ଝଡ଼ ବତାସ
କେହି କେହି
ଇପ୍ସିତ ଆଶାର ଇଟା ମାନଙ୍କୁ ନେଇ
ତୋଳିଥାନ୍ତି ସ୍ବପ୍ନର ମହଲ
ଜହ୍ନର ସୁନେଲି କିରଣକୁ
ରଙ୍ଗର ଚାଦର କରି
ଘୋଡେଇ ଥାନ୍ତି ମହଲ ଉପରେ
ଚିକ ମିକ ତାରାର ଆଲୋକକୁ ନେଇ
ସଜେଇ ଥାନ୍ତି ରଙ୍ଗ ବେରଙ୍ଗର
ଇଲେକ୍ଟ୍ରି ବଲବ ପରି…….
ତେଣୁ ସେମାନେ ହସନ୍ତି
କେତେ ଦଶନ୍ଧି ଧରି
ଦୁଃଖର ସନ୍ତର୍ପଣରେ
କେଉଁ ଏକ ସୁଖର ପିପାସାରେ…… Il
ଏଇ ସେଇ ଅନ୍ତରର ଆନ୍ତରିକତାରେ
ବୁଢୀମା ହସେ
ତା’ର ଲାଉ ଲାତରେ ଲାଉ ଫଳିଲେ
ବୁଢ଼ା ବାପା ହସନ୍ତି
ଗାଁ ପୋଖରୀର ଚୁନା ମାଛରେ
ମାଆ ହସେ
ତା ଛୁଆ ପେଟର ଭୋକର ପୂର୍ଣ୍ଣଛେଦରେ
ଆଉ ବାପା ହସନ୍ତି
ସବୁ ମୁଖର ହସ ଦର୍ଶନରେ
ପରିପୂର୍ଣ୍ଣତାର ବିପ୍ଳବରେ
ନିଜ ଚତୁର୍ଯ୍ୟତାର ମାଟି କାନ୍ଥ ମୂଲକରେ….. Il
ତଥାପି
କେଉଁ ଏକ ଅପରିଚିତ ଶକ୍ତିରେ
ଖରା ତାତିର ଝାଞ୍ଜି ପବନର ଦହଗଞ୍ଜପରି
ବିଧି ଯେତେବେଳେ ବାମ ସାଜେ
ଭାଗ୍ୟ ସାଜେ ବଇରୀ
କାଳ ଆସେ ନିଦ୍ରା ନେଇ
କେଉଁ ଏକ ସମ୍ପର୍କର ବିଲୁପ୍ତିରେ
ଅଦିନିଆ ଝଡ ନେଇ, ବତାସ ନେଇ
ତାପରେ ତୁମେ କାନ୍ଦ, ଲୁହ ଗଡା଼ଅ
ଭୁଶୁଡି ପଡେ ତୁମ ସ୍ବପ୍ନର ମହଲ
ଆଶା ସବୁ ମରୀଚିକା ସାଜେ
କାହା ଜୀବନର ପୂର୍ଣ୍ଣ ଛେଦରେ
ହଠାତ, ଏଇ ଝଡ଼ ବତାସ ରେ……. Il
ନବ କୁମାର ଦାସ
ସୁରଡ଼ିହା, ବାଲିଆପାଳ, ବାଲେଶ୍ୱର