ସକାଳର ଜଣାଣ
ବିଜୟ କୁମାର ଜେନା
ସୁଲୁସୁଲୁ ବାଆ ବହଇ ,ମନୁ ହରଇ ବ୍ୟଥା
ଜ୍ୟୋସ୍ନା ବିଜଡ଼ିତ ରଜନୀ, କହେ ଅନେକ କଥା।
ମହୋଦଧି ଢେଉ ଉଛୁଳି, ପୁଣି ଫେରେ ପଶ୍ଚାତେ
କ୍ରମାଗତ ଏହା ଚାଲିଛି ,ଯୁଗ ଯୁଗକୁ ସତେ।
ପ୍ରାଚୀଦିଗେ ସୂର୍ଯ୍ୟ ଉଦୟ ,ପୁଣି ପଶ୍ଚିମେ ଅସ୍ତ
ସଂଜେ ବିହଙ୍ଗମ ଫେରନ୍ତି ,ଦେଖି ଶାବକ ମସ୍ତ।
ଜଳ ବହିଯାଏ ଉଚ୍ଚରୁ, ନୀଚ ସ୍ଥାନକୁ ଦେଖି
କଳ କଳ ନାଦ ଶୁଭଇ ,ଶାନ୍ତ ଭୀମ ପରଖି।
ବନ ଉପବନେ କୁସୁମ ,ଫୁଟେ ନାନା ଜାତିର
ମଧୁ ମକ୍ଷିକାର ଗୁଞ୍ଜନେ, ପୁଷ୍ପ ହୁଏ ବିଭୋର।
ଦୂର ପରବତ ଦିଶଇ ଆହା କି ମନୋହର
ଝରଣାଟି ବହି ଯାଇଛି ଅଙ୍କା ବଙ୍କା ପଥର।
କେତେ କଳପନା ଦେଇଛି ବିଧି ଆମରି ପାଇଁ
ସୁନ୍ଦର ସୃଷ୍ଟିର ରଚନା ଜୀବ ଜନ୍ତୁଙ୍କୁ ନେଇ।
ବିଧାତା ର ସୃଷ୍ଟି ରଖିବା ଚିର ଦିନ ବଜାଇ
ଏଇ କଥା ନିତି କୁହନ୍ତି ଆମ ଜଗତ ସାଇଁ।
ଅନିତ୍ୟ ସଂସାରେ ଏକା ସେ ସାର ଶ୍ରୀଜଗନ୍ନାଥ
ତାଙ୍କ ନାମ ନେଇ ଚଳିବା ଦୃଶ୍ୟ ହେବ ସୁପଥ।