ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଢେଙ୍କାନାଳ ସିଦ୍ଧ ବଳରାମଜୀଉ ମନ୍ଦିରରେ ହରି ଉତ୍ଥାପନ ବଡ଼ ଏକାଦଶୀ ନୀତି ପାଳିତ , ୨- କୁଞ୍ଜକାନ୍ତ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ କାର୍ତିକ ପର୍ବ ପାଳନ , ୩- ଗେଙ୍ଗୁଟିଆ ଗ୍ରାମରେ ପଞ୍ଚୁକ ଅବସରରେ ଶରତ ରାସ ଯାତ୍ରା, ଚଉଦଟି ପୂଜା ମଣ୍ଡପରେ ଦେବଦେବୀଙ୍କ ଆରାଧନା

ଢେଙ୍କାନାଳ ସିଦ୍ଧ ବଳରାମଜୀଉ ମନ୍ଦିରରେ ହରି ଉତ୍ଥାପନ ବଡ଼ ଏକାଦଶୀ ନୀତି ପାଳିତ

ଢେଙ୍କାନାଳ: ପବିତ୍ର କାର୍ତ୍ତିକ ମାସ ଅବସରରେ ଢେଙ୍କାନାଳ କୈବଲ୍ୟ ବଜାରସ୍ଥିତ ଶ୍ରୀଶ୍ରୀ ସିଦ୍ଧ ବଳରାମଜୀଉଙ୍କ ମନ୍ଦିରରେ ହରି ଉତ୍ଥାପନ ବଡ଼ ଏକାଦଶୀ ନୀତି ଶ୍ରଦ୍ଧା ଓ ଭକ୍ତିପୂର୍ଣ୍ଣ ପରିବେଶରେ ପାଳିତ ହୋଇଯାଇଛି।

ଏହି ଅବସରରେ ପ୍ରାତଃକାଳରୁ ମହାପ୍ରଭୁଙ୍କ ମଙ୍ଗଳ ଆଳତି, ସ୍ନାନ, ବସ୍ତ୍ର ଲାଗି, ତୁଳସୀ ହାର ଓ ପୁଷ୍ପ ହାର ଲାଗି ଆଦି ସ୍ୱତନ୍ତ୍ର ନୀତିକାନ୍ତି ସମ୍ପନ୍ନ ହୋଇଥିଲା। ପରେ ବଲ୍ଲଭ ଭୋଗ ଲାଗି କରାଯାଇଥିବା ବେଳେ ପୂର୍ବାହ୍ନ ୧୦ଟା ସମୟରେ ମହାପ୍ରଭୁଙ୍କ ନିକଟରେ ଖେଚେଡ଼ି ଭୋଗ ଅର୍ପଣ କରାଯାଇଥିଲା।

ସେହିପରି ମଧ୍ୟାହ୍ନରେ ଅନ୍ନ ଧୂପ, ସନ୍ଧ୍ୟାରେ ଆଳତି ଏବଂ ରାତ୍ରି ଧୂପ ପରେ ଏକାଦଶୀ ବେଢ଼ା ପରିକ୍ରମା ସହ ମନ୍ଦିର ଶିଖରକୁ ମହାଦୀପ ଉଠିବାର ବିଧି ରହିଛି। ପରେ ପହଡ ପଡ଼ିବ।

ଏହି ଧାର୍ମିକ କାର୍ଯ୍ୟକ୍ରମରେ ପୂଜକ ମନସୁମନ ମିଶ୍ର, ପୂଜକ ଶ୍ରୀବତ୍ସ ମିଶ୍ର, ମଳୟ କର, ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, ବ୍ରଜମୋହନ ମହାପାତ୍ର, କାହାଳିଆ ଟିକନ ବେହେରା ଏବଂ ମନ୍ଦିର ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତିରେ ସମସ୍ତ ନୀତିକାନ୍ତି ସମ୍ପନ୍ନ ହୋଇଥିଲା।

ମହାପ୍ରଭୁ ଶ୍ରୀ ସିଦ୍ଧ ବଳରାମଜୀଉଙ୍କ ଦର୍ଶନ ପାଇଁ ମନ୍ଦିରରେ ବହୁ ଭକ୍ତଙ୍କ ସମାଗମ ହୋଇଥିଲା। ଭକ୍ତିମୟ ପରିବେଶ ମଧ୍ୟରେ ହରି ଉତ୍ଥାପନ ବଡ଼ ଏକାଦଶୀ ନୀତି ସମ୍ପନ୍ନ ହୋଇଥିଲା।

କୁଞ୍ଜକାନ୍ତ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ କାର୍ତିକ ପର୍ବ ପାଳନ

ଢେଙ୍କାନାଳ, ୨୧/୧୧: ଢେଙ୍କାନାଳ ସହର କୁଞ୍ଜକାନ୍ତ ପୋଖରୀ କୂଳରେ ଥିବା ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ଅଂଚଳର ପ୍ରାୟ ପ୍ରାୟ ୪୦ଜଣ ମହିଳା କାର୍ତିକ ମସାର ପର୍ବ ବା ପଂଚୁକ ପର୍ବକୁ ବହୁ ଆଡମ୍ବର ସହିତ ପାଳନ କରୁଛନ୍ତି । ଏହା ପ୍ରାୟ ୪୦ରୁ ୫୦ ବର୍ଷ ଧରି ପାଳନ ହେଉଅଛି । ମାସକ ମଧ୍ଯରୁ ୨୬ଦିନ ରାଇ ଦାମୋଦର ପୂଜା ହୋଇଥିବାବେଳେ ଶେଷ ୪ଦିନ ବା ପଂଚୁକରେ ଲକ୍ଷ୍ମୀନାରାଣ ପୂଜା ହୋଇଥାଏ । ଏହି ବର୍ଷ ୪ ଦିନ ପଂଚୁକ ପଡ଼ୁଥିବାରୁ ବଗବଗୁଲିଙ୍କୁ ପୂଜା କରାଯାଇଥାଏ । ୨୬ଦିନ କପୋତକପୋତିଙ୍କୁ ନିର୍ମାଲ୍ୟ ଦେଇ ଉଡାଇ ଦିଆଯାଇଥାଏ ଓ ବଗବଗୁଲିଙ୍କୁ ୪ଦିନ ପୂଜା କରି ଫଳ ଓ ଭୋଗ ଦେଇ ଉଡାଇ ଦିଆଯାଏ । ଏହି ପୂଜାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ । ଶରୀର ସବୁ ରୋଗ ଯନ୍ତ୍ରଣାକୁ ଭୁଲି ମହିଳାମାନେ ଏହି ବ୍ରତ ପାଳନ କରିଥାନ୍ତି ଏବଂ ମାସସାରା ସଂଧ୍ୟାରେ ବୃନ୍ଦାବତୀଙ୍କ ପାଖରେ ଆକାଶଦୀପ ଉଠାଇଥାନ୍ତି । ଢେଙ୍କାନାଳ ଜିଲ୍ଲା ତଥା ରାଜ୍ୟବାସୀଙ୍କ ଆରୋଗ୍ୟ ଓ ସମୃଦ୍ଧି କାମନା କରିବା ସହିତ ପୂଜାକୁ ପାଳନ କରିଥାନ୍ତି । ଏଥୁରେ ସ୍ନିଗ୍ଧାରାଣୀ ନନ୍ଦଙ୍କ ସମେତ ବହୁ ମହିଳାମାନଙ୍କ ଉପସ୍ଥିତ ରହି ପୂଜା ପାଳନକୁ ସଫଳ କରିଥାନ୍ତି ।

ଗେଙ୍ଗୁଟିଆ ଗ୍ରାମରେ ପଞ୍ଚୁକ ଅବସରରେ ଶରତ ରାସ ଯାତ୍ରା, ଚଉଦଟି ପୂଜା ମଣ୍ଡପରେ ଦେବଦେବୀଙ୍କ ଆରାଧନା

ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ଗେଙ୍ଗୁଟିଆ ଗ୍ରାମରେ ପଞ୍ଚୁକ ଅବସରରେ ଆରମ୍ଭ ହୋଇଛି ପାଞ୍ଚଦିନିଆ ପାରମ୍ପରିକ ଶରତ ରାସ ଯାତ୍ରା। ଭକ୍ତି ଓ ଆଧ୍ୟାତ୍ମିକତାର ମାହୋଲରେ ଉତ୍ସବମୁଖର ହୋଇଉଠିଛି ସାରା ଗ୍ରାମ।

କାହିଁ କେଉଁ କାଳରୁ ଗେଙ୍ଗୁଟିଆ ଗ୍ରାମରେ ଏହି ଶରତ ରାସ ଯାତ୍ରା ପାଳିତ ହୋଇଆସୁଛି। ଗ୍ରାମର ସ୍ୱର୍ଗତ ଚୈତନ୍ୟ ସାହାଣୀ ପ୍ରଥମେ ଶ୍ରୀରାଧାକୃଷ୍ଣଙ୍କ ଯୁଗଳ ଫଟୋ ପୂଜା କରି ଏହି ରାସ ଯାତ୍ରାର ଶୁଭାରମ୍ଭ କରିଥିଲେ। ସମୟକ୍ରମେ ଏହି ପରମ୍ପରା ଗ୍ରାମର ପ୍ରତ୍ୟେକ ସାହିକୁ ବ୍ୟାପି ଯାଇଥିଲା।

ଚଳିତ ବର୍ଷ ଗ୍ରାମର ଚଉଦଟି ପୂଜା ମଣ୍ଡପରେ ଶ୍ରୀରାଧାକୃଷ୍ଣ, ଶ୍ରୀରାମ, କାର୍ତ୍ତିକେଶ୍ୱର, ବ୍ରହ୍ମା-ବିଷ୍ଣୁ-ମହେଶ୍ୱର, ହରଗୌରୀ, ଲକ୍ଷ୍ମୀନାରାୟଣଙ୍କ ଅନନ୍ତ ଶୟନ, ଶିବ-ପାର୍ବତୀ ଓ ଗଣେଶ-କାର୍ତ୍ତିକଙ୍କ ସମେତ ବିଭିନ୍ନ ଦେବଦେବୀଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଛନ୍ତି। ପ୍ରତ୍ୟେକ ପୂଜା ମଣ୍ଡପରେ ବ୍ରାହ୍ମଣଙ୍କ ଦ୍ୱାରା ଦୈନିକ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି।

ସନ୍ଧ୍ୟା ହେଲେ ରଙ୍ଗବେରଙ୍ଗ ଆଲୋକମାଳା ଓ ଆକର୍ଷଣୀୟ ସାଜସଜ୍ଜାରେ ଝଲସି ଉଠୁଛି ସମଗ୍ର ଗ୍ରାମ। ମୀନାବଜାର, ଫାଷ୍ଟଫୁଡ୍ ଷ୍ଟଲ୍ ଓ ମିକି ମାଉସ୍ ଦୋଳିର ମଜା ଉଠାଉଛନ୍ତି ଛୋଟରୁ ବଡ଼ ସମସ୍ତେ।

ଏହି ଅବସରରେ ଘରେ ଘରେ ବନ୍ଧୁବାନ୍ଧବଙ୍କ ମିଳନ ସାଙ୍ଗକୁ ଆଖପାଖ ଗ୍ରାମରୁ ଶ୍ରଦ୍ଧାଳୁ ଓ ଦର୍ଶକଙ୍କ ଭିଡ଼ ଜମୁଛି। ଗ୍ରାମର ଅବାଳବୃଦ୍ଧବନିତା ସମସ୍ତେ ଏହି ଉତ୍ସବର ଆନନ୍ଦ ଉଠାଉଥିବା ବେଳେ ଭକ୍ତି, ପରମ୍ପରା ଓ ଭାଇଚାରାର ନିଆରା ଉଦାହରଣ ପାଲଟିଛି ଗେଙ୍ଗୁଟିଆ ଗ୍ରାମର ଏହି ଶରତ ରାସ ଯାତ୍ରା।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

୧- ଶ୍ରୀ ଶ୍ରୀ ଶ୍ରୀ ମା କଟା ଦୁର୍ଗା ଭବାନି ମନ୍ଦିର ପ୍ରତିଷ୍ଠା କୁ ନେଇ ଚାଲିଚି ରଙ୍ଗିନ ଭାବରେ ସଜାସଜି ,୨- ମା ମାଝୀ ଗୌରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଶୁଭାରମ୍ଭ 

Sunil Chandra Nayak

ମୁଣ୍ଡମରାଇ ରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ 

Sunil Chandra Nayak

ପିଏମ୍ ଜନମନ ପରିଯୋଜନା ଅନ୍ତର୍ଗତ ଦ୍ଵିତୀୟ ପର୍ଯ୍ୟାୟ ଜନ ସଚେତନତା ରଥ ପରିକ୍ରମା 

masiha

Leave a Comment

error: Content is protected !!