉଦ୍ଯାପନୀ ଉତ୍ସବ ଆସନ୍ତାକାଲି, ନଭେମ୍ବର ୧୩ ତାରିଖ ସନ୍ଧ୍ୟା ୬ଟା ୩୦ରେ ବିପିୟୁଟିର ମୁଖ୍ୟ କ୍ୟାମ୍ପସ, ରାଉରକେଲା ଛେଣ୍ଡ ସ୍ଥିତ ନେତାଜୀ ସୁଭାଷ ପ୍ରେକ୍ଷାଗୃହରେ ଅନୁଷ୍ଠିତ ହେବ। ଏହି ସମାରୋହରେ ବିଜୟୀ ଦଳଗୁଡ଼ିକର ବୈଷୟିକ ଉତ୍କର୍ଷ ଏବଂ ସମସ୍ୟା ସମାଧାନ ଦକ୍ଷତାକୁ ସ୍ୱୀକୃତି ଜଣାଇ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ପୁରସ୍କୃତ କରାଯିବ ବୋଲି ଜଣାପଡିଛି।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

