ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରକାରଙ୍କ ଦୃଷ୍ଟି ଆଢୁଆଳରେ ଥିବା ଏକ ଗ୍ରାମ ର କରୁଣ କାହାଣୀ

ଡ଼ାଲଗୁମା   :୨୬/୫- ମ.ନି.ସ:- କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଗରିବ ଲୋକଙ୍କୁ ସମାଜର ମୂଖ୍ଯ ସ୍ରୋତରେ ସାମିଲ କରିବା ନେଇ ଗରିବ ଲୋକଙ୍କ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି। ଗରିବଙ୍କ ଯୋଜନା ଯୋଜନ ଯୋଜନ ଦୂରକୁ ଚାଲିଯାଉଛି, ବାଟବଣା ହେଉଛି ଯୋଜନା ଯୋଜନକୁ ସମାଜର କେତେ ମୁଷ୍ଟିମେୟ ଲୋକ ହରିଲୁଟ କରୁଛନ୍ତି, ଏହାର ସଠିକ ତଦନ୍ତର ଅବହେଳା କରୁଛନ୍ତି ବିଭାଗୀୟ ଅଧିକାରୀ ଓ ରାଜନୈତିକ ଦଳର କୁଜିନେତା। ଦେଶ ସ୍ବାଧୀନତା ର ୭୩ ବର୍ଷ ଅତିକ୍ରମ କରିସାରିଛି। ତଥାପି ଗରିବ ଲୋକେ ତାହାର ପ୍ରକୃତ ସ୍ବାଦ ଚାଖି ପାରିଲେ ନାହିଁ, ଗାଁ ମାନଙ୍କରେ ମୌଳିକ ସୁବିଧା ପହଞ୍ଚି ପାରିଲା ନାହିଁ, ଗାଁରେ ଅନେକ ସମସ୍ୟା ରହିଅଛି ହେଲେ ସମସ୍ଯାର ସମାଧାନ କରିବା ପାଇଁ ପ୍ରଶାସନ କିମ୍ବା ସ୍ଥାନୀୟ ଜନପ୍ରତିନିଧି ଇଛା ପ୍ରକାଶ କରୁନଥିବା ଜଣାପଡେ।ଏହା ଯୋଗୁଁ ଦୁର୍ଗମ ଅଞ୍ଚଳରେ ବିକାଶ ହୋଇପାରୁନାହିଁ। ଆଜି କଳାହାଣ୍ଡି ଜିଲ୍ଲାର ଅନେକ ଗ୍ରାମାଞ୍ଚଳରେ ଲୋକଙ୍କ ପାଇଁ ଗମନାଗମନ, ପାନୀୟ ଜଳ,ସ୍ବାସ୍ଥ୍ୟସେବା, ଶିକ୍ଷା ଓ କୃଷି କ୍ଷେତ୍ରରେ ଅନେକ ସମସ୍ୟା ଘେରରେ ଛନ୍ଦି ହୋଇଛନ୍ତି ଗରିବ ଜନତାଙ୍କ ପାଇଁ ପ୍ରହସନ ପାଲଟିଛି ସରକାରଙ୍କ ଯୋଜନା। ଏଠାରେ ଏପରି ଏକ ଗାଁର ଚିତ୍ର ସାମ୍ମାକୁ ଆସିଥିବା ଦେଖିବାକୁ ମିଳିଛି। ସେହି ଗାଁ ହେଲା କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଅଧିନରେ ଥିବା ମଙ୍ଗଳପୁର ଗ୍ରାମପଞ୍ଚାୟତ ନିକଟସ୍ଥ ଜୁନାପାଣି ଗ୍ରାମ। ଏହି ଜୁନାପାଣି ଗ୍ରାମ ବ୍ଳକ ସଦରମହକୁମା ଠାରୁ ମାତ୍ର ୧୦ କିଲୋମିଟର ଓ ଇନ୍ଦ୍ରାବତୀ ବହୁମୁଖୀ ବିଦ୍ଯୁତ ପ୍ରକଳ୍ପ ଠାରୁ ଅତି ନିକଟରେ ଜୁନାପାଣି ଗ୍ରାମ ଅବସ୍ଥିତ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ଯୋଜନା ତିଆରି କରାଯାଇଛି। ତାହା ଏହି ଗାଁକୁ ଅପହଞ୍ଚ ଭାବରେ ରହିଯାଇଛି। ସରକାର ପକ୍ଷରୁ ଡିଣ୍ତିମ ପିଟି କହୁଛନ୍ତି ଯେ ପ୍ରତ୍ୟେକ ଗ୍ରାମକୁ ବିକାଶର ଶୀର୍ଷରେ ପହଁଞ୍ଚାଇବା ପାଇଁ ଆମ୍ଭେ ପ୍ରୟାସ କରୁଅଛୁ। ତେବେ ଏହି ଗାଁର ଚିତ୍ରକୁ ଜଣେ ଦେଖିବେ ଯେ, ଜାଣିପାରିବେ ଯେ, ସରକାରଙ୍କ ଯୋଜନା କେତେ ଦୂର ସଫଳ ହୋଇଛି। ଲୋକଙ୍କ ପାଇଁ ପାନୀୟ ଜଳର ବ୍ଯବସ୍ଥା ଆଜି ଯାଏଁ ହୋଇପାରିଲା ନାହିଁ, ଯାହାଫଳରେ ଏହି ଗ୍ରାମର ଲୋକେ ନାଳ ଉପରେ ନିର୍ଭରଶୀଳ ଅଟନ୍ତି। ଗ୍ରାମବାସୀ ନାଳରୁ ପାଣିକୁ ସଂଗ୍ରହ କରି ପାନୀୟ ଭାବରେ ବ୍ଯବହାର କରୁଛନ୍ତି।ଏହାଦ୍ବାରା ସେମାନେ ଅନେକ ସମୟରେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଖର୍ଚ୍ଚାନ୍ତ ହେଉଥିବା ପ୍ରକାଶ କରିଛନ୍ତି। ଗ୍ରାମରେ ବିଦ୍ଯାଳୟ ନଥିବା ଦ୍ବାରା ୨୫ରୁ ଅଧିକ ଛୋଟଛୋଟ ପୁଅଝିଅ ପାଠପଢିବା ପାଇଁ ଘେନୁଗୁଡା ଗ୍ରାମକୁ ଯିବାକୁ ପଡୁଛି ଯାହାର ଦୂରତା ୩/୪ କିଲୋମିଟର ବାଟ ପଡିଥାଏ, ଯେଉଁ ବାଟ ଦେଇଯିବାକୁ ପଡେ ତାହା ପୁଣି ଦୁର୍ଗମ ରାସ୍ତା। ସ୍ବାସ୍ଥ୍ୟସେବା କଥା ନକହିବା ଭଲ ସେମାନେ ସ୍ବାସ୍ଥ୍ୟସେବା ରୁ ବଞ୍ଚିତ। ସେହି ପରି ଆବାସ ଯୋଜନ ଏମାଙ୍କ ପାଇଁ ସାତସପନ ପାଲଟିଛି। ସେହି ଆଗକାଳର ପୂରୁଣା ଝାଟିମାଟି ତିଆରି ଘରେ ହିଁ ଏମାନଙ୍କ ଜୀବନ ଅତିବାହିତ ହେଉଛି। ଅନ୍ଯପଟେ ସରକାର କହୁଛନ୍ତି ଯେ, ସମସ୍ତେ ପାଇବେ ପକ୍କା ଘର ସମସ୍ତ ଲୋକଙ୍କୁ ମିଳିବ ରୋଜଗାର। ଏପ୍ରକାର ମିଥ୍ୟା ପ୍ରତିଶ୍ରୁତି ଦେଇ ଲୋକଙ୍କ ଠାରୁ ଭୋଟ ନେଇ ନିର୍ବାଚନରେ ଜିତିଯାଉଛନ୍ତି। ଆସନରେ ବସିଗଲେ ଭୁଲି ଯାଉଛନ୍ତି ଗ୍ରାଁର ବିକାଶ କଥା। ଲୋକଙ୍କ ଜୀବନ ଶୈଳୀକୁ ଦେଖିଲେ ଜଣାପଡେ ଯେ, ପ୍ରକୃତରେ ସରକାରୀ ଯୋଜନା ଏଠାରେ ବିଫଳ ହୋଇଯାଇଛି। ଏହି ଗ୍ରାମରେ ପ୍ରାୟ ଲୋକ କୁଲିମଜୁରୀ କରି ପରିବାର ପ୍ରତିପୋଷଣ କରିଥାନ୍ତି, ହେଲେ କାମ ଅଭାବ ଯୋଗୁଁ ଲୋକଙ୍କୁ ବିଭିନ୍ନ ସମସ୍ୟା ଦେଇ ବହୁ କଷ୍ଟକର ଜୀବନଯାପନ କରିବାକୁ ପଡୁଛି।  ପାହାଡ  ଖେତ ରେ କୋଳଥ, ମାଣ୍ଡିଆ ,  ଧାନ ଉତ୍ପାଦନ କରି ଜୀବିକା ନିର୍ବାହ କରିଆସୁଛନ୍ତି।        ଛୋଟ ଛୋଟ ପୁଅ ଝିଅ ମାନେ ନିକଟସ୍ତ ଜଙ୍ଗଲ ରୁ ପତ୍ର ସଂଗ୍ରହ କରି ତାକୁ ବିକ୍ରୟ କରି ଦୁଇ ପଇସା ରୋଜଗାର କରିଥାନ୍ତି । ସେହିପରି ମହିଳା ଓ ପୁରୁଷ ମାନେ ପଥର ଫଟେଇ ମେଟାଲ ଓ ଚିପ୍ସ ପ୍ରସ୍ତୁତ କରି ତାକୁ ବିକିଥାନ୍ତି ଓ ସେଥିରୁ ଜୀବିକା ନିର୍ବାହ କରିଥାନ୍ତି । ସରକାରଙ୍କ ପକ୍ଷରୁ କୌଣସି କାମ ଯୋଗାଇ ଦିଆଯାଉନି । ଏପରିକି ମହିଳା ମାନେ ଏହି ପ୍ରତିନିଧି ଙ୍କ ପାଖରେ କୋହଭରା କଣ୍ଠରେ ତାଙ୍କ ଦୁଃଖର କାହାଣୀ ବଖାଣିବା ସହ ସେମାନଙ୍କୁ କୌଣସି ଭତ୍ତା ମିଳୁନଥିବା ପ୍ରକାଶ କରିଛନ୍ତି ।   ଏଠାରେ ସହଜରେ ଅନୁମାନ କରାଯାଉଛି ସରକାରଙ୍କ ଯୋଜନା ବାଟବଣା ହେବାରେ ଲାଗିଛି। ଦଲାଲ, ପ୍ରଶାସନ ଓ ସ୍ଥାନୀୟ ରାଜନେତାଙ୍କ ଦୂରଦୃଷ୍ଟି ଘୋର ଅଭାବ ରହିଛି। ତେଣୁ ଏହି ଗାଁର ବିକାଶ ନେଇ ପ୍ରଶାସନ ଦୃଷ୍ଟି ପଡିବା ନିହାତି ଜରୁରୀ ହୋଇପଡିଛି। ପ୍ରଶାସନ ପକ୍ଷରୁ ଜୁନାପାଣି ଗାଁର ପାରିପାର୍ଶ୍ବିକ ବିକାଶ ପାଇଁ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।  ତେବେ ପ୍ରଶ୍ନ ଉଠୁଛି   ଏକ ନିର୍ଦ୍ଦିଷ୍ଟ ପରିବାର  ଏହି ଅଞ୍ଚଳ କୁ ୩୦ ବର୍ଷ ପ୍ରତିନିଧତ୍ଵ   କରୁଥିଲେ। ବିଧାୟକ ଏପରିକି କ୍ୟାବିନେଟ ପାହ୍ୟା ମନ୍ତ୍ରୀ ଦୁଇ ଦୁଇ ଥର ଥିଲେ ।   ତଥାପି ଜୁନାପାଣି ଗ୍ରାମର ମାନଚିତ୍ର ବଦଳି ପାରିଲା ନାହିଁ। ସେହି ପୂରୁଣା ଅବସ୍ଥାରେ ଗ୍ରାମବାସୀ ରହିଛନ୍ତି। ଏଠାରୁ ସହଜରେ ଅନୁମାନ କରାଯାଉଛି,ସେମାନଙ୍କ ଶାସନ କେଉଁ ଭଳି ଚାଲିଛି। କେବେ ଜୁନାପାଣି ଗ୍ରାମର ବିକାଶ ହେବ ଆଉ କେତେ ବର୍ଷ ଶାସନ କଲେ ଏମାନେ ପାଇବେ ମୌଳିକ ସୁବିଧା। ଏହାଛଡା ମୁଖିଗୁଡାରେ ବହୁମୁଖୀ ଜଳ ବିଦ୍ଯୁତ  ପ୍ରକଳ୍ପ ରହିଅଛି। ଏହି ଅଞ୍ଚଳର ପାରିପାର୍ଶ୍ବିକ ବିକାଶ କାହିଁକି କରୁନାହିଁ। ଏଭଳି ବିଭିନ୍ନ ମହଲରେ ଅନେକ ପ୍ରକାର ପ୍ରଶ୍ନବାଚୀ ସୃଷ୍ଟି କରୁଅଛି। ବ୍ଯବସ୍ଥା ଖରାପ ନା ଜନସଚେତନତାର ଅଭାବ ଉପର ବାଲାଙ୍କୁ ଜଣା। ତେଣୁ ଜୁନାପାଣି ଗାଁକୁ ପ୍ରଶାସନର ଦୃଷ୍ଟି ପଡିବା ପାଇଁ ଦାବି ହେଉଛି।

ଡ଼ାଲଗୁମା ରୁ ମହେନ୍ଦ୍ର ଧରୁଆ ଙ୍କ ରିପୋର୍ଟ 

Related posts

ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଧର୍ମପ୍ରାଣା ମହିଳାଙ୍କ ପରଲୋକ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଗୋଡମୋଡା ଯନ୍ତ୍ର

Leave a Comment

error: Content is protected !!