ପଇସା
ସୁକାନ୍ତ ଖଣ୍ଡା
ପଇସା ଦେଖିବା ଆଜି ସ୍ବପ୍ନର ବାହାରେ
ଯଦିଓ ରହିଛି
କାରବାର ହେଉନି ଯମାରୁ।
ଅଜା କହୁଥିଲେ ନାତିକୁ
ନାତି ଶୁଣୁଥିଲା କାନକୁ ଡେରି।
ନାତି କହିଲା ଅଜା
ମୁଁ ପଚାଶ ପଇସା ଦେଖିଛି।
ଅଜା କହିଲେ ମୁଁ ତୋ ପରି ଥିବାବେଳେ
ଏକ,ଦୁଇ,ତିନି ପାଞ୍ଚ,ଦଶ,କୋଡି଼ଏ,ପଚିଶ ଓ ପଚାଶ ପଇସା ଚଳୁଥିଲା।
ଜାଣିଛୁ !
ପାଞ୍ଚ ପଇସାରେ ପାଞ୍ଚଟି ଗୁଲୁଗୁଲା
ଏବେ ଗୁଲୁଗୁଲା ନାହିଁ କି ପାଞ୍ଚ ପଇସା ବି ନାହିଁ।
ବଡ଼ ଆଶ୍ଚର୍ଯ୍ଯ ହୋଇ ନାତି କହିଲା
ଏବେ ତ ବୋଲଡ଼ର ଅଛି
ଗୋଟାକ ପାଞ୍ଚଟଙ୍କା,ନୁହେଁ?
ଅଜା କହିଲେ ଏବେ
ଟଙ୍କା ମାଳମାଳ ଓ ବିଡା଼ବିଡା଼
ଘରୁ ବାହାରିବୁ ତ
ପାଣି ପରି ବହିଯିବ ଅଣ୍ଟିରୁ ତଳକୁ।
ଦୁଇ ଅଜା ଓ ନାତିଆ
ବସିଥିଲେ ସଞ୍ଜ ମୁହଁଟାରେ
ଯେଉଁଠି ସୂର୍ଯ୍ଯ ଲୁଚି ଯାଉଥିଲେ
ପକ୍ଷୀଙ୍କର କାକଳି ବି ନୀଡ଼ ବାହୁଡା଼ରେ
ଅଥଚ ଏ ଦୁହେଁ ତଉଲୁଥିଲେ
ଗତକାଲି ଓ ଆଜି ପଇସାର ଫରକ।
ଅଜା କହିଲେ ଭବିଷ୍ଯତ ଅନିଶ୍ଚିତ
କ’ଣ ହେବ କେଜାଣି?
ଆସନ୍ତା କାଲିକୁ ହୁଏତ ଲୋପ ହୋଇଯିବ
ପୂରା ପଇସାର କାରବାର।
ନାତି କହିଲା ସମୟର ଖେଳ
ଦୁହେଁ କୋଳାକୋଳି ହେଲେ।
ପଇସାର ମୂଲ୍ଯବୋଧ ଦବି ଯାଉଛି ତ
ଦୁହିଁଙ୍କ ଆଖିରେ ଆଖିଏ ଲୁହ।