ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀମଦଭଗବତଗୀତାର ଅଷ୍ଟାଦଶ ଅଧ୍ଯାୟର ସାରକଥା– ୧୮

ଶ୍ରୀମଦଭଗବତଗୀତାର ଅଷ୍ଟାଦଶ ଅଧ୍ଯାୟର ସାରକଥା– ୧୮

ସଂସାରର ଅର୍ଥ ହେଲା ଯାହା ବରାବର ଘୂରୁଛି । ଜୀବାତ୍ମା ଜନ୍ମଲାଭ କରୁଛି,ମରୁଛି,ପୁଣି ଜନ୍ମଲାଭ କରୁଛି, ପୁଣି ମରୁଛି । ଏଣୁ ଜୀବାତ୍ମା ଚକ୍ରଭଳି ଘୂରି ଚାଲିଛି । ଏଥିରୁ ରକ୍ଷା ପାଇବାର ନାମ ମୋକ୍ଷ ବା ମୁକ୍ତି । ସଚ୍ଚିଦାନନ୍ଦ ପରମାତ୍ମାଙ୍କୁ ଲାଭ କରି ପାରିଲେ ସଂସାର ଚକ୍ରରୁ ମୁକ୍ତି ମିଳିବ ଓ ମୋକ୍ଷ ଲାଭ ହେବ । ଅଷ୍ଟାଦଶ(ଶେଷ) ଅଧ୍ଯାୟରେ ସମସ୍ତ ଗୀତା ଶାସ୍ତ୍ରର ସଂକଳନ ସହିତ ମୋକ୍ଷ ଲାଭର ଉପାୟ ବର୍ଣ୍ଣନା କରାଯାଇଥିବାରୁ ଏ ଅଧ୍ଯାୟର ନାମ ମୋକ୍ଷ ଯୋଗ ରଖାଯାଇଛି ।

ଅଧ୍ଯାୟର ଆରମ୍ଭରେ ଅର୍ଜୁନଙ୍କ ପ୍ରଶ୍ନର ଉତ୍ତରରେ ଭଗବାନ କହିଲେ-ସନ୍ନ୍ୟାସର ଅର୍ଥ ସକାମ କର୍ମର ତ୍ଯାଗ ଓ ତ୍ଯାଗର ଅର୍ଥ କର୍ମଫଳର ତ୍ଯାଗ । କିନ୍ତୁ ସନ୍ନ୍ୟାସୀମାନେ କର୍ମତ୍ଯାଗ ନ କଲେ ମୁକ୍ତି ମିଳେନାହିଁ ବୋଲି ଯେଉଁ ଯୁକ୍ତି କରନ୍ତି ଭଗବାନ୍ ତାହାକୁ ଗ୍ରହଣ କରି ନାହାନ୍ତି । କର୍ମ ତ୍ଯାଗ କଲେ ସୃଷ୍ଟି ରକ୍ଷା ଅସମ୍ଭବ । ଏଣୁ କର୍ମତ୍ଯାଗ କରିବା ଉଚିତ ନୁହେଁ । ମାତ୍ର କର୍ମଫଳ କାମନା ତ୍ଯାଗ କରିବାକୁ ହେବ । ତାହେଲେ , କର୍ମତ୍ଯାଗ ଦ୍ବାରା ଯେଉଁ ଫଳ ମିଳେ , ନିଷ୍କାମ କର୍ମଦ୍ବାର ସେହି ଫଳ ମିଳିବ । ଯଜ୍ଞ, ଦାନ,ତପସ୍ବା-ଏକର୍ମ ଗୁଡିକ ତ୍ଯାଗ କରିବା ଉଚିତ ନୁହେଁ । ଚିତ୍ତ ଶୁଦ୍ଧି ପାଇଁ ଏ ସବୁର ଅନୁଷ୍ଠାନ ଆବଶ୍ୟକ । ଫଳାକାଙ୍କ୍ଷା ତ୍ଯାଗ କରି ଏସବୁ ମଧ୍ୟ ଅନୁଷ୍ଠାନ କରିବାକୁ ହେବ । ସ୍ବଧର୍ମ ଅନୁସାରେ ମିଳିଥିବା କର୍ମ ମଧ୍ୟ ନିଷ୍କାମ ଭାବରେ ଅନୁଷ୍ଠାନ କଲେ ମୁକ୍ତିଲାଭ ହୁଏ । ଏହାକୁ ସାତ୍ତ୍ଵିକ ତ୍ଯାଗ କୁହାଯାଏ । କର୍ମ,ଦୁଃଖ ଓ କଷ୍ଟଦାୟକ-ଏ ଉଭୟେ ଯେ କର୍ମ ତ୍ଯାଗ କରନ୍ତି , ସେହି ତ୍ଯାଗକୁ ରାଜସ ତ୍ଯାଗ କହନ୍ତି । ମୋହ ବଶତଃ କର୍ତ୍ତବ୍ୟ କର୍ମ ତ୍ଯାଗକୁ ତାମସ ତ୍ଯାଗ କହନ୍ତି ।

ଦେହଧାରୀ ବ୍ଯକ୍ତି କେବେହେଲେ କର୍ମ ତ୍ଯାଗ କରି ପାରନ୍ତି ନାହିଁ । କିନ୍ତୁ ଯେ କର୍ମଫଳ ତ୍ଯାଗ କରି ପାରନ୍ତି ସେ ସବୁ କର୍ମ କରି ମଧ୍ୟ ପ୍ରକୃତ ତ୍ଯାଗୀ । ଅତ୍ଯାଗୀ(ସକାମ) ବ୍ଯକ୍ତିମାନଙ୍କର କର୍ମଫଳ ତିନି ପ୍ରକାର ହୋଇଥାଏ । ପୁଣ୍ଯ କର୍ମ ପାଇଁ ପରଲୋକରେ ସ୍ବର୍ଗାଦି ଲୋକ ଲାଭ (ଇଷ୍ଟ), ପାପକର୍ମ ପାଇଁ ନରକ ଭୋଗ(ଅନିଷ୍ଟ) ଏବଂ ମିଶ୍ରକର୍ମ ପାଇଁ ମନୁଷ୍ୟ ଲୋକ ମିଳିଥାଏ । ଯେ କୌଣସି କର୍ମ ନିମିତ୍ତ ପାଞ୍ଚଗୋଟି-ଅଧିଷ୍ଠାନ,କର୍ତ୍ତାକରଣ ପୃଥକ ଚେଷ୍ଟା ଓ ଦୈବ- କାରଣ ଅଟେ । କିନ୍ତୁ ଯେଉଁମାନେ ‘ ମୁଁ ଏହା କଲି ବା କରୁଛି ‘ ମନେ କରନ୍ତି ସେମାନେ ମୃଢ । ଯେଉଁମାନେ କର୍ତ୍ତୃତ୍ବ ତ୍ଯାଗ କରନ୍ତି ସେମାନେ ଶୁଭାଶୁଭ ଫଳରୁ ମୁକ୍ତ ହୁଅନ୍ତି ।

କର୍ମଚୋଦନା(ପ୍ରେରଣା) ତିନି ପ୍ରକାର -ଜ୍ଞାନ,ଜ୍ଞେୟ,ପରିଜ୍ଞାତା ଏବଂ କର୍ମ ସଂଗ୍ରହ ତିନି ପ୍ରକାର-ଜ୍ଞାନ, କର୍ମ ଓ କର୍ତ୍ତା । ଜ୍ଞାନ, କର୍ମ ଓ କର୍ତ୍ତା ଗୁଣ ଭେଦରେ ମଧ୍ୟ ତ୍ରିବିଧ-ସାତ୍ତ୍ଵିକ, ରାଜସିକ ଓ ତାମସିକ । ଭିନ୍ନ ଭିନ୍ନ ଦେହରେ ଅବସ୍ଥିତ ଆତ୍ମାଙ୍କୁ ଏକ ଅକ୍ଷୟ ଅବିଭକ୍ତ ଆତ୍ମା ବୋଲି ଯେଉଁ ଜ୍ଞାନ ଜାଣେ ତାହା ସାତ୍ତ୍ଵିକ ଜ୍ଞାନ । ସମସ୍ତ ଭୂତରେ ଅବସ୍ଥିତ ଥିବା ଆତ୍ମାଙ୍କୁ ପୃଥକ୍ ପୃଥକ୍ ମନେ କରୁଥିବା ଜ୍ଞାନକୁ ରାଜସ ଏବଂ ଯେଉଁ ଜ୍ଞାନ ଅସଂପୂର୍ଣ୍ଣ ,ଅଯୌକ୍ତିକ,ଅଯଥାର୍ଥ ଓ ଏକ ବିଷୟରେ ଆସକ୍ତ ତାକୁ ତାମସ ଜ୍ଞାନ କୁହାଯାଏ । ନିଷ୍କାମ କର୍ମ ଆସକ୍ତି, ଅନୁରାଗ ଓ ଦ୍ବେଷ ଶୂନ୍ୟ ଭାବରେ ଅନୁଷ୍ଠିତ ହେଲେ ତାହାକୁ ସାତ୍ତ୍ଵିକ କୁହାଯାଏ । ଫଳକାମନା,ଅହଙ୍କାର ଓ କଷ୍ଟର ସହିତ କରାଯାଉଥିବା କର୍ମକୁ ରାଜସ କୁହାଯାଏ । ଭବିଷ୍ୟତରେ ଫଳ,ବିତ୍ତାଦିର କ୍ଷୟ,ହିଂସା,ନିଜର ସାମର୍ଥ୍ୟ ବିଚାର ନ କରି ମୋହବଶରେ ଯେଉଁ କର୍ମ କରାଯାଏ ତାହାକୁ ତାମସିକ କହନ୍ତି । ଆସକ୍ତି ଓ ଅହଙ୍କାର ଶୂନ୍ୟ, ଧୈର୍ଯ୍ୟଶୀଳ ,ଉତ୍ସାହୀ, ନିର୍ବିକାର, କର୍ତ୍ତାକୁ ସାତ୍ତ୍ଵିକ କର୍ତ୍ତା କୁହାଯାଏ । ବିଷୟାନୁରାଗୀ,କର୍ମଫଳ ଅଭିଳାଷୀ,ପରଧନ ଲୋଭୀ,ହିଂସ୍ରକ,ଶୌଚ ଓ ଆଚାର ଶୂନ୍ୟ, ଲାଭାଲାଭରେ ହର୍ଷ ଓ ଶୋକଯୁକ୍ତ କର୍ତ୍ତାକୁ ରାଜସ କୁହାଯାଏ । ଅସାବଧାନ,ବିବେକ ଶୂନ୍ୟ,ଅବିନୀତ,ଶଠ,ଅମଙ୍ଗଳକାରୀ, ଅଳସ,ବିଷାଦ ଓ ଦୀର୍ଘସୂତ୍ରୀ କର୍ତ୍ତାଙ୍କୁ ତାମସକର୍ତ୍ତା କହନ୍ତି

ବୁଦ୍ଧି ଓ ଧୃତି ମଧ୍ୟ ଗୁଣଭେଦରେ ତ୍ରିବିଧ । ପ୍ରବୃତ୍ତି, ନିବୃତ୍ତି କାର୍ଯ୍ୟାକାର୍ଯ୍ଯ,ଭୟାବହ,ବନ୍ଧନ ଓ ମୋକ୍ଷ-ଏ ସବୁକୁ ଠିକ୍ ଠିକ୍ ରୂପେ ଯେ ଜାଣିପାରେ ତାହା ସାତ୍ତ୍ଵିକ ବୁଦ୍ଧି । ଧର୍ମ ଅଧର୍ମ, କାର୍ଯ୍ୟ ଓ ଅକାର୍ଯ୍ଯକୁ ଯେଉଁ ବୁଦ୍ଧି ଠିକ୍ ରୂପେ ଜାଣିପାରେ ନାହିଁ ତାହାକୁ ରାଜସ ବୁଦ୍ଧି । ଅଜ୍ଞାନ ଅନ୍ଧକାରରେ ଆଚ୍ଛନ୍ନ ହୋଇଥିବାରୁ ଅଧର୍ମକୁ ଧର୍ମ ମନେକରେ,ସବୁ ବିଷୟକୁ ବିପରୀତ ଭାବରେ ଉପସ୍ଥାପନ କରେ ତାହା ହେଉଛି ତାମସ ବୁଦ୍ଧି । ସାତ୍ତ୍ଵିକ ଧୃତି ଏକାଗ୍ର ଓ ଐକାନ୍ତିକ ଭାବରେ ମନ,ପ୍ରାଣ ଓ ଇନ୍ଦ୍ରିୟର କ୍ରିୟାକୁ ନିୟନ୍ତ୍ରିତ କରି ପରମାତ୍ମାଙ୍କ ସହିତ ସଂଲଗ୍ନ କରାଏ । ଧର୍ମ ଅର୍ଥ କାମକୁ ଧାରଣ କରୁଥିବା ଓ ଫଳ ପାଇବାକୁ ଆଶା ରଖିଥିବା ଧୃତିକୁ ରାଜସୀ କୁହାଯାଏ । ନିଦ୍ରା, ଭୟ,ଶୋକ, ଗର୍ବ ତ୍ଯାଗ କରୁନଥିବା ଦୁର୍ମେଧା ଧୃତି ତାମସୀ ଅଟେ ।

ସୁଖ ମଧ୍ୟ ତିନି ପ୍ରକାର । ଯେଉଁ ସୁଖରେ ଆନନ୍ଦ ଲାଭ ହୁଏ,ଦୁଃଖର ଅବସାନ ହୁଏ, ପ୍ରଥମେ ବିଷପରି ଓ ପରେ ଅମୃତ ପରି ଲାଗେ ତାକୁ ସାତ୍ତ୍ଵିକ ସୁଖ କୁହାଯାଏ । ବିଷୟ ଓ ଇନ୍ଦ୍ରିୟ ସଂଯୋଗରୁ ଜାତ ପ୍ରଥମେ ଅମୃତ ପରି ଓ ପରେ ବିଷପରି ହେଉଥିବା ସୁଖକୁ ରାଜସ ସୁଖ କହନ୍ତି । ବୁଦ୍ଧିର ମୋହଜନକ, ନିଦ୍ରା ଆଳସ୍ଯ ଓ ପ୍ରମାଦରୁ ଉତ୍ପନ ସୁଖକୁ ତାମସ କୁହାଯାଏ ।

ବିଶ୍ରାମ ଭେଦରେ ଭିନ୍ନ ଭିନ୍ନ ବ୍ଯକ୍ତିଙ୍କ ପାଇଁ ଭିନ୍ନ ଭିନ୍ନ କର୍ମର ବ୍ଯବସ୍ଥା କରାଯାଇଥିଲା । ଯାହାର ପ୍ରକୃତି ଯେପରି ତା ପାଇଁ ଉର୍ଦ୍ଦିଷ୍ଟ ହୋଇଥିବା କର୍ମକୁ ତା’ର ସ୍ବଭାବ ନିୟତ କର୍ମ ବା ସ୍ବଧର୍ମ କୁହାଯାଏ । ଶମ,ଦମ,ତପ,ଶୌଚ, ସରଳତା,ଜ୍ଞାନବିଜ୍ଞାନ ଓ ଆସ୍ତିକତା ବ୍ରାହ୍ମଣର ସ୍ବଧର୍ମ । ଶୌର୍ଯ୍ଯ,ତେଜ,ଧୃତି, ଦକ୍ଷତା, ଦାନ,ଯୁଦ୍ଧରେ ଅପାରଙ୍ମୁଖତା,ଈଶ୍ୱର ବିଶ୍ୱାସ ହେଉଛି କ୍ଷତ୍ରିୟର ସ୍ବଭାବ ଜାତ କର୍ମ ବା ସ୍ବଧର୍ମ । କୃଷି ଗୋପାଳନ ଓ ବାଣିଜ୍ୟ ବୈଶ୍ବର ସ୍ବଧର୍ମ ଏବଂ ପରିଚର୍ଯ୍ଯାତ୍ମକ କର୍ମ ଶୂଦ୍ରର ସ୍ବଧର୍ମ । ନିଷ୍କାମ ଭାବରେ କର୍ତ୍ତବ୍ୟ ପ୍ରେରଣାରେ ସ୍ବଧର୍ମ ପାଳନ କଲେ ବ୍ଯକ୍ତି ପରମ ପଦ ଲାଭ କରେ । ସ୍ବଧର୍ମରେ କିଛି ଦୋଷ ଥିଲେ ମଧ୍ୟ ତାକୁ ତ୍ଯାଗକରି ପରର ଧର୍ମ ଗ୍ରହଣ କରିବା ଉଚିତ୍ ନୁହେଁ । କାରଣ ପ୍ରତ୍ୟେକ କର୍ମ ମଧ୍ୟ ଦୋଷଯୁକ୍ତ ।

ସାଂଖ୍ଯଯୋଗୀଙ୍କ ମତରେ ଜ୍ଞାନ ଲାଭ ପରେ ସମ୍ପୂର୍ଣ୍ଣ ରୂପେ କର୍ମ ତ୍ଯାଗ କଲେ ନୈଷ୍କର୍ମ୍ଯ ସିଦ୍ଧି ଲାଭ ହୁଏ । କିନ୍ତୁ ଭଗବାନଙ୍କ ମତ ହେଲା – ସ୍ବଭାବ ନିୟତ କର୍ମ ନିଷ୍କାମ ଭାବରେ ସଂପାଦନ କଲେ ନୈଷ୍କର୍ମ୍ଯ ଲାଭ ହୁଏ । ଶ୍ରୀମଦ୍ ଭଗବତଙ୍କର ମଧ୍ୟ ଏହି ମତ । ନୈଷ୍କର୍ମ୍ଯ ସିଦ୍ଧି ଲାଭ ହେଲେ ରାଗଦ୍ବେଷ ଦୂର ହୋଇ କର୍ମ ଯୋଗୀଙ୍କର ମନ ଭକ୍ତି ରସରେ ପ୍ଲାବିତ ହୁଏ । ଭକ୍ତି ବଳରେ ସେ ଭଗବାନଙ୍କର ପ୍ରକୃତ ସ୍ବରୂପ ଉପଲବ୍ଧି କରନ୍ତି ଏବଂ ପାପମୁକ୍ତ ହୋଇ ମୋକ୍ଷ ଲାଭ କରନ୍ତି । ପବିତ୍ର ବୁଦ୍ଧି , ଧୈର୍ଯ୍ୟ, ଇନ୍ଦ୍ରିୟ ବିଷୟତ୍ଯାଗ,ପବିତ୍ର ସ୍ଥାନରେ ବାସ, ପରିମିତ ଭୋଜନ, ଶରୀର ବାକ୍ ମନର ସଂଯମ, ସର୍ବଦା ଈଶ୍ୱରଧ୍ଯାନ, ବୈରାଗ୍ୟ, ଅହଙ୍କାର ବଳଦର୍ପ କାମକ୍ରୋଧ ପରିଗ୍ରହତ୍ଯାଗ, ନିର୍ମମ,ଶାନ୍ତ ପ୍ରଭୃତି ଗୁଣ ବିଶିଷ୍ଟ ଯୋଗୀ ବ୍ରହ୍ମପ୍ରାପ୍ତିର ଉପଯୁକ୍ତ ହୁଅନ୍ତି । ପରମାତ୍ମାଙ୍କଠାରେ ସର୍ବଦା ମନ ସ୍ଥିର ରଖିଲେ ତାଙ୍କ ଅନୁଗ୍ରହରୁ ସମସ୍ତ ଦୁଃଖ କଷ୍ଟକୁ ଅତିକ୍ରମ କରିହେବ । ଆଉ ଅହଂକାର ବଶତଃ ତାଙ୍କ ଉପଦେଶ ନମାନିଲେ ବିନାଶ ନିଶ୍ଚୟ ହେବ । ପ୍ରକୃତି ଅନୁସାରେ ଅର୍ଜୁନ ଯୁଦ୍ଧ କରିବାକୁ ବାଧ୍ୟ ହେବେ । ଈଶ୍ୱର ସମସ୍ତ ପ୍ରାଣୀଙ୍କ ହୃଦୟରେ ଅବସ୍ଥାନ କରି ତାଙ୍କୁ ଯେପରି ଚଳାନ୍ତି ସେମାନେ ସେହିପରି ଚଳିବାକୁ ମଧ୍ୟ ବାଧ୍ୟ ହୁଅନ୍ତି । ସେଥିପାଇଁ କଥାରେ ଅଛି–

” ଦଇବ ଦଉଡି ମଣିଷ ଗାଈ

ଯେଣିକି ଟାଣିଇ ତେଣିକି ଯାଇ । ”

ତେଣୁ ସର୍ବଭାବରେ ସେହି ପରମ ପୁରୁଷଙ୍କର ଶରଣ ନେଲେ ପରମଶାନ୍ତି ଓ ନିତ୍ୟଧାମ ଲାଭ ହେବ ।

ଶେଷରେ ଭଗବାନ କହିଲେ-ଶାସ୍ତ୍ରମାନଙ୍କରେ ମୋକ୍ଷଲାଭ ପାଇଁ ବିଭିନ୍ନ ଧର୍ମାନୁଷ୍ଠାନର ବର୍ଣ୍ଣନା ଅଛି । ମାତ୍ର ସେ ସବୁରେ ନ ଭ୍ରମି ଏକମାତ୍ର ପରମପୁରୁଷଙ୍କର ଶରଣାଗତ ହେଲେ ସମସ୍ତ ପାପରୁ ମୁକ୍ତ ହୋଇ ମୋକ୍ଷଲାଭ ହୁଏ । ଗୀତା ଧର୍ମ ଶାସ୍ତ୍ରର ଶେଷ ଉପଦେଶ ହେଲା *ଅଚଳା ଭକ୍ତି ଦ୍ବାରା ବ୍ରହ୍ମପ୍ରାପ୍ତି ସହଜ* । ଜ୍ଞାନଯୋଆ,ଧ୍ଯାନଯୋଗ ବା କର୍ମଯୋଗ ଯେକୌଣସି ଯୋଗ ସାଧନାରେ ଅଚଳା ଭକ୍ତି ନମିଶିଲେ ମୁକ୍ତି ମିଳେ ନାହିଁ । ଗୀତା ଜ୍ଞାନର ଅଧିକାରୀ ଗୀତା ପାଠର ଫଳ ଓ ଗୀତା ବ୍ଯାଖ୍ଯାର ଫଳ ମଧ୍ୟ ଭଗବାନ୍ କହିଅଛନ୍ତି । ଗୀତାଶାସ୍ତ୍ର ଅଧ୍ଯୟନ ଓ ମନନଦ୍ବାରା ବ୍ଯକ୍ତି ମନରେ ଭକ୍ତିର ସଞ୍ଚାର ହୁଏ । ସେ କ୍ରମେ କ୍ରମେ କର୍ମଯୋଗ ପଥରେ ଅଗ୍ରସର ହୋଇ ଶେଷରେ ମୋକ୍ଷଲାଭ କରେ । ଏଣୁ କଥିତ ଅଛି –ବୁଝ ନ ବୁଝ ପଢ଼ ଗୀତା …..

ଶେଷରେ ଅର୍ଜୁନ ସ୍ବୀକାର କରିଛନ୍ତି ଯେ ତାଙ୍କ ମନରୁ ମୋହ ଦୂର ହେଲା । ସେ ଅବିଚଳିତ ରହି ଭଗବାନ୍ ଶ୍ରୀକୃଷ୍ଣଙ୍କ ଆଜ୍ଞା ପାଳନ କରି ଯୁଦ୍ଧ କରିବେ ।

ସଞ୍ଜୟ କହିଲେ- ବ୍ଯାସଦେବଙ୍କ ଦୟାରୁ ସେ ଗୀତା ଶାସ୍ତ୍ରର ସମସ୍ତ ଧର୍ମତତ୍ତ୍ବ ଶୁଣିପାରିଲେ ଓ ବିଶ୍ବରୂପ ଦର୍ଶନ କରି ପାରିଲେ । ସେ ସବୁ ସ୍ମରଣ କରି ସେ ବାରମ୍ବାର ଉଲ୍ଲସିତ ଓ ରୋମାଞ୍ଚିତ ହେଉଥିଲେ । ତାଙ୍କର ଶେଷ ମତ ହେଲା- ଯେଉଁ ପକ୍ଷରେ ଯୋଗେଶ୍ବର ଶ୍ରୀକୃଷ୍ଣ ଓ ଧନୁର୍ଦ୍ଧର ଅର୍ଜୁନ ଅଛନ୍ତି ସେ ପକ୍ଷର ଯୁଦ୍ଧରେ ବିଜୟ ନିଶ୍ଚିତ ।।

ସମାପ୍ତ

 

ସଂଗ୍ରାହକ — କବିକମଳ ନରେନ୍ଦ୍ର ପ୍ରସାଦ ବେହେରା,

ସମ୍ପାଦକ – ମୋ ଅନୁଷ୍ଠାନ, ଆଳଦା, ଖଇରା, ବାଲେଶ୍ଵର, 

Related posts

କୋକସରା ବ୍ଲକ ଏନ ପି ଏସ ଶିକ୍ଷକ ସଂଘ ର ନୂତନ କର୍ମକର୍ତ୍ତା ଚୟନ ବୈଠକ ଅନୁଷ୍ଠିତ

Sunil Chandra Nayak

ତ୍ରୁଟି ପୂର୍ଣ୍ଣ ପୋଲ ନିର୍ମାଣ ହେତୁ ଘରେ ଘରେ ପଶିଲା ବର୍ଷା ଜଳ

ଶ୍ରୀରାମକୃଷ୍ଣ ଆଶ୍ରମ ରେ ବରିଷ୍ଠ ନାଗରିକଙ୍କ ପାଇଁ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

Sunil Chandra Nayak

Leave a Comment

error: Content is protected !!