ଜଣାଣ
ମାନଗୋବିନ୍ଦ ସ୍ବାଇଁ
ଦୋଷ କ୍ଷମା କର ଜଳେ ଗଲି ଭାସି
ରକ୍ଷା କର ପ୍ରଭୁ ମୋତେ
ତୋ ଦ୍ବାରେ ବସିଛି ତୋ ମୁହିଁ ଚାହିଁଛି
କେବେ ନେବୁ ପାଖ ସତେ।
ଯେମିତି ଚାହିଁଛୁ ଜଗତ ଦେଖୁଛି
ମୁହିଁ ଚାହିଁ ରହେ ତୋତେ
ସେମିତି ଚାହିଁଛି ମୋ ଆଶା ପୂରଣ
ସତ କହ ଜଗନ୍ନାଥେ।
ସଂସାର ନଉକା ବାହି ମୁହଁ ଚାଲେ
କୂଳ ପହଁଞ୍ଚିବା ପାଇଁ
ସେହି ପଥ ଦେଖା ନକର ଅଦେଖା
ତୁହି ମୋ ଧରା ଗୋସାଇଁ।
ମଝି ଦରିଆରେ ନାବ ଟଳମଳ
ଡାକି ତୋର ନାମ କେତେ
କଳା ମେଘ ଘନ ମାଡ଼ି ଆସେ ସତେ
ଝଡ଼ ସାହା ଦିଅ ମୋତେ।
ପବନ ଯାହାର ନିଜ ଅକ୍ତିଆର
ଦୁନିଆ ତାକୁ ତ ଜଣା
କିଏ କ’ଣ କରେ ଖବର ତୁମର
ସବୁ ପାଇଛ ଠିକଣା।