ଧର୍ମପରାୟଣ କଇଁଫୁଲଙ୍କ ଅକାଳ ବିୟୋଗରେ ସେରେଣ୍ଡା ଓଏମ୍ସି କଲୋନୀରେ ଶୋକର ଛାୟା
ବଡ଼ବିଲ: ମୃତ୍ୟୁ କେତେବେଳେ ଯେ କାହାର ଜୀବନରେ ନିରବରେ ପଶିଆସେ, ତାହା କେହି ଜାଣିନାହାନ୍ତି। ହସଖୁସିରେ ଭରି ରହିଥିବା ଏକ ପରିବାରରେ ହଠାତ୍ ଖେଳିଗଲା ଦୁଃଖର କଳାବାଦଲ। ଘରେ ହିଟର୍ ବ୍ୟବହାର କରୁଥିବା ସମୟରେ ବିଦ୍ୟୁତ୍ ଆଘାତରେ ଜଣେ ଧର୍ମପରାୟଣ ଓଏମ୍ସି ମହିଳା କର୍ମଚାରୀଙ୍କ ଅକାଳ ବିୟୋଗ ଘଟିଛି। ମୃତକ ହେଉଛନ୍ତି କଇଁଫୁଲ ନାଏକ। ତାଙ୍କ ମୃତ୍ୟୁ ଖବରରେ କେବଳ ପରିବାର ନୁହେଁ, ସମଗ୍ର ସେରେଣ୍ଡା ଓଏମ୍ସି କଲୋନୀରେ ଶୋକର ଛାୟା ଖେଳିଯାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ସେରେଣ୍ଡାସ୍ଥିତ ଓଏମ୍ସି କଲୋନୀରେ ରହୁଥିବା କଇଁଫୁଲ ନାଏକ ନିଜ ବାସଭବନରେ ହିଟର୍ ବ୍ୟବହାର କରୁଥିବା ବେଳେ ଅସାବଧାନତାବଶତଃ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ଏହା ପରେ ସେ ଗୁରୁତର ହୋଇପଡ଼ିଥିଲେ। ପରିବାର ସଦସ୍ୟ ତୁରନ୍ତ ତାଙ୍କୁ ଉଦ୍ଧାର କରି ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ହେଲେ ଦୁର୍ଭାଗ୍ୟବଶତଃ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଖବର ପାଇ ବଡ଼ବିଲ ପୋଲିସ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରିଛି। ବିଦ୍ୟୁତ୍ ଆଘାତର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।
କଇଁଫୁଲ ଜଣେ ଧର୍ମପରାୟଣ ମହିଳା ଭାବେ ପରିଚିତ ଥିଲେ। ତାଙ୍କର ଏଭଳି ଅକାଳ ବିୟୋଗରେ ପରିବାରବର୍ଗ, ବନ୍ଧୁବାନ୍ଧବ, ସମ୍ପର୍କୀୟ ଓ ସହକର୍ମୀମାନେ ଗଭୀର ମର୍ମାହତ ହୋଇପଡ଼ିଛନ୍ତି। ଯେଉଁ ଘରେ ଦିନେ ହସ ଓ ଖୁସିର ମାହୋଲ ଥିଲା, ସେହି ଘରେ ଆଜି ଶୁଭୁଛି କେବଳ କାନ୍ଦଣା ଓ ଆତ୍ମୀୟଙ୍କ ବିଳାପ। ଏହି ଅପୂରଣୀୟ କ୍ଷତିକୁ ସହଜରେ ଭୁଲିବା ସମ୍ଭବ ନୁହେଁ। ତାଙ୍କ ଅମର ଆତ୍ମାର ସଦ୍ଗତି କାମନା ସହ ଶୋକସନ୍ତପ୍ତ ପରିବାରକୁ ଏହି ଦୁଃଖ ସହିବା ପାଇଁ ମହାପ୍ରଭୁ ଶକ୍ତି ଓ ଧୈର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ସ୍ଥାନୀୟ ମହଲରେ ପ୍ରାର୍ଥନା କରାଯାଇଛି।
ଉର୍ମିଳା ପଣ୍ଡା ଙ୍କ ରିପୋର୍ଟ୍

