ସାବିତ୍ରୀର ସ୍ଵର
ଜ୍ୟୋତ୍ସ୍ନା ରାଣୀ ଦେବୀ
ସୁବର୍ଣ୍ଣ କଙ୍କଣେ ତୁଷ୍ଟ ମୋ ପରାଣ
ହେବାର ଅଭୀପ୍ସା ମମ
କେଉଁଠି ଦେଖିଲ ଚାନ୍ଦ ତୋଳିଦେଲ
ବୁଦ୍ଧି ହେଲା ତୁମ ବାମ ।
କଟୀରେ କିଙ୍କିଣୀ ହୀରା କାନଫୁଲ
ପଦେ ନୂପୁର ନିକ୍ଵଣ
ସଜେଇଲ ଆଣି ହେବି ବୋଲି ରାଣୀ
ପ୍ରୀତିଥାଳ କରି ଶୁନ୍ୟ ।
ପ୍ରେମରଙ୍ଗ ଯଦି ଫିକା ପଡିଗଲା
ମନତଳେ ତୁମ କଳା
ସଜ ମଲ୍ଲୀଫୁଲ ଗଭାର ଗଜରା
କରିବକି ଗଳାମାଳା ?
ଅର୍ଦ୍ଧାଙ୍ଗ ଈଶ୍ୱର ଅର୍ଦ୍ଧାଙ୍ଗ ପାର୍ବତୀ
ଚିତ୍ତେ ମୋ ଚିନ୍ତନ କରି
ବସିଥିଲି ମୁଁ ଯେ ଦିବାନିଶି ପରା
ପ୍ରୀତିର ପ୍ରଦୀପ ଜାଳି ।
ସକଳ ଐଶ୍ଵର୍ଯ୍ୟ ନୁହଁଇ ଭାଜନ
ପତିର ସୁହାଗ ସଙ୍ଗେ
କୁଳବଧୁ କେବେ ତୃଷିତ କି ହେବ
କୁଳଟାର ରହିଲେ ମଙ୍ଗେ ?
ପତିପ୍ରାଣା ମନ ହୃଦୟବେଦନା
ମାନ ଅଭିମାନ ଭରା
ବାଣୀ ଠାଣିମାଣି ସୁପୁରୁଷ ସହେ
ତୋଳି ପୀରତି ମଦିରା ।
ନଷ୍ଟନୀଡ଼ ରଚେ ନଷ୍ଟଭ୍ରଷ୍ଟ ନର
ମିଥ୍ୟାବାଦୀ ଅବିଶ୍ଵସ୍ତ
ବିଶ୍ଵାସର ବନ୍ଧ ହୋଇଲେ ଦୁର୍ବଳ
ସେତୁ ହୁଅଇ ବିଧ୍ଵସ୍ତ ।
ସାବିତ୍ରୀ ସାଜିବି ସିନ୍ଦୂର ନାଇବି
କେଉଁପରି ଅବା ସତେ
ରକତର ନିଆଁ ସତତ ଜାଳୁଛି
ଶଙ୍ଖା ଦେଖି ଦୁଇହାତେ ।
ତଥାପି ଅଟେ ମୁଁ ଭାରତ ରମଣୀ
ବାଞ୍ଛୁଛି ବାଞ୍ଛିବି ନିତି
ତୁମ ଚଲାପଥ କୁସୁମିତ ହେଉ
ଜାଳୁଥିବି ସଂଜବତୀ ।