ସାବିତ୍ରୀ
ସଫଳା ଦାସ
ବ୍ୟଙ୍ଗ କବିତା
ଆଜିର ସାବିତ୍ରୀ କେହି ନୁହେଁ ସରି
ଏକା ମୁଁ ଜଗତ ଜିତା
ଚୁଟି ଖୋଲି ଦେଇ ସ୍କୁଟି ହାତେ ଥିଲେ
ଘୂରେନି ମୋହର ମଥା ।।
ଘିରି ଘିରି ହୋଇ ଚକର ମାରିବି
ସତ୍ୟବାନ ଚାରି ପାଖେ
ଆଖି ରହିଥାଏ କ୍ୟାଲେଣ୍ଡର ପାଶେ
ପକେଟ ଜାନୁର ଦେଖେ ।।
ଜାନୁ ଡାକୁ ଥାଏ ବଡ ସରାଗରେ
ପତି ମୋର କଥା ଶୁଣେ
ଗେହ୍ଲେଇ ଫୁଲେଇ ରୂପକୁ ଦେଖିଲେ
ଖୁସିରେ ପଇସା ଗଣେ ।।
ତା ପାଇଁ ସାବିତ୍ରୀ ବ୍ରତ କରେ ବୋଲି
କିଣେ ଦାମିକିଆ ଶାଢୀ
ଅଫର ନାଆଁରେ ଚକର ଖାଇ ସେ
ସ୍କୁଟି ପଛେ ବସେ ଭିଡି ।।
ଏଟିଏମ ତାର ମୋ ହାତେ ପଡିଲେ
ମୁଣ୍ଡ ବିନ୍ଧା ହେଉ ଯେତେ
ଗୋଟିଏ ଦିନଟି ମୋ ପାଇଁ ସେ ଦେବ
କହୁଥାଏ ତାକୁ କେତେ ।।
ଲସି ସର୍ବତ ,ଦାମୀ ଫଳ ମୂଳ
ଭଲ କରି ପେଟ ପୂଜା ପାଇଁ
ସାବିତ୍ରୀ କରିଛି ବ୍ରତ ଶେଷ ପରେ
ପେଟେ ଖାଇ ଖଟେ ଯାଏ ଶୋଇ ।।
ସତ୍ୟବାନ ଦେଖେ ରୂପ କାନ୍ତି ମୋର
ପାଟିରୁ ନବାହାରେ କଥା ପଦେ
ସାବିତ୍ରୀ କରିଛି ମୋ ପାଇଁ ବ୍ରତଟି
ଲୁଚି ଲୁଚି ଆଖି ମଳି କାନ୍ଦେ ।।